Unknown

 

 

 

 

 

 

 

 

 

ତୁ ମୋ ମା

ଦିବ୍ୟସିଂହ ପାଣିଗ୍ରାହୀ

 

ପ୍ରଥମ ପରିଚ୍ଛେଦ

 

‘‘ବିଶି, ବିଶି ! ଆଜିଯାଏ ନିଜ ବିଷୟ ବୁଝିବାରେ ମନଦେଲନାହିଁ । ମୁଁ କହି କହି ଥକିଲିଣି ।’’

‘‘ମୁଁ ତ କେବେ ଆପଣଙ୍କ ହୁକୁମ ଅମାନ୍ୟ କରିନାହିଁ । ଯାହା ଆଦେଶ କରିବେ କରିବି-।’’

‘‘ସବୁବେଳେ ବିରାଡ଼ି, କୁକୁର, ଶୁଆ, ଶାରୀ ନେଇ ବ୍ୟସ୍ତ ରହିଲେ ତ ହେବନାହିଁ । ବାପ-ଅଜାଙ୍କ ସୁନାମ ରଖିବା ତୁମ ହାତରେ । ତୁମ ଦାୟିତ୍ୱ ତୁମେ ଆଜିଯାଏ ବୁଝନାହିଁ; ମନେକରୁଛ ବାପା ଥିଲାବେଳେ ଯେପରି ଥିଲ ଚିରଦିନ ସେପରି ରହିବ ? ତାହାହେଲେ ଚଳିବନାହିଁ ।’’

‘‘ମୋର ଦୋଷ କଅଣ ? ବାପା ମାଆ ମତେ ଏପରି ବଢ଼ାଇଲେ କାହିଁକି ? ବାପା ବଞ୍ଚିଥିବାଯାଏ କୌଣସି କାର୍ଯ୍ୟ କରିବାକୁ ଦେଲେନାହିଁ । ଭଲ ଖାଇବାକୁ, ଭଲ ପିନ୍ଧିବାକୁ ଦେଇ ମୋର ଯେତେବେଳେ ଯାହା ଖିଆଲ ହେଲା ପୂରଣ କରି ମୋତେ ଏପରି ଅକର୍ମଣ୍ୟ କରିଦେଲେ-!’’

‘‘ପିତାମାତାର ହୃଦୟ କଅଣ ତୁମେ ସେ ବିଷୟରେ କିଛି ଜାଣନାହିଁ, ବିଶି ! ସେଥିପାଇଁ ଏପରି କହୁଛ । ଯେତେବେଳେ କେବେ ପିତା ହେବ ସେତେବେଳେ ବୁଝିପାରିବ ।’’

‘‘ଆପଣ ତ ଆଜିଯାଏ କାହାରି ପିତା ହୋଇନାହାନ୍ତି; ତେବେ ଆପଣ କିପରି ବୁଝିଲେ-?’’

ଚିଦାନନ୍ଦ ଟିକିଏ ଅପ୍ରତିଭ ହେଲେ । ହସି ହସି କହିଲେ, ‘‘ବିଶି ! ମୁଁ ତୁମଠାରୁ ସଂସାର-ବିଷୟ ବେଶି ଜାଣେ–ସେଥିପାଇଁ ଏପରି କହିଲି । ମୁଁ କାହାରି ପିତା ହୋଇନାହିଁ କି ହେବାର ଆକାଙ୍‌କ୍ଷା ରଖିନାହିଁ; ତେବେ ପୁତ୍ରସ୍ନେହ କ’ଣ ମୁଁ ବୁଝିଅଛି । ମୁଁ ଯଦି କାହାକୁ ପୁତ୍ରବତ୍‌ ଦେଖେଁ, ତାହାହେଲେ ପୁତ୍ରସ୍ନେହ କ’ଣ ମୁଁ ବୁଝିବି । ତୁମେ ତୁମ ପିତାମାତାଙ୍କର ଏକମାତ୍ର ପୁତ୍ରବୋଲି ସେମାନେ ତୁମକୁ ଆଦରରେ ପାଳନ କରିଛନ୍ତି । ତୁମେ ତ ଆଉ ପିଲା ନୁହଁ । ହିତାହିତ ଜ୍ଞାନ ହେଲେ, ନିଜକୁ ନିଜର କର୍ତ୍ତବ୍ୟ ସ୍ଥିର କରି କାର୍ଯ୍ୟରେ ଲାଗିବା ଉଚିତ ।’’

‘‘ଆପଣ ଯେପରି କହିବେ ମୁଁ ସେପରି କରିବି । କର୍ତ୍ତବ୍ୟ କ’ଣ ମୁଁ ଜାଣିନାହିଁ । ମୁଁ କେବଳ ଜାଣେ, ଆପଣଙ୍କ ଆଜ୍ଞା ପ୍ରତିପାଳନ କରିବା ମୋର କର୍ତ୍ତବ୍ୟ ।’’

‘‘ନିଜେ ନିଜର କର୍ତ୍ତବ୍ୟ ସ୍ଥିର ନକରିବାଯାଏ, ମୋ କଥା ଅନୁସାରେ ଚଳିଲେ ତାହା ତୁମଠାରେ ସ୍ଥାୟୀ ହେବନାହିଁ । ମୋ ଅନୁରୋଧରେ ତୁମେ ହୁଏତ ଭୟରେ ଯାହା ବାଧ୍ୟ ହୋଇ କରିବ, ମୋ ଅନୁପସ୍ଥିତିରେ ତାହାର ବିପରୀତ କରିପାର ।’’

‘‘ତେବେ ମୁଁ କ’ଣ କରିବି ? ନିଜ ମନକୁ ବିଚାରି କିଛି କରିବାକୁ ମୁଁ ଶିଖିନାହିଁ । ମୁଁ କେବଳ ଜାଣେ, ଖାଇପିଇ ଖୁସିରେ ବୁଲିବି; ଗୀତ ଗାଇ ବଗିଚାରେ ଫୁଲ ତୋଳିବି ।’’

‘‘ତା ନୁହେଁ; ତୁମେ ବର୍ତ୍ତମାନ ବୀରିବାଟୀରେ ଦଳବେହେରା । ରାଜଦରବାରରେ ତୁମର କେତେ ମର୍ଯ୍ୟାଦା । ଶତ ଶତ ଲୋକ ଆଜି ତୁମକୁ ଚାହିଁବସିଛନ୍ତି । ତୁମର କର୍ତ୍ତବ୍ୟରେ ତ୍ରୁଟି ହେଲେ କେତେ ନିରପରାଧ ବ୍ୟକ୍ତିଙ୍କର କେତେ ଅନିଷ୍ଟ ଘଟିବ । ମୁଁ ଏଠାରେ ଥିବାରୁ ମତେ ତୁମପାଇଁ ସବୁ କାର୍ଯ୍ୟ କରିବାକୁ ପଡ଼ୁଛି; ତୁମେ ନିଶ୍ଚିନ୍ତରେ ବୁଲୁଛ । ମୁଁ ସ୍ଥିର କରିଛି କାଲି ସକାଳୁ ଅନ୍ୟଆଡ଼େ ଚାଲିଯିବି ।’’

ବିଶ୍ୱନାଥ ବାଧା ଦେଇ କହିଲେ– ‘‘ନାହିଁ ନାହିଁ, ଆପଣ କୁଆଡ଼େ ଯାଇପାରିବେନାହିଁ ମତେ ଛାଡ଼ି ।’’

‘‘ନା, ମୁଁ ନ ଗଲେ ଚଳିବନାହିଁ । ମୋର ଅନେକ କାର୍ଯ୍ୟ ଅଛି । ତୁମେ ଭୟ କରନାହିଁ ବିଶି ! ମୁଁ ଅଳ୍ପଦିନ ମଧ୍ୟରେ ଫେରିଆସିବି । କାଲିଠାରୁ ସବୁ ଖବର ତୁମେ ବୁଝିବ । ପ୍ରଜାପାଟକଙ୍କ ହାରି-ଗୁହାରି ବୁଝି ଦୋଷୀକୁ ଦଣ୍ଡ, ନିର୍ଦୋଷକୁ ଖଲାସ ଦେବ । ତୁମର ମନେଥିବ, ମୁଁ ତୁମକୁ ଅନେକ ଦିନୁ କହିଆସିଛି, ତୁମେ ଥରେ ସବୁ ଗାଁଗଣ୍ଡା ବୁଲିଆସ; କିପରି ଯିବ, କ’ଣ କରିବ, ତାହା ମଧ୍ୟ କହିଥିଲି । ମୁଁ ଏଠି ଥିବାରୁ ଆଜିଯାଏ ତୁମେ ଗଲନାହିଁ । ଏବେ ମୁଁ ଏଠାକୁ ଆସିବା ପୂର୍ବରୁ ଯାଇ ସବୁ ଗାଁଗଣ୍ଡା ବୁଲି, ସମସ୍ତଙ୍କ ସଙ୍ଗେ ପରିଚିତ ହୋଇ ଆସିଥିବ । ତା’ ନହେଲେ ମୁଁ ଆଉ ଏଠାକୁ ଆସିବିନାହିଁ ।’’

‘‘ଆପଣ ଯେପରି ହୁକୁମ ଦେଲେ ମୁଁ ଯଥାସାଧ୍ୟ ପ୍ରତିପାଳନ କରିବି । ଆପଣ ଆଉ ଦୁଇ-ଚାରି ଦିନ ପରେ ଯିବେ ।’’

‘‘ନା, ତା’ ହେବନାହିଁ । ମୁଁ କାଲି ଯିବି ।’’

•••

 

ଦ୍ୱିତୀୟ ପରିଚ୍ଛେଦ

 

ବୀରିବାଟୀ ପ୍ରଗଣା, ଚାରି ବାହି ଆଠକୋଶ; ଏଥିରେ ଦଳବେହେରା ଘରମାଲିକ । ଖାନ୍ଦାନ ଘର । ଗାଡ଼ି, ଘୋଡ଼ା, ଯାନବାହାନର ସୀମାନାହିଁ । ଘରଦ୍ୱାର ସବୁବେଳେ ଘୁ-ଘୁ କମ୍ପୁଥାଏ । ବିଶ୍ୱନାଥ ଚମ୍ପତି ମହାପାତ୍ର ବୀରିବାଟୀର ଦଳବେହେରା । ବୟସ କୋଡ଼ିଏକି ଏକୋଇଶି ବର୍ଷ । ଦେଖିବାକୁ ବେଶ୍‌ ଡଉଲ, ଗୋଲଗାଲ । ଉଚ୍ଚତା ଓ ବର୍ଣ୍ଣ ମଝ-ମଝିଆ–ଦେଖିଲେ କେହି ଡେଙ୍ଗା ବା ଗେଡ଼ା କିମ୍ବା କାଳିଆ ବା ଗୋରା କହିବେ ନାହିଁ । ଘରେ କେବଳ ବିଧବା ମାତା ବ୍ୟତୀତ ଆପଣାର କେହିନାହିଁ; ଆଉ ଯେ ସବୁ ଚାକର-ଚାକରାଣୀ । ଅତି ଆଦର-ଯତ୍ନରେ ଲାଳିତପାଳିତ ସୁକୁମାର ବିଶ୍ୱନାଥ ନାନାପ୍ରକାର ପଶୁପକ୍ଷୀ, ଗୀତ-ବାଦ୍ୟ, ବସନ ଭୂଷଣ, ସୁବାସ ପ୍ରସାଧନ ସାମଗ୍ରୀ, ଖାଦ୍ୟପେୟ ଓ ପ୍ରାକୃତିକ ଦୃଶ୍ୟାବଳୀ ମଧ୍ୟରୁ ହଠାତ୍‌ ଦିନେ ବୁଝିଲେ ଯେ, ତାଙ୍କୁ ଦଳବେହେରାର ଗୁରୁଭାର ବହିବାକୁ ହେବ । ପରିବର୍ତ୍ତନ ବଡ଼ କଠୋର; ମାତ୍ର ଉପାୟ ନାହିଁ । ଉପାୟ ଚିନ୍ତାକରି ଦେଖିଲେ ସବୁ ରାସ୍ତା ବନ୍ଦ ।

ବିଶ୍ୱନାଥଙ୍କ ଗୁରୁ ଚିଦାନନ୍ଦ; ଆଖପାଖ ଲୋକେ ‘ନନ୍ଦ ଗୋସାଇଁ’ ବୋଲି ଡାକନ୍ତି । ବୟସର ତାରତମ୍ୟ–ଜଣେ ଅନ୍ୟଜଣକଠାରୁ ପ୍ରାୟ ଦୁଇଗୁଣ । ଚିଦାନନ୍ଦ ମେଧାବୀ, ତେଜସ୍ୱୀ । ତମ୍ବାତାର ପରି ଦେହ ଉପରେ ଗେରୁଆ ଲୁଗା । ଦେଖିବାକୁ ପଞ୍ଚହତା, ଡେଙ୍ଗା, ଉନ୍ନତ ନାସିକା, ବଡ଼ ତୀକ୍ଷ୍ଣ ଚକ୍ଷୁ, ସ୍ୱର ବଡ଼ ନିର୍ମଳ, ପ୍ରାଞ୍ଜଳ । ସମସ୍ତେ ଦେଖିଲେ ଭୟ-ଭକ୍ତି କରନ୍ତି । ଗରିବ ନିଃସହାୟର ମା’ ବାପ, ଅତ୍ୟାଚାରୀର ଶତ୍ରୁ ଚିଦାନନ୍ଦ । ଏପରି କେହି ଲୋକ ବୀରିବାଟୀରେ ନାହିଁ ଯେ ତାଙ୍କର ଅପରିଚିତ । ବିବାଦ ମନାନ୍ତର ଉପସ୍ଥିତ ହେଲେ ସେ ମଧ୍ୟସ୍ଥ । ନିଷ୍ପତ୍ତି ଉଭୟ ପକ୍ଷ ମାନ୍ୟ କରିବାକୁ ବାଧ୍ୟ; ଅବାଧ୍ୟକୁ ନାନାପ୍ରକାର ନିର୍ଯାତନା ସହିବାକୁ ହୁଏ । ଅନେକଦିନ ହେଲାଣି ବିଶ୍ୱନାଥ ଚିଦାନନ୍ଦଙ୍କ ସଙ୍ଗଲାଭ କରିବାର । ବିଶ୍ୱନାଥଙ୍କ ଶିକ୍ଷା-ଦୀକ୍ଷା ଚିଦାନନ୍ଦଙ୍କଠାରୁ । ବୃଦ୍ଧ ଦଳବେହେରାଙ୍କ ମନରକ୍ଷା କରି ଚିଦାନନ୍ଦ ଛାତ୍ରଙ୍କ ବିଳାସିତାରେ ବାଧା ଦେଇନାହାନ୍ତି । ଶିଷ୍ୟ ଗୁରୁଙ୍କୁ ଭୟ-ଭକ୍ତି କରନ୍ତି; ସମୟେ ସମୟେ ତାଙ୍କ ସଙ୍ଗେ ଥଟ୍ଟାପରିହାସରେ ମଧ୍ୟ ଯୋଗଦିଅନ୍ତି । ଚିଦାନନ୍ଦ ଶିଷ୍ୟଙ୍କୁ ସାନ ଭାଇ ପରି ସ୍ନେହ କରନ୍ତି; ବନ୍ଧୁ ପରି ବ୍ୟବହାର କରନ୍ତି । ଦୋଷ ଦେଖିଲେ ଟିକିଏ ଆଖି ବଡ଼ କରି ଚାହିଁ ଦିଅନ୍ତି; ସବୁ ସୁଧୁରିଯାଏ । ବୟସ ଏତେ ହେଲାଣି, ବିଶ୍ୱନାଥ ନିଜ ଗାଁଗଣ୍ଡା ଇଲାକା ଦେଖିପାରିନାହାନ୍ତି; ପ୍ରଜାପାଟକଙ୍କୁ ଚିହ୍ନିବାର ସୁଯୋଗ ପାଇନାହାନ୍ତି ।

ଚିଦାନନ୍ଦଙ୍କ ଅନୁପସ୍ଥିତିରେ ଦଳବେହେରାଙ୍କୁ ପ୍ରଜାମାନଙ୍କ ଗୁହାରି ଶୁଣିବାକୁ ହେଲା । କଚେରିଘରେ ଆସି ବସିଛନ୍ତି, ଏପରି ସମୟରେ ଫୁଲ ବଗିଚାର ମାଳୀ ଆସି ଅନାମ ପରିଡ଼ା ନାମରେ ଫେରାଦ ହେଲା । ପରିଡ଼ାର ଗୋରୁ ବାଡ଼ ଭାଙ୍ଗି ପଶି ଫୁଲଗଛ ଖାଇ ଛାରଖାର କରିଦେଇଛି । ବରକନ୍ଦାଜ ଯାଇ ତତ୍‌କ୍ଷଣାତ୍‌ ଅନାମକୁ ଧରି ଘେନିଆସିଲେ । ପରିଡ଼ା ଲମ୍ବ ହୋଇ ଗୋଡ଼ତଳେ ପଡ଼ି ଦୋଷ ମାଗିନେଲା । ତାକୁ ବେକସୁର ଖଲାସ । ଅନାମ ଦଣ୍ଡବତ ପକାଇ ଖୁସିରେ ଚାଲିଗଲା । ମାଳୀ ବରକନ୍ଦାଜ ଅବାକ୍‌ ହେଲେ ।

ଆଉ ଦିନେ ଛାଟିଆ ଆସି ଖବର କଲା–ବିନା ଦକ୍ଷିଣକବାଟ ଓ ବରଜୁ ନିଃଶଙ୍କ ଦୁହେଁ କଳିକଜିଆ କରି ରକ୍ତ ବୁହାବୋହି ହୋଇଛନ୍ତି । ଦୁହେଁ ଧରାହୋଇ ଆସିଲେ–ଦୁହିଁଙ୍କ ଦେହ-ମୁଣ୍ଡ, ଖଣ୍ଡିଆ, ରକ୍ତ ବହିପଡ଼ୁଛି ।

ବିନା କହିଲା– ‘‘ଆମେ ଦୁହେଁ ପଡ଼ିଶାଘର, ସାଆନ୍ତେ ! ପିଲାକଳିରୁ ମାଇପେ କଳି କଲେ । ମୁଁ ଘରେନାହିଁ, ନିଃଶଙ୍କ ଆସି ମୋ ପିଲାକୁ ମାରିଲା । ରକ୍ତ-ମାଂସର ଦେହ ଧରି ବରଦାସ୍ତ କରନ୍ତି କେତେକେ ? ମୁଁ ଆସି ମାରିଲି; ସେ ମୋତେ ମାରି ରକ୍ତସ୍ନାନ କରିଦେଲା ।’’

ବରଜୁ ଜଣାଇଲା– ‘‘ସବୁ ମିଛ ଖାମିନ୍ଦେ, ସବୁ ମିଛ । ମୁଁ ୟା ପିଲାକୁ ମାରିନାହିଁ । ଦ୍ୱାହି ହଜୁରଙ୍କର, ଏ କେତେ ମିଛ ଗାଉଛି ! ମାଇପେ କଳି କରୁଥିଲେ, କଳି ବନ୍ଦ କରିବାକୁ ମୁଁ ପାଟିକରି କହିଲି । ଦକ୍ଷିଣକବାଟ ଖଣତିରେ ମତେ ମାରିଲା । ସେ ଆଗେ ମୋ ଦେହରେ ହାତ ଦେଇ ନ ଥିଲେ ମୁଁ କାହିଁକି ତାକୁ ମାରନ୍ତି ? ଧର୍ମ ବୁଝାମଣା ହେଉ ।’’

ଦଳବେହେରା ରାୟ ଦେଲେ– ‘‘ଦୋଷ ଦୁହିଁଙ୍କର-ଆଠପଣ ଲେଖାଏଁ । ଯାଅ, ଚାଲିଯାଅ ହାତ ଧରାଧରି ହୋଇ ଦୁହେଁ । ଆଉ କେବେ ଏପରି କରିବ ନାହିଁ ।’’

ମୁହଁ ଶୁଖାଇ ଦୁହେଁ ଚାଲିଗଲେ । ବରଜୁ ବିଦାୟ ନେବାବେଳେ ଲମ୍ବ ଓଳିକି ହୋଇ ବାହାରିଗଲା ।

ଆଉ ଦିନେ ମଦନ ମଳିକ ଚୌକିଦାର କରୁଣୀ ନାୟକକୁ ହାତ ବାନ୍ଧି, ଅଣ୍ଟାରେ ଦଉଡ଼ି ଲଗାଇ ହାଜର କରି ନିବେଦନ କଲା– ‘‘ଏଇଟା ହେଲା ପୁରୁଣା ଚୋର, ଆଜ୍ଞା ! ବୁଢ଼ା ସାଆନ୍ତଙ୍କ ଅମଳରେ ଚାଳରୁ ଲାଉ ଚୋରି କରିବାରୁ ଦଶ ବେତ ଖାଇଥିଲା । ଏବେ ବଡ଼ ଚୋର ବନିଗଲାଣି-। କାଲି ଅଧରାତିରେ ବିଦିଆ ସ୍ୱାଇଁ ଘରୁ ପାଞ୍ଚ ଗୌଣୀ ଧାନ, ଦି’ପୁଞ୍ଜା ନଡ଼ିଆ ଘେନି ପଳାଉଥିଲା-। ପହରା ଦେବାବେଳେ ଲୁଚି ଲୁଚି ପଛଆଡ଼ୁ ଯାଇ ମାଡ଼ିବସିଲି । ମୋ ଆଗରୁ ଯାଆନ୍ତା କୁଆଡ଼େ-?’’

ଆସାମୀ ହାତ ଯୋଡ଼ି କହିଲା–‘‘ସବୁ ମିଛ ଖାଉନ୍ଦେ ! ଗରିବ ଲୋକ ମୁଁ । ବହୁ କଷ୍ଟ କରି ବାଡ଼ିରେ ଖଡ଼ା ଜହ୍ନି କାକୁଡ଼ି ଲଗାଇଥିଲି, ଫଳମୁଖ ହୋଇଥିଲା । ଚୌକିଦାରର ଦୁଇଟା ହଡ଼ା ପଡ଼ି ସବୁ ଖାଇ ଖୁଣ୍ଟି ପଦା କରିଦେଲେ । ହଜୁରରେ ଦରଖାସ୍ତ କରିବାକୁ ବାହାରିଛି, ଚଉକିଆ ଜାଣିପାରି ମତେ ଧରି ଟାଙ୍କେ ଛେଚିଲା-ମୋ ଜାତି ନେଲା । ପୁଣି ତା ଉପରେ ଆଣି ମତେ ହଜୁରରେ ଦାଖଲ କରି ଏତେ ମିଛ କଥା କହୁଛି ।’’

ଆସାମୀ ଖଲାସ ହେଲା । ଚୌକିଦାର ବରଖାସ୍ତ ହେଲା ।

ନୂଆ ଦଳବେହେରାଙ୍କ ନୂଆ ବିଚାର ବୀରିବାଟୀ ପ୍ରଗଣା ବ୍ୟାପିଗଲା । ଗାଁ ଭିତରେ ଯୋଡ଼ି ଯୋଡ଼ି ହୋଇ ବସି ଲୋକେ ତୁନିତାନି ଗପ ଆରମ୍ଭ କରିଦେଲେ; ଗାଧୁଆତୁଠରେ ମାଇପେ କୁହାକୁହି ହେଲେ–ବଡ଼ଲୋକଙ୍କୁ ଉତ୍ତରନାହିଁ, ସରଗକୁ ନିଶୁଣୀନାହିଁ । ଦୁଷ୍ଟ ଲୋକେ ସାହସ ପାଇଗଲେ । କଳିକଜିଆ ମାରପିଟ୍‌ ଦିନକୁ ଦିନ ବଢ଼ିଲା । ଚୋରଗୁଡ଼ାକ ବାହା ଲେଡ଼ା ମାରି ବୁଲିଲେ ।

ଦିନକୁ ଦିନ ମାଲିମକଦ୍ଦମା ବଢ଼ିଲା । ପ୍ରତିଦିନ କେତେ ଲୋକ ଆସି ଗୁହାରି ଜଣାଇବାକୁ ଠିଆ ହୋଇ ରହିଲେ । ଏତେ ବିଚାର କରିବ କିଏ ? ବିଶ୍ୱନାଥଙ୍କୁ ଏ ସବୁ ବଡ଼ ଅଡ଼ୁଆ । ଦିନାକେତେ କାହାକୁ ଧମକଚମକ ଦେଇ, କାହାକୁ ଅବା ଦି’ପଦ କଅଁଳିଆ କଥା କହି, ଆଉ କଳିକଜିଆ କରିବନାହିଁ ବୋଲି କହି ବିଦାକରିଦେଲେ । ବେଶି ଲୋକ ଗୁହାରି କରିବାକୁ ଆସିଲେ ଘରେ ଯାଇ ଲୁଚି ଶୋଇପଡ଼ନ୍ତି; ପିଆଦା ବରକନ୍ଦାଜମାନଙ୍କୁ ପଠାଇ ସେମାନଙ୍କୁ ଫେରାଇଦେବାପାଇଁ କହନ୍ତି । ପିଆଦାମାନଙ୍କର ବେଶ୍‌‌ ଦି’ପଇସା ରୋଜଗାରର ବାଟ ଫିଟିଗଲା । ସେମାନେ କଥାରେ ନ କହି ବେତରେ, ବିଧା ଚାପୁଡ଼ାରେ ଜଣାଇ ଦିଅନ୍ତି । ଦକ୍ଷିଣା ହାବୁଡ଼ରେ ପଡ଼ିଗଲେ ଥଣ୍ଡା ହୋଇ ଆର ପକ୍ଷ ଉପରେ ପ୍ରହାର ।

ସମୟ ପାଇ ଦଳବେହେରା ବାଡ଼ିବାଟେ ଫୁଲବଗିଚାକୁ ବାହାରି ପଡ଼ନ୍ତି; ସୀତାର, ବେହେଲା ଧରି ବେହାଗସ୍ୱରରେ ଗୋଟିଏ ଦିଓଟି ଗୀତ ବୋଲିଦିଅନ୍ତି । ବିରାଡ଼ି-କୁକୁରଙ୍କ ସଙ୍ଗେ ଖେଳିବୁଲନ୍ତି । କେତେବେଳେ ମନହେଲେ ପାରା ଉଡ଼ାଇ ଦେଇ ତାଳି ମାରି ଉପରକୁ ଚାହିଁ ବସନ୍ତି-। ସଙ୍ଗୀ ଯୁଟିଗଲେ ପଶାଖେଳରେ ସମୟ ପାଣିପରି ବହିଯାଏ ।

ମନେପଡ଼ିଲା–ଚିଦାନନ୍ଦଙ୍କ କଥା–ଆଜିଯାଏଁ ଗାଁଗଣ୍ଡା ବୁଲି ଯାଇନାହାନ୍ତି ! ଏ ପୁଣି ଆଉ ଏକ ବିପଦ । କ’ଣ କେତେବେଳେ କରିବେ, ବଡ଼ ଭାବନାରେ ପଡ଼ିଲେ ।

•••

 

ତୃତୀୟ ପରିଚ୍ଛେଦ

 

ବୀରିବାଟୀ ଭିତରେ ପ୍ରଧାନୀପୁର ବଡ଼ ଗ୍ରାମ; ଚାରିଶ’ ପାଞ୍ଚଶ’ ଘର ବସ୍ତ । ବ୍ରାହ୍ମଣ, କରଣ, ଚଷା ଓଗେର ଛତିଶ ପାଟକ ଅଛନ୍ତି । ଗାଁ ଭିତରେ ସବୁଠୁ ମୁଖିଆ ବଡ଼ ଘର ଗୋବିନ୍ଦ ସେନାପତିଙ୍କର । ତିରିଶ ଚାଳିଶ ପ୍ରାଣୀ କୁଟୁମ୍ବ । ଚାକରବାକର ହୋଇ ଦି’ଓଳି ପଚାଶ ଜଣଙ୍କ ପତ୍ର ପଡ଼େ । ଏଥିଭିତରେ ପୁଣି ବନ୍ଧୁବାନ୍ଧବ, କୁଣିଆ-ମଇତ୍ର, ପ୍ରିୟପ୍ରୀତି ଯିବା-ଆସିବା ଅଛି । ଗୋରୁଗାଈ ଢେର୍‌ । ବଡ଼ ବଡ଼ ନଉତିରେ ଗଛଖୁଆ ଲାଗି ଦହି ମୁହାଁଯାଏ । ବିଶା ବିଶା ଲହୁଣି ଆମଦାନି । ପିଲାଯାକ କେତେବେଳେ କିମିତି ଦୁଧ ଦହି ଟିକିଏ ଟିକିଏ ଖାଆନ୍ତି । ଘୋଳଦହିଯାକ ଭାତ ସଙ୍ଗେ, ଜାଉ ସଙ୍ଗେ ବଡ଼ ମଣିଷଙ୍କୁ ଦିଆଯାଏ । ଶାଗ, ମାଛ ଦହି ଭାତ ଖାଇ ପରିବାରଟି ବେଶ୍‌ ଖୁସିରେ ଥାଆନ୍ତି । ବିଲ-କପାରେ ସୂତା କଟାଯାଇ ସେହି ସୂତାରୁ ମୋଟା ଲୁଗା ସମସ୍ତେ ପିନ୍ଧନ୍ତି; ଶୀତଦିନେ ମାଠ ବୁଣାଇ ଆଣି ଘୋଡ଼ିହୁଅନ୍ତି । ମୁଗ, ବିରି, ହରଡ଼, ସୋରିଷ ଓ ଘିଅ ବିକ୍ରି ହୋଇ ଖଜଣା ଦିଆଯାଏ; ନିମିତ୍ତପର୍ବ ହୁଏ; ବଳିପଡ଼ିଲେ ବୁଢ଼ା ଗୋବିନ୍ଦ ସେନାପତି ଘଡ଼ାରେ ରଖି ପୋତିପକାଏ ।

ବଡ଼ ଚଉପାଢ଼ିର ଗୋଟିଏ କ’ଣରେ କପିଳ ଅବଧାନେ ବେତ ଖଣ୍ଡେ ଧରି ‘ଓରେ କ, ଓରେ ଖ’ଠାରୁ ଗୋପୀଭାଷା, କମଳଲୋଚନ ଓ ‘ବନ୍ଦଇ ହରି’ ଗୀତରେ ଚଉପାଢ଼ିଟାକୁ ସରଗରମ କରି ରଖିଥାଆନ୍ତି । ନାକବାଳଧରା, ମଢ଼ାଶାଙ୍କୁଳି, ଠିଆବସା ଆଦି ବିଚିତ୍ର ଦଣ୍ଡବିଧାନରେ ପିଲାଗୁଡ଼ିକ ସବୁବେଳେ ତ୍ରସ୍ତ ଥାଆନ୍ତି । ଅବଧାନଙ୍କର ସବୁ ସେବା କରିବାକୁ ପଡ଼େ ପିଲାମାନଙ୍କୁ; ସକାଳୁ ଉଠୁ ନ ଉଠୁଣୁ ପିଲାମାନଙ୍କ ମଧ୍ୟରୁ କିଏ ଢାଳ ମାଜିଆଣି ପାଣି ଥୋଇଦିଏ, କିଏ ଦାନ୍ତକାଠି ଆଣିଦିଏ, କିଏ ବାରଣ୍ଡା ଓଳାଇ ଦେଇ ତାଳପତ୍ରବୁଣା ଆସନି ପକାଇଦିଏ । ଏଇଟା ହେଲା ଶିକ୍ଷାର ଗୋଟିଏ ଅଙ୍ଗ । ପିଲାମାନେ କିପରି ଠିଆହେବେ, କିପରି ଓଳଗି ନମସ୍କାର ହେବେ, ଅବଧାନେ ସବୁ ଶିଖାଇଦେଉଥିଲେ ।

ଭୋଦୁଅ ମାସ । ଜହ୍ନିଫୁଲରେ ଗାଁ ସନ୍ଧ୍ୟା ହସିଉଠୁଥାଏ । ଦାଣ୍ଡ ବାଟ ସତେଜ ଶ୍ୟାମଳ ଲତା-ଗୁଳ୍ମରେ ଭୂଷିତ । ଗହୀର, ପାଟ ଓ ପୋଖରୀମାନଙ୍କରେ ନାନା ରଙ୍ଗର କଇଁଫୁଲ ଓ ଅନ୍ୟାନ୍ୟ ଫୁଲର ଆମୋଦରେ ଗାଁ ପବନ ଭାରାକ୍ରାନ୍ତ । ଖୁଦୁରୁକୁଣୀ ଓ ବୁଧେଈ ଓଷା କରି ପିଲାଗୁଡ଼ିକ ଫୁଲ ତୋଳି ମହାଆନନ୍ଦରେ ଏଣେତେଣେ ବୁଲିଯାଆନ୍ତି । ପବନରେ ହଲି- ଦୋହଲୁଥାଏ ଅର୍ଦ୍ଧପକ୍ୱ, ନବପକ୍ୱ, ଶ୍ୟାମଳ ଓ ହରିତ୍‌ ଧାନ କିଆରି । ଗୋରୁପଲ ପେଟପୂରା ଘାସ ଖାଇ ହମ୍ବାରଡ଼ି ଦେଇ ଘରକୁ ଫେରନ୍ତି । ପକ୍ଷୀଦଳ କେତେ ରକମର ସୁମଧୁର କାଳକି କରି ଧାଡ଼ିକୁ ଧାଡ଼ି ଆକାଶରେ ବୃଥା ଗାର କାଟିଦେଇ ଚାଲିଯାଆନ୍ତି । ଶରତ୍‌କାଳର ଧଳା ମେଘମାଳ ଦିନରେ ଆକାଶ ଦେହରେ ପ୍ରସ୍ତକୁ ପ୍ରସ୍ତ ଭିଣା ତୁଳା ଭଳି ଭାସିଯାଉଥାଏ । ଖରାର ପ୍ରତାପ ଭାରି; ମାଇପେ ପେଡ଼ିଲୁଗା ଓ ମର୍ଦମାନେ ତାଳପତ୍ର ପୋଥିମାନ ଭୋଦୁଅ-ଖରା ଦିଅନ୍ତି । ରାତିରେ ଜହ୍ନ ମେଘ ଭିତରେ ଲୁଚକାଳି ଖେଳି, ମେଘକୁ ପଛକୁ ପକାଇଦେଇ ଚାଲିଯିବା ପରି ଦେଖାଯାଉଥାଏ ।

ଗ୍ରାମର ଏତେ ଆନନ୍ଦ, ଏତେ କୋଳାହଳ ମଧ୍ୟରେ ହଠାତ୍‌ ଦିନେ କିଏ ଆସି କହିଲା, ଦିନେ ଦୁଇ ଦିନ ଭିତରେ ନୂଆ ଦଳବେହେରା ପ୍ରଧାନୀପୁର ଦେଖିବାକୁ ଆସିବେ । କିଏ ଶୁଣିଲା, କିଏ ଖବର କହିଲା, କେହି ଜାଣିବାକୁନାହିଁ । ଝିମିଟକେ ଏ ଖବରଟା ଗାଁ ଏମୁଣ୍ଡରୁ ସେମୁଣ୍ଡଯାଏ ବୁଲିଗଲା । ସେ ଗାଁରେ କେତେ ବୁଢ଼ା ନାହାନ୍ତି, ଦଳବେହେରା ସାଆନ୍ତେ କେବେ ନିଜେ ବିଜେ କରିଥିବାର କେହି କହିପାରିବେନାହିଁ । ଗୁମାସ୍ତାମାନେ ଆସି ଖଜଣା ଅସୁଲ ତହସିଲ କରି ନିଅନ୍ତି–କାହାର କିଛି ଗୁହାରି କି ମାଲିମକଦମା ପଡ଼ିଲେ ସେ ଦଳବେହେରାଙ୍କ ହଜୁରେ ହାଜର ହୁଅନ୍ତି । ଦଳବେହେରା ନିଜେ ଆସିବେ କାହିଁକି ? ଏ ପୁଣି ନୂଆ ଭେଣ୍ଡିଆ ଦଳବେହେରା ! ଏଡ଼େ ବଡ଼ ଗାଁଟାରେ ମାଛି ମରିଯାଇଛି । ଯେଉଁଠାକୁ ଯିବ–ଖାଲି ଏହି କଥା ।

ଭୟ, ସନ୍ଦେହ ଅନେକଙ୍କୁ ଗ୍ରାସ କରି ପକାଇଛି । ଭବିଷ୍ୟତ୍‌ ବିପଦ ଆଶଙ୍କାରେ କେତେକ ଥରହର କମ୍ପୁଛନ୍ତି । ଗାଁ-ବାହାପିଆଙ୍କୁ ମିଳିଗଲା ଗୋଟାଏ ସୁଯୋଗ । ସେମାନେ ଏପାଖରୁ ସେପାଖ ଯାଇ ନିଜ ନିଜ କଳ୍ପନାବଳରେ କେତେ ପ୍ରକାର କାରଣ ସୃଷ୍ଟି କରି ସରଳବିଶ୍ୱାସୀମାନଙ୍କୁ ଅଭିଭୂତ କରିପକାଇଲେ । ଏହିପରି ବିଭିନ୍ନ ପ୍ରକାର କାରଣର ଘାତପ୍ରତିଘାତରେ ଶାଖା, ପ୍ରଶାଖା ଓ ଉପଶାଖା ବିସ୍ତାର କରି ଦିନକ ଭିତରେ ଗୋଟାଏ କିମ୍ଭୂତ-କିମାକାର କଳ୍ପନାବୃକ୍ଷ ପ୍ରଧାନୀପୁର ପରି ବଡ଼ ଗ୍ରାମଟାକୁ ଆଚ୍ଛନ୍ନ କରିପକାଇଲା ।

ଦଳବେହେରା ସାଆନ୍ତେ ତ ବିଜେକରିବେ–ରହିବେ କେଉଁଠି ? ଗାଁ ମଣ୍ଡପ, ଠାକୁରାଣୀଙ୍କ ଘର, ଭାଗବତଘର ଏଡ଼େ ଛୋଟ ଯେ ସେଥିରେ ଦଳବେହେରା ଓ ତାଙ୍କ ଲୋକମାନେ ରହିପାରିବେନାହିଁ । ତା ପରେ ଦିଅଁଙ୍କ ରୋଷେଇରେ ଦଳବେହେରା ସାଆନ୍ତେ ଖାଇପାରିଲେ ତ ହେବ ? ଗୋଛି କରିଆଖଣ୍ଡେ ପିନ୍ଧି ଓ ଖଣ୍ଡେ କାନ୍ଧରେ ପକାଇ ଗୋବିନ୍ଦ ସେନାପତି ବୁଢ଼ା ଏଣେତେଣେ ଧାଁଧପଡ଼ କରୁଛି । ସବୁଠାରୁ ବୁଢ଼ାର ଚିନ୍ତା ବେଶି । ଗାଁକୁ କେହି ଭଲଲୋକ, ମନ୍ଦଲୋକ ଆସିଲେ ସେନାପତି ଘର ଚଉପାଢ଼ିରେ ରହନ୍ତି । ସେଥିରେ ବୁଢ଼ାର ବେଶ୍‌ କିଛି ଲାଭ ମଧ୍ୟ ହୁଏ । ସେମାନେ ଚାଲିଗଲା ପରେ ପରିବାଟାଏ, ତେଲ ଟିକିଏ, ଲୁଣ ଗଣ୍ଡାଏ ଯାହା ବଳିପଡ଼େ, ବୁଢ଼ା ତାକୁ ସବୁ ନେଇ ଘରେ ଦିଏ । ଗାଁବାଲା ଭେଦା କରି ଆଣି ସବୁ ସରଞ୍ଜାମ ଯୋଗାଇଥାଆନ୍ତି । ଦଳବେହେରାଙ୍କ ଗୁମାସ୍ତା କିମ୍ବା ବରକନ୍ଦାଜ ଆସିଲେ ଏପରି ବନ୍ଦୋବସ୍ତ ହେଉଥିଲା । ଏବେ ଖୋଦ ଦଳବେହେରା ଆସୁଛନ୍ତି; ଯଦି ଗୋବିନ୍ଦଙ୍କ ଚଉପାଢ଼ିରେ ରହନ୍ତି, ଆଉ ଗାଁବାଲା କେହି କିଛି ନ ଦିଅନ୍ତି, ବୁଢ଼ାର ଖର୍ଚ୍ଚ ହୋଇଯିବ ଅନେକ–ପ୍ରାଣ ବାହାରିଯିବା କଥା !

ସେଥିପାଇଁ ଦିନନାହିଁ, ରାତିନାହିଁ ବୁଢ଼ା ପଚାରି ବୁଝୁଛି, ଦଳବେହେରା ସାଆନ୍ତେ ରହିବେ କେଉଁଠି ? ଯାହାକୁ ପଚାରେ, ସମସ୍ତେ ତା’ରି ଚଉପାଢ଼ କଥା କହନ୍ତି । ବୁଢ଼ାର ଛାତି ଦାଉଁକିନା ପଡ଼ିଯାଏ । ବୁଢ଼ାର ଏ ଅବସ୍ଥା ଦେଖି କେତେ ଜଣ ବସି ଚାଉଳ, ଡାଲି, ଘିଅ, ପରିବାର ଗୋଟିଏ ତାଲିକା କରିଦେଲେ । ତାଲିକା ଅନୁସାରେ ମଧ୍ୟ କେତେକ ଜିନିଷ ଆସି ସେନାପତି ଘରେ ଜମା ହେବାକୁ ଲାଗିଲା ।

ଗୋବିନ୍ଦ ସେନାପତି ବୁଢ଼ା ବିଚାରା କାହାରି ଦୁଃଖରେ କି ସୁଖରେ ନଥାଏ ବୋଲି କହେ । ତାର ଭାବନା କଅଣ ? ମଜବୁତ ଛ’ପୁଅ ତାର । ତିନି ପୁଅ ବିଦେଶରେ ବଣିଜ-ବେପାର କରନ୍ତି–ଆଉ ତିନି ପୁଅ ମୂଲିଆମାନଙ୍କ ସାଙ୍ଗରେ ମିଶି ବିଲବାଡ଼ି କାମଦାମ କରନ୍ତି । ପରଦେଶୀ ପୁଅମାନେ କେବେ ବର୍ଷେ ଦୁଇ ବର୍ଷରେ ଥରେ ଘରକୁ ଆସିବାବେଳେ ଅନେକ ଟଙ୍କା ସୁନା ଆଣିଥିବାର ଗାଁର ନିନ୍ଦୁକମାନେ କହନ୍ତି । ବୁଢ଼ା ଖାତ ଖୋଳି ସବୁ ପୋତି ପକାଏ ବୋଲି ମଧ୍ୟ ତାର ନିନ୍ଦା କରନ୍ତି । ବର୍ଷକୁ ବର୍ଷ ଖର୍ଚ୍ଚ ଯାଇ ଯଥେଷ୍ଟ ଧାନ, ମୁଗ ବଳିପଡ଼େ । ସବୁ ବିକ୍ରି କରି ବୁଢ଼ା ଜମା ରଖେ । ତେବେ କହିବୁଲେ–ତାର କିଛିନାହିଁ; ବର୍ଷେ ଫସଲ ନ ହେଲେ ତା ବଂଶ ମାଗିଖାଇ ବୁଲିବେ । ଯୋଗୀ ଥାଳରେ ଭିକ ମୁଠିଏ ପକାଇଦେବାପାଇଁ ବିଧାତା ଗୋବିନ୍ଦ ସେନାପତି ଜାତକରେ ଲେଖିନାହାନ୍ତି ।

ଦଳବେହେରାଙ୍କୁ ଅଭିନନ୍ଦନ କରିବା ନିମିତ୍ତ ଗାଁ ଲୋକେ ସବୁ ଘରଦୁଆର ଲିପାପୋଛା କଲେ । ଦାଣ୍ଡଦୁଆରେ ପୂର୍ଣ୍ଣକୁମ୍ଭ ବସାଇ ମୁରୁଜ ପକାଇଲେ । ଦାଣ୍ଡ ଚାଳରେ ଆମ୍ବଡାଳ ଓ ନରକୋଳିପତ୍ର ମାଳ କରି ବାନ୍ଧିଲେ । ଦାଣ୍ଡରେ ଫଳନ୍ତି କଦଳୀଗଛ ଆଣି ପୋତିଲେ-। ସେନାପତି ବୁଢ଼ା ୟା ଦେଖାଦେଖି ସବୁ ସେହିପରି କଲା । ଗାଁ ପିଲାଗୁଡ଼ିକ ମୁଣ୍ଡ ବାନ୍ଧି ହଳଦି ଲଗାଇ, ପେଡ଼ିଲୁଗାଖଣ୍ଡମାନ କାଢ଼ି ପିନ୍ଧିଲେ; ବୁଢ଼ା ସେହିପରି କରାଇଲା । ତେବେ ସୁଦ୍ଧା ବୁଢ଼ା ମନ ମାନୁନାହିଁ–ଗାଁ ଯାକ ପଚାରି ବୁଲୁଛି, ଆଉ କ’ଣ କରିବ ? ମନରେ ଭୟ, କାଳେ ଯେବେ ଦଳବେହେରା ବିରକ୍ତ ହୋଇ ତାର କିଛି ଅନିଷ୍ଟ କରନ୍ତି ? କିଏ କହିଦେଲା, ଦାଣ୍ଡଦୁଆରେ ଶଙ୍ଖ ମହୁରି ବଜାଇବାର ଯୋଗାଡ଼ କର । ବୁଢ଼ାଟା ଲସରପସର ଧାଇଁ ଶଙ୍ଖୁଆ ମହୁରିଆ ଡାକିଆଣିଲା-

ବେଳ ରତରତ । ଗୋରୁ ଗୋଠରୁ ଆସି ଘରେ ପଶିଗଲେଣି । ସଞ୍ଜବତି କେତେ ଦୁଆରେ ଲାଗିଲାଣି, କେତେ ଦୁଆରେ ଲାଗିନାହିଁ । ଧୋବଲୁଗା ଦେଇ ଧୋବଣୀ ନିଜ ଘରକୁ ଫେରୁଛି । କାଠ ପିଢ଼ାରେ ବାରରଙ୍ଗର ଫୁଲ ଧରି ଗାଁ ପିଲାଏ ‘‘ଜହ୍ନି ଫୁଲ ଠୋ-ଠା’’ ଗୀତ ବୋଲି ଚାଉଳ ମାଗି ଏ ଘରୁ ସେ ଘରକୁ ଯାଉଛନ୍ତି । କେତେ ଜଣ ରୁଣ୍ଡ ହୋଇ ଭାଗବତଘରେ ଦୀପ ଲଗାଇ, ପୋଥି ବ୍ୟାସାସନ ଉପରେ ରଖିଦେଇ ପୁରାଣପାଠର ଉଦ୍ୟମରେ ଅଛନ୍ତି । ମହାଦେବ ମନ୍ଦିର ଓ ଠାକୁରାଣୀ ମଣ୍ଡପରେ ସନ୍ଧ୍ୟା ଆରତି-ଘଣ୍ଟ ବାଜୁଅଛି । ଖବର ଅଇଲା-ସାଆନ୍ତେ ବିଜେ କଲେ ।

ଯେ ଯେଉଁଠି ଥିଲା ଥକ୍‌କା ହୋଇ ଦଣ୍ଡେ ରହିଗଲା । ତା ପରେ ସେହି ଦିଗକୁ ସମସ୍ତେ ଧାଇଁଲେ । ମାଇପେ ହୁଳହୁଳି ପକାଇଲେ । ଶଙ୍ଖ, ମହୁରି, ମର୍ଦ୍ଦଳ ବାଜିଉଠିଲା । ଦଳବେହେରା ଘୋଡ଼ା ଉପରେ ବସି ଗାଁ ମଝିରେ ଆସି ହାଜର ହେଲେ । ପଛେ ପଛେ ଦେଖଣାହାରୀ ଶହ ଶହ ଲୋକ । ସମସ୍ତେ ସେନାପତିଙ୍କ ଘରଆଡ଼କୁ ଚାଲିଲେ । ବାଟରେ ଯାଉଁ ଯାଉଁ ଦଳବେହେରା ସମସ୍ତଙ୍କ ପରିଚୟ ବୁଝୁଥାଆନ୍ତି । ଯାହା ଘର ଆଗରେ ପଡ଼େ, ପଚାରନ୍ତି, ‘‘ଏ ଘର କାହାର ?’’ ଶେଷରେ ସମସ୍ତେ ଯାଇ ସେନାପତିଙ୍କ ଦୁଆରେ ଠିଆହେଲେ । ବୁଢ଼ା ସେନାପତି ବେକରେ ଗାମୁଛା ପକାଇ ଭୂଇଁକୁ ମୁଣ୍ଡ ଲଗାଇ ଗୋଟାଏ ଦଣ୍ଡବତ ହେଲା । ଦଳବେହେରା ଘୋଡ଼ା ଉପରୁ ଓହ୍ଲାଇପଡ଼ିଲେ । ଭଣ୍ଡାରିମାନେ ଆସି ଗୋଡ଼ ଧୋଇ ଗାମୁଛାରେ ପୋଛିଦେଲେ । ଝୁମୁକି କଠାଉ ମାଡ଼ି ଦଳବେହେରା ସେନାପତିଙ୍କ ଘର ଭିତରକୁ ପ୍ରବେଶ କଲେ । ଆଗରେ ଭଣ୍ଡାରିମାନେ ମଶାଲ ଧରିଥାଆନ୍ତି । ପ୍ରଶସ୍ତ ଚଉପାଢ଼ିରେ ଆଗରୁ ବସିବାର ସ୍ଥାନ ଠିକ୍‌ ହୋଇଛି । ଦୁଇଟା ବଡ଼ ବେରୁହାଁ ମସିଣା, ତା ଉପରେ ଦଶିଆ ବିଛଣା ଚାଦର ଉପରେ ଦୁଇଟା ବଡ଼ ବଡ଼ ମାଣ୍ଡି ପଡ଼ିଅଛି । ବିଶ୍ୱନାଥ ଆସି ଆସନରେ ବସିଲେ । ଜଳଖିଆ ସମାଗ୍ରୀ ଆସିଲା । ବ୍ରାହ୍ମଣ ଆସି ରୋଷଇବାସ ଯୋଗାଡ଼ କଲେ । ପ୍ରଜାମାନେ ଘିଅ, ଦୁଧ, ଦହି, ପରିବା ଓଗେଇ ସବୁ ଜିନିଷ ଭାରକୁ ଭାର ଆଣି ଜମାକଲେ । ସେନାପତିଙ୍କର ଛାତି ଆଜି କୁଣ୍ଢେ ମୋଟ । ଦଳବେହେରା ବାହାରିଗଲେ ସବୁ ଜିନିଷ ତାହାର ହେବ ।

ରାତି ପାହିଲା । ସ୍ନାନପ୍ରକାର କରି ବିଶ୍ୱନାଥ ଭୋଜନ ବଢ଼ାଇ ଆସନ କଲେ । ଏ ମଧ୍ୟରେ ପ୍ରଧାନୀପୁରର ଅନେକ ଲୋକଙ୍କ ସଙ୍ଗେ ସେ ଆଳାପପରିଚୟ କରିସାରିଲେଣି । ଗାଁର ସବୁ ସ୍ଥାନ ବୁଲି ଦେଖିବା ଦରକାର । ହଟ ପାଇକରାଙ୍କ ସଙ୍ଗରେ ତାଙ୍କର କଥାବାର୍ତ୍ତାରେ ବଡ଼ ଘନିଷ୍ଠତା ହେଲାଣି । ପାଇକରାଙ୍କୁ ସାଙ୍ଗରେ ନେଇ ବେଳ ଦୁଇଘଡ଼ି ଥାଉଁ ବୁଲିବାହାରିଛନ୍ତି । ଅନେକ ଲୋକ ସଙ୍ଗରେ ଯିବାକୁ ବସିଲେ; ମାତ୍ର ପାଇକରାଙ୍କ ଇଙ୍ଗିତରେ ସମସ୍ତେ ଫେରିଗଲେ । ବିଶ୍ୱନାଥଙ୍କ ଇଚ୍ଛା, କେବଳ ହଟ ପାଇକରାଙ୍କ ସଙ୍ଗେ ବୁଲିବେ ।

ଦଳବେହେରା ପାଇକରାଙ୍କ ସଙ୍ଗରେ ଗାଁଦାଣ୍ଡରେ ଚାଲିଛନ୍ତି । ଝୁମୁକି କଠାଉ ରୁଣୁଝୁଣୁ ବାଜୁଛି । ଗାଁ ମାଇପେ କବାଟ ଦରଆଉଜା କରି ବରବପୁ ଦର୍ଶନ କରୁଛନ୍ତି । ପିଲାଗୁଡ଼ାକ ତୁନିତାନି ହୋଇ ପନ୍ଦାଡ଼ ଆଢ଼ୁଆଳରେ ଦାଣ୍ଡପିଣ୍ଡାରେ ରହି ଦେଖୁଥାଆନ୍ତି ।

ବୁଲୁ ବୁଲୁ ଗାଁମୁଣ୍ଡରେ ଯୋଡ଼ିଏ ଯୁବତୀଙ୍କୁ ଦେଖି ଦଳବେହେରା ଚମକି ଠିଆହେଲେ । ଦୁହେଁ ପ୍ରାୟ ସମବୟସୀ । ବଳିଷ୍ଠ ସତେଜ ରୂପରେ ଯୌବନ ତାର କୋମଳତା ଓ ଲାବଣ୍ୟ ଆଣି ଦୁହିଁଙ୍କଠାରେ ଲିପିଦେଇଛି । ଦୁହିଁଙ୍କ ହାତରେ ଦି’ ଦି’ ବିଶା ଲେଖାଏଁ ପିତ୍ତଳ ବାହି । ଦୁହେଁ ଦୁଇଖଣ୍ଡ ମୋଟା ଶାଢ଼ି ପିନ୍ଧିଛନ୍ତି । ଉଭୟେ ଦଳବେହେରାଙ୍କୁ ଆଡ଼ଆଖିରେ ଚାହିଁଦେଇ ଜିଭ କାମୁଡ଼ିପକାଇଲେ । ତା’ ପରେ ହାତେ ଲେଖାଏଁ ଓଢ଼ଣା ଟାଣିଦେଇ ଉଭୟେ ବିପରୀତ ଦିଗରେ ଚାଲିଯିବାକୁ ଲାଗିଲେ । ବିଶ୍ୱନାଥଙ୍କ ମନ ଆନ୍ଦୋଳିତ ହୋଇଗଲା । ଆଖି ଦୁଇ ଦିଗକୁ ଘନ ଘନ ସଞ୍ଚାଳିତ ହେବାକୁ ଲାଗିଲା । ସେମାନଙ୍କ ଧୀର-ମନ୍ଥର ଗତି ଦେଖିଲେ, ଈଷତ୍‌ ବସ୍ତ୍ର ଦେହ ଓ ପବନ-ଆନ୍ଦୋଳିତ ପଣତକାନି ଦେଖିଲେ; ଦେଖି ଦେଖି ଯେପରି ଦେଖାସରିଲାନାହିଁ ବୋଲି ମନେହେଲା । ପାଇକରା ବିଶ୍ୱନାଥଙ୍କର ଏ ଭାବ ଦେଖି ମୁରୁକି ହସିବାକୁ ଲାଗିଲେ । ନିସ୍ତବ୍‌ଧତା ଭଙ୍ଗ କରି ଦଳବେହେରା କହିଲେ, ‘‘ପାଇକରାଏ ! ହସୁଛ କିଆଁ ? ମୁଁ ପରା ଏଠାରେ ନୂଆ; ସବୁ ମତେ ନୂଆ ଲାଗୁଛି । ଟିକିଏ ନ ଦେଖିଲେ କିପରି ହେବ ?’’

‘‘ଆଜ୍ଞା, ହଁ ! ଆପଣ ଦେଖିବେନାହିଁ–ଆଉ ଦେଖିବ କିଏ ?’’

‘‘ଏ ଦୁହେଁ କିଏ କହିପାରିବ କି ? ଏକା ଜାତି ନୁହନ୍ତି ତ ?’’

‘‘ମୁଁ ସେମାନଙ୍କ ନାଁ ଜାଣେନାହିଁ । ତେବେ ଏତିକି ଜାଣେ ଯେ ଜଣେ ଧୋବଣୀ, ଆରଟି ବାଉରାଣୀ ।’’

‘‘ସେମାନଙ୍କୁ ତୁମେ ଆଉ କେବେ କ’ଣ ଦେଖି ନ ଥିଲ ? ହଠାତ୍‌ ଦେଖି ଜାତି ଠିକ କଲ କିପରି ?’’

‘‘ଅନେକଥର ଦେଖିଥିବି, ତେବେ ନାଁ ମୁଁ କାହିଁକି ଜାଣିବି ? ଜାଣିବା ମଧ୍ୟ ମୋର ଦରକାର କ’ଣ ? ଆପଣଙ୍କର ଯଦି ଦରକାର ଥାଏ, ସେମାନଙ୍କୁ ଡାକି ବୁଝିବା ।’’

‘‘ନା, ନା...ସେ କଥା ଦରକାରନାହିଁ । ସେମାନେ ଯେ ପୃଥକ ଜାତି, ଏ କଥା ତୁମେ ଠିକ୍‌ କଲ କିପରି ? ମୁଁ ଜାଣିବାପାଇଁ ତୁମକୁ ପଚାରୁଥିଲି ।’’

‘‘ଆଜ୍ଞା ଦେଖିଲେନାହିଁ ଦୁହିଁଙ୍କ ପିନ୍ଧାଲୁଗା ?’’

‘‘ବୁଝିଲି, ପାଇକରାଏ ! ଏତିକି ତ ଆଗରୁ କହିଥିଲେ ହୁଅନ୍ତା । ତୁମେ ଟିକିଏ ବଦରସିକ ଜଣାପଡ଼ୁଛ ! ଧୋବଣୀଟି ସଫା ଲୁଗା ପିନ୍ଧିଛି, ନା ?

‘‘ଠିକ୍‌ ବୁଝିଛନ୍ତି ।’’

‘‘ଶୁଣିଛି, ଧୋବା ବାଉରିଠାରୁ ଜାତିରେ ଛୋଟ-ସତ କି ମିଛ ଜାଣେନାହିଁ । ତେବେ କ’ଣ ବ୍ୟବସାୟ ଯୋଗୁଁ ଧୋବଣୀଟି ପରିଷ୍କାର, ବାଉରାଣୀଟି ମଇଳା ?’’

ପାଇକରା ସାହସ ଉପରେ ନିର୍ଭର କରି କହିଲେ, ‘‘ନାହିଁ ଆଜ୍ଞା, ବ୍ୟବସାୟ କିମ୍ବା ଜାତି କେବେ ମନୁଷ୍ୟକୁ ମଇଳା କରିପାରେ ? କେତେ ବ୍ରାହ୍ମଣ ଅଛନ୍ତି, ମଇଳା ମ୍ଳେଚ୍ଛ । କେତେ ମେହେନ୍ତର ମଧ୍ୟ ପରିଷ୍କାର-ପରିଚ୍ଛନ୍ନ ଦେଖାଯାନ୍ତି ।’’

‘‘ମୁଁ ତ ବ୍ୟବସାୟ କଥା କହୁଥିଲି, ଜାତି କଥା ତ କହିନାହିଁ । ତୁମେ ଏତେ ବେଶି ଗପିଯାଉଛ କାହିଁକି ?’’

‘‘ଆପଣଙ୍କୁ ଦେଖିବାବେଳୁଁ ମୁଁ ଟିକିଏ କାହିଁକି ବେଶୀ ବାଚାଳ ହୋଇଛି । ଆପଣଙ୍କର ମୋ ପ୍ରତି ଦୟା, ସ୍ନେହ କିମ୍ବା ଅନ୍ୟ କିଛି ତାହାର କାରଣ ବୋଲି ମୋର ମନେହେଉଛି । ଆଜ୍ଞା, ଶୁଣିବା ହେଉନ୍ତୁ ତେବେ ବ୍ୟବସାୟ କଥା । କେତେ ଲୁଗା-ବେପାରୀ ଅଛନ୍ତି, ଦେଖିଲେ ଆପଣ ଛେପ ପକାଇବେ । ନୂଆ ଲୁଗା ଖଣ୍ଡେ ପିନ୍ଧିବେ; କୋତରା ମସିଆ ହୋଇ ଚିରି ନ ଯିବାଯାଏ ଥରେ ହେଲେ ଧୋଇବେନାହିଁ । ପୁଣି ଦେଖିବେ, ଏପରି କେତେ ମାଛ-ଶୁଖୁଆ ବେପାରୀ ଅଛନ୍ତି, ଭାରି ସଫାସୁତୁରା ।’’

‘‘ତୁମକୁ ଯୁକ୍ତିରେ ପାରିବାର ଉପାୟନାହିଁ, ହଟ ! ମୁଁ ସ୍ୱୀକାର କରୁଛି, ଆଜିଯାଏ ମୁଁ ସଂସାର ବିଷୟରେ କିଛିମାତ୍ର ଅଭିଜ୍ଞତା ଲାଭ କରିନାହିଁ । ଏହି ସୁଯୋଗ ପାଇ ତୁମେ ଏଣୁତେଣୁ ବକିଯାଉଛ । ଆଚ୍ଛା ହେଉ, ଦେଖାଯିବ ।’’

ଦଳବେହେରା ମୁଖ ଗମ୍ଭୀର କରି ଭାବିବାକୁ ଲାଗିଲେ–ବାସ୍ତବିକ ଚିଦାନନ୍ଦ ମୋର ପରମ ହିତୈଷୀ । ତାଙ୍କ ପ୍ରେରଣା ବ୍ୟତୀତ ମୁଁ ଘରଦ୍ୱାର, ସୁଖ-ସମ୍ଭୋଗ ଛାଡ଼ି ଏପରି ଏଠାରେ ପଡ଼ିଥାଆନ୍ତି ? ଚିଦାନନ୍ଦ ମହତ୍‌ । ନିଜେ ଯାହା ନ କରନ୍ତି, ଅନ୍ୟକୁ ଉପଦେଶ ଛଳରେ ତାହା କେବେ କହନ୍ତିନାହିଁ । ଏହି ବିଶିଷ୍ଟତା ଯୋଗୁଁ ସେ ଆଜି ସବୁଠାରେ ପୂଜ୍ୟ । ମୁଁ କେଡ଼େ କ୍ଷୁଦ୍ର ଚିଦାନନ୍ଦଙ୍କ ତୁଳନାରେ ! ଏହିକ୍ଷଣି ନୀଚ ଜାତୀୟ ଦିଓଟି ସ୍ତ୍ରୀଲୋକଙ୍କୁ ଦେଖି ମୋ ମନର ଅବସ୍ଥା ଯାହା ହୋଇଥିଲା, ମୁଁ ଏକାକୀ ଥିଲେ ମୋର ଶତଥର ଯେଉଁ ହୀନ ଦଶା ଦାଣ୍ଡ-ହାଟରେ ପଡ଼ି ମୋତେ ଲୋକଚକ୍ଷୁରେ କଳଙ୍କିତ କରିଛି, ଆଜି ଏ ଅଜଣା ଭୂଇଁରେ ମୋର କି ଦୁର୍ନାମ ହୋଇ ନ ଥାନ୍ତା ! ମୁଁ ଏ ଗାଁରେ ମୁହଁ ଦେଖାନ୍ତି କିପରି ? ‘ଏକାକୀ କାହିଁ ଯିବନାହିଁ’ ଚିଦାନନ୍ଦଙ୍କର ଏହି ବାଣୀ ଆଜି ମାନସପଟରେ ବାଜୁଛି ।

‘‘ଆପଣ ଏ ମୁଲକର ମାଲିକ; ଆପଣଙ୍କଠାରୁ ସେତିକି ସ୍ୱାଧୀନତା ଆଶା କରିଛି ବୋଲି ଏତେଗୁଡ଼ାଏ କହିଲି । ତା ନହୋଇଥିଲେ ‘ବଡ଼ଲୋକଙ୍କୁ ଉତ୍ତରନାହିଁ’ ମନେକରି ଆପଣଙ୍କ ସବୁ କଥାରେ ହଁ ଭରିବା କର୍ତ୍ତବ୍ୟ ବୋଲି ମନେକରିଥାଆନ୍ତି ।’’

‘‘ତା ନୁହେଁ ଯେ, ହଟ ! ପ୍ରକୃତ କଥା କହିପାର ବୋଲି ମୁଁ ଏତେ ଲୋକ ଭିତରୁ ତୁମକୁ ବାଛିଚି । ମୋ ପ୍ରତି ଏପରି ବୃଥା ଦୋଷାରୋପ କରିବା ତୁମ ପକ୍ଷରେ ଉଚିତ ନୁହେଁ । ତେବେ ଭାବି ଦେଖ, ବ୍ୟବସାୟର ମନୁଷ୍ୟଚରିତ୍ର ଉପରେ ଆଦୌ କର୍ତ୍ତୃତ୍ୱନାହିଁ, ଏ କଥା ତୁମେ ଅସ୍ୱୀକାର କରି ପାରିବନାହିଁ । ବାଉରାଣୀଟି ଧୋବାଘରେ ଜନ୍ମ ହୋଇଥିଲେ ଆଜି ବୋଧହୁଏ ବେଶୀ ସୁନ୍ଦରୀ ହୋଇଥାଆନ୍ତା ।’’

‘‘ମୁଁ ତ ସେ ବିଷୟରେ ଆପଣଙ୍କ ସଙ୍ଗେ ଏକମତ । ତେବେ ଆପଣ ଏ ବିଷୟ ନେଇ ଯେପରି ତନ୍ମୟ ହୋଇପଡ଼ିଛନ୍ତି, ସେମାନଙ୍କ ସଙ୍ଗେ ଆଳାପ କରିଥିଲେ ବୋଧହୁଏ ବେଶୀ ସୁଖୀ ହୋଇଥାଆନ୍ତେ ।’’

ସେ ବିଷୟ ଘେନି ଆଉ ବେଶୀ ଦୂର ଅଗ୍ରସର ହେବା ଠିକ୍‌ ନୁହେଁ ମନେକରି ଦଳବେହେରା ଗ୍ରାମର ସବୁ ହାଲଚାଲ, ସେନାପତି ଘରକଥା ସଙ୍ଗୀ ହଟ ପାଇକରାଙ୍କଠାରୁ ବୁଝିଲେ । ଗ୍ରାମର ଶସ୍ୟକ୍ଷେତ୍ର ଉପରେ ସନ୍ଧ୍ୟାର କାଞ୍ଚନ ଆଭା ଦେଖି ହୃଦୟ-ମନ ପୁଲକିତ ହୋଇଗଲା । ବୁଲି ବୁଲି ରାତି ଦୁଇଘଡ଼ିସରିକି ଚଉପାଢ଼ିରେ ଆସି ହାଜର ହେଲେ । ସଙ୍ଗୀ ହଟ ପାଇକରା ରାତିକପାଇଁ ବିଦାୟ ନେଇ ନିଜ ଘରକୁ ଚାଲିଗଲେ ।

•••

 

ଚତୁର୍ଥ ପରିଚ୍ଛେଦ

 

ଗୋବିନ୍ଦ ସେନାପତିଙ୍କ ଚଉପାଢ଼ିର ତିନି ପାଖ ଚାରିବଖରା ଲେଖାଏଁ ବାରବଖରା–କେବଳ ବାହାର ପାଖରେ କାନ୍ଥ । ଭିତରେ ଅଗଣାପଟ ମେଲା–କାଠ ଖୁଣ୍ଟ ଉପରେ ମଜବୁତ, ବେତ-ଗଣ୍ଠି ବୁଣାଟ ସାତଶେଣିଆ ଧୂଳିଆପିଟା ଘର । ଚଉପାଢ଼ିର ପୂର୍ବ ତରଫରେ ଦଳବେହେରାଙ୍କ ରହିବା ସ୍ଥାନ ଠିକ୍‌ ହୋଇଛି । ପଶ୍ଚିମ ତରଫରେ ଚାହାଳି । ସେଥିରେ ସେନାପତିଙ୍କ ନାତି-ନାତୁଣୀ ବାରଟି ଓ ଗାଁ ଭିତରୁ ଆଉ ଦଶ-ବାରଟି ପିଲା ପଢ଼ନ୍ତି । ଦକ୍ଷିଣ ପଟରେ ଲଙ୍ଗଳ, ବିଦା, ମଇ, କୋଡ଼ି, କାଙ୍କ, କଟୁରି, କୁରାଢ଼ି ଆଦି ଚାଷର ସମସ୍ତ ଉପକରଣ ରଖାଯାଇଅଛି । ଚଉପାଢ଼ିର ଉତ୍ତର ତରଫରୁ ପଛକୁ ପଛ ତିନି ଅଗଣା । ସେଥିରେ ସେନାପତି ଓ ତାଙ୍କ ଘରର ସମସ୍ତଙ୍କ ଶୁଆବସା ଘର, ହାଣ୍ଡିଶାଳ, ଭଣ୍ଡାରଘର, ବିହନ ଓ ରବିରୁବା ରଖିବା ଘର ଓ ଢିଙ୍କିଶାଳ ଆଦି ଘର ଲଗାଲଗି ।

ଦଳବେହେରା ହାତଗୋଡ଼ ଧୋଇ ଆସନରେ ବସିଲେ । ବାରିକ ଫୁଟୁକି ମାରି ପଦସେବା କରିବାରେ ଲାଗିଗଲା । ଆର ପାଖରୁ ‘ତିନି ତିରି ନଅ ପଣ’, କମଳଲୋଚନ, ଗୋପୀଭାଷା ଗୀତର ସବୁ ମିଶା କିମ୍ଭୂତକିମାକାର କନସର୍ଟ ପିଲାମାନଙ୍କ ସରଳ ମଧୁର କଳକଣ୍ଠରେ ବାଜି ଉଠିଲା । ଗୋଟାଏ ବଡ଼ ପିଲିସଜ ଉପରେ ପଥରଦୀପରେ ପୋଲାଙ୍ଗ ତେଲ ମିଞ୍ଜି ମିଞ୍ଜି ଜଳୁଥାଏ । ତେଜଣା କାଠିଟାକୁ ପ୍ରତି ପାଞ୍ଚ-ସାତ ମିନିଟ୍‌ ଅନ୍ତର ଚଳାଇବାକୁ ହେଉଥାଏ-। ଦୀପ ନିକଟରେ ପିଢ଼ାପଟା ଉପରେ ଅବଧାନେ ବସି ଢୋଳାଉଥାଆନ୍ତି । ନିଦ-ଜୋର୍‌ରେ ବେଳେବେଳେ ତାଙ୍କ ମୁଣ୍ଡ ଏଣେତେଣେ ଲଡ଼କି ପଡ଼ୁଥାଏ । ମଧ୍ୟେ ମଧ୍ୟେ ଅବଧାନେ ଚେଇଁଉଠୁଥାଆନ୍ତି ଓ ସେତେବେଳେ ତଳେ ବେତମାଡ଼ ସ୍ପଷ୍ଟ ଶୁଣାଯାଉଥାଏ । ପିଲାମାନେ ତତ୍‌କ୍ଷଣାତ ବଡ଼ପାଟିକରି ଚଉପାଢ଼ିକୁ କମ୍ପାଇ ଦିଅନ୍ତି ।

ବିଶ୍ୱନାଥ ଆସନରୁ ଉଠି ଆସ୍ତେ ଆସ୍ତେ ଚାହାଳି ଆଡ଼କୁ ଚାଲିଲେ । କଠଉ-ଶବ୍ଦ ଶୁଣି ଅବଧାନେ ଲାଳଗଳିତ ପାଟି ମେଲା କରି ଉଠି ଠିଆହୋଇପଡ଼ିଲେ । ପିଲାମାନଙ୍କ ସ୍ୱର ବନ୍ଦ ହୋଇ ନିସ୍ତବ୍‌ଧ ହୋଇଗଲା । ଅବଧାନଙ୍କ ନିଦ ସଂପୂର୍ଣ୍ଣ ଭାଜିଗଲା । ଇଙ୍ଗିତ ପାଇ ପିଲାଗୁଡ଼ିକ ଠିଆ ହୋଇ ଅବଧାନଙ୍କ ଦେଖାଦେଖି ଦଳବେହେରାଙ୍କୁ ଦଣ୍ଡବତ ପକାଇଲେ । ବିଶ୍ୱନାଥ ପଚାରି ପଚାରି ସବୁ ପିଲାଙ୍କ ପରିଚୟ ପାଇଗଲେ । ଉପଯୁକ୍ତ ଆସନ ନଥିବାରୁ ସେ ଠିଆରହିଥାନ୍ତି । ଅବଧାନଙ୍କ ଭୟରେ ପିଲାମାନେ ମଧ୍ୟ ଠିଆ ହୋଇ ରହିଥିବାର ଦେଖି ଦଳବେହେରା ସେମାନଙ୍କୁ ବସିବାକୁ ଆଦେଶ ଦେଲେ । ତଥାପି ସେମାନେ ଅବଧାନଙ୍କ ହୁକୁମ ନ ପାଇବାରୁ ବସିପାରିଲେନାହିଁ । ଏହା ଦେଖି ବିଶ୍ୱନାଥ କହିଲେ, ‘‘ପିଲାଙ୍କର ତୁମକୁ ଏତେ ଡର କାହିଁକି ?’’

‘‘ଆଜ୍ଞା ମଣିମା ! ଆଜିକାଲି କଳିକାଳ; ଆଉ କ’ଣ ଏ ପିଲାଗୁଡ଼ାଏ ମାନିବାରେ ଅଛନ୍ତି-! ଆମ ଜେଜେ ଥିଲେ ଯେ, ଗାଁ ସେମୁଣ୍ଡରେ ପାଟିଟାଏ କଲେ, ଘର ଭିତରେ ଯେତେ ପିଲା ସମସ୍ତେ ଡରରେ ଥରିଉଠୁଥିଲେ । ଆଗକାଳରେ ମାନନା ଥିଲା ଯିମିତି, ବିଦ୍ୟା ହେଉଥିଲା ସିମିତି-।’’

‘‘ଅବଧାନେ ! ବଡ଼ ଭୁଲ କରୁଛ ତୁମେ । ପିଲାଙ୍କୁ ମାରି ତାଙ୍କ ମନରେ ଭୟ ଜାତ କରନାହିଁ । ଯେ ଯେପରି ବୁଝିବ ତାକୁ ସେହିପରି ବୁଝାଇଶୁଝାଇ ପଢ଼ାଅ, ଦେଖିବ, ଅଳ୍ପ ଦିନେ ପିଲାଏ ଆପଣା ମନକୁ ତୁମ କଥା ମାନି ଚଳିବେ । ଭକ୍ତି ନ ଥିଲେ କେବଳ ଭୟ ଜନ୍ମାଇ କେତେଦିନ ପିଲାଙ୍କ ଉପରେ ଆଧିପତ୍ୟ କରିପାରିବ ?’’

‘‘ଆଜ୍ଞା, ଦଳବେହେରା ସାଆନ୍ତେ ! ଆମେ ହେଲୁ କ୍ଷିତିବଂଶ ଅବଧାନ । ପାଠ ପଢ଼ାଇବା, ପିଲାମାନଙ୍କୁ ଶାସନ କରି ମାନମହତ୍ତ୍ୱ ଶିଖାଇବା ହେଲା ଆମର ସାତପୁରୁଷୀ ବିଦ୍ୟା । ହଜୁରଙ୍କ ଇଲାକା ମଧ୍ୟରେ ଯେଉଁମାନେ ଲେଖନପତ୍ର ଧରି ଦି’ ଅକ୍ଷର ଲେଖି ଶିଖିଛନ୍ତି, କାହାଠାରେ ଆମ ଜାତିର ବେତ ନ ବାଜିନାହିଁ ।’’

‘‘ତୁମେ ତ ଆଛା ଗଛ ଅଗରୁ ଚଢ଼ି କଥାବାର୍ତ୍ତା କରୁଛ ହେ ଅବଧାନେ ! କଥା ହେଉଥିଲା ଭୟ ଓ ଭକ୍ତି ବିଷୟରେ–ନିଜ ଜାତିର ଓ ବଂଶର ବଡ଼ିମା ଦେଖାଇହେବାକୁ ତୁମକୁ ପଚାରୁଥିଲା କିଏ ?’’

‘‘ଆପଣ ହେଲେ ଏ ମୁଲକରେ ମାଲିକ, ବଡ଼ଲୋକ । ଗାଈ ମାଇଲେ ମଲି, ଗାଈକି ମାଇଲେ ମଲି । ମୁଁ ଛାର ପୁଣି ହଜୁରଙ୍କୁ ଜବାବ ଦେବା ଲୋକ ! ଯାହା ଆଜ୍ଞା କରିବେ ସବୁ ମାନିବି-ମୋ ଚଉଦପୁରୁଷ ତ ଏପରି ମାନିଆସିଛନ୍ତି ।’’

‘‘ଏଣିକି ଆଉ ପିଲାମାନଙ୍କୁ ମଡ଼ ନ ମାରି, ନାକବାଳଧରା, ମଢ଼ୁଆଶାଙ୍କୁଳି ଛାଡ଼ି ସେମାନଙ୍କ ମନ ନେଇ ପାଠ ପଢ଼ାଅ ।’’

‘‘ଯାହା ଶ୍ରୀମୁଖରୁ ଆଜ୍ଞା ହେଲା ।’’

‘‘ହଇ ହେ ଅବଧାନେ ! ତୁମର ଟିକିଏ ଅଫିମ ଚଳେ କି ? ମୁହଁ ଏପରି କାହିଁକି କରୁଛ-?’’

‘‘ଆଜ୍ଞା, ସତ କହିଲେ, ଦଶ ବର୍ଷ ହେଲାଣି କଫ ବେମାରି ଧରିବାରୁ ଟିକିଏ ଟିକିଏ ଖାଉ ଖାଉ ଏବେ ବେଶୀ ଖାଇଗଲିଣି ।’’

ମୁହଁ ଫେରାଇ ହସି ହସି ଦଳବେହେରା ନିଜ ବିଶ୍ରାମ ସ୍ଥାନକୁ ଚାଲିଗଲେ । ପିଲାଗୁଡ଼ିକ ନିସ୍ତବ୍‌ଧ ଭାବରେ ତାଙ୍କୁ ଚାହିଁରହିଲେ, ମନେ ମନେ ତାଙ୍କୁ କେତେ ଆଶୀର୍ବାଦ କଲେ । ଆଜିଯାଏ ସେମାନେ ଭାବିଥିଲେ, ଯେ ଯେତେ ବଡ଼ ସେ ସେତିକି ବେଶି ପୀଡ଼ା ଦେଇ ଜାଣେ । କପିଳ ଅବଧାନ ଓ କେତେକ ମୁରବିମାନଙ୍କର ସେମାନଙ୍କ ପ୍ରତି ବ୍ୟବହାରରୁ ସେମାନଙ୍କ ସରଳ ଶୁଦ୍ଧ ମାନସପଟରେ ଏହି ଚିତ୍ର ସ୍ୱତଃ ଅଙ୍କିତ ହୋଇଯାଇଥିଲା । ଦେଶରେ ସବୁଠାରୁ ବଡ଼, ସବୁଠାରୁ ଅଧିକ କ୍ଷମତାଶାଳୀ ଦଳବେହେରାଙ୍କଠାରେ ଠିକ୍‌ ଓଲଟା ଭାବର ଆଭାସ ସ୍ପଷ୍ଟ ଅନୁଭବ କରି ସେମାନଙ୍କ ମନର ଅଙ୍କୁର ମାତ୍ର ପୂର୍ବ ଭାବ ମଉଳିଯିବାକୁ ଲାଗିଲା । ବଡ଼ ହେଲେ, କ୍ଷମତାଶାଳୀ ହେଲେ ପୀଡ଼କ ନ ହୋଇ ସ୍ନେହ ଆଦର କରନ୍ତି -ଦଳବେହେରା ତାର ପ୍ରତିମୂର୍ତ୍ତି ।

କପିଳ ଅବଧାନେ ବଡ଼ ଅପ୍ରତିଭ ହେଲେ । ପିଲାମାନଙ୍କ ମୁହଁ ଦେଖିବାକୁ ଲଜ୍ଜା ବୋଧ କଲେ । ପିଲାଙ୍କ ଆଗରେ ତାଙ୍କର ଯେ ମାନମହତ୍ତ୍ୱ ଥିଲା, ଆଜି ଦଳବେହେରାଙ୍କ ଆଗମନରେ ସବୁ ଯେପରି ଲୋପ ପାଇଗଲା । ସେଦିନ ସକାଶେ ପିଲାଙ୍କ ପାଠପଢ଼ା ଶେଷ ହେଲା । ଛୁଟି ପାଇ ପିଲାଏ ମହାଆନନ୍ଦରେ ଚାଲିଗଲେ । ପିଢ଼ାକୁ ଆଉଜି ଅବଧାନେ ଘୁମାଇବାକୁ ଲାଗିଲେ । ଅବଧାନଙ୍କ ଆଗରୁ ବାହାରିଯାଇ ପିଲାଏ ଦଳବେହେରାଙ୍କ ସ୍ତୁତି ଗାନ କରିବାକୁ ଲାଗିଲେ ।

ସେନାପତିଙ୍କ ବଡ଼ ନାତୁଣୀ ପାର୍ବତୀ । ବୟସ ତାର ଏଗାର । ବଡ଼ ଧୀରସ୍ଥିର ପିଲାଟିଏ ସେ । କାହାରି ସଙ୍ଗେ ସେ ମାଡ଼ଗୋଳ କରେନାହିଁ, କି କାହାକୁ କେବେହେଲେ ପଦେ ଗାଳିଦିଏନାହିଁ । ଦଳବେହେରା ଆସି ଚାଟଶାଳୀ ପରିଦର୍ଶନ ବେଳକୁ ସେ ତାଙ୍କ କଥାବାର୍ତ୍ତା ଶୁଣୁଥିଲା; ତାଙ୍କ ରୂପକୁ ଚାହିଁ ରହି ଧୀରସ୍ଥିର ଭାବରେ କଅଣ ଭାବୁଥିଲା । ପିଲାଯାକ ମିଶି ଯେତେବେଳେ ତାଙ୍କର ଗୁଣର ପ୍ରଶଂସା କରିବାକୁ ଲାଗିଲେ, ସେ ସବୁ ଶୁଣିଲା । ମନେକଲା, ସେ ଯେପରି ତାଙ୍କର ଗୁଣ କୀର୍ତ୍ତନ କରିପାରନ୍ତା, ପିଲାମାନେ ସେପରି କେହି କରିପାରୁନାହାନ୍ତି । ତାର ବେଶି କହିବାର ଥିଲା ବୋଲି ସେ ଆଜି କିଛି କହିପାରିଲାନାହିଁ–ନୀରବ ନିଶ୍ଚଳ ଭାବରେ ସବୁ ଶୁଣିଲା । ପିଲାଙ୍କ ମେଳ ଭାଙ୍ଗିଗଲା । ଯେ ଯାହା ଘରକୁ ଚାଲିଗଲେ–ଖାଇପିଇ ଶୋଇପଡ଼ିଲେ । ସେ ରାତି ଅନେକ ବେଳଯାଏ ପାର୍ବତୀ ଆଖିକି ନିଦ ଆସିଲାନାହିଁ । ଖାଲି ଭାବିବାକୁ ଲାଗିଲା–ଧନରେ, ମାନରେ, କ୍ଷମତାରେ ଦଳବେହେରା ଯେପରି ସମସ୍ତଙ୍କଠାରୁ ଉଚ୍ଚ; ସୌନ୍ଦର୍ଯ୍ୟରେ, ମନୁଷ୍ୟତ୍ୱରେ ମଧ୍ୟ ସେ ଆହୁରି ବେଶି ବଡ଼ । ଏପରି କଥା, ଏପରି ସ୍ୱଭାବ ତ ସେ ଆଜିଯାଏ କାହାରିଠାରେ ଦେଖିନାହିଁ ! ପିଲାଏ ଟିକିଏ ଦୁଷ୍ଟାମି କଲେ ବାପ ମା’ ପର୍ଯ୍ୟନ୍ତ ଅବଧାନଙ୍କ ହାତରେ ସେମାନଙ୍କୁ ମାଡ଼ ଦିଆଇ ଶାନ୍ତ ହୁଅନ୍ତି । ଆଜି ଦଳବେହେରା ସବୁ ପିଲାଙ୍କପାଇଁ ଅବଧାନକୁ ଶାସ୍ତି ଦେଲେ !

ଏହିପରି ଭାବି ଭାବି କେତେବେଳେ ତାକୁ ନିଦ ଆସିଗଲା । ସ୍ୱପ୍ନ ଦେଖିଲା, ଦଳବେହେରା ବହୁମୂଲ୍ୟ ବସନଭୂଷଣରେ ସଜ୍ଜିତ ହୋଇ ହସି ହସି ଗାଁଦାଣ୍ଡରେ ଚାଲିଆସୁଛନ୍ତି; ପିଲାମାନଙ୍କୁ ଡାକି ମିଠାଇ କୋରା ବାଣ୍ଟି ଦେଉଛନ୍ତି; ହସି ହସି ସେମାନଙ୍କ ପିଠି ମୁଣ୍ଡ ଆଉଁସି ଦେଉଛନ୍ତି–ମୁହଁରେ ଯେପରି ସବୁବେଳେ ହସ ଲାଗିରହିଛି । ମିଠାଇ ଦେବାକୁ ପାର୍ବତୀକୁ ଡାକିଲେ, ସେ ଗଲାନାହିଁ-ତା ପାଖକୁ ଆସି ଦେଇଗଲେ । ସେ ମୁହଁ ପୋତି ହାତରେ ନେଲା । ପୁଣି ଦେଖିଲା, ସେହି ଅବଧାନ ଠିଆ ହୋଇ ରହିଛି–କାହାକୁ କିଛି କହିପାରୁନାହିଁ ।

ରାତି ପାହିଲା । ସମସ୍ତେ ଉଠି ନିଜ ନିଜ କାମରେ ଲାଗିଲେ । ପାର୍ବତୀ ଅଧୁଆ ମୁହଁରେ ଯାଇ ଚଉପାଢ଼ିରେ ହାଜର । ଦଳବେହେରା ଦାନ୍ତ ଘଷୁଛନ୍ତି, ଦେଖିଲା । ଟିକିଏ ଠିଆହେଲା, ଟିକିଏ ହସିଲା, ମନେ ମନେ କଅଣ ପାଞ୍ଚିଲା, ଘର ଭିତରକୁ ଲେଉଟି ପଳାଇଗଲା ।

ପୂର୍ବଦିନ ସକାଳ ବେଳା ଦଳବେହେରା ଗାଁ ଭିତରେ ବୁଲୁଛନ୍ତି; ଗାଁର ଅନେକଙ୍କ ସଙ୍ଗରେ ଆଳାପ ପରିଚୟ କରିଛନ୍ତି । ଗ୍ରାମବାସୀମାନଙ୍କ ସରଳ ଆଚାର–ବ୍ୟବହାର, ଖାଦ୍ୟପେୟ ଓ ବସନ-ଭୂଷଣ ପର୍ଯ୍ୟାଲୋଚନା କରିଛନ୍ତି । ଉପରବେଳା ଗାଁର ବାହାରର ଦୃଶ୍ୟ ଦେଖି ମୁଗ୍‌ଧ ହୋଇଛନ୍ତି । ପିଲାମାନଙ୍କ ପ୍ରତି ଚାଟଶାଳୀ ଅବଧାନଙ୍କ ନିର୍ମମ ବ୍ୟବହାରରେ ମର୍ମାହତ ହୋଇ ତାହା ନିରାକରଣ କରିବାପାଇଁ ଗ୍ରାମବାସୀମାନଙ୍କୁ ବୁଝାଇ କହିଦେଉଛନ୍ତି ।

ଏତେ ଆଳାପ-ପରିଚୟ ଭିତରେ ଯାହାଙ୍କ ଘରେ ରହି ଦୁଇ ଦିନ କଟାଇଲେଣି, ସେହି ଗୋବିନ୍ଦ ସେନାପତି କିମ୍ବା ତା ପୁଅମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇପାରିନାହାନ୍ତି । ସେନାପତି ଘରେ ଲୁଚି ରହିଛି–କାଳେ ଦଳବେହେରା କ’ଣ ଫରମାସ କରିବସିବେ । ହଟ ପାଇକରାଙ୍କଠାରୁ ସେନାପତି-ଘରର ସବୁ ହାଲଚାଲ ଅବଗତ ହେଲେଣି । ତା ଘରେ କେତେ ଜଣ ଲୋକ ଖାଇବା-ପିଇବା କିପରି, ସବୁ ବୁଝିଲେଣି । ଏପର୍ଯ୍ୟନ୍ତ ସେନାପତିର ପୁଅମାନଙ୍କ ସଙ୍ଗେ ତାଙ୍କର ଥରେ ଦେଖା ପର୍ଯ୍ୟନ୍ତ ହୋଇପାରିନାହିଁ । ଆଜି ପ୍ରଧାନୀପୁର କାର୍ଯ୍ୟ ଶେଷ କରି ତାଙ୍କୁ ଅନ୍ୟ ଗ୍ରାମକୁ ଯିବାକୁ ହେବ–ଆଉ ବେଶି ରହିବା ଉଚିତ ହେବନାହିଁ ।

ଦାନ୍ତଘଷା ଓ ମର୍ଦନବିଧି ସାରି ସାଆନ୍ତେ ସ୍ନାନପ୍ରକାର କଲେ । ପୂଜାପୂଜି ସରିଲା । ଶୀତଳ ମଣୋହି ବଢ଼ିଲା । ସୁବାସିତ ମସଲାମିଶା ପାନ ଖାଇ ମାଣ୍ଡିକୁ ଆଉଜି ବସିଲେ । ବୁଢ଼ା ଗୋବିନ୍ଦ ସେନାପତିଙ୍କୁ ଡକାପଡ଼ିଲା । ଦଳବେହେରାଙ୍କ ତଲବ ଶୁଣି ବୁଢ଼ା ଶେଯରୁ ଉଠି ବସିଲା-ଭାବିଲା ଏଥର ଆଉ ରକ୍ଷାନାହିଁ । ଏ ଗାଁବାଲା ତାକୁ ତ ଦେଖି ସହିପାରନ୍ତିନାହିଁ । କିଏ କ’ଣ ଖଚ ମିଛ କହିଲାଣି-ତା ନହେଲେ ଡକରା ପଡ଼ନ୍ତା କାହିଁକି ? କେତେ କଷ୍ଟ ସହି ଖାତ ଖୋଳି ଯାହା ପୋତିପକାଇଛି, ଆଜି ସବୁ ଖତମ ହେବ କି ? ଜୀବନରେ ତିନି ଦଳବେହେରା ଭୋଗ କଲା- କେହି ତା ଦ୍ୱାର ମାଡ଼ି ନଥିଲେ, କି ଗଡ଼ ଛାଡ଼ି ଏପରି ଗାଁ-ଗାଁ ବୁଲୁ ନ ଥିଲେ । ଦରକାର ପଡ଼ିଲେ, ସେମାନେ ଗଡ଼କୁ ଡକାଇ ନେଇ ଜୋରଜୁଲମ କରି କିଛି ତଣ୍ଡି ନେଇଛନ୍ତି । ଜିନିଷପତ୍ର ବିକି କିଣି ଦେଇଆସିଛି । ଏ ନୂଆ ଦଳବେହେରା ଯେତେବେଳେ ନିଜେ ଆସିଲେଣି, ଏ କ’ଣ ପୋତା ମାଲରେ ହାତ ନ ପକାଇ ଛାଡ଼ିବେ ? ଏକା ଏତିକି ବେଳକୁ ଅଗତିର ଗତି ନନ୍ଦ ଗୋସାଇଁ ଥାଆନ୍ତେ କି ? ଅକର୍ମା କର୍ମକୁ କି କେବେ ଗଙ୍ଗା ବିଜେ କରନ୍ତି ? ଯାହା ଥିବ କର୍ମରେ...

ବାଡ଼ିଖଣ୍ଡେ ଧରି ବୁଢ଼ା ଥରି ଥରି ଆସି ହାଜର ହେଲା । ଗୋଛି କରିଆଖଣ୍ଡେ ପିନ୍ଧିଛି ଯେ ଆଣ୍ଠୁ ଲୁଚୁନାହିଁ । ବେକରେ ପକାଇଛି ଖଣ୍ଡେ ତେଲଚିକିଟା ଗାମୁଛା । ଦଳବେହେରାଙ୍କୁ ଦେଖି ବୁଢ଼ା ତଳେ ମୁଣ୍ଡ ଲଗାଇ ଦଣ୍ଡବତ କରିବାକୁ ଯାଉଛି, ସେ ଆସନରୁ ଉଠିଆସି ସେନାପତିର ହାତ ଧରି ଆଣି ପାଖରେ ବସାଇଲେ । ବୁଢ଼ା ଜାକିଜୁକି ହୋଇ ଆଣ୍ଡୁ ମାଡ଼ି ବସିଲା । ହସି ହସି ଦଳବେହେରା ପଚାରିଲେ– ‘‘ସେନାପତିଏ, ତୁମର ଧନ-ସମ୍ପଦ ତ ବେଶ୍; ପୁଅମାନେ ମଧ୍ୟ ରୋଜଗାର କରନ୍ତି; ଭଲ ଲୁଗାପଟା ପିନ୍ଧୁ ନାହଁ କାହିଁକି ?’’

ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା । ଭାବିଲା, ଏହି ଥର ଦଫା ରଫା ହେବ । କହିଲା– ‘‘ଆଜ୍ଞା, ସାଆନ୍ତେ ! ବହୁ କଷ୍ଟ ସାଧ୍ୟ କରି ଦୁଇ ଓଳି ଦି’ମୁଠା ଖାଇବାକୁ ପାଏଁ । ଗାଁର ଖଚୁଆମାନେ କଅଣ ଏଣୁତେଣୁ ମୋ ନାଆଁରେ କହିଥିବେ ସିନା-ନଇରେ ମୋ କଥା ମତେ ଜଣା ଆଜ୍ଞା ! ଯେଡ଼େ ବାଉଁଶକୁ ସେଡ଼େ ପୋଲ ।’’

ଦଳବେହେରା– ‘‘ତୁମେ କ’ଣ ଭାବିଛ ସେନାପତିଏ, ଆମେ ତୁମ ଧନସମ୍ପଦ ଲୁଟି କରି ନେବାକୁ ଆସିଛୁ ! ସେ କଥା ଭାବି ଭୟ କରିବନାହିଁ । ଏଣିକି ଭଲ ଲୁଗା ପିନ୍ଧ, ଭଲଭାବରେ ଚଳ-। ଏଗୁଡ଼ାକ କଅଣ ?’’

ସେନାପତି– ‘‘ଯେପରି ଆଜ୍ଞା କରିବେ, ତାହା କରିବି ।’’

‘‘ହଇହେ ସେନାପତିଏ ! ଆମେ ଆସି ଦୁଇ ଦିନ ହେଲା ତୁମ ଘରେ ରହିଲୁ, ଗାଁ ଗୋଟାକ ଲୋକଙ୍କ ସଙ୍ଗେ ଆଳାପ-ପରିଚୟ ହେଲା । ତୁମ ସଙ୍ଗରେ ଟିକିଏ କଥାବାର୍ତ୍ତା ହେଲାନାହିଁ । ତୁମେ ତ ଯାଇ ଘର ଭିତରେ ସବୁବେଳେ । ତୁମ ପୁଅମାନେ କଳା କି ଗୋରା, ତା ବି ଜାଣିପାରିଲୁଁନାହିଁ । ବୃଥାଟାରେ ଆମକୁ ଏପରି ଭୟ କରୁଛ କାହିଁକି ? ଆମେ ତୁମର କିଛି ଅନିଷ୍ଟ କରିବାକୁ ଆସିନାହୁଁ ।’’

‘‘ଆଜ୍ଞା, ରାଜ୍ୟ ଆପଣଙ୍କର, ଏ ଦେହ ଆପଣଙ୍କର; ଯାହା ଯେତେବେଳେ ହୁକୁମ କରିବେ ହାଜର ଅଛୁଁ । ହଜୁର ଏ ରାଜ୍ୟର ମାଲିକ ଖୋଦ ବିଜେକରିଛନ୍ତି । ଆମେ କିଞ୍ଚିତ୍‌ ମାତ୍ର ଲୋକ–କେଉଁ ଭରସାରେ ଛାମୁରେ ଆସି ସମାନସ୍କନ୍ଧ ଭାବରେ କଥାଭାଷା କରନ୍ତୁ ?’’

‘‘ସେନାପତିଏ ! ତୁମର ଛଅ ପୁଅ ନା ?’’

‘‘ଆଜ୍ଞା ହଁ, ତିନି ପୁଅ ମୋର ବିଦେଶ କରି ଯାଇଛନ୍ତି । କେତେ କଷ୍ଟ କରି ପଇସା ଅର୍ଜନ କରନ୍ତି । ପେଟ ନ ପୂରିବାରୁ ତ ଏସବୁ; ତା ନ ହେଲେ ମୁଁ ଏଦିନେ ପୁଅଙ୍କୁ ଘରୁ ଛାଡ଼ିଦିଅନ୍ତି-!’’

‘‘ଏଠାରେ ତାହାହେଲେ ତୁମର ତିନି ପୁଅ ଅଛନ୍ତି ? ସେମାନେ କରନ୍ତି କଅଣ ?’’

‘‘ଆଜ୍ଞା, ବୁଢ଼ା ହେଲିଣି, ବଳ-ବଅସ ଗଲାଣି, କିଛି କରିପାରେନାହିଁ, ଦାଣ୍ଡପିଣ୍ଡାରେ ବସୁ ବସୁ ଦିନ ଯାଏ । ସେମାନେ ମୂଲିଆମାନଙ୍କ ସଙ୍ଗେ ବିଲବାଡ଼ି କାମଦାମ ବୁଝାଶୁଝା କରନ୍ତି ।’’

‘‘ଆଚ୍ଛା ହଉ, ସେନାପତିଏ ! ତୁମ ପୁଅମାନଙ୍କୁ ଡକାଅ ତ-ଟିକିଏ ଦେଖିବା ସେମାନଙ୍କୁ-।’’

‘‘ହଉ ଆଜ୍ଞା, ଡକାଇଦଉଛି ।’’ ଏହା କହି ସେନାପତି ବଡ଼ ପାଟିରେ ଡାକିବାକୁ ଲାଗିଲା– ‘‘ପାବି, ଆଲୋ ପାବି ! ତୋ ବାପା-କକାଙ୍କୁ ଟିକିଏ ଡାକିଦେଟି ମା’ !’’

ଏ ଡାକ ଶୁଣି ଚାହାଳିଘରୁ ଗୋଟିଏ ଅନିନ୍ଦ୍ୟସୁନ୍ଦରୀ ଏଗାର ବର୍ଷର ବାଳିକା ନିଜର ସ୍ୱଭାବସୁଲଭ ଚଞ୍ଚଳ ଅଙ୍ଗ-ପ୍ରତ୍ୟଙ୍ଗ ଦୋହଲାଇ ହସି ହସି ଆସି ଠିଆହେଲା । ଅତି ମୃଦୁ ମଧୁର ସ୍ୱରରେ କହିଲା, ‘‘ଜେଜେ, କଅଣ କହିଲ ?’’

ସେନାପତି– ‘‘କାଲୁଣୀ କାହାଁକା । ତୋ କାନ କ’ଣ ବିଧିରା ହେଲାଣି କି ? ଆଲୋ, ତୋ ବାପା-କକାଙ୍କୁ ଟିକିଏ ଡାକିଦେ ମ ।’’

‘‘ପିଲାଙ୍କ ପାଟିରେ ଶୁଭିଲାନାହିଁ, ମୁଁ କଅଣ କରିବି ।’’ ଏତିକି କହି ଦଳବେହେରାଙ୍କ ଆଡ଼କୁ କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ଟିକିଏ ଚାହିଁ ଅଳ୍ପ ହସି ହସି ବାଳିକାଟି ନଇଁ ନଇଁ ଘର ଭିତରକୁ ଚାଲିଗଲା ।

ମୁଗ୍‌ଧନେତ୍ରରେ ତାର ଗତିକୁ ଲକ୍ଷ୍ୟ କରି ବିଶ୍ୱନାଥ ପଚାରିଲେ, ‘‘ସେନାପତିଏ ! ଏ ପିଲାଟି ତୁମ ନାତୁଣୀ ପରା ? ବଡ଼ ଭଲ ପିଲାଟିଏ ।’’

‘‘ଭଲ କ’ଣ, ମନ୍ଦ କ’ଣ, ଆଜ୍ଞା ! ଝିଅଟାଏ ତ ! କୋଉ ପୁଅ ହେଇଛି ଯେ ଅର୍ଜିକରି ପୋଷିବ ? ଝିଅଗୁଡ଼ାକ ଖାଲି ବୋଝ ନା ଆଉ କ’ଣ ? ଖାଇବେ, ପିଇବେ, ଶେଷରେ ପରଘର ହାଣ୍ଡି ଧୋଇ ଚଳିବେ ।’’

‘‘ନା, ସେନାପତିଏ, ସେପରି ଭାବିବନାହିଁ । ପୁଅ ଯେପରି, ଝିଅ ମଧ୍ୟ ସେହିପରି । କିଏ କାହାକୁ ଏ ସଂସାରରେ ପୋଷୁଛି ହେ ! ସମସ୍ତଙ୍କୁ ଚଳାଇବାବାଲା ଜଣେ । ତୁମେ ଝିଅମାନଙ୍କୁ ଏପରି ଭାବିବନାହିଁ । ଦେଖିବ ସେନାପତିଏ, ତୁମର ଏ ପାବୀଟି ବଡ଼ ସୁଲକ୍ଷଣୀ ହେବ ।’’

‘‘ହଉ ଆଜ୍ଞା, ଯାହା ଥିବ ତା କପାଳରେ । ତା କର୍ମ ସେ ଭୋଗ କରିବ । ଆମେ ଖାଲି ଟିକିଏ ସୁପୁଲବ ଦେଖିବା କଥା ସିନା !’’

‘‘ସେନାପତିଏ ! ତୁମର ଯେଉଁ ତିନି ପୁଅ ବିଦେଶ କରି ଯାଇଛନ୍ତି, ସେମାନେ କେତେଦିନୁଁ ଗଲେଣି ? ଆସିବେ କେବେ ?’’

‘‘ସେ କଷ୍ଟ କହିବି କ’ଣ ଆଜ୍ଞା ! ବଡ଼ କଷ୍ଟ କଥା ସେ । ପେଟପାଇଁ ଖାଲି ଏସବୁ ନୃତ୍ୟ–ଏ ଖାଲି ଗୋବିନ୍ଦଙ୍କ ଲୀଳା ଲାଗିଛି ।’’

ଏପରି ସମୟରେ ପାର୍ବତୀ ଫେରିଆସି ଠିଆ ହେଲା, ଦଳବେହେରାଙ୍କୁ ଆପାଦ-ମସ୍ତକ ଦେଖିଗଲା । କେଜାଣି କାହିଁକି, ବିଶ୍ଵନାଥ ଆଜି ତାର କେଉଁ ଅଜଣା ରାଇଜର ଦେବତା ପରି ତାକୁ ଦେଖାଯାଉଛନ୍ତି ।

ସେନାପତି– ‘‘ଆଲୋ ପାବି, ଠିଆ ହେଲୁ ଯେ ! ବାପା-କକାଙ୍କୁ ଡାକିଲୁଟି କି ? ସେମାନେ କ’ଣ କହିଲେ ?’’

ପାର୍ବତୀର ମୋହ ଭାଙ୍ଗିଗଲା । ହଠାତ୍‌ ଚମକି ପଡ଼ି ସେ କହିଲା, ‘‘ହଁ ଜେଜେ ! ତୋରାଣି ଖାଉଛନ୍ତି ବିଲକୁ ଯିବେ ବୋଲି ଯେ, ମୁଁ କହିଲି । ସେ ଖାଇସାରି ଆସିବେ ଏଇଲାଗେ-।’’

ଏତିକି କହି ମୁହଁ ଫେରାଇ ପାର୍ବତୀ ଚାଟଶାଳୀକୁ ଚାଲିଯାଉଥିଲା । ଦଳବେହେରା ଡାକିଲେ, ‘‘ପାବି, ଆସିଲୁ ଏଠିକି ।’’

ପାର୍ବତୀ ଶୁଣି ନ ଶୁଣିଲା ପରି ଚାଲିଯିବାକୁ ଲାଗିଲା ।

ସେନାପତି ପାଟିକରି ଡାକିଲେ, ‘‘ହଇ ଲୋ ପାବି ! ସାଆନ୍ତେ ଡାକୁଛନ୍ତି, ଶୁଣିବାକୁନାହିଁ ! ଅମାନିଆଁ ପିଲା କାହାଁକା ।’’

ଅନିଚ୍ଛାରେ ଢଳିଢଳି ପାର୍ବତୀ ଆସିଲା । ଦଳବେହେରା ପଚାରିଲେ, ‘‘ପାବି, କ’ଣ ପଢ଼ୁଛୁ, କହିଲୁ ?’’

ତଳକୁ ମୁହଁ ପୋତି ହସି ହସି ପାର୍ବତୀ କହିଲା–‘‘ପଣକିଆ ।’’

ଦଳବେହେରା– ‘‘କେତେକ ?’’

ପାର୍ବତୀ– “ତେଇଶିକ ।”

ଦଳବେହେରା– ‘‘କହିଲୁ ଭଲା, ଛଅ କାହାଣେ ନଅ ପଣ କେଉଁଠି ଅଛି ?’’

ପାର୍ବତୀ– ‘‘ଏକୋଇଶି ପଞ୍ଚା ପଞ୍ଚାଶହେ ପଣ, ଛଅ କାହାଣେ ନଅ ପଣ ।’’ ଏତିକି କହି ଟିକିଏ ହସି ପାର୍ବତୀ ଝୁଲି ଝୁଲି ଚାଲିଗଲା । ଦଳବେହେରା ଅନିମେଷ ନୟନରେ ତାର ଗତି ଶେଷ ହେବା ପର୍ଯ୍ୟନ୍ତ ଚାହିଁରହିଥାନ୍ତି । ପିଲାମାନଙ୍କ ସ୍ୱର ମଧ୍ୟରେ ପାର୍ବତୀର ସ୍ୱର ଶୁଣିବେ ବୋଲି କାନ ଡେରି ରହିଥାଆନ୍ତି ।

ପୁଅମାନେ ଆସିବାର ବିଳମ୍ବ ହେବାରୁ ସେନାପତି ସେମାନଙ୍କୁ ଡାକିବାକୁ ଘର ଭିତରକୁ ଗଲେ; ଫେରିଆସି କହିଲେ, ‘‘ଆଜ୍ଞା, ସେମାନେ ବାଡ଼ିବାଟେ ବିଲକୁ ଚାଲିଗଲେଣି । ଭୟ କରୁଛନ୍ତି ଆପଣଙ୍କ ଛାମୁକୁ ଆସିବାକୁ ।’’

ଦଳବେହେରା ହସି ହସି କହିଲେ– ‘‘ହଉ, ହଉ, ସେନାପତିଏ ! ଯାଆନ୍ତୁ ସେମାନେ । ପରେ ପୁଣି ଆସିଲେ ସେମାନଙ୍କ ସଙ୍ଗେ ଦେଖାହେବ । ଆଚ୍ଛା, ସେନାପତିଏ ! ଯେଉଁ ତିନି ପୁଅ ତୁମର ପ୍ରବାସକୁ ଯାଇଛନ୍ତି, ସେମାନେ କଅଣ ଏ ତିନି ପୁଅଙ୍କ ପରି ଚୋରମୁହାଁ ନା ଆଉ କିପରି-?’’

‘‘ନାହିଁ ଆଜ୍ଞା, ସେମାନେ ତାକୁ ବଳି ତାକୁ ବଳି । କେତେ ଦୂର ପ୍ରବାସରେ ଫନ୍ଦିଫକର କରି ଦି’ପଇସା ରୋଜଗାର କରନ୍ତି । ଏଗୁଡ଼ାକ ତ ତୁଚ୍ଛା ହଳୁଆ, ଭଲଲୋକ ମନ୍ଦଲୋକ ଆସିଲେ ଡରିବେ ।’’

•••

 

ପଞ୍ଚମ ପରିଚ୍ଛେଦ

 

ଭୋଜନ ଆଦି ଶେଷକରି ଦଳବେହେରା ଟିକିଏ ବିଶ୍ରାମ କଲେ । ଛାଇନେଉଟିଲାରୁ ହୁକୁମ ପାଇ ସଇସ ଘୋଡ଼ା ସଜିଲ କଲା । ସଇସ ଘୋଡ଼ା ନେଇ ଆଗେ ଆଗେ ଚାଲିଲା–ପଛରେ ଦଳବେହେରା ଚାଲିଲେ । ପାଛୋଟି ଯିବାପାଇଁ ଗ୍ରାମର ଅନେକ ଲୋକ ସଙ୍ଗେ ସଙ୍ଗେ ଗଲେ । ଗାଁମୁଣ୍ଡରେ ଦଳବେହେରା ସମସ୍ତଙ୍କୁ ସାଦର ସମ୍ଭାଷଣ କରି ବିଦାୟ ଦେଲେ । ଅଳ୍ପଦିନ ମଧ୍ୟରେ ବାଟରେ ପୁଣି ପ୍ରଧାନୀପୁର ଆସିବେ ବୋଲି କହିଲେ । ସେନାପତିଙ୍କ ଛଡ଼ା ସମସ୍ତେ ଏ ଖବରରେ ଖୁସି ହେଲେ । ଦଳବେହେରାଙ୍କୁ ଏଡ଼େ ସହଜରେ ବିଦାୟ ଦେବାର ସୁଖ ସେନାପତିଙ୍କର ବେଶିକ୍ଷଣ ସ୍ଥାୟୀ ହୋଇ ପାରିଲାନାହିଁ–ମନେକଲେ, ପୁଣି ଏ କି ଆପଦ ! ଦଳବେହେରା ସାଆନ୍ତେ ପୁଣି ଆସିବେ କାହିଁକି ! ତା ଘରୁ କିଛି ହାତ ପକାଇବାପାଇଁ ତ ନୁହେଁ ?

ବିଶ୍ୱନାଥ ଚାଲିଯିବାରୁ ପ୍ରଧାନୀପୁର ଆଜି ଚନ୍ଦ୍ରହୀନ ରଜନୀ ପରି ବଡ଼ ଅସୁନ୍ଦର ହୋଇଛି । ଗତ ଦୁଇଦିନ କେଡ଼େ କୋଳାହଳ, କେଡ଼େ ଖୁସିବାସି ଲାଗିଥିଲା–ଆଜି ଯେପରି ସବୁ ଶୂନ୍ୟ !

ଘୋଡ଼ା ଉପରେ ବସି ଦଳବେହେରା ସନ୍ଧ୍ୟା ସମୟକୁ ବରପଦା ଗ୍ରାମରେ ପହଞ୍ଚିଲେ । ସେଠାରେ ଭାଗବତଘରେ ତାଙ୍କ ରହିବାର ସ୍ଥାନ ସ୍ଥିର ହେଲା । ସେ ରାତ୍ରିଟି ସେଠାରେ କଟାଇ ଗ୍ରାମର ସମସ୍ତଙ୍କ ସଙ୍ଗେ ଆଳାପ-ପରିଚୟ କରି, ଆରଦିନ ସକାଳୁ ବାହାରିଗଲେ । ବରପଦାଠାରୁ ଯଥାକ୍ରମେ ବିକ୍ରମପୁର, କେତକୀଝର, ପାଟପୁର, ଗୁଆମାଳ ଓ ସରିପୁର ଗ୍ରାମମାନ ଦଳବେହେରା ପାଞ୍ଚ-ଛଅ ଦିନରେ ବୁଲା ଶେଷ କରିଛନ୍ତି । ଶରତ୍‌କାଳର ଦର୍ପଣସ୍ୱଚ୍ଛ ପୁଷ୍କରିଣୀ, ସୁଶ୍ୟାମଳ ଶସ୍ୟକ୍ଷେତ୍ର, ଗ୍ରାମ ଲୋକମାନଙ୍କର ସରଳ ଅକପଟ ବ୍ୟବହାର ସବୁ ଗ୍ରାମରେ ସେ ଦେଖିବାକୁ ପାଇଛନ୍ତି; ମାତ୍ର ଏପର୍ଯ୍ୟନ୍ତ ପ୍ରଧାନୀପୁର ପରି ଅନ୍ୟ କୌଣସି ଗ୍ରାମ କେଜାଣି କାହିଁକି ତାଙ୍କୁ ସୁଖ ଲାଗିନାହିଁ । ଯାତ୍ରା ଶେଷ କରି ସେ ଯେତେ ବ୍ୟଗ୍ର ନୁହନ୍ତି, ଫେରିବା ବାଟରେ ପ୍ରଧାନୀପୁର ଦେଖିବାପାଇଁ ବ୍ୟାକୁଳ ହୋଇଛନ୍ତି ସେତେ । ଅନ୍ୟ କୌଣସି ଗ୍ରାମକୁ ପ୍ରଧାନୀପୁର ସଙ୍ଗେ ତୁଳନା କଲାବେଳେ ତାଙ୍କ ମନ ବିରୋଧୀ ହୋଇଉଠୁଛି ।

ନାନପୁର ଗ୍ରାମ ପରିଦର୍ଶନ କରି ଆଜି କୁଆ କା’ବେଳକୁ ବିଶ୍ୱନାଥ ଆସି ଆରପଦାରେ ପହଞ୍ଚିଛନ୍ତି । ହଠାତ୍‌ ଦଳବେହେରା ବିଜେ କରିବାର ଦେଖି ଗ୍ରାମବାସୀମାନେ ଉଦ୍‌ବିଗ୍ନ ହୋଇପଡ଼ିଛନ୍ତି । ମହାଜନ ବୈଷ୍ଣବ ସାହୁ ଚାହାଳି ଘରେ ତାଙ୍କ ରହିବା ସ୍ଥାନ ଠିକ୍‌ ହେଲା । ସଙ୍ଗେ ସଙ୍ଗେ ଗାଁ ଭଣ୍ଡାରି, ଧୋବା, କେଉଟ, ଗଉଡ଼ମାନେ ବିଶ୍ୱନାଥଙ୍କ ସେବାରେ ଲାଗିଗଲେ । ହାଣ୍ଡି, କାଠ, ପନିପରିବା, ଘିଅ, ଦୁଧ, ମାଛ ସବୁ ଯୋଗାଡ଼ ହୋଇଗଲା । କେହି ଡାକିବାକୁନାହିଁ, ନିତାମା’ ଭଣ୍ଡାରୁଣୀ ଆସି ସାଆନ୍ତଙ୍କପାଇଁ ପାନ ଭାଙ୍ଗି ଥାଳିଆରେ ସଜାଡ଼ି ଛାମୁରେ ରଖିଦେଇଛି, ପାଣି ଆଣି ରୋଷେଇର ଯୋଗାଡ଼ କରିବାପାଇଁ ବ୍ରାହ୍ମଣକୁ ଧମକ ଦେଉଛି । ପରିବାକଟାଠାରୁ ଆରମ୍ଭ କରି ବାଟଣା ବାଟିବା ଆଦି ସବୁ କାମ ବଡ଼ ତତ୍‌ପରତା ସହକାରେ କରିଦେଇଛି । ନିତାମା’ର କାର୍ଯ୍ୟତତ୍‌ପରତା ଦେଖି ଦଳବେହେରା ଆଖି ଫେରାଇ ପାରୁନାହାନ୍ତି ।

ନିତାମା’ ଆରପଦାରେ ଭାରି ଜଣାଶୁଣା–ଭାରି ଖାତିର ତାର ମାଇପିମହଲରେ । ମରଦମାନେ ମଧ୍ୟ ତାକୁ କେହି କେବେ ଅପମାନ ଦେଇ ପଦେଅଧେ ଥଟ୍ଟା କରି ପାରନ୍ତିନାହିଁ । ସମସ୍ତଙ୍କୁ ହସି ହସି ସେ କଥା କହେ ସତ; ମାତ୍ର ସବୁବେଳେ ନିଜର ମର୍ଯ୍ୟାଦା ଜଗି ଚଳୁଥାଏ । ନିତାମା’ ଭାରୀ ଚତୁରୀ–ଚଢ଼େଇ ପେଟକଥା ଜାଣେ । ଗାଁ ମାଇପେ କହନ୍ତି, ସେ ଉଡ଼ନ୍ତା ଚଢ଼େଇର ପର ଗଣିପାରେ । କାହାର କିଛି ବିପଦ-ଆପଦ ପଡ଼ିଲେ ଆଗ ଡକା ପଡ଼େ ନିତାମା’କୁ । ଗୁଣିଗାରିଡ଼ି ପଢ଼ି ଡାହାଣୀ ଚିରୁଗୁଣୀ ଝାଡ଼େ । କାହାରି ପ୍ରସବବେଦନା ହେଲେ ଦାଈବୃତ୍ତି କରି ପ୍ରସବ କରାଇଦିଏ । କାହାର କିଛି ଜିନିଷ ହଜିଗଲେ ବା ଚୋରି ଗଲେ, ବତା ଲଗାଇ, କୁଲା ବୁଲାଇ ଚୋରି ଧରେ । କାହାର ସ୍ୱାମୀ ଭଲ ପାଉ ନ ଥିଲେ, ଡେଉଁରିଆରେ ଔଷଧ ଦେଇ ତାର ହାତରେ ବାନ୍ଧିଦିଏ । ସଂସାରରେ ତାର ନିଜର କେହିନାହିଁ । ବୟସ ଅଳ୍ପ ହେଲେ ମଧ୍ୟ ସେ ଦ୍ୱିତୀୟ ହେବାକୁ ନାରାଜ ହୋଇଛି; ଗାଁବାଲାମାନେ ମଧ୍ୟ ତାକୁ ଅନ୍ୟ ଗାଁକୁ ଛାଡ଼ିଦେବାକୁ ରାଜି ନୁହନ୍ତି । ଚାଲିଚଳଣ ତାର ବଡ଼ ଖର; ମୁହଁରେ ତାର ସବୁବେଳେ ହସ । ଭୟ କି ପଦାର୍ଥ ତାକୁ ଜଣାନାହିଁ । ଯେ ଇଚ୍ଛା ସେ ହେଉ, ମୁହେଁ ମୁହେଁ ଜବାବ ଦେଇଦିଏ । ଯାହାକୁ ଯାହା ମାଗେ, କେହିନାହିଁ କରନ୍ତିନାହିଁ । ପର ଉପକାରୀ ବୋଲି ତାର ସମସ୍ତେ ପ୍ରଶଂସା କରନ୍ତି । ନ ଖାଇ ନ ପିଇ, ରୋଗୀ ନିକଟରେ ବସି ସେ ସେବା-ଶୁଶ୍ରୂଷା କରିବାର ଦେଖାଯାଇଛି । ରନ୍ଧାବଢ଼ାଠାରୁ ଆରମ୍ଭ କରି ପାନ ଭାଙ୍ଗିବା, ଚିତା ପକାଇବା, ମାଳ ତିଆରି କରିବା ଆଦି କଳାବିଦ୍ୟା ସେ ବାଳିକାମାନଙ୍କୁ, ବୋହୂମାନଙ୍କୁ ଶିଖାଏ । କୌଣସି କାର୍ଯ୍ୟ କରିବାପାଇଁ ସେ କେବେ କିଛି ଦାବୀ କରେନାହିଁ । ଦରକାର ପଡ଼ିଲେ, ତାର ଯାହାକୁ ଯାହା ଇଚ୍ଛା ହୁଏ ମାଗି ଆଣେ । ଅର୍ଥର ଲୋଭ ତା’ଠାରେନାହିଁ–ସେ ଚାହେଁ ପ୍ରଭୁତ୍ୱ ।

ପାଚକକୁ ବତାବତି କରି ନିତାମା’ ଆଜି ଦଳବେହେରା ସାଆନ୍ତଙ୍କପାଇଁ ଅନେକ ପ୍ରକାର ତରକାରି, ଭଜା, ସନ୍ତୁଳା କରାଇଛି । ଦଳବେହେରା ଖାଇ ତୃପ୍ତି ଲାଭ କଲେ । ସବୁ ବିଷୟରେ ନିତାମା’ର ନୈପୁଣ୍ୟ ତାଙ୍କୁ ଅଲକ୍ଷ୍ୟରେ ସ୍ପର୍ଶ କଲା । ଭୋଜନ କରିସାରି ତାକୁ ପାଖକୁ ଡାକି ବିଶ୍ୱନାଥ ପଚାରିଲେ -‘‘ତୋର ଆଉ କିଏ ଅଛନ୍ତି ?’’

‘‘ନାହିଁ, ଖାଉନ୍ଦ ! ତିନି କୁଳରେ ମୋର ନିଜର ବୋଲି କେହିନାହିଁ; ସମସ୍ତଙ୍କୁ ଖାଇସାରିଛି । ନିତାକୁ ମୋର ଖାଇଲି, ଏ ଜୀବନ ତେବେକେ ଗଲାନାହିଁ, ସାଆନ୍ତେ ! ଶେଷକୁ ସେ ବି ଚାଲିଗଲେ । ମୁଁ ‘ଅଇରି ଖପରା ବଇରି ବା’ ହୋଇ ବୁଲୁଛି’’ –କହି ଲୁଗାକାନିରେ ଲୁହ ପୋଛିଲା ।

‘‘ତେବେ ଚଳୁ କିପରି, ନିତାମା’ ? ଖାଉ କଅଣ ? ଥାଉ କିପରି ?’’

‘‘ଚଳିବି ଆଉ ନିଆଁ, ଦରପୋଡ଼ା ! ବାରଦୁଆର ଶୁଣ୍ଢିପିଣ୍ଡା ହେଉ ହେଉ ଦିନ ସରୁନାହିଁ, ଖାଉନ୍ଦେ ! ମୋ ଅବସ୍ଥା କଅଣ କହିବି ? ଦିନେ ଖାଇଲେ ତିନି ଓଳି ଉପାସ । କାହା ଗୋଡ଼ରେ ଅଳତା ଦେଲି, କାହାର ବାର ଖିଜିମତ କଲି, କଂସାଏ ତୋରାଣି ଆଣି ପିଇଲି । କିଛି ନ ମିଳିଲା, ଉପାସ ରହିଲି । ମୋ ଦୁଃଖ ବୁଝିବ କିଏ ?’’ କହୁ କହୁ ପୁଣି କାନ୍ଦିପକାଇଲା ।

‘‘କାନ୍ଦ ନା, ନିତାମା’ ! ତୁନି ହୋ । ତୋ’ଠି ଏତେ ଗୁଣ, ଏ ଗାଁବାଲା ତୋ ଗୁଣ ଚିହ୍ନନ୍ତିନାହିଁ ? ତୋର ଗୋଟାଏ ପେଟ ଅପୋଷା ରହୁଛି !’’

‘‘ସତେ ମୋ ଦିନ ସରିବ, ଖାଉନ୍ଦେ ! ମୋ ଦୁଃଖକୁ ଏକା ଧର୍ମଦେବତା ସାକ୍ଷୀ ।’’

‘‘ହଇ ଲୋ ନିତାମା’ ! ତୋର ତ ଏଠାରେ ଏତେ କଷ୍ଟ ? ତୁ ଚାଲ ଆମ ସାଙ୍ଗରେ ଆମ ଘରକୁ ଯିବୁ । ଯାହା ଯେତେବେଳେ ମନଖୁସି କାମଦାମ କଲେ କରିବୁ, ନଇଲେନାହିଁ । ଯିବୁ ?’’

ନିତାମା’ ଓଢ଼ଣା ଟାଣିଦେଇ ସକେଇ ସକେଇ କାନ୍ଦି କହିଲା, ‘‘ମୋର ପୁଣି ଭାଗ୍ୟ ହେବ ! ମୋ ପୋଡ଼ା କପାଳ ପୁଣି ଫେରିବ ! ସତେ ଉଷନା ଧାନ ଗଜା ହେବ !’’

‘‘ତୁନି ହୋ ନିତାମା’ ! ଆମ ସାଙ୍ଗରେ ଆଜି ଚାଲ । ଏଠାରୁ ଯାଇ ପ୍ରଧାନପୁରରେ ରହିବା; ଦିନେ-ଓଳିକ ପରେ ଘରକୁ ଯିବା । ଏ ଗାଁରେ ତ ତତେ କେହି ଅଟକାଇବେନାହିଁ ?’’

‘‘ମଲା ମୋର, ମତେ ପୁଣି ଅଟକାଇବ କିଏ ମ, ସାଆନ୍ତେ ? ଭାରି ତ ମତେ ଦେଖି-ସହି ପାରନ୍ତି ! ଘରେ ପଡ଼ି ମରିଗଲେ ତ ଦିନେ କେହି ପଚାରିବେନାହିଁ !’’

ସାଆନ୍ତଙ୍କପାଇଁ ପାନ ଭାଙ୍ଗି ଦେଇ ନିତାମା’ ମହୋଲ୍ଲାସରେ ଚାଲିଗଲା । ସେ ଆସି ଦଳବେହେରାଙ୍କ କାର୍ଯ୍ୟରେ ଲାଗିଲାବେଳୁଁ ତା ପ୍ରତି ବିଶ୍ୱନାଥଙ୍କର ଘନ ଘନ ଦୃଷ୍ଟିସଞ୍ଚାଳନ ତା ହୃଦୟରେ ଆଶାର ସଞ୍ଚାର କରିଥିଲା; ସେତିକିବେଳୁଁ ଭାବିଥିଲା ଔଷଧ ଧରିଲା । ତା ପରେ ତାର ସମସ୍ତ ଉପଚାର ଦଳବେହେରାଙ୍କ ଉପରେ ପ୍ରୟୋଗ କରିବାକୁ ଛାଡ଼ିଲାନାହିଁ । ବିଶ୍ୱନାଥ ଅଲକ୍ଷ୍ୟରେ ତାର ବଶୀଭୂତ ହୋଇଗଲେ ।

ସାଆନ୍ତଙ୍କ ପାଖରୁ ଯାକ ନିତାମା’ ଗାଁଯାକ ବୁଲିଗଲା । ସମସ୍ତଙ୍କ ଆଗରେ କହିଲା–ଦଳବେହେରା ତାକୁ ଗଡ଼କୁ ନେବେ, ଏକା ଜିଦ୍‌ ଧରିବସିଲେଣି । ସେ ଯେତେନାହିଁ କଲା, ଯେତେ ପ୍ରକାର ବୁଝାଇ କହିଲା, କାହିଁରେନାହିଁ । ସାଆନ୍ତଙ୍କ ଘରେ ଅନେକ ଦାସୀ ଚାକର ସବୁ ଉଜାଡ଼ମସ୍ତ କରି ବୋହି ଖାଇଯାଉଛନ୍ତି–ନିତାମା’ ଗଲେ ସମସ୍ତଙ୍କ ଉପରେ ପ୍ରଭୁତ୍ୱ କରିବ, ସବୁ ଜିନିଷପତ୍ରରେ ଆଖି ରଖି ସମସ୍ତଙ୍କୁ ଚଳାଇବ । ସେ କ’ଣ କରିବ ? ନାଚାର ସେ ! ରାଜ୍ୟର ମାଲିକଙ୍କ କଥାକୁ ସେ ଅମାନ୍ୟ କରି ରହିବ କିପରି ? ପାଣିରେ ଘର କରି କୁମ୍ଭୀର ସଙ୍ଗେ ବାଦ ଲଗାଇ ଫଳ କ’ଣ ହେବ ? ବୈଷ୍ଣବ ସାହୁ ମହାଜନ ନିତାମା’କୁ ନ ନେଇ ଛାଡ଼ିଯିବେ ବୋଲି ଦି’ ପଦ କ’ଣ କହି ବଡ଼ ଅପମାନ ପାଇଗଲେ । ଆଉ କିଏ ତାଙ୍କୁ କ’ଣ କହିବ ? ଏପରି କେତେ କଥା କହି ନିତାମା’ ସମସ୍ତଙ୍କଠାରୁ ବିଦାୟ ନେଇ ଫେରିଆସିଲା ।

ନିତାମା’ର ଏପରି ହଠାତ୍‌ ତିରୋଧନ ଖବର ଶୁଣି ବାସ୍ତବିକ ଆରପଦାର ଅନେକେ ବଡ଼ ଦୁଃଖିତ ହେଲେ । ମାତ୍ର ଦଳବେହେରାଙ୍କୁ ଭରସି କିଏ କ’ଣ କହିବ ?

ଉପରବେଳା । ବେଳ ଗଡ଼ିଗଲାରୁ ଦଳବେହେରା ଗାଁ ବୁଲି ବାହାରିଲେ । ସମସ୍ତଙ୍କ ଘର ଦେଖି, ସମସ୍ତଙ୍କ ସଙ୍ଗରେ ଆଳାପ-ପରିଚୟ କରି ଫେରିଲେ । ବିଶ୍ୱନାଥଙ୍କର ମନ ଆଜି ଭାରି ଆନନ୍ଦ । ସବୁ ଗାଁ ପ୍ରାୟ ଦେଖିଗଲେ । ନିଜ ଇଲାକାର ଅଧିକାଂଶ ଲୋକଙ୍କ ସାଙ୍ଗରେ ପରିଚିତ ହୋଇଗଲେ । ଚିଦାନନ୍ଦଙ୍କ ପରି ଗୁରୁ ନ ଥିଲେ ତାଙ୍କୁ ଏପରି କଷ୍ଟ ସହି, ଏ କଥା କରାଇଥାଆନ୍ତା କିଏ ? ତେବେ ଅନେକ ଦିନ ହୋଇଗଲା । ତାଙ୍କର ବହୁ ଯତ୍ନ-ପ୍ରତିପାଳିତ ପଶୁପକ୍ଷୀଗୁଡ଼ିକ କ’ଣ କରୁଥିବେ ? ଦିନେ ସେମାନଙ୍କୁ ଛାଡ଼ି କୁଆଡ଼େ ଯାଇ ନଥିଲେ । ଆଜି ହୁଏତ ଅଧିକାଂଶ ତାଙ୍କ ଅଭାବରେ ମରିଯିବେଣି । ଆଜି କାର୍ଯ୍ୟ ସରିଲା । ଏହି ଦିନେ-ଦୁଇଦିନ ମଧ୍ୟରେ ଗଲେ ସେମାନଙ୍କୁ ଦେଖିବେ । ମନ ଆନନ୍ଦରେ ପୂରିଉଠିଲା । ପୁଣି ମନେହେଲା, ଆଜି ସନ୍ଧ୍ୟାରେ ଯାଇ ଚାହାଳିରେ ପାର୍ବତୀକୁ ପାଠ ପଢ଼ିବାର ଦେଖିବେ । ଅବଧାନର ରୀତିନୀତି ବଦଳିଛି କିନାହିଁ ଜାଣିବାକୁ ମଧ୍ୟ ଇଚ୍ଛା ହେଲା ।

ଶୀଘ୍ର ନିତ୍ୟକର୍ମ ସାରି ସମସ୍ତ ଗ୍ରାମବାସୀମାନଙ୍କଠାରୁ ବିଦାୟ ନେଇ, ସଇସ ଜିମା ଘୋଡ଼ା ଦେଇ ଦଳବେହେରା ଚାଲିବାକୁ ଲାଗିଲେ । ପଛେ ପଛେ ନିତାମା’ ଚାଲୁଥାଏ । ବିଲ, ହିଡ଼ବାଟ ପଡ଼ିଲା-ନିତାମା’ ମନା କରେ- ବାଟ ଚାଲିଲେ କୋମଳ ପାଦ କୁଶମୁନରେ ଫୋଡ଼ିହୋଇଯିବ, ଶରୀର ବ୍ୟଥା କରିବ । ଘୋଡ଼ାରେ ଚଢ଼ିବାକୁ ଶତ ଅନୁରୋଧ କରେ । ତେବେନାହିଁ କରନ୍ତି । ଚାଲି ଯିବା ଆଜି ଦଳବେହେରାଙ୍କୁ ବଡ଼ ସୁଖକର ବୋଧ ହେଉଛି । ନିତାମା’ ସାଙ୍ଗରେ ଗପ କରି କରି ଚାଲିଥାଆନ୍ତି । ଦୁଃଖନାହିଁ, କଷ୍ଟନାହିଁ, କିଛି ଜଣା ପଡ଼ୁ ନ ଥାଏ । ସଇସ ଆଗରୁ ଘୋଡ଼ା ଫେରାଇଆଣି ବସିବାପାଇଁ ଅନୁରୋଧ କରେ । ତା ଉପରକୁ ବିରକ୍ତ ହୁଅନ୍ତି, ‘ଆଉ ଖଣ୍ଡେଦୂର’ କହି ତାକୁ ବିଦାକରିଦିଅନ୍ତି ।

ରାସ୍ତାରେ ଯାଉଁ ଯାଉଁ, ଚିଦାନନ୍ଦଙ୍କ ସଙ୍ଗେ ଦଳବେହେରାଙ୍କ ସମ୍ପର୍କ, ପାର୍ବତୀ ପ୍ରତି ତାଙ୍କ ମନୋଭାବ ଆଦି ତାଙ୍କ ଜୀବନର ପ୍ରକାଶ୍ୟ ଅପ୍ରକାଶ୍ୟ ସମସ୍ତ ଘଟନାବଳୀ ଅତି ସହଜରେ ଅଳ୍ପ ସମୟ ମଧ୍ୟରେ ନିତାମା’ କରାୟତ୍ତ କରିନେଲା । ପ୍ରାୟ ଦୁଇକୋଶରୁ ଅଧିକ ପଥ ଚାଲିଲେଣି-। ଅନ୍ୟ ସମୟ ହୋଇଥିଲେ ଏତିକି ପରିଶ୍ରମ ତାଙ୍କର ଅନଭ୍ୟସ୍ତ କୋମଳ ଶରୀରକୁ ଶଯ୍ୟାଶାୟୀ କରାଇଥାଆନ୍ତା । ଆଜି କେଉଁ କୁହୁକ ତାଙ୍କୁ ଯେପରି ଅଲକ୍ଷ୍ୟରେ ଟାଣି ଘେନି ଚାଲିଯାଉଛି । ପ୍ରଧାନୀପୁର ଆଉ ପାଏ ବାଟ ବାକି ରହିଲା । ଚାଲି ଚାଲି ଗଲେ ଗାଁରେ ଲୋକେ କ’ଣ କହିବେ ଭାବି ବାଧ୍ୟ ହୋଇ ଘୋଡ଼ାରେ ବସିଲେ । ନିତାମା’ ପାଖେ ପାଖେ ଚାଲୁଥାଏ ।

ବେଳ ବୁଡ଼ି ରାତି ଘଡ଼ିଏ ହେଲାଣି । ହଠାତ୍‌ ଆଜି ଦଳବେହେରା ଆସିବେ ବୋଲି କେହି ଜାଣିନାହାନ୍ତି । ବିଶ୍ୱନାଥ ଚମ୍ପତି ମହାପାତ୍ରେ ଘୋଡ଼ା ଉପରେ ବସି ତାଙ୍କର ସତେ ଯେପରି ବହୁକାଳର ପରିଚିତ ସେହି ଗୋବିନ୍ଦ ସେନାପତିଙ୍କ ଚଉପାଢ଼ିରେ ଯାଇ ହାଜର ହୋଇଗଲେ । ନିତାମା’ ବାଏଁ ବାଏଁ ଯାଇ ତଳ ଅଗଣାରେ ମାଇପିମହଲରେ ମିଶିଗଲା ।

•••

 

ଷଷ୍ଠ ପରିଚ୍ଛେଦ

 

ସେନାପତିଙ୍କ ଅନ୍ଦରମହଲରେ ନିତାମା’ ଅତି ଅଳ୍ପ ସମୟ ମଧ୍ୟରେ ପରିଚିତ ହୋଇଗଲା । ଛଅ ସାଆନ୍ତାଣୀଙ୍କୁ ଡାକି ଗପ ଯୋଡ଼ିଦେଲା । ତାର ଆଖିମିଟିକା, କଥା କହିବାର ଭଙ୍ଗୀ ଦେଖି ସମସ୍ତେ ଆସି ତା ପାଖରେ ରୁଣ୍ଡ ହୋଇଗଲେ । ଅଳତାପଚା ଦାନ୍ତ ଦେଖାଇ, ଅଳ୍ପ ଅଳ୍ପ ହସି ସମସ୍ତଙ୍କୁ ମୁଗ୍‌ଧ କରିଦେଲା । ପାର୍ବତୀକୁ ଦେଖି ଧରିଆଣି କୋଳରେ ବସାଇଲା । ତା ମୁଣ୍ଡ ପିଠି ଆଉଁସି ଦେଇ କହୁଥାଏ, ‘‘କେଡ଼େ ଲକ୍ଷଣ ଏ ସାଆନ୍ତାଣୀଙ୍କର ଦେଖିଚ ? ଓଠ ତଳେ, ବାଁ ପାଖ ବାହାରେ କଳାଜାଇ ଅଛି । ପାଦଯୋଡ଼ିକି ଯେପରି ନାଲି କଇଁଫୁଲ ଯୋଡ଼ିଏ ! ଏ ତ ମୋର ସରଗର ଚାନ୍ଦ, ରାଜାଘର ରାଣୀ ।’’

ନିତାମା’ କ୍ଷିପ୍ରଗତିରେ କାଖରୁ ଅଳତା ସଜ କାଢ଼ିପକାଇ ଗିନାରେ ପାଣି ଆଣି ରଖିଲା-। ଅଳତା ଘିନିବାକୁ ସମସ୍ତଙ୍କୁ ଡାକିଲା । ସେମାନେନାହିଁ କରିବାରୁ ପାର୍ବତୀର ଗୋଡ଼ ନଖ ନହରୁଣୀ କାଢ଼ି ଚାଞ୍ଛି ଦେଲା; ଅଳତାପତ୍ର ପାଣିରେ ବୁଡ଼ାଇ ଗୋଡ଼ରେ, ନଖରେ ପରିପାଟୀ କରି ଅଳତା ଘିନାଇ ଦେଇ କହିଲା– ‘‘ଦେଖିଲ, ଦେଖିଲ, କି ସୁନ୍ଦର ଗୋଡ଼ ମୋର କ’ଣ କରିଥିଲ ଦେଖିଲ ? ଏ ତ ମୋର ସରଗର ଚାନ୍ଦ ସାଆନ୍ତାଣୀ, ଏଠି ଗୋବରଗଦାରେ ପଦ୍ମ ଫୁଟିଛି ସିନା !’’

ପାର୍ବତୀର ରୂପ-ଗୁଣର ପ୍ରଶଂସା ଶୁଣି ତା ବୋଉ ଯଶୋଦାଙ୍କ ବୁକୁ କୁଣ୍ଢେମୋଟ । ନିତାମା’କୁ କହିଲେ– ‘‘ହଇ ଲୋ ବାରିକାଣି ! ତୁ କ’ଣ ଖାଇବୁ ପରା, ଆ । କେତେ ବାଟରୁ ଆସିଛୁ, ଭୋକ କରିବଣି ।’’

‘‘ଖାଇବି ଆଉ କ’ଣ, ଇଲାଗେ ଟିକିଏ ରହ । ମୋର ତ ମୋ ସାଆନ୍ତାଣୀକୁ ଦେଖି ପେଟ ଚାରି କ’ଣ କୁଆଡ଼େ ପୂରିଗଲାଣି ।’’

‘‘ଆରଥର ତ ଦଳବେହେରା ସାଆନ୍ତେ ଏକା ଆସିଥିଲେ, ଏଠି ଦିନେ ଦି’ଦିନ ରହିଲେ-। ତୁ ପୁଣି ଏଥର କାହୁଁ ଅଇଲୁ ମ, ବାରିକାଣୀ ?’’

ହସି ହସି ନିତାମା’ କହିଲା, ‘‘କିହୋ, ତମେ ଜାଣିନାହଁ କି, ସାଆନ୍ତାଣି ? ମୁଁ ପରା ଦଳବେହେରା ସାଆନ୍ତଙ୍କ ଘର-ଭଣ୍ଡାରୁଣୀ । ମୁଁ ଆରଥର ଆସନ୍ତି କିପରି ସାଆନ୍ତଙ୍କ ସଙ୍ଗରେ ? ଭଣ୍ଡାରଘର କଞ୍ଚିକାଠି ମୋ ହାତରେ । ଯେଉଁ କାମ ନ ବୁଝିବି କିଛି ହବନାହିଁ । ସମସ୍ତେ ମତେ ତକାଇ ବସିଥିବେ । ସାଆନ୍ତଙ୍କୁ ପରା ତଡ଼ିପଠାଇଲି ମୁଁ ! ସାଆନ୍ତ ମୋର ଭାରି ଏକଜିଦିଆ-ଅବୁଝା-ଯାହା ଧରିବସିବେ, ସେଇଆ !’’

‘‘ଆମେ ତ ଶୁଣୁଛୁ, ଆଉ କେଉଁ ଦଳବେହେରା କେବେ ଗାଁ ବୁଲି ଆସୁ ନ ଥିଲେ- ଏ କାହିଁକି ଆସିଲେ ମ ?’’

‘‘ଶୁଣିଲନାହିଁକି ସାଆନ୍ତାଣୀ ! କହିଲି ପରା, ମୁଁ ବହୁ କଷ୍ଟରେ ତଡ଼ିପଠାଇ ଦେଇଥିଲି । ବଡ଼ ଖାଉନ୍ଦ ଥାଉଁ ଥାଉଁ ଏ ସାଆନ୍ତଙ୍କୁ ବିଭା କରାଇବାର କେତେ ଯୋଗାଡ଼ କଲେ– କାହିଁରେନାହିଁ-। କ’ଣ ସେ ଖଣ୍ଡିଆ ଚୁଲିପଶା ନନ୍ଦ ଗୋସାଇଁ ବୁଝାଇଦେଲା, ହରସ୍ତାପ୍‌ ତ ମଙ୍ଗିଲେନାହିଁ ।’’

‘‘ବଡ଼ ଖାଉନ୍ଦେ ତୋର ଅଛନ୍ତି କି ଲୋ ନିତାମା’ ?’’

‘‘ନାହିଁ ମ, ବର୍ଷେ କେତେ ମାସ ହେବ କାଳ ହେଲେଣି । ପୁଅ ବିଭା ହେବାକୁ ନ ମଙ୍ଗିବାରୁ ତ ସାଆନ୍ତ ମୋର ମନଦୁଃଖରେ ଚାଲିଗଲେ । କେତେ ଆଡ଼ୁ କେତେ ଟିପଣା ଆସିଲା, କନ୍ୟା ଠିକଣା ହେଲା– ତେବେ ବିନାହିଁ । ବୁଢ଼ୀ ସାଆନ୍ତାଣୀ ମୋର ସେହି ଦୁଃଖରେ ନ ଖାଇ ନ ପିଇ ଶିରି ଦଉଡ଼ି ହେଇଗଲେଣି ।’’

‘‘ତେବେ ତୁ ଏଥର କାହିଁକି ଅଇଲୁ ମ ?’’

‘‘ସେଇ କଥା ପରା କହୁଛି ! ସାଆନ୍ତ ମୋର ଦିନେ ମତେ ମନ ଖୋଲି କହିଲେ, ‘ଆଲୋ ନିତାମା’ ! ମୁଁ କ’ଣ ବିଭା ହେବାକୁ ମନାକରୁଛି ? ମନମୁତାବକ କନ୍ୟା ପାଇଲେ ତ ହବ-। ଏ କଥା ମୁଁ ଯାଇ ବୁଢ଼ୀ ସାଆନ୍ତାଣୀଙ୍କୁ କହିଦେଲି । ପୁଣି କନ୍ୟା ଖୋଜାହେଲା । କହିଲେ, ନିଜେ କନ୍ୟା ନ ଦେଖିଲେ ହବନାହିଁ । ସେଥିପାଇଁ ପରା ତଡ଼ି ପଠାଇ ଦେଇଥିଲି, ଆଉ ବୁଝୁଛ କଅଣ-?’’

‘‘ଏବେ କ’ଣ କୋଉଠି କନ୍ୟା ଦେଖି ପସନ୍ଦ ହେଲାଣି ?’’

‘‘ଆଚ୍ଛା ଓଲୀ ସାଆନ୍ତାଣୀ ମୋର ଏ ! ଆଉ ମୁଁ ଏଠିକି ଅଇଲି କାହିଁକି ? ଆର ଥର କେବେ ଆସିଥିଲେ ଯେ, ସେତିକିବେଳେ ତମ ଝିଅକୁ ଦେଖି ତାଙ୍କ ମନ ମାନିଯାଇଛି ପରା । ଗଡ଼ଠାକୁ ଖବର ପଠାଇଲେ । ବୁଢ଼ୀ ସାଆନ୍ତାଣୀ ନିଜେ ଆସିବାକୁ ବସିଥିଲେ; ମୁଁ କହିଲି– ‘ନାହିଁ, ତୁମେ କୁଆଡ଼େ ଯିବ, ଦେହ ଇମିତି–ମୁଁ ଯାଇ ବୋହୂ ଦେଖିଆସେଁ’; ସେଇଥିପାଇଁ ପରା ଆସିଛି ! ତମେ ଏବେ ଏ କଥାସବୁ କିଛି ଜାଣିନାହିଁ ?’’

ମୁଖଭଙ୍ଗୀ କରି ଅଳତାପଚା ଦାନ୍ତ ଦେଖାଇ ନିତାମା’ ଏତେ କଥା ଏପରି ସୁନ୍ଦର ଭାବରେ କହିଗଲା ଯେ, ସମସ୍ତେ; ଶୁଣି ଅବାକ ହୋଇଗଲେ । ଯଶୋଦା ସରଗର ଚାନ୍ଦ ହାତରେ ପାଇଲେ–ଝିଅ ତାଙ୍କର ରଜାଘର ରାଣୀ ହେବ ! ଗୋଡ଼ ତାଙ୍କର ଆଉ ତଳେ ଲାଗୁନାହିଁ । ଦୁଆରୁ ହାଣ୍ଡିଶାଳକୁ ଯାଇ ବାରିକାଣୀର ଖାଇବା ବନ୍ଦୋବସ୍ତ ବୁଝୁଛନ୍ତି । ତା’ରି ବିଭାଘର କଥା ଏତେ ଥର ଶୁଣି ପାର୍ବତୀ ଛାଟିପିଟି ହୋଇ ନିତାମା’ କୋଳ ଛାଡ଼ି ପଳାଇଗଲା । ଆଉ ସବୁ ମାଇପେ ତାକୁ ଦଳବେହେରାଙ୍କ ଘରକଥା ପଚାରିବସିଲେ ।

ଯଶୋଦାଙ୍କ ତଳ ଯାଆ ନାଁ–ମାଧବୀ । ଆଗଭର ହୋଇ ସେ ପଚାରିଲେ, ‘‘ବାରିକାଣୀ-! ତୁମ ସାଆନ୍ତଙ୍କର ଘରଦ୍ୱାର କିମିତି, ତାଙ୍କ ଖାଇବାପିଇବା କଥା, ମାଇପଙ୍କ ଅଳଙ୍କାର କଥା ସବୁ କହ ।’’

‘‘ସେ କଥା ତୁମେ ଶୁଣିବ କ’ଣ ? କ’ଣ ଜାଣିନାହଁ, ଦଳବେହେରା ସାଆନ୍ତଙ୍କ ଉଆସ-ତାକୁ ବଳି ଅଛି ?’’

‘‘କହ ମ, ଟିକିଏ ଶୁଣିବା । ଆମେ ତ ଘର ଭିତରୁ ବାହାରକୁ ଯାଇ ନାହୁଁ; ଆମେ ସବୁ ଜାଣିବୁ କିମିତି ?’’

‘‘ଆମର ତ ସବୁ ପଥର ପକ୍‌କା, କ’ଣ ଖଣ୍ଡିଏ ବୋଲି ଚାଳଘର ଅଛି କି ? ଏତେ ଘର ଯେ, ତମ ଗାଁଯାକ ମଣିଷ ଗଲେ ବି କୁଆଡ଼େ ରହିଯିବେ, ଜଣାପଡ଼ିବନାହିଁ ।’’

‘‘ହଇ ଲୋ ବାରିକାଣୀ ! ଏତେ ଘର କାହିଁକି କରିଛନ୍ତି ମ ? ଏତେ ଘରେ ରହେ କିଏ-?

‘‘ତମେ ତ ଦେଖିନାହଁ, କହିବନାହିଁ କାହିଁକି ? କିହୋ, ‘ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତହିଁର ବେଭାର । ତୁମେ ତ ଏଇ ଚାଳଘରେ ପଡ଼ିଛ; କହିବନାହିଁ କାହିଁକି ?’’

‘‘ତୁମ ସାଆନ୍ତଘର ଘୋଡ଼ା ହାତୀ ଅଛନ୍ତି ନା ?’’

‘‘ମଲା ମୋର, ଘୋଡ଼ା ତ ପଣ ପଣ, କ’ଣ ହେଲେ ଗଣି ହେବ ? ଘୋଡ଼ାଶାଳକୁ ଯିବ ଯେବେ ଶୁଣିବ ତ ଖାଲି ରଡ଼ି ଛାଡ଼ିଅଛନ୍ତି... ଦିହ ଛାନିଆ ମାରିଯିବଟି ! ଏ ବାଦେ ହାତୀ ଦି’ଅଣ୍ଡା, ଗୋରୁଗାଈ ତ କେତେନାହିଁ କେତେ !’’

‘‘ତୁ ତାଙ୍କ ଘରେ ଏକା ଚାକରାଣୀ ନା ଆଉ କିଏ ଅଛନ୍ତି ମ ?’’

‘‘ମୁଁ କ’ଣ ତାଙ୍କ ଚାକରାଣୀ କି ? ତମେ ଏତେବେଳଯାଏ ଏଇଆ ବୁଝିଲ ? ସାତଖଣ୍ଡ ରାମାୟଣ ଶୁଣି, ସୀତା ମାଈ କି ଅଣ୍ଡିରା ପଚାରୁଛ ? କେତେ ଚାକରବାକର, ପୋଇଲୀ-ପରିବାରୀ କ’ଣ ସୀମା ଅଛି ! ସମସ୍ତଙ୍କ ଉପରେ ମୁଁ । ମୁଁ ନ ଥିଲେ ତ ଦିନେ ଚଳିବନାହିଁ ! ସମସ୍ତେ ଚାହିଁବସିଥିବେ ମତେ ।’’

‘‘ତୁ ତାଙ୍କର କ’ଣ କରୁ ମ, ବାରିକାଣୀ ?’’

‘‘କିହୋ, ରୋଜ ରୋଜ ଭାର ଭାର ମାଛ, ଘିଅ, ଦୁଧ, ଦହି, ଛେନା, ପନିପରିବା ଖାଲି ବୁହାଲାଗିଥାଏ । ଭଣ୍ଡାରଘର କୁଞ୍ଚି ମୋ ପାଖରେ । ସବୁ ଜିନିଷ ମଣିକରି ରଖିବି, ଖର୍ଚ୍ଚପତ୍ର ଚଳାଇବି । ମତେ କ’ଣ ମରିବାକୁ ତର ଥାଏ କି ? ଗଲା ଅଇଲା ନିତି ନିତି କେତେ ଲୋକ–ସମସ୍ତଙ୍କ ଚରଚା ବୁଝିବି ।’’

‘‘ତାଙ୍କ ଘରେ ସବୁ କି କି ଅଳଙ୍କାର ପିନ୍ଧନ୍ତି କହିଲୁ ?’’

‘‘କହିଲେ କ’ଣ ତମେ ସବୁ ଜିନିଷ ଦେଖିଛ, ନା କେବେ ଶୁଣିଛ ଯେ ବୁଝିପାରିବ ! ମୁଁ କାଲ ଆଗରେ ଆଉ କେତେ ମୂଳା ଚୋବାଉଥିବି ? ଅନ୍ଧଦେଶରେ ଆସି ଆଉ କେତେ ଦର୍ପଣ ବିକିବସିବି ? ନାଁ ଶୁଣିବ ତ ଶୁଣ–ନାଉଲ, ନାକଚଣା, ବାଉଲୀ, ଫାଶିଆ, ହରଡ଼ପାଳିଆ, ମୟୂରବସା ଗୁଣା, ବେସର, ତାବିଜ, କଙ୍କଣ, ରତ୍ନମୁଦି ଇମିତି ଇମିତି ଆଉ କେତେ କହିବି ?’’

ସେନାପତିଙ୍କ ସବା ସାନଝିଅ ରତନୀ ରହି ରହି ସବୁ ଶୁଣୁଥିଲା; ଭାଉଜ ଡରରେ ଏତେବେଳଯାଏ କିଛି କହି ପାରୁ ନ ଥିଲା । ନିତାମା’ ଉପରକୁ କେତେବେଳୁ ତା ମନ ରବେଇଖବେଇ ହେଲାଣି-ଛାର ଭଣ୍ଡାରୁଣୀଟାଏ କେତେ କଥା ଗପିଯାଉଛି ! ଅତିଶୟ ଅସହ୍ୟ ହେବାରୁ କହିପକାଇଲା– ‘‘ରହ ଲୋ ଭଣ୍ଡାରୁଣି, କେତେ ଢମ ବଖାଣିଯାଉଛୁ ବରାବର ! କେହି କିଛି ନ କହିଲାରୁ ମୁହଁ ବଢ଼ିଯାଉଛି ! ଗାଁ ପରିମଳ ଧୋବାତୁଠରୁ ଜଣାପଡ଼େ । ତୁ ତ ତାଙ୍କର କୋଉଁଠି ସବୁ, ସବୁ ପୁଣି ତୋ ଜିମା ! କଂସା ଖଡ଼ୁ, କଂସା ମୁଦି ଛଡ଼ା ତ ଖଣ୍ଡେ ରୂପା ଅଗୁଆ ହାତରେନାହିଁ ! ଆଉ ଲମ୍ବିଯାଉଛି ବାଆନେ ହାତେ କେଉଁ ଗୁଣକୁ ? ତୁଚ୍ଛାକୁ ଏତେ, ମୁଦିନାହିଁ ଗୋଡ଼ କଚାଡ଼ୁ କେତେ ?’’

‘‘ମୁଁ ତ ସେଇ ଯୋଗରୁ କିଛି କହୁ ନ ଥିଲି । ତମ ବଡ଼ପଣିଆ ତମ ଘରେ ଥାଉ । ମତେ ଏତେ ଲଗାଇ ପଚାରିଲ ବୋଲି ସିନା କହିଲି । ମୋ ଉପରେ ଏତେ ରାଗ କିଆଁ ? କ’ଣ ତମ ବାଡ଼ିତଳେ ଘର କରିଛି, ନା ଦି’ଓଳି ଆସି କଂସା ପତେଇ ମାଗୁଛି ? ଏଇଲାଗେ ତ ବିଚାରିଲେ...’’

ଏତିକି କହି ତମତମ ହୋଇ ନିତାମା’ ଉଠି ବାହାରିଯାଉଛି, ଯଶୋଦା ଶୁଣିପାରି ଧାଇଁଆସି ତା ହାତ ଧରିପକାଇ କହିଲେ, ‘‘ତତେ ମୋ ରାଣ, ବାରିକାଣୀ ! ମୋ ମୁଣ୍ଡ ଖାଉଟି, ପିଲାବୁଦ୍ଧିରେ ରତନୀ କ’ଣ କହିଦେଲା; ତୁ ଚାଲିଯାଉଛୁ ?’’

‘‘ନାହିଁ, ସାନ୍ତାଣୀ ! ତମର ବଡ଼ଘର, ବଡ଼କଥା; ତମୁକୁ ପୁଣି ଦଳବେହେରା ଘର ପସନ୍ଦ ଦିଶିବ କୁଆଡ଼ୁ ! ମୁଁ ଯାଉଛି ମୋ ଖାଉନ୍ଦ ପାଖକୁ । ଇଲାଗେ ଘରକୁ ଚାଲନ୍ତୁ । ଏଠ ଆଉ ଜଳ ଛୁଇଁ ଅଛି ! ଆରେ, ଆଚ୍ଛା ଥାନରେ ବନ୍ଧୁ ବାନ୍ଧିବାକୁ ବସିଛନ୍ତି ?’’

‘‘ତତେ ହର-ପାର୍ବତୀଙ୍କ ଦ୍ୱାହି, ନିତାମା’ ! ଚାଲ ଗଣ୍ଡାଏ ଖାଇବୁ ।’’

ବହୁ ଆଦର ଅଭ୍ୟର୍ଥନା, ଦୋଷ ସ୍ୱୀକାର ପରେ ନିତାମା’ ମୁହଁ ଫଁ-ଫଁ କରି ଫେରିଲା । କଦଳୀପତ୍ରରେ ଉଖୁଡ଼ା, ମନୋହର, ପାଚିଲା କଦଳୀ, ଦହି, ଗୁଡ଼, ଦୁଧସର ବଢ଼ାଯାଇଥାଏ । ବସି ବସି ସବୁ ଖାଇଦେଲା । ଯଶୋଦା ପାଖରେ ବସି ପଚାରିଲେ– ‘‘ସତେ ମୋ ପାବୀ କପାଳରେ ଏଡ଼େ ଯୋଗ ଅଛି, ବାରିକାଣୀ ! ସତ କହିଲୁ, ମୋ ମନ ପରତେ ଯାଉନାହିଁ ଜମା ।’’

‘‘ଆଉ କ’ଣ ତେବେ ମିଛ ବୋଲି ଭାବୁଛ ? ମିଛୁଟାରେ କ’ଣ ମୁଁ ଘର ଛାଡ଼ି ଆସିଛି ? କେତେ କେତେ ବଡ଼ଲୋକ ତ ଗାଧୋଇଗଲେ । ସାଆନ୍ତେ କୋଉଁଠି ମଙ୍ଗିଲେନାହିଁ । ନାହାକ ଆସି ଜାତକ ବୁଝିଲା ଯେ, ତମ ଝିଅ ଜାତକ ସବୁ ସୁଝିଗଲା । ଏଠି ତ ସାଆନ୍ତଙ୍କ ମନ ଭାରି ମାନିଯାଇଚି ।’’

‘‘ଜାତକ କାହୁଁ ପାଇଲେ ମ ? ଆମର ତ ଏଠୁ ଜାତକ ନେଇ ନାହାନ୍ତି ?’’

‘‘ଦଳବେହେରା ସାଆନ୍ତଙ୍କୁ ଫେର୍‌ ଅପୂର୍ବ କେଉଁ କଥା ! ତମ ଗାଁ ନାହାକକୁ ଡକାଇ ନେଇ ସବୁ ବୁଝିଲେ । ଜାତକ ତାଙ୍କୁ ଅପୂରୁବ ?’’

‘‘ସତେ ମୋ ପାବୀ ରଜାଘର ରାଣୀ ହେବ ? ସତେ ଏ ପାପ-ନେତ୍ର ଦେଖିବ ? ଆମ ଘରେ ସବୁ ଏ କଥା କେହି ଜାଣିଲେଣିଟି ? କାହିଁ ତ କାହାରିଠାରୁ କିଛି ସ୍ୱର-ଶବଦ ଶୁଣାନାହିଁ ?’’

‘‘ତମ ଘରେ ଯୋଉଁ ମିଣିପିଗୁଡ଼ାକ ଅଛନ୍ତି, ସେ ପୁଣି ନ ଜାଣିଲେ ବୋଲି ଭାବନା ପଡ଼ିଛି ! ଏବେ ସେ ସବୁ ଜାଣିଯିବେନାହିଁ ? ଶଶୁର ତମର ତ ଖାଲି ପଇସାକୁ ଚିହ୍ନିଛନ୍ତି, ଆଉ ତମ ଗିରସ୍ତ ଦିଅରମାନେ ତ ଗଜମୂର୍ଖ-କିଛି ବୁଝନ୍ତିନାହିଁ ।’’

‘‘ବାରିକାଣୀ ! ତୁ ଆମ ଘର ଖବର ଏତେଗୁଡ଼ାଏ କୁଆଡ଼ୁ ଜାଣିଲୁଣି ମ ?’’

‘‘ମୁଁ ଜାଣିବିନାହିଁ, ଆଉ ଜାଣିବ କିଏ ? ତା ନ ହୋଇଥିଲେ ଏଡ଼େ ବଡ଼ ଘରଟାକୁ ଏକ ମୁଠାରେ ଚଳାଉଛି ?’’

‘‘ନିତାମା’ ! ଲାଗିପଡ଼ି ଏତିକି କରି ଦେ ଭଲା । ତତେ ପାଟପୀତାମ୍ବରୀ ଦେବି, ସୁନାମୁଦି ଦେବି ।’’

‘‘ରଖ ତମ ପାଟଖଦି, ସୁନାମୁଦି ! ମୁଁ ତ କେତେ ପାଟଖଦି ସୁନାମୁଦି ନିତି ନିତି ଗୋଡ଼ରେ ଆଡ଼େଇଦିଏ; ମତେ ସେସବୁ ଦେଖାଉଛ କ’ଣ ?’’

‘‘ନାହିଁ ମ ବାରିକାଣୀ ! ଇମିତି ରାଗୁଛୁ କାହିଁକି ? ସୁଫୁଲବ କଥାରେ କ’ଣ ଏପରି ଦିଆନିଆ ହୁଏନାହିଁ ? ସତ କଥା, ତତେ କେଉଁ ଜିନିଷ ଅପ୍ରାପ୍ତ; ଆମେ ଛାର ଅବା ତତେ କ’ଣ ଦବୁ ? ତେବେ ଭଲ କଥାରେ ଏପରି କହନ୍ତି ବୋଲି ମୁଁ କହିଲି ନା ?’’

‘‘ତମେ ଏପରି ଅଧୈର୍ଯ୍ୟ ହେଉଛ କାହିଁକି ସାଆନ୍ତାଣୀ ! ସବୁ କଥା ତ ଠିକ୍‌ ହୋଇଗଲାଣି । ତମେ ଆଉ ଭାବନା କରନାହିଁ ।’’

ଯଶୋଦାଙ୍କ ଛଡ଼ା ଡରରେ ଆଉ କେହି ନିତାମା’ ପାଖକୁ ଆସିଲେନାହିଁ । ରତନୀ ଯାଇ କାଞ୍ଜି କ’ଣରେ ଲୁଚିଲା । ଖାଇସାରି ନିତାମା’ ପତ୍ରଖଣ୍ଡ ଉଠାଇ ବାରିଆଡ଼କୁ ପକାଇଦେଲା । ହାତମୁହଁ ଧୋଇସାରି ପାନ ଦୁଇଖଣ୍ଡ ଭାଙ୍ଗି ଖଣ୍ଡେ ପାଟିରେ ପୂରାଇ ଆର ଖଣ୍ଡ ହାତରେ ଧରି ଚଉପାଢ଼ି ଆଡ଼େ ଚାଲିଗଲା ।

•••

 

Unknown

ସପ୍ତମ ପରିଚ୍ଛେଦ

 

ଦଳବେହେରା ଆସିଲାକ୍ଷଣି ଚାହାଳିଆଡ଼କୁ ଚାହିଁ ଦେଖିଲେ ସବୁ ଖାଲି–ପିଲାଏ ନାହାନ୍ତି କି ଅବଧାନନାହିଁ । କାରଣ ପଚାରି ବୁଝିଲେ ଯେ ଅବଧାନ ତିନି-ଚାରି ଦିନ ହେବ ତା ଗାଁକୁ ଯାଇଚି–ଆସିନାହିଁ । ଚାହାଳି ବନ୍ଦ; ପିଲାଏ କେହି ଆସୁନାହାନ୍ତି । ଯେଉଁ ସରାଗରେ ଆସିଥିଲେ, ତାହା ହଠାତ୍‌ ମଉଳିଗଲା । ପରିପୂର୍ଣ୍ଣ ଚାହାଳିରେ ପାର୍ବତୀ ମୂର୍ତ୍ତି ଦେଖିବେ ବୋଲି ବଡ଼ ଆଶା ଥିଲା, ତାହା ବୃଥା ହୋଇଗଲା । ନିଜେ ତାହାର କାରଣ ବୋଲି ମନେ କଲେ । ଅବଧାନକୁ ଏପରି କଟୁକଥା କହି ନ ଥିଲେ ବୋଧହୁଏ ସେ ଛାଡ଼ି ଚାଲିଯାଇ ନଥାନ୍ତା–ଚାହାଳି ବନ୍ଦ ହୋଇ ନଥାନ୍ତା ।

ଅନେକ ଭାବି ଭାବି ମୁହଁହାତ ଧୋଇଲେ–ଆସନରେ ବସିଲେ । ଖବର ପାଇ ହଟ ପାଇକରା ଆସି ହାଜର ହେଲେଣି । ଦୁହିଁଙ୍କ ଭିତରେ ଅନେକ କଥାବାର୍ତ୍ତା ହେଲା । ପାର୍ବତୀ ପ୍ରତି ତାଙ୍କର ଆକର୍ଷଣ ବିଷୟ ସଂକ୍ଷେପରେ କହିଲେ । ପାଇକରା ଶୁଣି ଖୁସିଟାଏ ହୋଇ କହିପକାଇଲେ– ‘‘ଆଜ୍ଞା ସତ କହିଲେ; ମୁଁ ଭାବିଥିଲି, ଆପଣ ଏ ଯାତ୍ରା ବୃଥା ଫେରୁନାହାନ୍ତି । ଭରସି ଆପଣଙ୍କୁ କିଛି କହି ପାରି ନ ଥିଲି । ଏବେ ଦେଖୁଛି, ମୋ ମନକଥା ଫଳିଗଲା ।’’

‘‘ନା, ସେ କଥା ନୁହେ ଯେ ପାଇକରାଏ ! ଆଉ କେତେଦିନ ବିଭା ନ ହୋଇ ରହିବା ? ତେଣେ ବୋଉ ଭାରି ବ୍ୟସ୍ତ ।’’

‘‘ଶୀଘ୍ର ବିଭାଘର ଯୋଗାଡ଼ ହେଉ, ଆମର ତ ଖିରିପିଠା ପାଚିଲା । ଆମ ଗାଁ ଭାଗ୍ୟ ଏଥର ଲେଉଟି ପଡ଼ିବ ! ତେବେ ସେନାପତି ମଙ୍ଗିଲେ ହୁଏ ତ ?’’

‘‘କାହିଁକି, ସେ କ’ଣ ଆମଠାରୁ ବଡ଼ ଜାତି ?’’

‘‘ବଡ଼ ଜାତି କଥା ନୁହେ ଯେ ଆଜ୍ଞା ! ସେ ଟିକିଏ ଖର୍ଚ୍ଚ କରିବାକୁ କୁନ୍ଥାଇବେ ।’’

‘‘ଖର୍ଚ୍ଚ ତାଙ୍କୁ କିଛି କରିବାକୁ ପଡ଼ିବନାହିଁ । ସବୁ ଏବେ ଆମେ ଦବା ।’’

‘‘ତାଙ୍କୁ ଏ କଥା କେବେ କହିଲେଣି ?’’

‘‘ନାଁ, କିଛି କହିନାହିଁ ! ଭାବିଛି, ତୁମଦ୍ୱାରା ସେ କାର୍ଯ୍ୟଟା ହେବ ବୋଲି ।’’

‘‘ହଉ, ଦେଖିବା ! ତାଙ୍କୁ ଡକାନ୍ତୁ ।’’

ଖବର ପାଇ ବାଡ଼ି ଖଣ୍ଡିଏ ଧରି ବୁଢ଼ା ଖୁଁ-ଖୁଁ କାଶି ଆସି ହାଜର ହେଲେ । ଦଳବେହେରା ପଚାରିଲେ, ‘‘ସେନାପତିଏ, ଭଲ ଅଛ ତ ? ଫେରିବାବାଟରେ ଟିକିଏ ପୁଣି ତୁମକୁ ସଙ୍ଖୋଳି ଯିବାକୁ ଆସିଲୁଁ; କିଛି ମନେ କରିବନାହିଁ ।’’

‘‘ନାହିଁ ସାଆନ୍ତେ ! ଆପଣଙ୍କ ଇଲାକା, ଆପଣ ଯେତେ ଥର ଇଚ୍ଛା ଆସିବେ । ଆମେ ସବୁ ତ ଅଧୀନସ୍ଥରେ ପଡ଼ିଛୁଁ !’’

‘‘ଥାଉ ସେ ସବୁ କଥା, ତୁମ ଘର ଖବର ସବୁ ଭଲ ତ ? ପୁଅମାନେ ଭଲ ଅଛନ୍ତି ?’’

‘‘ହଁ ହଜୁର, ସବୁ ଭଲ ।’’

‘‘ଏତେ ହଜୁର, ଆଜ୍ଞା, ସବୁବେଳେ କରୁଛ କାହିଁକି ସେନାପତିଏ ? ତୁମର ବୟସ କେତେ ହେଲାଣି ! ଆମ ବାପାଙ୍କଠାରୁ ତୁମ ବୟସ ବେଶି । ତୁମେ ହେଲ ଆମର ମାନ୍ୟ-ଗଣ୍ୟ ଲୋକ । ତୁମେ ଏପରି କହିଲେ ଆମକୁ ବଡ଼ ଅଡ଼ୁଆ ଲାଗୁଛି ।’’

‘‘କି କଥା ଏ ସାଆନ୍ତେ ! ଆମ ଚଉଦପୁରୁଷ ଏପରି ଆପଣଙ୍କ ବାପା ଗୋସାଇଁବାପାଙ୍କୁ ମାନ୍ୟ କରିଆସିଛୁ ନା; ଆଜି କ’ଣ ନୂଆ ? ଆପଣ ଏ ରାଜ୍ୟର ମାଲିକ, ଆମମାନଙ୍କ ରଜା ।’’

ହଟ ପାଇକରା ଏତେବେଳଯାଏ ମୁରୁକି ମୁରୁକି ହସୁଥିଲେ । ଏତିକିବେଳେ ସୁଯୋଗ ପାଇ ସେନାପତିଙ୍କୁ ଲକ୍ଷ୍ୟ କରି କହିଲେ, ‘‘ସେଥିପାଇଁ ନୁହେଁ ସେନାପତିଏ ! ଦଳବେହେରା ସାଆନ୍ତେ ତୁମ ଘରେ ବନ୍ଧୁ ବାନ୍ଧିବାକୁ ମନ ବଳାଇଲେଣି । ତୁମେ ଏପରି ଆଜ୍ଞା, ହଜୁର କଲେ ତାଙ୍କୁ ଅଡ଼ୁଆ ଲାଗିବନାହିଁ ?’’

ସେନାପତି– ‘‘କ’ଣ କହିଲ, କ’ଣ କହିଲ ? ମୁଁ ପିମ୍ପୁଡ଼ି ହୋଇ ପର୍ବତ ଡେଇଁବାକୁ ସାହସ କରିବି ? ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବି ? ଏଗୁଡ଼ାକ କି କଥା !’’

‘‘ଆହେନାହିଁ ହେ, ସତ କଥା । ତୁମ ନାତୁଣୀ ପାବୀଟିର କପାଳ ବଡ଼ ଭଲ । ଏବେ ତୁମ ଇଚ୍ଛା କଅଣ ?’’

‘‘ମୁଁ ଛାର ଅର୍କ୍ଷିତ, ମୋର ପୁଣି ଏଡ଼େ ଭାଗ୍ୟ ହବ ! ମୋ ହାତରେ ଧନନାହିଁ; ମୁଁ କିପରି ରଜା ସାଙ୍ଗେ ବିଭାଘର କରିବି ? ଖର୍ଚ୍ଚ ପାଇବି କୁଆଡ଼ୁ ? ତୁମକୁ ତ କିଛି ଅଛପାନାହିଁ, ହଟ ! ମତେ ଏପରି ଥଟ୍ଟା-ପରିହାସ କାହିଁକି କରୁଛ ?’’

‘‘ଆହେ ଥଟ୍ଟା ନୁହେ ହେ, ନିରାଟ ସତ କଥା । ବିଭାଘର ହେବ, ସବୁ ଖର୍ଚ୍ଚ ସାଆନ୍ତେ କରିବେ । ତେବେ ରାଜି ତ ?’’

‘‘ମତେ କହିବାକୁ ଡର ଲାଗୁଛି । ଏ ତ ଅନେକଗୁଡ଼ାଏ ଖର୍ଚ୍ଚର ବେଭାର । ସାଆନ୍ତଙ୍କ ଭଳି ପୁଣି ତ ବିଭାଘର ଯୋଗାଡ଼ ହବ !’’

ଦଳବେହେରା ଏତେବେଳକୁ କହିଲେ– ‘‘ଡରନାହିଁ ସେନାପତିଏ ! ବେଦୀନଗୁତି ବାବତରେ ତୁମେ ପାଞ୍ଚ ହଜାର ଟଙ୍କା ପାଇବ । ତା ବାଦେ ଆଉ ସବୁ ଖର୍ଚ୍ଚ ଆମ ଆଡ଼ୁ ହବ ।’’

ସେନାପତି ପାଟିରୁ ଲାଳ ବୋହିପଡ଼ିଲା, ଛାତି ଦାଉଁକିନା ପଡ଼ିଗଲା । କହିପକାଇଲେ– ‘‘ପା ଞ୍ଚ ହ ଜା ର ଟଙ୍କା !’’

ଏହି ସମୟରେ ନିତାମା’ ଲସରପସର ଧାଇଁ ଆସି ପହଞ୍ଚିଗଲା । ସେନାପତି ଆନନ୍ଦରେ ଘର ଭିତରକୁ ଚାଲିଗଲେ ।

ଦଳବେହେରା ପଚାରିଲେ–ନିତାମା’ ! ଖବର କ’ଣ ?

ନିତାମା’– ସବୁ ଠିକ୍‌ଠାକ୍‌ ।

ହଟ– ଏଇଟି ପୁଣି କିଏ ସାଆନ୍ତେ ?

ବିଶ୍ୱନାଥ– ବାଟରୁ ଗୋଟାଇ ଆଣିଛି ।

ହଟ– ମୁଁ ଜାଣେ ସେ କଥା । ସେତେବେଳେ ଧୋବଣୀ ବାଉରାଣୀଙ୍କୁ ଡାକିବାକୁ କହିବାରୁ ମନା କରିଦେଲେ– ନଇଲେ...

ବିଶ୍ୱନାଥ- ଥାଉ ସେ କଥା ।

ହଟ– ଏ କ’ଣ ବାରିକାଣୀ ପରା ? ଘର ଭିତରକୁ ଯାଇଥିଲା– ତେବେ ଆଉ ଭାବନା କ’ଣ ? ସବୁ ଠିକ୍‌ ହୋଇଯିବ ଯେ । ମୁଁ ଆସୁଚି, କେତେ ରାତି ହେଲାଣି । କାଲି ସକାଳୁ ପୁଣି ଆସିବି ।

‘‘ହଉ ତେବେ ଆସ, ହଟ !’’

ହଟ ପାଇକରା ଚାଲିଗଲେ । ଦଳବେହେରା ନିତାମା’କୁ ପଚାରିଲେ– ‘‘ନିତାମା’ ! ଏତେବେଳଯାଏ କ’ଣ କରୁଥିଲୁ ?’’

‘‘କନ୍ୟାକୁ ସଜବାଜ କଲି, ଅଳତା ଘିନାଇଦେଲି । ଶାଶୁ ସାଆନ୍ତାଣୀ ଭାରି ଆଦରରେ କେତେ ଜିନିଷ ବସି ବସି ଖୁଆଇଲେ ।’’

‘‘କିମିତି, ମଙ୍ଗିଲେଟିକି ? ଏଣେ ତ ବୁଢ଼ା ବି ରାଜି ହେଲାଣି ।’’

‘‘ମଙ୍ଗିବେନାହିଁ, ତାଙ୍କ ଚଉଦପୁରୁଷ ମଙ୍ଗନ୍ତେ ।’’

‘‘ହଇ ଲୋ ନିତାମା’ ! ତୁ କନ୍ୟାକୁ ସଜ କଲୁ, ନିଜେ ଦେଖିଲୁ, ଆମ ପାଖକୁ ଟିକିଏ ଆଣିପାରିଲୁନାହିଁ ? ଆମେ ଦେଖିଥାଆନ୍ତୁ ।’’

‘‘ଯାଉଛି ନେଇଆସେଁ’’ ବୋଲି କହି ଉତ୍ତରର ଅପେକ୍ଷା ନ ରଖି ନିତାମା’ ସେନାପତିଙ୍କ ଘରଭିତରକୁ ଚାଲିଗଲା ।

ଅତି ଅଳ୍ପ ସମୟ ଦଳବେହେରାଙ୍କୁ ବେଶି ସମୟ ପରି ଲାଗିଲା । ମନେ ହେଉଥାଏ, ନିତାମା’ କେତେବେଳୁଁ ଗଲାଣି; ଆସୁନାହିଁ କାହିଁକି ? ନିତମା’ ଏକା ଫେରିଆସି ଖବର ଦେଲା, ପାର୍ବତୀ ଖାଇପିଇ ଶୋଇପଡ଼ିଲାଣି, ଉଠିଲାନାହିଁ ।

ସେ ରାତିରେ ସେନାପତିଙ୍କ ଘର ଭିତରେ ଯଶୋଦା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କି କି କଥାବର୍ତ୍ତା ହେଲା, ବୁଢ଼ା ସେନାପତି ଖାଇସାରି ଆନନ୍ଦ ଭାବନାରେ ନ ଶୋଇ କିପରି ରାତି ପୁହାଇ ଦେଲେ, ରଜନୀଠାରୁ ଆରମ୍ଭ କରି ଘର ମାଇପେ କ’ଣ ବିଚାର ପକାଇଲେ, ଖୋଦ ଦଳବେହେରାଙ୍କୁ ସେ ରାତି ଭାତ କିପରି ରୁଚିଲା, ନିତମା’ ମନ ମଧ୍ୟରେ କେଉଁ ଭାବନା ଖେଳିଗଲା, ଏ ସବୁ ବର୍ଣ୍ଣନାର ବିଷୟ ନୁହେଁ- ଭାବି ଅନୁମାନ କରିନେବାର କଥା !

ଏହିପରି ଭାବନାରେ ସେନାପତି ଘରର ସମସ୍ତେ ପରଦିନ ସକାଳୁ ଉଠିବାକୁ ଟିକିଏ ବିଳମ୍ବ ହେଲା । ଭୋର ନ ହେଉଣୁ ନିତାମା’ ଯାଇ ପାର୍ବତୀକୁ କାଖକରି ଆଣି ଦଳବେହେରାଙ୍କୁ ଉଠାଇଦେଲା । ପଳାଇଯିବ ବୋଲି ପାର୍ବତୀ ଛାଟିପିଟି ହେଉଥାଏ । ହଠାତ୍‌ ଉଠି ଦଳବେହେରା ପାର୍ବତୀକୁ ଦେଖିଲେ; ଆଜି ସୁପ୍ରଭାତ ବୋଲି ମନେ କଲେ । ଆଜି ପାର୍ବତୀର ସେ ଡଳଢ଼ଳ ଚାହାଣି, ସେ ସ୍ୱଭାବସୁଲଭ ଚପଳତାନାହିଁ । ମୁହଁ ତଳକୁ ପୋତି ଘରଭିତରକୁ ଯିବ ବୋଲି ଅସ୍ଥିର ହେଉଛି । ଦଳବେହେରା ମଧ୍ୟ ନିର୍ବାକ୍‌ ହୋଇଗଲେ । କଅଣ କହି ଆଜି ପାର୍ବତୀକୁ ସମ୍ବୋଧନ କରିବେ, ସ୍ଥିର କରି ପାରିଲେନାହିଁ ।

•••

 

ଅଷ୍ଟମ ପରିଚ୍ଛେଦ

 

ରାମଶରଣ ଦ୍ୱିବେଦୀ ଯାଜପୁରର ଜଣେ ବଡ଼ ନୈଷ୍ଠିକ ବୃଦ୍ଧ ବ୍ରାହ୍ମଣ । ବୟସ ପ୍ରାୟ ଅଶୀ ହେବ, ତଥାପି ଦେହରୁ କୋମଳତା ଲୋପ ପାଇନାହିଁ । ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ ଆଦି ନିତ୍ୟକର୍ମ ଶେଷ କରି ସେ ଫୁଲ, ଚନ୍ଦନ ଓ ବେଲପତ୍ର ସଂଗ୍ରହ କରନ୍ତି । ପଞ୍ଚ ମହାଦେବଙ୍କ ନିକଟରେ ଅଭିଷେକ କରି ଘରକୁ ଫେରିଆସି ହୋମ କରନ୍ତି । ତତ୍‌ପରେ ପୂଜା, ବୈଶ୍ୱଦେବ ଆଦି କ୍ରିୟା ସମାପନ କରୁ କରୁ ବେଳ ଦ୍ୱିପ୍ରହରରୁ ଗଡ଼ିଯାଏ । ଘରଦିଅଁ ପୂଜା ଶେଷ କରି ଭୋଜନ କରନ୍ତି । ଭୋଜନ ପରେ ବିଶ୍ରାମ ଓ ପରେ ଶାସ୍ତ୍ରପାଠ । ସନ୍ଧ୍ୟା ହେବା ପୂର୍ବରୁ ପୁନର୍ବାର ନିତ୍ୟକର୍ମ ଶେଷ କରି ସନ୍ଧ୍ୟା ଆହ୍ନିକ ଓ ଭଗବତ୍‌ ଆରାଧନା କରନ୍ତି । ରାତିରେ ଦିଅଁ ପୂଜା ପରେ ଆହାର କରି ନିଦ୍ରା ଯାଆନ୍ତି । ରାମଶରଣଙ୍କ ଦିନଗୁଡ଼ିକ ଏହିପରି ସ୍ୱଚ୍ଛନ୍ଦରେ ଓ ଶୃଙ୍ଖଳାବଦ୍ଧ ଭାବରେ ଚାଲିଯାଉଥାଏ । ଘରେ ଏକମାତ୍ର ପୁତ୍ର ମହାଦେବ ଓ ବୋହୂ ରମା ।

ଉଜ୍ଜ୍ୱଳ ତେଜୋଦୀପ୍ତ ମୂର୍ତ୍ତି ମହାଦେବ ପିତାଙ୍କ ନିକଟରୁ ଦର୍ଶନ, ବେଦ, ବେଦାନ୍ତ ଆୟତ୍ତ କରି ସାରିଛି । ସ୍ୱତଃପ୍ରବୃତ୍ତ ହୋଇ କେହି କିଛି ଦାନ କଲେ ତହିଁରୁ ଅତି ସହଜରେ ଏହି କ୍ଷୁଦ୍ର ପରିବାରଟି ଆନନ୍ଦରେ ଚଳୁଥାଏ । ଅଭାବ ବୋଲି କିଛିନାହିଁ । ଆଜି ୟା ଘରୁ, କାଲି ତା ଘରୁ ସିଧା-ସଞ୍ଚା ମିଳୁଥାଏ । କାହାର ଗ୍ରହଶାନ୍ତି, ହୋମ କିମ୍ବା ମହାଦେବଙ୍କଠାରେ ଅଭିଷେକ କରିବାର ବା ଦେବୀଙ୍କଠାରେ ବଗଳା ଗୁଣିବାର ଦରକାର ହେଲେ ଦ୍ୱିବେଦୀ ମହାଶୟ ପ୍ରଧାନ ପୁରୋଧାରୂପେ ବରିତ ହୁଅନ୍ତି । ଦେଶରେ ଅନାବୃଷ୍ଟି ହେତୁରୁ ଫସଲହାନିର ଆଶଙ୍କା ହେଲେ ଇନ୍ଦ୍ରଦେବଙ୍କ ତୁଷ୍ଟିନିମିତ୍ତ ଯାଗ-ଯଜ୍ଞ କଲାବେଳେ ଦ୍ୱିବେଦୀଙ୍କ ଛଡ଼ା ପୁରୋଧା ହେବାପାଇଁ ଦ୍ୱିତୀୟ କେହି ଦେଖାଯାନ୍ତିନାହିଁ । ଅଭାବ ସୃଷ୍ଟି କରିବାର ପ୍ରବୃତ୍ତିନାହିଁ; ଅଥଚ ଯଥେଷ୍ଟ ଆହାର୍ଯ୍ୟ ମିଳୁଛି । ଏପରି ଅବସ୍ଥାରେ ସୁଖସ୍ୱାଚ୍ଛନ୍ଦ୍ୟ ଓ ମନର ଶାନ୍ତି ପିତା, ପୁତ୍ର ଓ ପୁତ୍ରବଧୁଙ୍କଠାରେ ସର୍ବଦା ବିରାଜମାନ କରିଥାଏ ।

ଅନେକ ବୟସ ହେବାଯାଏ ପୁତ୍ରମୁଖ ଦର୍ଶନରୁ ବଞ୍ଚିତ ହୋଇ ସସ୍ତ୍ରୀକ ରାମଶରଣ ପୁତ୍ରଲାଭେଚ୍ଛାରେ ଭାରତର ନାନା ତୀର୍ଥ ଭ୍ରମଣ କରିଥିଲେ । ପ୍ରୟାଗର ଗଙ୍ଗା-ଯମୁନା ସଙ୍ଗମରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ଅଞ୍ଜଳି ପ୍ରଦାନ କରି ଏକାଗ୍ରଚିତ୍ତରେ ଦଣ୍ଡାୟମାନ ରାମଶରଣଙ୍କର ଛବି ଏବେ ସୁଦ୍ଧା ସେଠାରେ ଅନେକେ ସ୍ମରଣ କରନ୍ତି । କାଶୀଧାମ, ବାବା ବୈଦ୍ୟନାଥଠାରେ ମଧ୍ୟ ସେ ଅନେକ ଦିନ ଅତିବାହିତ କରିଥିଲେ । ହରଦ୍ୱାର ଦେଇ ଗୌରୀଶଙ୍କର-ଦର୍ଶନବେଳର କାୟକଷ୍ଟ ତାଙ୍କ ସ୍ତ୍ରୀ କିପରି ଅମ୍ଳାନବଦନରେ ସହ୍ୟ କରି ସବୁବେଳେ ରାମଶରଣଙ୍କର ଏକାନ୍ତ ସଙ୍ଗିନୀ ସହଧର୍ମିଣୀ ଥିଲେ, ଏବେ ସୁଦ୍ଧା ସେ ଭାବନା ତାଙ୍କୁ ବେଳେବେଳେ ବିଚଳିତ କରିପକାଏ । ସବୁ ତୀର୍ଥ ପର୍ଯ୍ୟଟନ କରି ଦ୍ୱିବେଦୀ-ଦମ୍ପତି ଘରକୁ ଫେରିବାର କେତେ ବର୍ଷ ପରେ ସମସ୍ତ ସୁକୃତର ଫଳସ୍ୱରୂପ ମହାଦେବର ଜନ୍ମ ହୁଏ । ମହାଦେବ ପିତାମାତାଙ୍କ ସ୍ନେହର ଅଚ୍ଛେଦ୍ୟ ବନ୍ଧନରୂପେ ଦ୍ୱିତୀୟ ବର୍ଷରେ ପଦାର୍ପଣ ନ କରୁଣୁ ଶିଶୁ ପୁତ୍ରର ସମସ୍ତ ଭାର ସ୍ୱାମୀଙ୍କ ଉପରେ ଛାଡ଼ିଦେଇ, ମାତା ଅମରଧାମର ଯାତ୍ରୀ ହେଲେ । ସେହିଦିନଠାରୁ ମହାଦେବ ପିତାଙ୍କର ନୟନମଣି । ସ୍ତ୍ରୀ ପ୍ରତି ସମସ୍ତ ଆଦର ଅନୁରାଗ ପୁତ୍ରଠାରେ ଢାଳି ହୋଇ ଯାଇଛି । ବୃଦ୍ଧ ଅତି ଯତ୍ନରେ ପୁତ୍ରକୁ ବିଦ୍ୟାଶିକ୍ଷା ଦେଇ ଉପଯୁକ୍ତ କରାଇଅଛନ୍ତି ।

ପିଲାଦିନୁଁ ପୁଅ ଯେତେବେଳେ ଯେଉଁ ଜିନିଷପାଇଁ ଗୋଳ କରିଛି, ଯେକୌଣସି ପ୍ରକାରେ ରାମଶରଣ ତାହା ଯୋଗାଡ଼ କରି ଦେଇଛନ୍ତି । ପୁଅର ପିଲାଦିନର କେତେ ପ୍ରକାର ଖେଳଣା ଏବେ ସୁଦ୍ଧା ବୃଦ୍ଧ ଅତି ଯତ୍ନରେ ସମ୍ପାଦି ରଖିଛନ୍ତି । ଅବସର ମିଳିଲେ ରାମଶରଣ ସେହି ସବୁ ଖେଳଣା ଗୋଟି ଗୋଟି କରି ଦେଖନ୍ତି । କେତେ ଭାବନା, କେତେ ହର୍ଷ ବିଷାଦ ପ୍ରତ୍ୟେକ ଖେଳଣାର ପ୍ରତି ଅଂଶରେ ନିହିତ ଅଛି ! ତନ୍ନତନ୍ନ କରି ସବୁ ଦେଖନ୍ତି, ପୁଣି ବାନ୍ଧି ସେହିପରି ପେଡ଼ିରେ ରଖିଦିଅନ୍ତି । ଗୃହର ସମସ୍ତ ଉପକରଣ ମଧ୍ୟରେ ଏହି ଖେଳଣାଗୁଡ଼ିକର ସ୍ଥାନ ଯେ କେତେ ଉଚ୍ଚରେ, ତାହା ବୋଧହୁଏ ରାମଶରଣଙ୍କ ବ୍ୟତୀତ ଆଉ କେହି ବୁଝିବାର ଉପାୟ ନ ଥିଲା-

ବିବାହ-ବୟସ ହେବାରୁ ବୃଦ୍ଧ ପୁତ୍ରକୁ ଏକ ଅପୂର୍ବ ସୁନ୍ଦରୀ କନ୍ୟା ସହ ବିବାହ ଦେଇଛନ୍ତି । ବୋହୂଟିର ନାମ ରମା । ରମା ଯେପରି ପତିବ୍ରତା, ସେହିପରି ଗୃହପରିଚାଳନାରେ ପଟୁ । ସେ ଆସିବା ଦିନଠାରୁ ରାମଶରଣଙ୍କ ଗୃହ-ସଂସାର ହସି ଉଠିଲା । ଘରଦ୍ୱାର ପରିଷ୍କାର-ପରିଚ୍ଛନ୍ନ ରଖିବା, ରନ୍ଧାବଢ଼ା କରି ଶ୍ୱଶୁର ଓ ସ୍ୱାମୀଙ୍କୁ ଖାଇବାକୁ ଦେବାରେ ରମା ସିଦ୍ଧହସ୍ତା । ଯାହା ଯେଉଁଦିନ ମିଳେ, ତାହା ଯତ୍‌ସାମାନ୍ୟ ହେଲେ ମଧ୍ୟ ରମାର କର୍ମକୁଶଳତାଯୋଗୁଁ କୌଣସି ବିଷୟ କେବେ ଅନଟନ ହୁଏନାହିଁ । ରାମଶରଣ ଆନନ୍ଦରେ କହିବୁଲନ୍ତି, ବୋହୂ ତାଙ୍କର ସାକ୍ଷାତ୍‌ ଲକ୍ଷ୍ମୀମୂର୍ତ୍ତି !

କେଉଁ ମହତ୍‌ ଉଦ୍ଦେଶ୍ୟରେ, ଯେତେ ଧାର୍ମିକ ହେଉ ପଛକେ, ମନୁଷ୍ୟର ଅସମୟରେ ଆସକ୍ତି-ଡୋର କାହିଁକି କଟାହୋଇଯାଏ, ଏତିକି ବୁଝପାରୁଥିଲେ ଭଗବାନ୍‌ ଆମ୍ଭମାନଙ୍କର ଏଡ଼େ ଦୁର୍ଜ୍ଞେୟ ହୋଇ ନ ଥାନ୍ତେ । ସର୍ବଦା ହୋମଧୂମପୂତ ବିରୋଜାକ୍ଷେତ୍ର ମଧ୍ୟରେ ହଠାତ୍‌ କାହିଁକି ବସନ୍ତ ରୋଗ ବଡ଼ ପ୍ରବଳ ହୋଇଉଠିଲା । ଅନେକଗୁଡ଼ିଏ ଲୋକ ମଲେ । ବିରୋଜାଙ୍କ ମାଜଣା, ସଙ୍ଗେ ସଙ୍ଗେ ଅନ୍ୟଦେବାଦେବୀଙ୍କ ପୂଜା ସମାରୋହରେ ଚାଲିଲା । ରାମଶରଣଙ୍କୁ ଆଜିକାଲି ମୁହୂର୍ତ୍ତେ ତର ମିଳୁନାହିଁ; ଚଣ୍ଡୀପାଠ ଓ ବଗଳା ଗୁଣୁ ଗୁଣୁ ଦିନରାତି ଅଣ୍ଟୁନାହିଁ । ଦେବୀପୂଜା ଦିଆଯାଇ ପଣାହାଣ୍ଡିଗୁଡ଼ାଏ ଏଣେତେଣେ ଗଡ଼ୁଛି । ବିଲୁଆ କୁକୁରଗୁଡ଼ାକ ବିକଟ ଶବ୍ଦ କରି ଏଣେତେଣେ ବୁଲୁଛନ୍ତି ।

କାର୍ଯ୍ୟ ଅନୁସାରେ ରାମଶରଣଙ୍କର ଆଜିକାଲି ରୋଜଗାର ମଧ୍ୟ ବଢ଼ିଯାଇଛି । ଚାଉଳ, ଘିଅ, ପନିପରିବା ଯଥେଷ୍ଟ ମିଳୁଅଛି; ବାଣ୍ଟି ବାଣ୍ଟି ସରୁନାହିଁ । ଏତେ କୋଳାହଳ ମଧ୍ୟରେ ଦିନେ ମହାଦେବର ଭୟଙ୍କର ଜ୍ୱର ହେଲା । ଦୁଇ ତିନି ଦିନ ଛାଡ଼ିଲାନାହିଁ । ବୈଦ୍ୟ ଦାଶ ଖାଡ଼ଙ୍ଗା ଆସି ନାଡ଼ୀ ଦେଖି ଗଲେ । ଦେହ ତମାମ୍‌ ଲାଲ ହୋଇ ବସନ୍ତ ଫୁଟି ବାହାରିପଡ଼ିଲା । ଖାଡ଼ଙ୍ଗା କହିଲେ, ଏ ଯେ ଅଖା ବସନ୍ତ–ସାବଧାନ ହେବାକୁ ହେବ । ବୈଦ କିଛି ଚାଉଳ ଓ ପରିବା କାନିରେ ବାନ୍ଧି ଘରକୁ ଗଲେ । ଏଣେ ରାମଶରଣଙ୍କୁ ମହାଚିନ୍ତା ମାଡ଼ିପଡ଼ିଲା । ତାଙ୍କ କ୍ରିୟା-କର୍ମ ସବୁ କୁଆଡ଼େ ଉଭେଇଗଲା । ମହାଦେବ ଯେ ତାଙ୍କର ଏ ସଂସାରେ ଏକମାତ୍ର ଅବଲମ୍ବନ ! ବିପଦବାରଣଙ୍କୁ କାୟମନୋବାକ୍ୟରେ ଡାକିବାକୁ ଲାଗିଲେ । କେତେ ପଣାଭୋଗ, ପୂଜାପୂଜି ହେରା । ବୃଦ୍ଧ ପିତା ଓ ପ୍ରେମମୟୀ ପତ୍ନୀକୁ ନିର୍ଦ୍ଦୟ ଭାବରେ ପରିତ୍ୟାଗ କରି ମହାଦେବ ଆର ଧାମକୁ ଚାଲିଗଲେ ।

ହୃଦୟ ଫାଟିଯିବା କଥା । ଦ୍ୱିବେଦୀ ନୀରବ ନିଷ୍ପନ୍ଦ । ଆଖିରେ ଟୋପାଏ ଲୁହନାହିଁ । ମୁହଁରେ କଥାନାହିଁ । ଯେ ଗଲେ ଜଳଜଳ ଚାହିଁ ରହନ୍ତି । ପ୍ରବୋଧ ବା ଏ ଘଟଣାର କିଏ କ’ଣ ଦେବ ? ରାମଶରଣ ବଡ଼ ଲୋକପ୍ରିୟ । ମହାଦେବ ମଧ୍ୟ ତତୋଽଧିକ ହୋଇଉଠିଥିଲେ । ଦ୍ୱିବେଦୀଙ୍କ ଶୋକ ସମୁଦାୟ ଯାଜପୁରକୁ ଶୋକାଚ୍ଛନ୍ନ କରିପକାଇଲା । ରମାର କଥା ବର୍ଣ୍ଣନାତୀତ-। ତାର କାତର କ୍ରନ୍ଦନ ଶୁଣି ପାଷାଣ ପର୍ଯ୍ୟନ୍ତ ବିଗଳିତ ହୋଇଯିବ ।

କାଳର ଗତି ବିଚିତ୍ର ! ମନର ଗତି ତା’ଠାରୁ ଆହୁରି ବିଚିତ୍ର ! ଦିନ ଅତୀତ ହେବା ସଙ୍ଗେ ସଙ୍ଗେ ଅପରିଚିତଠାରୁ ଆରମ୍ଭ କରି ନିତାନ୍ତ ଘନିଷ୍ଠ ଲୋକଙ୍କ ମନରୁ ମହାଦେବ-ବିରହ-ଦୁଃଖ କ୍ରମେ ଅପସରିଯିବାକୁ ଲାଗିଲା । ମହାଦେବର ଶୁଦ୍ଧିକ୍ରିୟା ଶେଷ ହୋଇଗଲା । ରାମଶରଣ କ୍ରମେ ନିତ୍ୟକର୍ମରେ ମନ ଦେବାକୁ ଲାଗିଲେ । ରମା ଶ୍ୱଶୁରଙ୍କପାଇଁ ରନ୍ଧାବଢ଼ା କରିବାକୁ ଆରମ୍ଭ କଲା ।

ଦିନର ସବୁ କାର୍ଯ୍ୟ ଶେଷ କରି ଉପରବେଳା ବାରଣ୍ଡାରେ ଏକାକୀ ବସିବାବେଳେ ମହାଦେବର ସୌମ୍ୟମୂର୍ତ୍ତି, ତାର ଚାଲି ଓ କଥା ମନେ ପଡ଼ିଯାଏ । ଘର ଭିତରକୁ ଚାହିଁବାବେଳେ ରମାର ନିରାଭରଣ ମଳିନ ମୂର୍ତ୍ତି ଆଖିରେ ପଡ଼େ । ହୃଦୟ ଭିତର ଯେପରି କତୁରିରେ ଖଣ୍ଡବିଖଣ୍ଡ ହୋଇ କାଟିହୋଇଯାଏ । ମନେ ପଡ଼େ, ସ୍ତ୍ରୀଙ୍କର ମୃତ୍ୟୁବେଳର ଜୀର୍ଣ୍ଣଶୀର୍ଣ୍ଣ ମୂର୍ତ୍ତି; ବାଳକ ମହାଦେବକୁ କୋଳକୁ ଟାଣିନେବା ବେଳର ନୀରସ ମୁଖର ଶୁଷ୍କ ହାସ୍ୟ । ପୁଣି ମନେ ପଡ଼େ, ମହାଦେବର ପିଲାଦିନର କଥା–କେତେ ଖେଳଣା, କେତେ ପୋଷାକ-ପରିଚ୍ଛଦ । ସମସ୍ତ ଭାବନା କ୍ଷଣକେ କୁଆଡ଼େ ଉଭେଇଯାଏ–ସବୁ ଶୂନ୍ୟ, ସବୁ ଅନ୍ଧକାର । ବେଳେବେଳେ ସଯତ୍ନରକ୍ଷିତ ମହାଦେବର ସେହି ଖେଳଣାପେଡ଼ି ଉପରେ ଆଖି ପଡ଼ିଯାଏ । ବୃଦ୍ଧ ଲଣ୍ଡଭଣ୍ଡ ହୋଇ ପେଡ଼ି ଫିଟାଇପକାନ୍ତି । ଗୋଟି ଗୋଟି କରି କେତେ କୁଣ୍ଢେଇ, ବାଲିଗରଡ଼ା, ହାତୀ, ଘୋଡ଼ା, ପେଁକାଳି, ମହୁରି ଆଗରେ ରଖି ଦେଇ ଦେଖନ୍ତି । ଦେଖୁ ଦେଖୁ କେତେବେଳେ ବେଳ ବୁଡ଼ି ରାତି ହୋଇଯାଏ-

ରମାର ଦଶା ତତୋଽଧିକ । ଖାଏନାହିଁ, ପିଏନାହିଁ । ରାନ୍ଧି ବାଢ଼ି ଶ୍ୱଶୁରଙ୍କୁ ଖାଇବାକୁ ଦିଏ ଯାହା ସେହି ପର୍ଯ୍ୟନ୍ତ । କ’ଣ କେତେବେଳେ କରେ ନକରେ, ତାର ହିସାବ କେହି ତାକୁ ମାଗେନାହିଁ । କାନ୍ଥ ବାଡ଼ ଓ ଚାଳକୁ ଚାହୁଁ ଚାହୁଁ ତାର ଦିନଗୁଡ଼ିକ ଧୀରେ, ଅତି ଧୀରେ ଚାଲି ଯାଉଥାଏ । ରାତିରେ ତାକୁ ନିଦ୍ରା ହୁଏନାହିଁ, ପାହାନ୍ତିଆକୁ ଟିକିଏ ତନ୍ଦ୍ରା ଆସେ । ଆକାଶରେ ଧ୍ରୂବ ତାରା ପରି ରମା ତାର ହୃଦୟର ଦିଗନ୍ତ-ବିସ୍ତୃତି ମଧ୍ୟରେ ନିଜର ଗର୍ଭାବସ୍ଥାକୁ ଦେଖେ । ଅଳ୍ପଦିନରେ ସେ ଯେ ଜନନୀ ହେବ, ଏହି ଭାବନା ଘୋର ଘନଘଟା ମଧ୍ୟରେ ବିଜୁଳି ଚମକାଇ ଦେଇଯାଏ ।

ସେ ଏକାକୀ ବସି ଭାବେ–ଆତ୍ମା ମୋର ଚାଲିଯାଇଛି, ଅଛି କେବଳ ଜୀବ–ଯାହା ଖାଉଛି, ବସୁଛି, ଶୋକ କରୁଛି । ଯାହା ଚାଲିଯାଇଛି, ଆଉ ଫେରିବନାହିଁ । ମୋର ମନ ଶୂନ୍ୟ, ହୃଦୟ ଶୂନ୍ୟ । ଜୀବନରେ ଯାହା ସତ୍‌ ଓ ମହତ୍‌, ଚାଲିଯାଇଛି । ଭାବି ଭାବି ମରୁଛି, ଥଳକୁଳନାହିଁ-। ମୁଁ ବିଧବା ! ବିଶ୍ୱାସ ଆସୁନାହିଁ, ତଥାପି ଏ କଥା ସତ-। ମୁଁ ଯେ ପ୍ରାଣ ଧରିଅଛି, ଏହା ବିଶ୍ୱାସ ନ କରି ରହିପାରିବି ? ପ୍ରାଣ ଧରିବା ଯେପରି, ବିଶ୍ୱାସ ନ କରିବା ମଧ୍ୟ ସେହିପରି ଅସମ୍ଭବ-

ରମା ସବୁବେଳେ ବସି ଭାବେ । କେତେବେଳେ ଅଲକ୍ଷ୍ୟରେ ଲୁହଧାର ବହିଯାଏ । କେତେବେଳେ ଚମକିପଡ଼ି ପଣତକାନିରେ ଆଖି ପୋଛିପକାଏ । କେହି ସଙ୍ଗୀ ଆସି ଜୁଟିଗଲେ, ଗପ କରେ । ବେଶୀ ସମୟ ଧରି ଗୋଟାଏ ବିଷୟରେ ଲକ୍ଷ୍ୟ ରଖିପାରେନାହିଁ । ପ୍ରସ୍ଫୁଟିତ ମଳ୍ଲୀମାଳ ପରି ସଦାହାସ ବଦନରେ କେବେ ହସ ଦେଖାଯାଉନାହିଁ । ଯାହା କରୁଛି ବା କହୁଛି, ଯେପରି କୌଣସି ଯନ୍ତ୍ର ବା କୁହୁକବଳରେ କରିଯାଉଛି ।

ମହାଦେବ ପରଲୋକ ହେବାର ଚାରି ମାସ ନ ଯାଉଣୁ ଶୁଭ କ୍ଷଣରେ ରମା ଗୋଟିଏ ସୁକୁମାର ପୁତ୍ର ଜନ୍ମ କଲା । ଏହି ଛୋଟ ପରିବାର ମଧ୍ୟରେ ନୂଆ ପୁଅଟି ସୁଖ କି ଦୁଃଖ ଆଣିଦେଲା, ବୁଝିବା କଷ୍ଟକର । ରାମଶରଣ ଆଉ ସ୍ଥିର ହୋଇ ରହିପାରିଲେନାହିଁ; ଧାଈ ଡାକିବାକୁ, ଅନ୍ତୁଡ଼ି-କାଠ ଆଦି ଯୋଗାଡ଼ କରିବାକୁ ଏଣେତେଣେ ଧାଇଁଲେ । ପାଖ ପଡ଼ୋଶୀ ମାଇପେ ଆସି ନୂଆ ପୁଅ ଦେଖିବାକୁ ଲାଗିଲେ । ଯଜମାନମାନେ କିଏ କେତେ ଜିନିଷ ଆଣି ଭେଟିଦେଲେ । ପୁଣି ରାମଶରଣଙ୍କ ଘର କୋଳାହଳରେ ମାତିଉଠିଲା ।

କ୍ରମେ ପଞ୍ଚୁଆତି, ଷଠୀ, ଉଠିଆରୀ ହୋଇଗଲା । ରମାର ମଳିନ ମୂର୍ତ୍ତି ଆହୁରି ମଳିନ ହୋଇଯାଇଛି । ପୁଅଟିକୁ ରମା ବେଶିକ୍ଷଣ ଚାହିଁପାରୁନାହିଁ, ଟିକିଏ ଚାହିଁଲେ ଅନ୍ୟଆଡ଼େ ଆଖି ଫେରାଇଦିଏ । ତାହାର ଚକ୍ଷୁ ଆଜିକାଲି ସ୍ଥିର । ରମାର ଦୁଃଖ ଯେପରି ବହୁଗୁଣ ହୋଇ ତାକୁ ଅବସନ୍ନ କରି ପକାଇଛି । ଅନିମେଷ ନେତ୍ରରେ ଉପରକୁ ଚାହିଁ କ’ଣ ଯେ ଭାବେ, ସେହି ଜାଣେ । ଥରେ ଥରେ କିଏ ଆସି ଡାକିଲେ, ଚମକି ପଡ଼ି ଚାହେଁ, ପୁଅକୁ ଟିକିଏ ଖୁଆଇ ଦେଇ ସମୟ ସମୟରେ ରମା ଅନ୍ୟଆଡ଼େ ଯାଇ ବସେ । ପୁତ୍ରଶୋକକାତର ରାମଶରଣ ସୁବିଧା ପାଇଲେ ନାତିଟିକୁ ଦେଖିଯାନ୍ତି–ଆଖି ଯେପରି ଫେରିବାକୁ ଚାହେଁନାହିଁ–ଲାଗିରହିଥାଏ । ପୁଅଟି ହାତଗୋଡ଼ ଛିଞ୍ଚାଡ଼ି ଉପରକୁ ଚାହିଁ କୁରୁଡ଼େ; ଏହା ଦେଖି ତାଙ୍କ ମୁଖରେ ଈଷତ୍‌ ହାସ୍ୟରେଖା ଦେଖାଦିଏ ।

ପୁଅକୁ ତିନି ମାସ ପୂରି ଚାରି ମାସ ପଶିଲାଣି, ତଥାପି ତାର ନାଁ ଦିଆ ହୋଇନାହିଁ । ଲୋକେ କାରଣ ପଚାରିଲେ, ବୃଦ୍ଧ କହନ୍ତି, ‘‘ତାର ପୁଣି ଗୋଟାଏ ନାଁ କ’ଣ ? ତାର କିଛି ନାଁନାହିଁ-।’’

କେହି କେହି କହନ୍ତି, ‘‘ତା ହେଲେ ତା ନାଁ ଅନାମ ଦିଅନ୍ତୁ ।’’ ବୁଢ଼ାର ମନ ମାନେନାହିଁ-। ନାଁଦିଆ କଥା ଶୁଣିଲେ ରମା କାନ୍ଦି ପକାଏ । ପଡ଼ୋଶୀମାନଙ୍କୁ କହେ ‘‘ଏଡ଼େ ତରବର କାହିଁକି ? ନାଁ ଦବା ବେଳ କ’ଣ ବଳିଯାଉଛି ?’’

ଦିନେ ରାମଶରଣ ସଉଦା କରି ବାହାରିଛନ୍ତି, ବାଟରେ ଯେ ଦେଖିଲା, ନାତିର ନାଁ କ’ଣ ପଚାରିଲା । ଜବାବ ଦେଇ ଦେଇ ବୃଦ୍ଧ ହଇରାଣ ହୋଇଗଲେ । ସ୍ଥିର କଲେ, ଘରକୁ ଫେରିଯାଇ ନାଁ ଦେବେ ।

ସଉଦା କିଣି ଘରକୁ ଫେରିବା ବାଟରେ ଜଣେ କହିଲା, ‘‘ତା ନାଁ ମୂଳିନାଥ ଦିଅନ୍ତୁ । ଏ ପୁଅ ପେଟରେ ଥିବାବେଳୁଁ ମୂଳରୁ ବାପକୁ ଖାଇଛି । ମୂଳିନାଥ ନାଁ ଦିଅନ୍ତୁ, ଠିକ୍‌ ହେବ ।’’ ଘରେ ପଶି ବୃଦ୍ଧ ଜଣାଇଦେଲେ ପୁଅ ନାଁ ମୂଳିନାଥ ।

ରମାର ଜ୍ୱର ହେଲା । ବୈଦ୍ୟ ଲାଗିଲେ । ପାଚନ ବଟିକା ଦେଇ ଚିକିତ୍ସା କଲେ । ଚାଉଳ ପରିବା କିଛି କାନିରେ ବାନ୍ଧି ବୈଦ୍ୟ ଖୁସି; ମାତ୍ର ଜ୍ୱର ଛାଡ଼ିଲାନାହିଁ । କ୍ରମେ ସନ୍ନିପାତ ହୋଇଗଲା । ପତିପରାୟଣା ରମା ହସି ହସି ସ୍ୱାମୀ ନିକଟକୁ ଚାଲିଗଲା । ରାମଶରଣଙ୍କ ଦୁଃଖ ଶାଣଦିଆ ହୃଦୟ କିଛିଦିନପାଇଁ ଟିକିଏ ବିଚଳିତ ହେଲା । ମୂଳିନାଥକୁ ଦେଖି କ୍ରମେ ସବୁ ପାସୋରି ପକାଇଲେ ।

•••

 

ନବମ ପରିଚ୍ଛେଦ

 

ରାମଶରଣଙ୍କ ଧର୍ମକର୍ମପଦ୍ଧତି ଅନେକ କମ୍‌ ହୋଇଆସିଲା । ତାଙ୍କର ଶେଷ ସମ୍ବଳ ମୂଳିନାଥକୁ ଦେଖି ସମୟ ଚଞ୍ଚଳ କଟିଯାଏ । ନୂଆ ପୁଅକୁ ଧରିବାପାଇଁ ଗୋଟିଏ ଧାଈ ନିଯୁକ୍ତ ହେଲା । ଦୁଧ ଖାଇବାପାଇଁ ଗୋଟିଏ ଭଲ ଗାଈ କିଣି ଆଣି ରଖିଲେ ।

ମୂଳିନାଥ କୋମଳ ହାତଗୋଡ଼ ଛିଞ୍ଚାଡ଼େ, ପାଟି ଟିକିଏ ମେଲା କରି ହସିଦିଏ । ସୁନ୍ଦର ମୁଖମଣ୍ଡଳ ଆହୁରି ସୁନ୍ଦର ଦେଖାଯାଏ । ବୃଦ୍ଧ ଦେଖି ଦେଖି ଆତ୍ମହରା ହୋଇଯାନ୍ତି । ପୂର୍ବସଞ୍ଚିତ ଖେଳଣାଗୁଡ଼ିକ ଆଣି ମୂଳିନାଥ ପାଖରେ ରଖନ୍ତି, ଗୋଟି ଗୋଟି କରି ତାକୁ ଧରିବାକୁ ଦିଅନ୍ତି । ସେ କେଉଁଟିକୁ ଧରେ, ପାଟିରେ ପୂରାଏ, କେଉଁଟାକୁ ଅବା ଫିଙ୍ଗିଦିଏ । ଅତି ଆଦରରେ ବୃଦ୍ଧ ତାକୁ ଆଣି କୋଳରେ ଧରନ୍ତି । ଦାସୀଟିଏ ଥାଏ ସତ; ମାତ୍ର ମୂଳିନାଥର ସବୁ କାର୍ଯ୍ୟ ବୃଦ୍ଧ କରନ୍ତି । କେତେବେଳେ ତାର ମଇଳାକନା ସବୁ ଇଠାଫଳ ପାଣିରେ ସଫା କରି ଧୋଇ ଶୁଖାଇ ଦିଅନ୍ତି, କେତେବେଳେ ଦୁଧ ଜାଉ କରି ଖାଇବାକୁ ଦିଅନ୍ତି । ମୂଳିନାଥ ଗୁରୁଣ୍ଡିଲା, ବସିଲା, ମୁହଁକୁ ଚାହିଁ ହସିଲା–ଦ୍ୱିବେଦୀ ମୁଗ୍‌ଧ ହୋଇଗଲେ । ପୁଅଟି କାନ୍ଥବାଡ଼ ଧରି ଠିଆହେବାକୁ ଚେଷ୍ଟା କଲା–କେତେ ଥର ପଡ଼ିଲା, କାନ୍ଦିଲା– ବୃଦ୍ଧ ଘର ଛାଡ଼ି କାହିଁ ଯାଇପାରିଲେନାହିଁ । ଠୁକୁଠୁକୁ ଚାଲିଲା, ଦରୋଟି କଥା ପଦେଅଧେ କହିଲା-ରାମଶରଣ ବୈଦିକ ଯୁଗର ସାମ-ଗାନ ଯେପରି ଶୁଣିବାକୁ ପାଇଲେ ।

ପୁଅଟିକୁ ଦେଖିବାମାତ୍ରକେ ତା ରୂପର ପ୍ରଶଂସା ନ କରି ରହିବାର ଉପାୟ ନ ଥିଲା । ଦ୍ୱିବେଦୀଙ୍କ ଘରକୁ କେହି ଆସିଲେ, ମୂଳିନାଥ ରୂପର ପ୍ରଶଂସା କରନ୍ତି । ଏ ତ ରଜାଘର ପୁଅ । ବୁଢ଼ା ଛାତି କୁଣ୍ଠେ ମୋଟ ହୋଇଯାଏ । ପାଖକୁ ଡାକି କେତେ ଖୁସିଗପ କରନ୍ତି । ବାସ୍ତବିକ ମୂଳିନାଥ ଦେଖିବାକୁ ଭାରି ସୁନ୍ଦର । ବର୍ଣ୍ଣରେ ସେ ଯେପରି ଗୋରା, ଦେହର ଗଠନ ମଧ୍ୟ ସେହିପରି ବଳିଷ୍ଠ, ସୁନ୍ଦର । ଦେହର କୌଣସିଠାରେ କିଛି ଖୁଣିବାର ନ ଥିଲା– ନୀରୋଗ ଥିବାରୁ ଖାଇପିଇ ବେଶ୍‌ ଗୋଲଗାଲ ହୋଇଥାଏ । ପୁଅର ଗଣାପୋଛା ହେଲା– ନାୟକ ଆସି ବାଳକର ଭବିଷ୍ୟତ୍‌ ଗଣିଲା । ବୃହସ୍ପତି କେନ୍ଦ୍ରରେ, ଆଉ ସବୁ ଗ୍ରହମାନେ ମଧ୍ୟ ଉଚ୍ଚ ସ୍ଥାନରେ ଅଛନ୍ତି । ବୋଇଲା– ‘‘କିଂ କୁର୍ବନ୍ତି ଗ୍ରହାଃ ସର୍ବେ ଯସ୍ୟ କେନ୍ଦ୍ରେ ବୃହସ୍ପତିଃ ।’’ ପୁଅଟି ରୂପରେ ଗୁଣରେ ଅଦ୍ୱିତୀୟ ହେବ-ଭାରି ନାମ-ଖ୍ୟାତି କରିବ । ରାମଶରଣ ନିଜେ ଅନେକ ଦିନ ପୂର୍ବେ ଜ୍ୟୋତିଷଗ୍ରନ୍ଥର ଆଲୋଚନା କରିଥିଲେ । ନାୟକର ମତ ଠିକ୍‌ କି ଭୁଲ, ପରୀକ୍ଷା କରିବାର ପ୍ରବୃତ୍ତି ତାଙ୍କର ନ ଥିଲା, କି ସେ ଚେଷ୍ଟା ମଧ୍ୟ ସେ କଲେନାହିଁ । ଅତି ଆନନ୍ଦରେ ଅବଧାନଙ୍କୁ ବିଦାକି ଦେଇ ବିଦାକରିଦେଲେ ।

ମୂଳିନାଥ କ୍ରମେ ବଡ଼ ହେବାକୁ ଲାଗିଲା । ଚାଲିଲା–ବୁଲିଲା । ଫରମାସ କରି କରି ବୁଢ଼ାକୁ ବ୍ୟତିବ୍ୟସ୍ତ କରିପକାଏ ସେ । ମଙ୍ଗରାଜଘର ପିଲାଏ ପାଟ ମକୁଟା ପିନ୍ଧି ଖେଳିବାକୁ ଆସନ୍ତି । ମୂଳିନାଥ ସେହିପରି ଲୁଗା ପିନ୍ଧିବାକୁ ଲଗାଏ । ଯେ ଯେତେ ବୁଝାଇଲେ ବୁଝେନାହିଁ । ବଡ଼ ଅବୁଝା ସେ ପିଲାଦିନୁ । ବୃଦ୍ଧ ବହୁକଷ୍ଟରେ ସେହିପରି ଲୁଗା କିଣିଆଣି ଦିଅନ୍ତି । ଛାମୁକରଣ ଘର ପିଲାଏ ସୁନାଖଡ଼ୁ, ଅନନ୍ତବ୍ରତ ପିନ୍ଧି ଆସନ୍ତି–ମୂଳିନାଥର ଠିକ୍‌ ସେହିପରି ଅଳଙ୍କାର ନ ହେଲେ ନୁହେ । ବୃଦ୍ଧ ଅଗତ୍ୟା ସେହିପରି କରିଦିଅନ୍ତି । ପୁରୁଣା ଖେଳନାଗୁଡ଼ିକ ତା ମନକୁ ଆସେନାହିଁ–ରାଗରେ ଭାଙ୍ଗିପକାଏ, ଫିଙ୍ଗିଦିଏ । ତାଙ୍କର ସର୍ବସ୍ୱ ସେହି ଖେଳନାଗୁଡ଼ିକର ଏ ଦଶା ଦେଖି ସେ ବାନ୍ଧି ରଖିଦିଅନ୍ତି; ନୂଆ ଖେଳନା ଆଣି ମୂଳିନାଥକୁ ଦିଅନ୍ତି ।

ମହା ଆନନ୍ଦରେ ରାମଶରଣ ନାତିଟିର କାନଫୋଡ଼ା, ଚୂଡ଼ାକର୍ମ ଆଦି କଲେ । ଚାଟଶାଳୀରେ ନାମ ଲେଖାଇଦେଲେ । ମୂଳିନାଥ ବଡ଼ ଦୁଷ୍ଟ, ପିଲାଙ୍କୁ ଏକୁଟିଆ ପାଇଲେ ମାରେ । ଅବଧାନେ ଶାସ୍ତି ଦେଲେ ବୁଢ଼ା ପାଖରେ ଗୁହାରି କରି ଆଉ ଚାହାଳିକୁ ଯାଏନାହିଁ; ଦୁଇ ତିନି ଦିନ ଗଲେ ପୁଣି ଯାଏ । ଅତି ଅଳ୍ପଦିନ ମଧ୍ୟରେ ମୂଳିନାଥ ସବୁ ପିଲାଙ୍କୁ ପାଠରେ ଟପିଗଲା । ଅବଧାନଙ୍କ ଶିକ୍ଷାର ସୀମା ପାର ହୋଇ ମହାଉତ୍ପାତ କଲା । ନଳ, ଓଡ଼ାଙ୍କ ଶେଷ କରି ଆପେ ଆପେ ଲୀଳାବତୀ-ସୂତ୍ର କରାୟତ୍ତ କରିବାକୁ ଲାଗିଲା ।

ବୃଦ୍ଧ ଦ୍ୱିବେଦୀ ନଅବର୍ଷ ବୟସରେ ମୂଳିନାଥକୁ ବ୍ରତ କରିଦେଲେ । ଯଜ୍ଞୋପବୀତ ଧାରଣ କରି ସେ ବ୍ରାହ୍ମଣ ହୋଇଗଲା । ପିତାମହଙ୍କ ନିକଟରୁ ସେ କାବ୍ୟ, ଅଳଙ୍କାର, ବ୍ୟାକରଣ ଶାସ୍ତ୍ର ଅଧ୍ୟୟନ କରିବାକୁ ଲାଗିଲା । ଜ୍ୟୋତିଷଗ୍ରନ୍ଥ, ବୀଜଗଣିତ, ତ୍ରିକୋଣମିତି ମଧ୍ୟ ପଢ଼ିବାକୁ ଲାଗିଲା । ବାଳକର ଏ ଅସାମାନ୍ୟ ପ୍ରତିଭା ଯେ ଦେଖିଲା, ଶୁଣିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା । ନାତିର ପ୍ରଶଂସା ଶୁଣି ରାମଶରଣ କୃତାର୍ଥ ମନେକଲେ ।

ଅତି ପିଲାଦିନୁ ମୂଳିନାଥ ବଡ଼ ଅଭିମାନୀ । କାହାରିକୁ ସେ ମାନେନାହିଁ, ଖାତିର କରେନାହିଁ । କଥା କହିବାବେଳେ ତା ମୁଖଭଙ୍ଗୀରେ ଅବଜ୍ଞାର ଚିହ୍ନ ସ୍ପଷ୍ଟ ପ୍ରକାଶ ପାଏ । ଯାଜପୁରର ଧନୀ ଲୋକମାନଙ୍କ ପିଲାମାନେ ମୂଳିନାଥର ପ୍ରଶଂସା ଶୁଣିଲେ ଈର୍ଷାରେ ଜଳିଯାଆନ୍ତି-। ଧନଗର୍ବରେ ତା ସହିତ ବେଖାତିର ଭାବରେ କଥାବାର୍ତ୍ତା କରନ୍ତି, ଥଟ୍ଟା-ପରିହାସ କରନ୍ତି । ମୂଳିନାଥ ସେମାନଙ୍କ ସହିତ ମିଶେନାହିଁ, ବାଟରେ ଘାଟରେ ଦେଖିଲେ ସେମାନଙ୍କୁ କଡ଼ା କଡ଼ା କଥା ଶୁଣାଇ ଦେଇ ଚାଲିଯାଏ । ପଣ୍ଡିତମାନଙ୍କର କୌଣସିଠାରେ ସଭା ହେଲେ ମୂଳିନାଥ ଅଯାଚିତ ଭାବରେ ଯୋଗ ଦିଏ । ଆଗଭର ହୋଇ ଯୁକ୍ତି-ତର୍କରେ ଯୋଗ ଦେବାକୁ ଛାଡ଼େନାହିଁ । ବାଳକର ଧୃଷ୍ଟତା ଦେଖି ଅନେକେ ବିରକ୍ତ ହୁଅନ୍ତି–ଜଣେ-ଅଧେ ସନ୍ତୁଷ୍ଟ ହୁଅନ୍ତି ।

ସମବୟସ୍କ ରାମ, ଶ୍ୟାମ, ଗୋପାଳଙ୍କ ବସନ-ଭୂଷଣ ଓ ଦିନେ ଦୁଇଦିନ ଅନ୍ତର ସେମାନଙ୍କର ମେଳା ମହୋତ୍ସବ, ବନଭୋଜି ଦେଖି ମୂଳିନାଥ ଦେହରେ ଯେପରି ଛୁରୀ ଚାଲିଯାଏ-। ନିଜ ଦଶା ସେ ଏବେ ବୁଝି ପାରିଛି– ସେ ଗରିବ ! ଅନ୍ୟ ପିଲାମାନେ ତାକୁ ଦେଖିବାମାତ୍ରକେ ଧନର ବଡ଼ିମା ଦେଖାଇ ହୁଅନ୍ତି ଓ ସବୁବେଳେ ତାର ହୀନ ଅବସ୍ଥା ତାକୁ ସ୍ମରଣ କରାଇଦିଅନ୍ତି । ପିଲା ନୁହେଁ ସେ–ସବୁ ବୁଝେ–ମନରେ ଯାତନା ପାଏ । ସେମାନଙ୍କର କେତେ ଚାକରବାକର, ଘର ସେମାନଙ୍କର କି ସୁନ୍ଦର, ଖିଆପିଆ, ବସନଭୂଷଣ ଓ ଶଯ୍ୟା ସେମାନଙ୍କର କିପରି ? ମନେ ହୁଏ ତାର ଗରିବ ହେବାଠାରୁ ବଡ଼ ପାପ ଯେପରି କିଛିନାହିଁ ।

ରାମଶରଣ ତାକୁ ଦର୍ଶନଶାସ୍ତ୍ର ପଢ଼ାନ୍ତି । ବୁଦ୍ଧ, ଶଙ୍କର, ହରିଶ୍ଚନ୍ଦ୍ରଙ୍କ ଆଦର୍ଶ ତା ଆଗରେ ପକାନ୍ତି । ମାତ୍ର ଏପରି ଆଦର୍ଶ ନେଇ ସେ କ’ଣ କରିବ ? ବାଡ଼ି-ବାଇଗଣ ଓ ପୋଥି-ବାଇଗଣ ପ୍ରଭେଦ ସେ ଭଲ ବୁଝେ । ପୃଥିବୀର ସବୁ ବିଦ୍ୟା, ସବୁ ଶାସ୍ତ୍ର ତାର କେଉଁ କାର୍ଯ୍ୟରେ ଲାଗିବ ? ଆଜି ଯେଉଁମାନେ ତାକୁ ଗରିବ ବୋଲି ହେୟ ଜ୍ଞାନ କରୁଛନ୍ତି, କାଲି ସେମାନେ ନିଜ ନିଜ ଘରର ମୁରବି, ମାଲିକ ହେବେ । କେତେ ଲୋକ ସେମାନଙ୍କ ହୁକୁମ ଅନୁସାରେ ଚଳିବେ ! ସଂସାରର ସବୁ ଭୋଗ କ’ଣ କେବଳ ସେହିମାନଙ୍କପାଇଁ ? ଏତେ ବିଦ୍ୟାର ଅଧିକାରୀ ହୋଇ, ତାକୁ ଭିକ୍ଷା ଉପରେ ନିର୍ଭର କରି, ପରମୁଖାପେକ୍ଷୀ ହୋଇ ଜୀବନ ଧାରଣ କରିବାକୁ ହେବ !

ମଙ୍ଗରାଜଙ୍କ ପୁଅ ରାମଚନ୍ଦ୍ରର ବିଭାଘର ହେଲା । ବାଣ ନିଶାଣ, ଫୁଲ ଫାନସ, ମଶାଲ ଶିଡ଼ିର ସୀମାନାହିଁ, ଯାଜପୁର ଗୋଟାକଯାକ ବାଦ୍ୟରୋଳରେ କମ୍ପି ଉଠିଲା । କେତେ ଆଡ଼ୁ କେତେ ବଡ଼ଲୋକଙ୍କୁ ନିମନ୍ତ୍ରଣ ହେଲା । ନାଟ-ତାମସା, ଖିଆପିଆର ଭାରି ଧୁମଧାମ ! ପିତାମହଙ୍କ ସହ ନିମନ୍ତ୍ରିତ ହୋଇ ମୂଳିନାଥ ବିଭାଘର ଦେଖିବାକୁ ଯାଇଥିଲା । ଗର୍ବୀ ମୂଳିନାଥକୁ ବୃଦ୍ଧ ରାମଶରଣଙ୍କ ପଛରେ ଯିବାର ଦେଖି, ତାର ଆଡ଼ମ୍ବରପ୍ରିୟ ତଥାକଥିତ ସଙ୍ଗୀମାନେ ମୂରୁକି ହସିବାକୁ ଲାଗିଲେ । ଏତେ ଦେଖିବାର ଜିନିଷ ମଧ୍ୟରେ ମୂଳିନାଥ କେବଳ ସେମାନଙ୍କ ଭାବ ଗତି ଦେଖି ବ୍ୟଥିତ ହେଲା । କାହାରି କାହାରିଠାରୁ ତାର ନିଜର ଭାବୀ ବିଭାଘର ବେଳେ କିପରି ଆଡ଼ମ୍ବର ହେବ ଶୁଣି ହାଡ଼େ ହାଡ଼େ ଜଳିଯିବାକୁ ଲାଗିଲା । କେଡ଼େ ଦୀନହୀନ ଭାବରେ ବାସ୍ତବିକ ତାକୁ ବିଭାହେବାକୁ ପଡ଼ିବ ! ବିବାହଭୋଜିରେ ମୂଳିନାଥ ଯୋଗ ନ ଦେଇ ଘରକୁ ଚାଲିଆସିଲା । ପରଦିନ ଦ୍ୱିବେଦୀଙ୍କ ଘରକୁ ଯେଉଁସବୁ ସିଧା ସଞ୍ଚା ଆସିଲା, ମୂଳିନାଥ ସେସବୁ ଦାଣ୍ଡରେ ପକାଇଦେଲା । ଯେଉଁ ଲୁଗା ଯୋଡ଼ାକ ଆସିଥିଲା, ତାକୁ ଟିକି ଟିକି କରି ଚିରିପକାଇଲା ।

କେତେକ ମାସ ପରେ ଛାମୁକରଣଙ୍କ ବଡ଼ପୁଅ ଶ୍ୟାମାନନ୍ଦର ବିବାହ ହେଲା । ସେହିପରି ଆଡ଼ମ୍ବର, ଭୋଜିର ଧୂମ୍‌ ଚାଲିଲା । ରାମଶରଣଙ୍କ ସଙ୍ଗେ ମୂଳିନାଥ ସେହିପରି ନିମନ୍ତ୍ରିତ ହୋଇ ଗଲା । ନିଜ ଅବସ୍ଥା ପ୍ରତି ତାର ଶତ ଧିକ୍‌କାର ଆସିଲା । ଆଜି ସମସ୍ତେ ଏ ବିବାହରେ ଆନନ୍ଦ-ଉତ୍ସବରେ ଯୋଗ ଦେଲେ; କେବଳ ମୂଳିନାଥ ଏକା ହିଂସାରେ, ଈର୍ଷ୍ୟାରେ ଜର୍ଜରିତ ! ମୂଳିନାଥର ଶୁଷ୍କ ମୁଖ ଦେଖି, ତାର ଜଳନ୍ତା ନିଆଁରେ କୁଟା ପକାଇବାର ଲୋକ ମଧ୍ୟ ଅଭାବ ନ ଥିଲେ । କେତେଜଣ ତା ପାଖକୁ ଆସି ତାର ହୀନ ଦଶା ତାକୁ ଭଲକରି ବୁଝାଇଦେଲେ-। ହିଂସାରେ ଜଳିଲେ ସୁଦ୍ଧା କ’ଣ ହେବ, ତାର କର୍ମଫଳ ସେ ଭୁଞ୍ଜିବ । ସେ ଗରିବ ଭିକ୍ଷୁକ ହୋଇ ଜନ୍ମ ହୋଇଛି, ସେହି ଦଶା ତାକୁ ଭୋଗ କରିବାକୁ ପଡ଼ିବ । ନ ଖାଇ ନ ପିଇ ମୂଳିନାଥ ପଳାଇଆସିଲା । ବୃଦ୍ଧ ତାକୁ ବହୁ ଅନୁସନ୍ଧାନ କରି ଘରକୁ ଆସିଲେ–ନାତିର ମନୋଭାବ ବୁଝିପାରି ବ୍ୟଥିତ ହେଲେ ।

ଆଜି ରାମଶରଣ ବ୍ୟଥିତ ହେଲେ–ନିଜର ଗରିବ ଅବସ୍ଥାପାଇଁ ନୁହେଁ, କିମ୍ବା ଜୀବନରେ ପତ୍ନୀବିୟୋଗ, ପୁତ୍ରବିୟୋଗପାଇଁ ନୁହେଁ । ଜୀବନରେ ସେ କେବେ ଧନ-ସମ୍ପଦର ପ୍ରୟାସୀ ନ ଥିଲେ । ଭାଗ୍ୟବିଧାତାଙ୍କ ଉପରେ ସଂସାରର ଦୁଃଖ-ଜଞ୍ଜାଳ ସମର୍ପଣ କରିଦେଇ ସେ ପତ୍ନୀ ଓ ପୁତ୍ରଙ୍କୁ ଭୁଲି ତାଙ୍କ ଜୀବନର ଏକମାତ୍ର ସମ୍ବଳ ନାତିଟିକୁ ଚାହିଁ ଖୁସି ଥିଲେ । ସବୁ ମନେ ପଡ଼ିଗଲା–ଆଜି ତାଙ୍କର ଅବସ୍ଥା ବିଶେଷ ସ୍ଵଚ୍ଛଳ ନ ହେଲେ ମଧ୍ୟ ପୂର୍ବ ଅବସ୍ଥା ଅପେକ୍ଷା କିଛି କମ୍‌ ନୁହେ । ପତ୍ନୀ, ପୁତ୍ର ଓ ପୁତ୍ରବଧୂଙ୍କୁ ସେ କେତେବେଳେ ଧନ ଅଭାବରେ ମନର ଶାନ୍ତି ନଷ୍ଟ କରିବାର ଦେଖି ନାହାନ୍ତି । ମନର ଶାନ୍ତି ନଷ୍ଟ ନ କରି ସବୁ ଅବସ୍ଥା ଭିତରେ ଆନନ୍ଦ ଅନୁଭବ କରିବା ତାଙ୍କର ଅସ୍ଥିମଜ୍ଜାଗତ ହୋଇଯାଇଥିଲା । ମନର ଶାନ୍ତିରେ ସୁଖ; ଧନସମ୍ପଦ ଆଦି ବାହାର ଜିନିଷ ସଙ୍ଗେ ମନର ସମ୍ପର୍କ ବଡ଼ କମ୍‌ । ଏ ସବୁ ବାହ୍ୟାଡ଼ମ୍ବରର ଅଭାବ ନ ଥାଇ ସୁଦ୍ଧା ତାଙ୍କ ଭଳି ମନର ଶାନ୍ତି ଉପଭୋଗ କରିବା ବ୍ୟକ୍ତି କେତେ ଜଣ ଅଛନ୍ତି ? ନାତିଠାରେ ଧନଶାଳୀ ହେବାର ଏକାନ୍ତ ଇଚ୍ଛା ଦେଖି ସେ ଆଜି ଅନ୍ତରରେ କଷ୍ଟ ପାଇଲେ । ମନରେ ଟିକିଏ କଷ୍ଟ ହେଲେ ସେ ତାଙ୍କର ସର୍ବସନ୍ତାପହାରୀ ସେହି ଖେଳଣାଗୁଡ଼ିକ କାଢ଼ି ଦେଖନ୍ତି । ଆଜି ପୁଣି ପେଡ଼ି ଫିଟାଇ ଦେଖିଲେ । ଜୀବନର ସବୁ ସୁଖ ଦୁଃଖ ତରଙ୍ଗ ଏହିଗୁଡ଼ିକରେ ଗୋଟିଏ ଅଚ୍ଛେଦ୍ୟ ବନ୍ଧନରେ ଅଟକି ଅଛି । ମୂଳିନାଥକୁ ପାଖକୁ ଡାକି ଅତି ଆଦରରେ ପଚାରିଲେ– ‘‘ବାପା ନାଥ, ମୋ ଜୀବନର ଶେଷ ସମୟ ଆସି ହେଲାଣି । ମନେ କରୁଚି, ତତେ ଗୋଟିଏ ବିଭା ଦେଇ ସଂସାର ଛାଡ଼ିବି ବୋଲି ।’’

‘‘ନା, ବାପା ! ମୁଁ ବିଭା ହେବିନାହିଁ । ଆଗେ ଧନ-ସମ୍ପଦ କରିବି, ବଡ଼ଲୋକ ହେବି, ତେବେ ଯାଇଁ ବିବାହ ।’’

‘‘ଧନ-ସମ୍ପଦ କରି କ’ଣ କରିବୁ, ବାପ ? ଏହି ଖେଳଣାଗୁଡ଼ିକ ମୁଁ ସବୁଠାରୁ ବଡ଼ ସମ୍ପଦ ମନେ କରେଁ । ଏଥିରେ ତୋ ବଡ଼ ମା, ପିତାମାତା ସମସ୍ତେ ଯେପରି ଜୀବନ୍ତ ହୋଇ ମୋ ଆଗରେ ଠିଆହୁଅନ୍ତି । ବାୟାବୁଦ୍ଧି ଛାଡ଼ ମୋ ବାପ, ମୋ କଥା ମାନ ।’’

ମୂଳିନାଥ କିଛି ନ କହି ଖେଳନାଗୁଡ଼ିକ ଗୋଡ଼ରେ ତଳକୁ ଫିଙ୍ଗି ଦେଲା । ‘‘କି କଲୁ’’ ବୋଲି କହି ବୃଦ୍ଧ ସେଗୁଡ଼ିକୁ ଗୋଟେଇ ଆଣି ଝାଡ଼ିଝୁଡ଼ି ରଖି ଦେଇ କହିଲେ- ‘‘ମୋ ଉପରେ ରାଗ କରୁଛୁ ? ମୋ ବାପ, ମୋ ଧନ, ତୋର ବୁଦ୍ଧି, ତୋର ବିଦ୍ୟା ତୋର ସବୁଠାରୁ ବଡ଼ ଧନ । ବୁଦ୍ଧଦେବଙ୍କ କଥା ତ ଜାଣିଛୁ ? କେଉଁ ଧନ ତାଙ୍କର ଅଭାବ ଥିଲା ? ସବୁ ତ୍ୟାଗକରି ଚରିତ୍ରବଳରେ ସେ ଆଜି ପୂଜ୍ୟ । ଧନ କେବେ ମନୁଷ୍ୟକୁ ସୁଖୀ କରିଛି, ନା କରିବ ? ମୋ କଥା ମାନ ମୋ ବାପା, ବିବାହ ହୋଇ ଘରଦ୍ୱାର କର, ସଚ୍ଚରିତ୍ର ରହି ଶାସ୍ତ୍ର ଆଲୋଚନାରେ, କ୍ରିୟା-କର୍ମରେ ସମୟ କଟା-ଦେଖିବୁ, ତୋର କିଛି ଅଭାବ ରହିବନାହିଁ ।’’

‘‘ମୁଁ ବୁଝୁଛି ସବୁ ବାପା ! ମତେ ଆଉ ସେଗୁଡ଼ାକ ବୁଝାଅନାହିଁ । ବୁଦ୍ଧଦେବଙ୍କର ଧନ ଥିଲା, ମାନମର୍ଯ୍ୟାଦା ଥିଲା, ସେ ସବୁ ତ୍ୟାଗକରି ବଡ଼ ହୋଇଛନ୍ତି । ମୋର ଅଛି କଅଣ ଯେ, ମୁଁ ତ୍ୟାଗ କରିବି, ବଡ଼ ହେବି ? ଯାହାର ଉପଭୋଗ କରିବାର ସାମର୍ଥ୍ୟନାହିଁ, ତ୍ୟାଗର ମୂଲ୍ୟ ତା’ଠାରେ କିଛିନାହିଁ । ଧନ ଅର୍ଜନ କରି ଦେଖାଇଦେବି ସଂସାରକୁ, ମୁଁ କେଡ଼େ ଧନୀ । ମୁଁ ଯେତେବେଳେ ବିଭାହେବି, ଏହି ରାମ ଶ୍ୟାମ ଆସି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ତା ପରେ ଅକାତରରେ ତ୍ୟାଗକରି ଦେଖାଇଦେବି, ଧନର ସ୍ପୃହା ମୋରନାହିଁ । ତେବେ ଯାଇ ଲୋକେ ମାନିବେ ।’’

‘‘ଲୋକେ ମାନ୍ୟ କରିବେ ଆମ ଚରିତ୍ରକୁ; ଧନକୁ ନୁହେଁ । ତୁ ତ ଜାଣୁ, ମୁଁ କେତେବେଳେ ଧନୀ ନ ଥିଲି, ବର୍ତ୍ତମାନ ମଧ୍ୟ ନୁହେଁ । ତେବେ କ’ଣ ମତେ ସମସ୍ତେ ଅମାନ୍ୟ କରନ୍ତି, ମନେ କରୁ ?’’

‘‘ତୁମ ନୀତି ଅଲଗା ହୋଇପାରେ, ବାପା ! ମୁଁ ସେପରି ଭାବୁନାହିଁ । ତୁମେ ସଂସାରକୁ ଅସାର ଜ୍ଞାନ କରି ଦୂରକୁ ଫିଙ୍ଗିଦେଇପାର, ୟା ବୋଲି ସଂସାର ଦୂରରେ ପଡ଼ିଯିବନାହିଁ; ଯେଉଁଠି ସେଠି ରହିବ । ବାହୁବଳଦ୍ୱାରା ହେଉ, ବୁଦ୍ଧିଦ୍ୱାରା ହେଉ, ମତେ ଧନ ଅର୍ଜନ କରିବାକୁ ହେବ । ଧନର ଉପଭୋଗ ଯାହା ହୋଇପାରେ, କରିବାକୁ ହେବ । ତା ପରେ ତ୍ୟାଗ କରିବି କି ନା ବିଚାର କରିବି ।’’

‘‘ଆମ ସଂସାରରେ ଅଭାବ ବା କ’ଣ ରହିଛି ? ଯାହା ଯେତେବେଳେ ଖାଇବାକୁ ପିନ୍ଧିବାକୁ ଦରକାର ସବୁ ତ ମିଳୁଛି, ଭାବନା କ’ଣ ? ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ?’’

‘‘ମୁଁ ଭିକ୍ଷୁକ ହୋଇ ଦାନ ନେଇ ହୀନ ଜୀବନ ଯାପନ କରି ପାରିବିନାହିଁ । ଯେତେ ଭାବିଛି, ଭଲ କରି ବୁଝିଛି ବାପା, ଏ ସଂସାରରେ ଧନ ବିନା ସବୁ ଅସାର । ଭୋଗବିଳାସ ମୋର ଦରକାର–ଆଡ଼ମ୍ବର ମୋତେ ଦେଖାଇହେବାକୁ ହେବ, ଧନ ନ ଥିଲେ ମୁଁ ତାହା କରି ପାରିବିନାହିଁ-। ମୁଁ ଦାନ କରିବି, ଗରିବ ଦୁଃଖୀଙ୍କ କଷ୍ଟ ଅପନୋଦନ କରିବି; ଧନ ନ ଥିଲେ ତାହା କରିବାର ଉପାୟନାହିଁ । ମୋତେ ଲୋକେ ଖାତିର କରିବେ, ପାଞ୍ଚଟା ସାଙ୍ଗେ ସାଙ୍ଗେ ଗୋଡ଼ାଇବେ ଧନ ମୋର ଥିଲେ । ହୀନ ହୋଇ ପରମୁଖାପେକ୍ଷୀ ହୋଇ ମୁଁ ଜୀବନଯାପନ କରି ପାରିବିନାହିଁ । ମୋର ବିଦ୍ୟା, ମୋ କଥାର ମୂଲ୍ୟ ଧନଦ୍ୱାରା ଶତଗୁଣ ବଢ଼ିଯିବ ।’’

‘‘ହଉ ବାପ, ଧନ ଅର୍ଜନ କର, ମୋର ମନାନାହିଁ । ଆଗେ ବିଭା ହୁଅ, ଘରଦ୍ୱାର କର, ପରେ ଧନର ପନ୍ଥା ଖୋଜିବୁ ।’’

‘‘ଧନ ନ ହେଲେ ମୁଁ ବିଭା ହେବିନାହିଁ । ମୋ ବିବାହ ରାମ, ଶ୍ୟାମଙ୍କ ବିବାହଠାରୁ ଅଧିକ ଜାକଜମକରେ ହେବ । ଗରିବ କାଙ୍ଗାଳ ପରି ମୁଁ ବିବାହ ହୋଇ ହାସ୍ୟାସ୍ପଦ ହେବିନାହିଁ ।’’

ସବୁ ଉପାୟ ନିଷ୍ଫଳ ହେବାର ଦେଖି ରାମଶରଣ ନିରୁତ୍ତର ହେଲେ । ମୂଳିନାଥର ଏକବାଜିଆ କଥା ତାଙ୍କୁ ବେଶ୍‌ ଜଣା । ଯାହା ଧରିବସିବ, ତାହା କରିବ । ନାତିର ଏପରି ଅବସ୍ଥା ଦେଖି ରାମଶରଣ ଘର ଛାଡ଼ି ଆଜି କୁଆଡ଼େ ଗଲେନାହିଁ–ଭୟ, କାଳେ ଧନ ଉପାର୍ଜନ କରିବାକୁ କୁଆଡ଼େ ପଳାଇଯିବ । ମୂଳିନାଥ ମଧ୍ୟ ଘର ଛାଡ଼ି କୁଆଡ଼େ ଯାଏନାହିଁ; ଘରେ ବସି ଶାସ୍ତ୍ର ଆଲୋଚନା କରୁଥାଏ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ କମ୍‌ ହୋଇ ଆସିଲା ।

ଦ୍ୱିବେଦୀ ତାଙ୍କର ପୁସ୍ତକଗୁଡ଼ିକ ନେଇ, ଖେଳଣାତକ ନେଇ, ଭଗବାନଙ୍କୁ ସ୍ମରଣ କରି ଦିନପାତ କରିବାକୁ ଲାଗିଲେ । ବାହାରକୁ ଗଲେ କାଳେ କିଏ ବିଦ୍ରୁପ କରିବ, ଏହି ଭୟରେ ମୂଳିନାଥ ମଧ୍ୟ ଆଉ ବାହାରକୁ ଗଲାନାହିଁ । ବଡ଼ବାପ ଓ ନାତି ମଧ୍ୟରେ ଏହି ମତର ଅମେଳ ଯାଜପୁରର ପ୍ରାୟ ସମସ୍ତେ ଜାଣିଗଲେଣି ।

ବଡ଼ କଷ୍ଟ ହେଲା ଦ୍ୱିବେଦୀଙ୍କର । ଆଜିଯାଏ ତାଙ୍କ ଜୀବନର ଶେଷ ସମ୍ବଳ ନାତିଟିକୁ ଦେଖି ଜୀବନଯାତ୍ରା ସହଜରେ ନିର୍ବାହ କରୁଥିଲେ । ମୂଳିନାଥର ପ୍ରବଳ ଧନଲାଭ ଇଚ୍ଛା ତାଙ୍କୁ ବ୍ୟଥିତ କରିପକାଇଲା । ତାଙ୍କର ବଡ଼ ଆଦରର ସେହି ଖେଳଣାଗୁଡ଼ିକ ମୂଳିନାଥ ପଦାଘାତଦ୍ୱାରା ନିକ୍ଷେପ କରିଦେଲା ! ମନରେ ତୀବ୍ର ଯାତନା ଅନୁଭବ କଲେ । ନାତିକୁ ଯେତେ ବୁଝାଇଲେ ସେ ବୁଝିଲାନାହିଁ, ଧନମୋହ ତାକୁ ଅନ୍ଧ କରିପକାଇଛି । କେତେଦିନଯାଏ ଏ ମନୋବେଦନା ଅପ୍ରକାଶ୍ୟ ରଖିଲେ, କାହାରି ଆଗରେ କହି ପାରିଲେନାହିଁ । ଅପ୍ରକାଶ୍ୟ ମନୋବେଦନା ବଡ଼ ତୀବ୍ର, ବଡ଼ କଷ୍ଟକର । ଶେଷରେ ସମସ୍ତ ବିଷୟ ପଞ୍ଚାନନ ତର୍କବାଚସ୍ପତିଙ୍କୁ କହିଲେ । ଯାଜପୁର ମଧ୍ୟରେ ବାଚସ୍ପତି ମହାଶୟ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ । ବୟସରେ ଛୋଟ ହେଲେ କ’ଣ ହେଲା, ଜ୍ଞାନଗରିମାରେ, ସଂସାରର ସମସ୍ତ ମାୟା ପରିତ୍ୟାଗ କରି କେବଳ ଭଗବତ୍‌ ଭାବନାରେ ଜୀବନଯାପନ କରିବାରେ ବାଚସ୍ପତି ଅଦ୍ୱିତୀୟ ଥିଲେ ।

ବାଚସ୍ପତି ସବୁ ବିଷୟ ଶୁଣି ଦ୍ୱିବେଦୀଙ୍କୁ କହିଲେ, ‘‘ତୁମେ ଭାବନା କରନାହିଁ ବନ୍ଧୁ ! ତୁମ ଚରିତ୍ରର ତେଜ ଦିନେ ମୂଳିନାଥକୁ ନିଶ୍ଚୟ ସ୍ପର୍ଶ କରିବ–ଚିରଦିନ ଏପରି ଯିବନାହିଁ । ବର୍ତ୍ତମାନ ତାର ମନୋବୃତ୍ତି କୋମଳ, ଯାହା ଧରୁଛି ଠିକ୍‌ ବୋଲି ଭାବୁଛି । ସମୟରେ ସବୁ ପରିବର୍ତ୍ତିତ ହୋଇଯିବ ।’’

‘‘ତା ହୋଇ ପାରେ । ମାତ୍ର ମୋ ଜୀବନ ମଧ୍ୟରେ ତା’ଠାରେ କୌଣସି ପରିବର୍ତ୍ତନର ଚିହ୍ନ ଦେଖୁନାହିଁ ।’’

‘‘ସେଥିପାଇଁ ବା ତୁମର ଦୁଃଖ କରିବାର କ’ଣ ଅଛି ? ଜୀବନରେ ତୁମେ କର୍ତ୍ତବ୍ୟରେ ତ୍ରୁଟି କରି ନାହଁ । ନିତିପ୍ରତି ତୁମର କର୍ତ୍ତବ୍ୟ ତୁମେ ପୂର୍ଣ୍ଣମାତ୍ରାରେ ପାଳନ କରିଛ । ତେଣିକି ଯାହା ହେବ, ସେଥିପାଇଁ ତୁମେ ଭାବିବାକୁ କିଏ ?’’

‘‘ସତ କହିଲ ବନ୍ଧୁ । ଏ ତାପିତ ପ୍ରାଣରେ ସାନ୍ତ୍ୱନା ଦେବାକୁ କେବଳ ତୁମେ ସମର୍ଥ । ମୋର ଦରକାର କ’ଣ ? ଏଣିକି ତାର ଯାହା ଇଚ୍ଛା ସେ କରୁ । ମୁଁ ମୋର କର୍ତ୍ତବ୍ୟ କରିଯାଇଛି ।’’

‘‘ବେଶ୍‌, ସେତିକିରେ ତୁମେ ଖୁସି ଥାଅ । ତୁମର ମନର ଶାନ୍ତି ବୃଥା ନଷ୍ଟ ହେବାକୁ ଦିଅନାହିଁ ।’’

‘‘ତେବେ ଆଉ ଗୋଟିଏ କଥା ବନ୍ଧୁ ! ମୋର ଆସି ଅନ୍ତିମ ସମୟ ଉପସ୍ଥିତ । କେତେବେଳେ କଅଣ ଘଟିବ କିଏ ଜାଣେ ! ମୂଳିନାଥର ଯେପରି ଅବସ୍ଥା ସେ ବୋଧ ହୁଏ ବେଶି ଦିନ ଏଠାରେ ରହିବନାହିଁ । ମୋର ଏହି ଅମୂଲ୍ୟ ସମ୍ପଦ ତୁମ ଜିମା ରଖିଗଲି । ଯତ୍ନରେ ସମ୍ପାଦି ରଖିଥିବ । ତେବେ ମୂଳିନାଥର ଚେତନା ଆସିବାର ଦେଖିଲେ ତାକୁ ଏ ପେଡ଼ିଟି ଦେଇଦେବ ।’’

‘‘ଏଥିରେ ଆଉ କିଛି କଅଣ ?’’

‘‘ମୋର ସେହି ଖେଳଣାଗୁଡ଼ିକ ଓ ଖଣ୍ଡିଏ ଚିଠି । ଏହିପରି ବନ୍ଧାଥିବ–କେହି ଯେପରି ନ ଫିଟାନ୍ତି ।’’

‘‘ତୁମର ଅନ୍ତିମ ସମୟ ଉପସ୍ଥିତ ଦେଖି ତୁମେ ମତେ ଦେଇଯାଉଛ, କିଏ ଜାଣେ–ମୁଁ ବା କେତେ ଦିନ ବଞ୍ଚିରହିବି !’’

‘‘ସେପରି ମନେ କଲେ ଅନ୍ୟ କୌଣସି ବିଶ୍ୱସ୍ତ ଲୋକ ଜିମା ରଖି ପାରିବ, ଯେପରି ମୂଳିନାଥ ବ୍ୟତୀତ ଅନ୍ୟ କେହି ନ ପାଏ ।’’

ଏତିକି କହି ରାମଶରଣ ବାଚସ୍ପତିଙ୍କଠାରୁ ବିଦାୟ ନେଇ ଘରକୁ ଫେରିଲେ । ମନରୁ ସବୁ କଳ୍ମଷ ଦୂର ହୋଇଗଲା । ଦିନ ଯିବାକୁ ଲାଗିଲା । ଆଜିଯାଏ ରାମଶରଣ ମନରେ ବାର୍ଦ୍ଧକ୍ୟ ଅନୁଭବ କରି ନ ଥିଲେ । ଏବେ ଅଙ୍ଗପ୍ରତ୍ୟଙ୍ଗ ଯେପରି ଦିନକୁ ଦିନ ଅବଶ ହେବାକୁ ଲାଗିଲା । ଆହାର କମିଆସିଲା । ମୂଳିନାଥ ପାଖରେ ବସି ମୁଣ୍ଡ ଆଉଁସି ଦେଉଥାଏ । କେତେ ଖାଇବା ପଦାର୍ଥ ଆଣି ଯାଚେ । ବୃଦ୍ଧଙ୍କ ଆଖିରୁ ଲୁହ ଦି’ଟୋପା ଗଡ଼ିଯାଏ–କଣ୍ଠ ବାଷ୍ପରୁଦ୍ଧ ହୁଏ । ଏହିପରି କ୍ରମେ ଶେଯରୁ ଉଠିବା ଶକ୍ତି ଲୋପ ପାଇଲା । ଯାଜପୁରର ପ୍ରତ୍ୟେକ ଜଣାଶୁଣା ଲୋକ ଦେଖିବାକୁ ଆସିଲେ । ଦ୍ୱିବେଦୀ ସମସ୍ତଙ୍କୁ ଦେଖି ଟିକିଏ ହସି ଦିଅନ୍ତି । ମୂଳିନାଥ କାହାରିକୁ ଚାହେଁନାହିଁ–ମୁହଁ ପୋତି ବସେ । ସ୍ନେହରେ ମଙ୍ଗରାଜେ ବା ଛାମୁକରଣେ ଆସି ଦ୍ୱିବେଦୀଙ୍କପାଇଁ ଅନେକ ପ୍ରକାର ଫଳମୂଳ, ପନିପାରିବା, ସରୁ ଚାଉଳ, ଘିଅ ଦେଇଯାନ୍ତି–ସେ ପଥି କରିବେ ବୋଲି-। ମୂଳିନାଥ ସେ ସବୁ ଗ୍ରହଣ କରେନାହିଁ-ଫେରାଇ ଦିଏ । କେହି ଦେଇଗଲେ ସେ ସବୁ ବାଣ୍ଟିଦିଏ ବା ଫୋପାଡ଼ି ଦିଏ । ହାଟରୁ ନିଜେ କିଣି ଆଣି ଦ୍ୱିବେଦୀଙ୍କୁ ପଥି ରାନ୍ଧି ଦିଏ ।

ପ୍ରାୟ ଏକ ମାସ କାଳ ଶଯ୍ୟାଶାୟୀ ରହି ପବିତ୍ରହୃଦୟ ରାମଶରଣ ମାଘ ଶୁକ୍ଳ-ଏକାଦଶୀ ସୋମବାର ଦିନ ଇହଲୀଳା ସାଙ୍ଗ କରି ଅମରଧାମକୁ ଚାଲିଗଲେ । ମୃତ୍ୟୁ-ଖବର ଝମିଟକେ ଯାଜପୁର ତମାମ ବ୍ୟାପିଗଲା । କେତେ ଲୋକ ଆସି ରୁଣ୍ଡ ହୋଇଗଲେ । ହାଟରେ ବାଟରେ ଯେ ଶୁଣିଲା, ସେ ହାହାକାର କଲା । ଘରର ସମସ୍ତ ଜିନିଷପତ୍ର, ଜମିବାଡ଼ି ଓ ଘର ଡିହ ପର୍ଯ୍ୟନ୍ତ ମୂଳିନାଥ ବିକ୍ରି କରିଦେଇ ମହା ସମାରୋହରେ ପିତାମହଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କଲା । କାହାରିଠାରୁ କାଣିକଉଡ଼ିଟିଏ ପର୍ଯ୍ୟନ୍ତ ଗ୍ରହଣ କଲାନାହିଁ ।

•••

 

ଦଶମ ପରିଚ୍ଛେଦ

 

ଦିଲ୍ଲୀ ସହର । ହାଟ, ବଜାର, ଅଗଣିତ କୋଠା-ବାଡ଼ି, ମସଜିଦ, ଦେବମନ୍ଦିର, ମାନମନ୍ଦିର ଓ ନାଟମନ୍ଦିରର କୋଳାହଳ ଏବଂ ଗୀତବାଦ୍ୟରେ ଚତୁର୍ଦିଗ କମ୍ପୁଛି । ନବାବ, ଓମରାହମାନେ ବିଚିତ୍ର ବେଶଭୂଷା-ଭୂଷିତ ହୋଇ ମନୋହରି ଦୋକାନମାନ ବୁଲି ଦେଖୁଛନ୍ତି । ହୁକୁମ ପାଇବାମାତ୍ରକେ କୁର୍ଣ୍ଣିସ କରି ସୌଦାଗର ଛାମୁରେ ଜିନିଷ ହାଜର କରୁଛି । ଯାହା ଦାମ କହୁଛି, ଖାଜାଞ୍ଚି ବିନା ବାକ୍ୟବ୍ୟୟରେ ତେତିକି ଦେଇଦେଉଛି । ଯାହାର ଯେତିକି ବେଶି କର୍ତ୍ତୃତ୍ୱ, ଉଦାରତା ତାହାଠାରେ ତେତିକି ବେଶି । ଯେ ଯେତିକି ବଡ଼, ଲୋକଙ୍କୁ ବିଶ୍ୱାସ କରିବାରେ ସେ ତେତିକି ତତ୍ପର । ଅତର ଓ ଗୋଲାପଜଳ ଗନ୍ଧରେ ବାୟୁ ଭାରାକ୍ରାନ୍ତ । ପୃଥିବୀର ସମସ୍ତ ସୌଖୀନ ପଦାର୍ଥରେ ଦିଲ୍ଲୀ-ବଜାର ଭରା । ଫୁଲର ବଜାର ଦେଖିଲେ ନୟନ ମନ ତୃପ୍ତ ହୋଇଯାଏ । ନାନାପ୍ରକାର ସୁଗନ୍ଧ ପୁଷ୍ପମାଳା, ଟାହିଆ, ଫୁଲତୋଡ଼ା ଝୁଲୁଛି । ଅତର ଗୋଲାପଜଳ ଆଦି ସୁଗନ୍ଧ ଦ୍ରବ୍ୟର ବଜାର; ବନାରସୀ ଲୁଗା, ଶାଲ, ଆଲୁଆନ, ଗାଲିଚା, ସତରଞ୍ଜିର ବଜାର; କଂସାବାସନର ବଜାର; ସୁନା ରୂପା ତାରକସି କାମର ବଜାର; ପରିବା, ମାଛ, ମାଂସ, ଡାଲି, ଚାଉଳ ଆଦି ଖାଦ୍ୟ ପଦାର୍ଥର ବଜାର ବୁଲି ଦେଖିଲେ କଳ୍ପନାପ୍ରସୂତ ଅମରାବତୀ ଦିଲ୍ଲୀ ନିକଟରେ ହେୟ ମନେ ହେବ-

ବେଳ ରତରତ । ଚାନ୍ଦିନୀଚଉକରେ ସବୁଠାରୁ ବେଶି ଜନଗହଳ । କେତେ ଲୋକ ଯିବା ଆସିବା କରୁଛନ୍ତି । ଗାଡ଼ି, ଘୋଡ଼ା, ହାତୀ ଚାଲିଛନ୍ତି । ରାସ୍ତାଧାରରେ ଗୋଟିଏ ଜାଗାରେ କାହିଁକି ଅନେକ ଲୋକ ରୁଣ୍ଡ ହୋଇଛନ୍ତି । ଜନତା ଦେଖି ଯେ ଆସୁଛି ଠିଆ ହୋଇ ଦେଖୁଛି । ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ବାଟ କଢ଼ାଇଲା ପରି, ଲୋକେ ଜନତାର କାରଣ ନିଜ ଭିତରେ ପଚରାପଚରି ହେଉଛନ୍ତି; ସନ୍ତୋଷଜନକ ଉତ୍ତର ନ ପାଇ ସମସ୍ତେ ଭିତରକୁ ଠେଲି ପେଲି ପଶିବାର ଚେଷ୍ଟା କରୁଛନ୍ତି । ସେଥିରେ ଗଣ୍ଡଗୋଳ ବଢ଼ୁଛି । କିଛି ସମୟ ପରେ ସମସ୍ତେ ନିସ୍ତବ୍‌ଧ ହୋଇଗଲେ । ସମସ୍ତଙ୍କ ମୁଖ ଗମ୍ଭୀର ହୋଇଆସିଲା । ଜନତାର ମଧ୍ୟଭାଗରେ ଗୋଟିଏ କାଠ ତକ୍ତା ଉପରେ ଜଣେ ସନ୍ନ୍ୟାସୀ ଠିଆହୋଇଗଲେ । ସନ୍ନ୍ୟାସୀଙ୍କ ବୟସ ବେଶି ପରି ଅନୁମାନ ହେଉନାହିଁ । ମସ୍ତକରେ ଜଟାଭାର । ଗେରୁଆ ଲୁଗା ପିନ୍ଧିଛନ୍ତି । ସର୍ବାଙ୍ଗ ଭସ୍ମାବୃତ । ପାଉଁଶ ଭିତରେ ଅଗ୍ନି ଜକଜକ କଲା ପରି ଦେହର ତେଜ ଫୁଟି ବାହାରୁଛି । ଜଳଦଗମ୍ଭୀର ସ୍ୱରରେ ସନ୍ନ୍ୟାସୀ କହିବାକୁ ଲାଗିଲେ, ‘‘ଭାଇମାନେ ! ହିନ୍ଦୁ ହୁଅ, ମୁସଲମାନ ହୁଅ, ସମସ୍ତେ ଆମ୍ଭେମାନେ ଏକ ଈଶ୍ୱରଙ୍କ ସନ୍ତାନ । ଆମ୍ଭେ ଗୌରୀଶଙ୍କରରେ ଅନେକ ଦିନ ତପସ୍ୟାରତ ଥିଲୁଁ । ଶମ୍ଭୁଙ୍କର ଆଦେଶ ହେଲା–ଏହି ଦିଲ୍ଲୀ ସହରର ଇଦ୍‌ଗା ପଡ଼ିଆର ବ୍ୟୟବ୍ୟ କୋଣରେ ଅତି ଅଳ୍ପଦିନ ମଧ୍ୟରେ ସ୍ୱୟମ୍ଭୁ ବିଜେ କରିବେ; ଯାହା ଆମକୁ ଆଦେଶ ଦେବାର ଏହିଠାରେ ଦେବେ । ସ୍ୱୟମ୍ଭୁଙ୍କର ଯଥୋଚିତ ପୂଜା ନ ହେଲେ, ଦିଲ୍ଲୀର ତଥା ସାମ୍ରାଜ୍ୟର ଅମଙ୍ଗଳ ହେବାର ସମ୍ଭାବନା । ପୂଜା କରି ସନ୍ତୁଷ୍ଟ କଲେ ଶଙ୍କର ଦେଶର ତଥା ରାଜ୍ୟର ମଙ୍ଗଳ କରିବେ । ସେ ଶିବ, ସବୁ ମଙ୍ଗଳ ତାଙ୍କରିଠାରୁ ଏ ମର-ସଂସାରକୁ ଆସେ । ସେ ଶମ୍ଭୁ ପୁଣି ଜଗତ୍‌ର ପ୍ରଳୟକର୍ତ୍ତା । ଭାଇମାନେ । ଆପଣମାନଙ୍କ ମଧ୍ୟରୁ କେହି ଏପରି ଆଦେଶ ସ୍ୱପ୍ନରେ ହେଉ ବା ଜାଗରଣରେ ହେଉ ପାଇଛନ୍ତି କି ? ଯଦି କାହାରି ବିଶ୍ୱାସ ନ ହୁଏ, ସେମାନେ ବର୍ତ୍ତମାନ ପୂଜାରେ ଯୋଗ ଦେଇ ନ ପାରନ୍ତି–ସ୍ୱଚକ୍ଷୁରେ ଦେଖିଲେ ବଳେ ବିଶ୍ୱାସ କରିବେ ।’’

ଜନତା ମଧ୍ୟରେ ପରସ୍ପର ପରସ୍ପର ପଚରାପଚରି ହେଲେ–କେହି ଏପରି ସ୍ୱପ୍ନ ଦେଖିଛନ୍ତି କି ? କେହି କିଛି କହିପାରିଲେନାହିଁ । ଶେଷରେ ଜଣେ ମୁସଲମାନ ଯୁବକ ଠିଆହୋଇ କହିଲେ, ‘‘ବାସ୍ତବିକ, କାଲି ରାତିରେ ମୁଁ ସ୍ୱପ୍ନ ଦେଖିଛି–ଇଦ୍‌ଗା ପଡ଼ିଆ ଆଲୋକମାଳାରେ ବିଭୂଷିତ ହୋଇଥିଲା । ଅନେକ ଲୋକ ଜମିଥିଲେ । ହଠାତ୍‌ ଆକାଶରୁ ଗୋଟିଏ ସୁନ୍ଦର ମୂର୍ତ୍ତି ଖସି ଆସିଲା-। ଏହି ପର୍ଯ୍ୟନ୍ତ ଦେଖିଛି–ମୋର ନିଦ ଭାଙ୍ଗିଗଲା ।’’

ସନ୍ନ୍ୟାସୀ କହିଲେ, ‘‘ଦେଖିଲ, ଏ ବି ଜଣେ ଭକ୍ତ; ତା ନ ହୋଇଥିଲେ ଏପରି ସ୍ୱପ୍ନ ଦେଖନ୍ତେନାହିଁ ।’’

କେତେ ବିଶ୍ୱାସ କଲେ–କେତେ କଲେନାହିଁ । ସନ୍ନ୍ୟାସୀଙ୍କୁ ଠକ ଭଣ୍ଡ ବୋଲି ମଧ୍ୟ ଗାଳି ଦେବାକୁ ଛାଡ଼ିଲେନାହିଁ । ମୁସଲମାନମାନେ ବିଶ୍ୱାସ କଲେନାହିଁ, ପରୀକ୍ଷା ପରେ ଯାହା ହେବ ଠିକ୍‌ କରିବେ ବୋଲି କହିଲେ । ସେତେବେଳକୁ ରାତି ହୋଇ ଅନ୍ଧାର ମାଡ଼ିଆସିଲାଣି । ଦୁଇଟା ମଶାଲ ଆଣିବାପାଇଁ ସନ୍ନ୍ୟାସୀ ଆଦେଶ ଦେଲେ । ଅଳ୍ପ ସମୟ ମଧ୍ୟରେ ଦଶଟା ମଶାଲ ଆସିଗଲା । ‘ବଂ ବଂ ହର ହର’ ଶବ୍ଦ ଉଚ୍ଚାରଣ କରି ସନ୍ନ୍ୟାସୀ ଇଦ୍‌ଗା ପଡ଼ିଆ ଆଡ଼କୁ ଚାଲିଲେ-ପଛେ ପଛେ ଶହ ଶହ ଲୋକ । ପ୍ରଶସ୍ତ ଇଦ୍‌ଗା ମଇଦାନର ମଝିରେ ଠିଆ ହୋଇ ଦିଗ ନିର୍ଣ୍ଣୟ କରାଗଲା । ସନ୍ନ୍ୟାସୀ ଯାଇ ବାୟବ୍ୟ କୋଣରେ ପହଞ୍ଚି ଭୂମିଷ୍ଠ ହୋଇ ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଣତ ହେଲେ । ଯନ୍ତ୍ରଚାଳିତବତ୍‌ ଅନେକେ ଭୂଇଁରେ ପଡ଼ିଲେ ।

ସନ୍ନ୍ୟାସୀଙ୍କ ଆଦେଶ ଅନୁସାରେ ସେଠାରେ ଦୁଇଖଣ୍ଡି ଚାଳିଘର ତୋଳା ହୋଇଗଲା । ଲିପାପୋଛା ହୋଇ ସ୍ଥାନଟି ପରିଷ୍କାର କରାଗଲା । ହୋମକୁଣ୍ଡ ଠିକ୍‌ କରାଯାଇ ହୋମର ଯୋଗାଡ଼ ହୋଇଗଲା । ଚନ୍ଦନ, ଝୁଣା, ବେଲପତ୍ରି, ଫଳ, ଫୁଲ କେତେ କେଉଁଠାରୁ ଆସି ଗଦାହେଲା । ସନ୍ନ୍ୟାସୀ ସ୍ନାନପ୍ରକାର କରି ଶୁଦ୍ଧପୂତ ହୋଇ ହୋମ ଆରମ୍ଭ କରିଦେଲେ । ଅର୍ଘ୍ୟ ଦେଇ ଶିବଙ୍କ ଉଦ୍ଦେଶ୍ୟରେ ବାରମ୍ୱାର ପ୍ରଣାମ କରିବାକୁ ଲାଗିଲେ ।

ପିମ୍ପୁଡ଼ିଧାର ପରି ଲୋକେ ସେଠାକୁ ଆସିବାକୁ ଲାଗିଲେ । କିଏ କେତେ ପ୍ରକାର ସରଞ୍ଜାମ ନେଇ ଆସିଛି, ଠିକ୍‌ନାହିଁ । ଘିଅ ଦୁଧ, ପନିପରିବା ଭାରକୁ ଭାର ଚାଲିଆସୁଛି । ରୋଷାଇଶାଳ ଖୋଲାଗଲା । ବ୍ରାହ୍ମଣ ନିଯୁକ୍ତ ହୋଇ ରାନ୍ଧିବାରେ ଲାଗିଗଲେ । ଯେ ଆସିଲା, ତାପାଇଁ ଖଣ୍ଡେ ପତ୍ର ପଡ଼ିଲା । ଅନଓଳି ସାମଗ୍ରୀ ମଧ୍ୟ ଯଥେଷ୍ଟ ତିଆରି ହେଲା । ଯାହାର ଯାହା ଇଚ୍ଛା, ସେ ତାହା ଖାଇବାକୁ ପାଇଲା । ଏ ଖବର କ୍ରମେ ଚାରିଆଡ଼େ ବ୍ୟାପିଗଲା । ଏ ଖବର ଯେ କେତେ ଆକାର ଧରି ସରଳବିଶ୍ୱାସୀ ଲୋକଙ୍କ ନିକଟରେ ପହଞ୍ଚିଲା, ତାହାର ସୀମାନାହିଁ । ଯେ ଶୁଣିଲା, ସେ ଥରେ ନ ଆସି ରହିପାରିଲାନାହିଁ । ମୁସଲମାନମାନେ ଏପର୍ଯ୍ୟନ୍ତ ବେଶି କେହି ଆସିନାହାନ୍ତି । କ୍ୱଚିତ୍‌ ଜଣେ ଦି’ଜଣ ଆସୁଛନ୍ତି ।

ଏହିପରି ଦୁଇ ତିନି ଦିନ ବିତିଗଲା । ଶିବଙ୍କ ଉଦ୍ଦେଶ୍ୟରେ ପାଣିଢ଼ଳା, ଫୁଲ-ବେଲପତ୍ର ଲାଗିଚାଲିଥାଏ । ଯେଉଁ ସ୍ଥାନରେ ଫୁଲ ବେଲପତ୍ରି ପଡ଼ୁଥାଏ, ସେହିଠାରେ ଶିବଙ୍କ ଆବିର୍ଭାବ ହେବ ବୋଲି ସନ୍ନ୍ୟାସୀ କହୁଥାଆନ୍ତି । ଆଜି ପର୍ଯ୍ୟନ୍ତ ଶିବ ଆବିର୍ଭାବ ନ ହେବାରୁ ସନ୍ନ୍ୟାସୀ ଭକ୍ତିରେ ଗଦ୍‌ଗଦ ହୋଇ କାନ୍ଦିପକାଉଥାନ୍ତି । ଶତ ସହସ୍ର ପ୍ରଣାମ କରି ଶିବଙ୍କୁ ଆହ୍ୱାନ କରୁଥାନ୍ତି । ତାଙ୍କର ଏତେ ଦିନର ତପସ୍ୟା କ’ଣ ବୃଥା ହେବ ! ସେ ସାକ୍ଷାତ୍‌ ଶିବଙ୍କଠାରୁ ବର ପାଇଛନ୍ତି । ନିଶ୍ଚୟ, ଏହି ଦିନେ ଦୁଇ ଦିନ ଭିତରେ ଆବିର୍ଭୂତ ହେବେ ।

ସେହିଦିନଠାରୁ ସନ୍ନ୍ୟାସୀ ଯାହା କିଛି ଫଳାହାର କରୁଥିଲେ, ସବୁ ତ୍ୟାଗ କରି ଅନଶନ-ବ୍ରତ ଅବଲମ୍ୱନ କଲେ । ଯେତେଦିନ ପର୍ଯ୍ୟନ୍ତ ଶିବଦର୍ଶନ ନ ହେବ, ସେତେଦିନ ଉପବାସୀ ରହିବେ–ଯଦି ସ୍ୱୟମ୍ଭୁ ଦେଖା ନ ଦିଅନ୍ତି, ତାହା ହେଲେ ସନ୍ନ୍ୟାସୀ ଶରୀରପାତ କରିବାର ସଙ୍କଳ୍ପ କଲେ । ଲୋକେ ଏ କଠୋର ବ୍ରତ ଶୁଣି ଆଚମ୍ୱିତ ହୋଇଗଲେ । ମାତ୍ର ଅବିଶ୍ୱାସୀମାନଙ୍କ ସଂଖ୍ୟା କ୍ରମେ ବଢ଼ିବାକୁ ଲାଗିଲା । ଯେଉଁମାନେ ସନ୍ନ୍ୟାସୀଙ୍କୁ ଠକ ଭଣ୍ଡ ବୋଲି ପ୍ରଥମରୁ ଗାଳିଦେଇ ଆସୁଥିଲେ, କ୍ରମେ ସେମାନଙ୍କ ଦଳ ପୁଷ୍ଟ ହେବାକୁ ଲାଗିଲା । ସେମାନେ ଆସି ଥଟ୍ଟା ପରିହାସ କରିଯାଆନ୍ତି । ଆଗନ୍ତୁକମାନଙ୍କ ସଂଖ୍ୟା ଦିନକୁ ଦିନ କମିବାକୁ ଲାଗିଲା । ତେବେ ସୁଦ୍ଧା ସନ୍ନ୍ୟାସୀଙ୍କର ଅନେକ ଭକ୍ତ ସେଠାରେ ପଡ଼ିରହିଥାନ୍ତି; କେତେକ ମଧ୍ୟ ଯିବା ଆସିବା କରୁଥାନ୍ତି । ଯେଉଁମାନେ ସନ୍ନ୍ୟାସୀଙ୍କୁ ଗାଳି ଦେଇ ଥଟ୍ଟା କରନ୍ତି, ସେମାନଙ୍କ ମା’ ପିଉସୀମାନେ ଶୁଣିପାରି ସେମାନଙ୍କ ଉପରେ ବିରକ୍ତ ହୁଅନ୍ତି ।

ଏହିପରି ଅବସ୍ଥାରେ ପଞ୍ଚମ ଦିନ ଯାଇ ଷଷ୍ଠ ଦିନ ହେଲା । ଉପବାସରେ ସନ୍ନ୍ୟାସୀ କ୍ଷୀଣ ହୋଇଗଲେଣି, ତେବେ ସୁଦ୍ଧା ମୁହଁରେ ହସ ଲାଗିରହିଛି । ଯାହାକୁ ଦେଖିଲେ, ଦୁଇ ହାତ ଟେକି ଆଶୀର୍ବାଦ କରୁଛନ୍ତି । ଏପରି ସମୟରେ ଦୁଇ ଜଣ ଅଶ୍ୱାରୋହୀ ତୀରବେଗରେ ସେଠାରେ ଆସି ଉପସ୍ଥିତ ହେଲେ । ଦିଲ୍ଲୀର ଶାସକ ପଠାଇଥିବା ଆଦେଶପତ୍ର ବାହାର କରି ଜଣେ ଅଶ୍ୱାରୋହୀ ଆଣି ସନ୍ନ୍ୟାସୀଙ୍କ ହାତକୁ ବଢ଼ାଇଦେଲେ । ସନ୍ନ୍ୟାସୀ ହସି ହସି ସମସ୍ତଙ୍କୁ କହିଲେ–

‘‘ଦେଖ ଭାଇମାନେ ! ଏ ଚିଠି ସ୍ୱୟଂ ଦିଲ୍ଲୀର ଶାସନକର୍ତ୍ତା ମୋ ନିକଟକୁ ପଠାଇଛନ୍ତି । ଏଥିରେ ତାଙ୍କର ମୋହର ଓ ପଞ୍ଝା ରହିଛି । ସେ ଆମ ଆସିବା କଥା ଲୋକମୁଖରୁ ଶୁଣିଅଛନ୍ତି । କାଳେ ଯଦି ଆମେ ଲୋକଙ୍କୁ ଠକାଇବାପାଇଁ ଏଠାରେ ଯୋଗାଡ଼ କରିଥାଉଁ, ସେଥିପାଇଁ ଏ ଦୁଇ ଜଣ ବିଶ୍ୱସ୍ତ ଅନୁଚରଙ୍କୁ ଆମ ନିକଟକୁ ପଠାଇଛନ୍ତି । ଏମାନେ ଆମମାନଙ୍କୁ ଜଗିବେ, କାଳେ ଆମେ କାହାକୁ ଠକି ପଳାଉଁ । ଏ କଥା ମଧ୍ୟ ସେ ଲେଖିବାକୁ ଭୁଲିନାହାନ୍ତି । ଯଦି ପ୍ରକୃତ ଆମଠାରେ କିଛି ଐଶୀ ଶକ୍ତି ଦେଖିବାକୁ ପାଆନ୍ତି, ଯଦି ଶିବଙ୍କର ବାସ୍ତବିକ ଆବିର୍ଭାବ ହୁଏ, ତାହା ହେଲେ ସେ ସ୍ୱୟଂ ଆସି ଆମକୁ ପୁରସ୍କୃତ କରିବେ । ଏଥିରେ ଆମର ଭାବନା କ’ଣ ଅଛି ? ଯଦି ଶିବଙ୍କର ଆବିର୍ଭାବ ନ ହୁଏ, ଯଦି ଆମର ଏତେଦିନ ତପସ୍ୟାର କିଛି ମୂଲ୍ୟନାହିଁ, ତାହା ହେଲେ ଆମେ ଏଠାରେ ଅନଶନ-ବ୍ରତ କରି ପ୍ରାଣତ୍ୟାଗ କରିବୁଁ । ଯଦି ପ୍ରକୃତରେ ଶିବ ଦେଖାଦିଅନ୍ତି, ତାହା ହେଲେ ଏହିଠାରେ ରତ୍ନଖଚିତ ଶିବମନ୍ଦିର ପ୍ରତିଷ୍ଠା କରି ଆମେ ଅନ୍ୟତ୍ର ଚାଲିଯିବୁଁ । ଏଥିରେ ଆମର କାହାରିକୁ ଭୟ କରିବାର କ’ଣ ଅଛି ?’’

ଚିଠିର ମର୍ମ ବୁଝିପାରି ସନ୍ନ୍ୟାସୀଙ୍କ ଭକ୍ତମାନେ ଭୀତ ସ୍ତମ୍ଭୀଭୂତ ହେଲେ । ଅବିଶ୍ୱାସୀମାନେ ହେଣ୍ଡି ମାରି ନାଚିବାକୁ ଲାଗିଲେ । ନିସ୍ତବ୍‌ଧତା ଭଙ୍ଗ କରି ସନ୍ନ୍ୟାସୀ କହିଲେ, ‘‘ବନ୍ଧୁଗଣ ! କେବେହେଁ ଭୟ କରନାହିଁ । ଦୈବବାଣୀ କେତେବେଳେ ମିଥ୍ୟା ହେବାର ନୁହେଁ । ତା ପରେ ଯାହା ଦଣ୍ଡ ହେବାର ମୋ ଉପରେ ହେବ; ତୁମ୍ଭେମାନେ କାହିଁକି ଚିନ୍ତା କରୁଛ ? ବିଶେଷ ଭାବରେ ହୋମ କର, ପୂଜା କର; ଅନବରତ ଏହି ସ୍ଥାନରେ ପାଣି ଢାଳ, ଜଳଶାୟୀ କର । ସମସ୍ତେ ଏକମନ ଏକଧ୍ୟାନରେ ଶିବଙ୍କୁ ଡାକ । ଆମେ ମୌନ ରହି ଘୋର ତପସ୍ୟାମଗ୍ନ ହେଲୁ । ଯଦି ଦେଖ, କେବେ ଶିବ ଲିଙ୍ଗ ଭୂମି ଭେଦ କରି ଆବିର୍ଭୂତ ହୋଇଛନ୍ତି, ଆମକୁ ଜଣାଇବ; ନଚେତ୍‌ ନୁହେ ।’’

ପ୍ରହରିଦ୍ୱୟଙ୍କୁ ଲକ୍ଷ୍ୟ କରି ସନ୍ନ୍ୟାସୀ କହିଲେ, ‘‘ଆପଣମାନଙ୍କର ଯେପରି ଇଚ୍ଛା ପହରା ଦିଅନ୍ତୁ । ଏଠାରେ ଚୋରି କରିବାର, ଠକାଇବାର ଲୋକ କେହି ଅଛନ୍ତି କି ନା, କି ଆମେ ଲୋକଙ୍କୁ ଠକାଇବାକୁ ଆସିଅଛୁ କି ନା, ଅନୁସନ୍ଧାନ କରନ୍ତୁ । ମୋର ମନାନାହିଁ । ଯେତେ ଦୈବଶକ୍ତିଶାଳୀ ହେଲେ ସୁଦ୍ଧା ଦିଲ୍ଲୀର ଶାସନକର୍ତ୍ତାଙ୍କୁ ଅବମାନନା କରିବା ମୋର ଉଦ୍ଦେଶ୍ୟ ନୁହେ । ତେବେ ଆପଣମାନେ ଜାଣନ୍ତୁ, ମୁଁ ଦେବାଦେଶରେ ଆସିଛି–କୌଣସି ମନୁଷ୍ୟକୁ ଭୟ କରି ନ ପାରେ ।’’

ସନ୍ନ୍ୟାସୀଙ୍କର ଅଟଳ ପ୍ରତିଜ୍ଞା । ଭକ୍ତମାନେ ତାଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳିବାକୁ ଲାଗିଲେ । ଧୂପ ନୈବେଦ୍ୟର ଧୂମଧାମ ଚାଲିଲା । ସନ୍ନ୍ୟାସୀଙ୍କର ଏହି ତେଜ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାଣୀ ଚାରିଆଡ଼େ ପ୍ରଚାର ହୋଇଗଲା । ପୁଣି ଆଗନ୍ତୁକମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ପାଣି ଅନବରତ ଢଳାଯାଇ ସେ ସ୍ଥାନଖଣ୍ଡ କାଦୁଅ ହୋଇଗଲା । ସନ୍ନ୍ୟାସୀ ମୌନ ହୋଇ ପଦ୍ମାସନରେ ବସିରହିଲେ । ପ୍ରହରୀମାନେ ଏ ଖବର ରାଜସରକାରକୁ ପଠାଇ ଦେଇ ଜଗିରହିଲେ ।

ଆଉ ଦୁଇ ଦିନ ଏପରି ଗତ ହୋଇଗଲା । ଦିନେ ସକାଳେ ପାଣି ଢାଳିବା ବେଳେ, ଅଶ୍ୱତ୍‌ଥ ଗଛ ନିକଟରେ ଭୂଇଁ ଫାଟିଯାଇ ଥିବାର ଦେଖାଗଲା । ‘ବଂ ବଂ ହର ହର’ ଶବ୍ଦରେ ଆକାଶ ପ୍ରକମ୍ପିତ ହୋଇଗଲା । ମୌନବ୍ରତ ପରିତ୍ୟାଗକରି ସନ୍ନ୍ୟାସୀ ଉଠିପଡ଼ିଲେ । ସ୍ନାନକରି ସେ ସ୍ଥାନ ଦେଖିବାକୁ ଗଲେ । ସନ୍ନ୍ୟାସୀଙ୍କ ଆଦେଶ ଅନୁସାରେ ହୋମକୁଣ୍ଡ ସେଠାକୁ ଉଠାଇ ନିଆଗଲା । ଫୁଲ ବେଲପତ୍ରି ଶିବଙ୍କ ଉଦ୍ଦେଶ୍ୟରେ ଅର୍ପିତ ହେଲା । ପାଣି ଢଳାଗଲା । ଉପବାସ ବଢ଼ାଇ ସନ୍ନ୍ୟାସୀ ପ୍ରସାଦ ପାଇଲେ । ଶିବଙ୍କ ଉଦ୍ଦେଶ୍ୟରେ ସାଷ୍ଟାଙ୍ଗ ପ୍ରଣିପାତ କରି ହାତ ଯୋଡ଼ି ବସିରହିଲେ ।

ଆଜି ପର୍ଯ୍ୟନ୍ତ ସେ କେତେ ଜଣ ନିଷ୍ଠାସହକାରେ ସନ୍ନ୍ୟାସୀଙ୍କଠାରେ ଭକ୍ତି ରଖି ଆସିଥିଲେ, ସେମାନେ ପ୍ରାୟ ସମସ୍ତେ ହିନ୍ଦୁ; ଧର୍ମ ନାମରେ ସବୁ ବିଶ୍ୱାସ କରିବାର ଜାତି ବୋଧହୁଏ ଭୂପୃଷ୍ଠରେ ଦ୍ୱିତୀୟ ନ ଥିବେ ! ଶିବଙ୍କ ପ୍ରକୃତ ଆବିର୍ଭାବ କଥା ଶୁଣି ଅନେକ ବଡ଼ ବଡ଼ ମୁସଲମାନ ସୌଦାଗର, ନବାବ, ଓମରାହ ପର୍ଯ୍ୟନ୍ତ ଦେଖିବାକୁ ଆସିଲେ । ସେତେବେଳକୁ ଶିବଲିଙ୍ଗ ମାଟି ଫୁଟାଇ ପ୍ରାୟ ଚାରି ଛଅ ଆଙ୍ଗୁଳ ଉପରକୁ ବାହାରି ଆସିଲେଣି ! ପ୍ରଶସ୍ତ ଇଦ୍‌ଗା ମଇଦାନରେ ଜନଥାଟ ଘନୀଭୂତ ହେବାକୁ ଲାଗିଲା । ଲୋକଙ୍କ ଚଳିବା ସକାଶେ ଜଳଖିଆ ଦୋକାନ, ମନୋହରି ଦୋକାନ ସବୁ ବସିଗଲା ।

ସନ୍ନ୍ୟାସୀ କହିବାକୁ ଲାଗିଲେ, ‘‘ବନ୍ଧୁଗଣ ! ଆମ୍ଭେମାନେ ପ୍ରତ୍ୟେକ ସେହି ଏକ ପରମାତ୍ମାଙ୍କ ସନ୍ତାନ । ହିନ୍ଦୁ ହୁଅ, ମୁସଲମାନ ହୁଅ, ଇହୁଦୀ ହୁଅ, ଖିରସ୍ତାନ ହୁଅ, ସମସ୍ତେ ପରମେଶ୍ୱରଙ୍କ ନିକଟରେ ସମାନ । ଅତଏବ ଈଶ୍ୱର ଆରାଧନା କରିବାର ପ୍ରତ୍ୟେକ ମନୁଷ୍ୟର ପୂର୍ଣ୍ଣ ଅଧିକାର ରହିଛି । ହିନ୍ଦୁ ବୋଲି ମୁଁ କେବଳ ଈଶ୍ୱରପୂଜା କରିବି, ମୁସଲମାନ କି ଖିରସ୍ତାନ ପାରିବନାହିଁ–ଏହା ଭଗବାନଙ୍କ ଇଚ୍ଛା ହୋଇ ନ ପାରେ । ଧର୍ମଗତ ପାର୍ଥକ୍ୟ ଲୌକିକ; ଈଶ୍ୱର ତାହାର ବାହାରେ । ହିମାଳୟ ଶିଖରରେ ବସି ପନ୍ଦର ବର୍ଷ ତପସ୍ୟା ଫଳରେ ଆମ୍ଭେ ଶିବଦର୍ଶନ ଲାଭ କଲୁଁ । ଏଠାରେ ଆବିର୍ଭାବ ହେବା ପ୍ରଭୁ ଆମକୁ ଆଦେଶ ଦେଲେ । ଆମେ ସେହି ଆଦେଶ ପ୍ରତିପାଳନ କରି ଆସିଲୁଁ । ସେହି ଆଜ୍ଞାରେ ଆମେ ଏଠାରେ ଶିବମନ୍ଦିର ପ୍ରତିଷ୍ଠା କରିବୁଁ । ସେଥିପାଇଁ ବିଶେଷ ଅର୍ଥର ପ୍ରୟୋଜନ ହେବ । ଆପଣମାନେ ସ୍ୱଇଚ୍ଛାରେ ଯେ ଯାହା ଦେବେ, ତାହା ଏହି ଶୁଭ କାର୍ଯ୍ୟରେ ବ୍ୟୟିତ ହେବ । ଜାତି-ଧର୍ମ-ନିର୍ବିଶେଷରେ ଏ ମନ୍ଦିର ପ୍ରତ୍ୟେକ ମନୁଷ୍ୟପାଇଁ ମୁକ୍ତ ରହିବ । ସମସ୍ତଙ୍କର ପ୍ରଭୁଙ୍କ ପୂଜା କରିବାରେ ସମାନ ଅଧିକାର ରହିବ । ଏହା ମଧ୍ୟ ସେହି ପ୍ରଭୁଙ୍କ ଆଦେଶ । ମୁଁ ମନକୁ ଗୋଟିଏ କଥା କହୁନାହିଁ । ଯାହାର ଯେପରି ଇଚ୍ଛା, ଏଠାରେ ଭୋଗ ଦେଇ ପ୍ରସାଦ ପାଇ ପାରିବେ । କାଲିଠାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ଶୁଭସ୍ୟ ଶୀଘ୍ରମ୍‌ ।’’

ମୁସଲମାନମାନେ ମଧ୍ୟ ଏ ଉଦାର ଧର୍ମଭାବରେ ବିମୁଗ୍‌ଧ ହେଲେ । ସମସ୍ତେ ସନ୍ନ୍ୟାସୀଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ । ଆଜିପର୍ଯ୍ୟନ୍ତ ଯେଉଁମାନେ ସନ୍ନ୍ୟାସୀଙ୍କୁ ପରିହାସ କରୁଥିଲେ, ସେମାନେ ମଧ୍ୟ କ୍ରମେ ବିଚଳିତ ହେଲେ । ବାସ୍ତବିକ ତ ମହାଦେବ ବାହାରି ପଡ଼ିଲେ । ସନ୍ନ୍ୟାସୀଙ୍କୁ ନିନ୍ଦା କଲେ ଅମଙ୍ଗଳ ଘଟିବ ପରା !

ଅଗଣିତ ସୁନା, ରୂପା, ଅଳଙ୍କାର, ଜହରତ୍‌ ଗଦାହେବାକୁ ଲାଗିଲା । ସହସ୍ର ସହସ୍ର ଲୋକ ଆସିବାକୁ ଲାଗିଲେ । ଭଡ଼ା ଭଡ଼ା ଖାଦ୍ୟ ପଦାର୍ଥ ଆସି ଭୋଗ ହେବାକୁ ଲାଗିଲା । ହିନ୍ଦୁ ମୁସଲମାନ ଭେଦଭାବ ଉଠିଯିବାକୁ ଲାଗିଲା । ଶିବଙ୍କ ପ୍ରସାଦ ସମସ୍ତେ ବସି ସେବା କରିବାକୁ ଲାଗିଲେ । ଶିବଲିଙ୍ଗ ନିକଟରେ ହୀରା, ନୀଳା, ସୁନା, ରୂପା ଗଦାହୋଇଥାଏ । ବାକ୍‌ସନାହିଁ, ପେଡ଼ି, ପେଟରାନାହିଁ, କୋଲପ ତାଲାନାହିଁ । ଶିବ-ପଦାର୍ଥ ନେବ କିଏ ?

ଚୂନ କିଣିବାପାଇଁ, ପଥର ଆଣିବାପାଇଁ ବରାଦ ଲାଗିଗଲା । ପାଞ୍ଚ ହଜାର ମୂଲିଆ, ବଢ଼େଇ, ମିସ୍ତ୍ରୀ ଯୋଗାଡ଼ କରିବାପାଇଁ ବହିନା ଦିଆଯାଇ ବରାଦ ଲାଗିଗଲା । ସବୁ ଜିନିଷ ସଂଗ୍ରହ କରିବାପାଇଁ ଅନେକ ଆଡ଼େ ଲୋକ ପଠାଗଲେ ।

ବେଗମ ଓ ରାଜପୁତ୍‌ ରମଣୀମାନେ ଦାସଦାସୀବେଷ୍ଟିତା ହୋଇ ଦୋଳାରେ ବସି ରାତିରେ ଶିବଦର୍ଶନ କରିବାକୁ ଆସିଲେ । ବହୁମୂଲ୍ୟ ସୁନାର ଅଳଙ୍କାର, ରତ୍ନମୁଦି ଆଦି ଦାନ କରିଗଲେ ।

ଶିବଲିଙ୍ଗ ପ୍ରଥମ ଆବିର୍ଭାବ ହେବାର ପ୍ରାୟ ଚାରି-ପାଞ୍ଚ ଦିନ ଏହିପରି ଗତ ହୋଇଗଲା-। ଶିବଲିଙ୍ଗ ପ୍ରାୟ ମୁଠୁଣିଏ ଉପରକୁ ଉଠିଲେଣି । ଉପରେ ବହୁମୂଲ୍ୟ ଚନ୍ଦ୍ରାତପ ଟଣାଯାଇଛି । ଚାରିଦିଗରେ ତୋରଣ ଓ ପୂର୍ଣ୍ଣକୁମ୍ଭ ସ୍ଥାପିତ ହୋଇ ବାଦ୍ୟ ବାଜୁଛି । ଫୁଲ ଚନ୍ଦନ ବେଲପତ୍ରିରେ ସେ ସ୍ଥାନ ପରିପୂର୍ଣ୍ଣ ହୋଇଛି । ହୋମ-ଧୂମଗନ୍ଧରେ ବାୟୁ ଭାରାକ୍ରାନ୍ତ ରହିଛି । ଯିବାଆସିବା ଲୋକଙ୍କ ବିରାମନାହିଁ । ରାତି ପାହି ବେଳ ପହରେ ହେଲାଣି । ଖୋଜା ପଡ଼ିଲା–ସନ୍ନ୍ୟାସୀ ମହାପ୍ରଭୁ କାହାନ୍ତି ? କୁଆଡ଼େ ଘରେ ନାହାନ୍ତି, ହୋମକୁଣ୍ଡ ପାଖରେ ନାହାନ୍ତି, ଗାଧୋଇବା ତୁଠରେ ନାହାନ୍ତି–ଗଲେ କାହିଁ ?

ମହା କୋଳାହଳ ଆରମ୍ଭ ହୋଇଗଲା । କେତେ ଲୋକ କେତେ ଖୋଜିଲେ । ବିଶିଷ୍ଟ ଭକ୍ତମାନେ ଲମ୍ୱ ହୋଇ ଗଡ଼ି, ଗୁରୁଙ୍କ ଅନ୍ତର୍ଦ୍ଧାନରେ କାନ୍ଦିବାକୁ ଲାଗିଲେ– ‘‘ମହାପ୍ରଭୁ ଦିନେ ଦୁଇ ଦିନ ଦେଖାଦେଇ ଏପରି ଭଣ୍ଡି ଦେଇ କୁଆଡ଼େ ଚାଲିଗଲେ ହେ ?’’

ଚାରିଆଡ଼ ଖୋଜାଗଲା । ସବୁଠାରୁ ଖବର ଆସିଲା–ସନ୍ନ୍ୟାସୀଙ୍କ ପତ୍ତାନାହିଁ । ଜଣେ କିଏ ବାହାରିପଡ଼ି କହିଲା– ‘‘ଦେଖିଲ, ଦେଖିଲ, ସୁନା ରୂପା ଅଳଙ୍କାର ଏତେ ଜମା ଥିଲା; କାହିଁ ?’’ ସମସ୍ତେ ଦେଖିଲେ, ସନ୍ନ୍ୟାସୀଙ୍କ ସଙ୍ଗେ ଏ ସବୁ ଜିନିଷ ମଧ୍ୟ ଅନ୍ତର୍ଦ୍ଧାନ ! ଭକ୍ତମାନେ କହିଲେ– ‘‘ଏ ପାପଭୂଇଁରେ ମହାପ୍ରଭୁ ରହନ୍ତେ ? ଆହା, କୁଆଡ଼େ ଗଲେ ? ସେ ଯାଇଁ ଆଉ କେଉଁଠି ମନ୍ଦିର ନିର୍ମାଣ କରାଇବେ ।’’

ଦିନେ ଗଲା, ଦୁଇ ଦିନ ଗଲା, ସନ୍ନ୍ୟାସୀ ଆସିଲେନାହିଁ । ଶାସନକର୍ତ୍ତାଙ୍କ ଆଦେଶରେ ଶିବଲିଙ୍ଗଙ୍କ ପାଖ ପରିଷ୍କାର କରାଇଦିଆଗଲା । ମାଟି ଖୋଳାଗଲା । ହାତେ ଦେଢ଼ହାତେ ଉଚ୍ଚରେ ଖଣ୍ଡେ ସାଉଁଳିଆ ଅକର୍ମଶିଳା ପଥର ଯାହା ଶିବଲିଙ୍ଗ ହୋଇ ବାହାରିଥିଲା, ଢଳିପଡ଼ିଲା । ଆହୁରି ତଳକୁ ଖୋଳିବାରୁ ଦେଖାଗଲା–ତଳେ ନିତି ଚାରି ମହଣ ବତୁରା ଗଜା ବୁଟ । ଏହି ବୁଟ ଉପରେ ଅକର୍ମଶିଳାଖଣ୍ଡ !

•••

 

ଏକାଦଶ ପରିଚ୍ଛେଦ

 

ପୁଣ୍ୟତୋୟା ଗଙ୍ଗାନଦୀ ବକ୍ଷ ଦେଇ ଅସୁମାର ପାଲଟଣା ନୌକା ଯିବା-ଆସିବା କରୁଛି । ପାଞ୍ଚ ଖଣ୍ଡି ସୁସଜ୍ଜିତ ନୌକା ଚାଲିଛି । ନୌକାଯାକ ଯୋଡ଼ା ହୋଇ ବନ୍ଧାଯାଇଛି । ତଳେ ଗାଲିଚା ବିଛା, ଉପରେ ଚନ୍ଦ୍ରାତପ ଓ ତାହାର ଚାରିପାଖରେ ମଖମଲ ଲୁଗାର ଝାଲର ବନ୍ଧା । ସବୁଜ ରଙ୍ଗର ପତାକା ବାୟୁବେଗରେ ଫର୍‌ ଫର୍‌ ଉଡ଼ୁଛି । ନୌକାଗୁଡ଼ିକରେ ବୈଠକଖାନା, ଶୟନାଗାର, ରୋଷେଇଘର ଇତ୍ୟାଦି ଆୟୋଜନ ରହିଛି । ଗାୟିକାମାନେ ନାଟ-ଗୀତ-ବାଦ୍ୟରେ ରତ ଅଛନ୍ତି । ଧୀର ମନ୍ଥରଗତିରେ ନୌବହର ଚାଲିଛି । ନଦୀର ଦୁଇ ଧାରରେ ପୁରୁଷ, ସ୍ତ୍ରୀ, ବାଳକ, ବୃଦ୍ଧ ଆଶ୍ଚର୍ଯ୍ୟ ହୋଇ ନୌକାର ଗତି ଦେଖୁଛନ୍ତି ।

ବସନ୍ତକାଳ । ସୁଲୁସୁଲିଆ ବାଆ ରହି ରହି ବହିଆସୁଛି । ସଦ୍ୟପ୍ରସ୍ଫୁଟିତ ଫୁଲଗନ୍ଧରେ ଚତୁର୍ଦିଗ ଆମୋଦିତ । ସୂର୍ଯ୍ୟଦେବ ଅସ୍ତାଚଳଗାମୀ । ଡାଆଣିଆ ଖରା ଗଛ ଅଗରେ ପଡ଼ି ବଡ଼ ମନୋହର ଦେଖାଯାଉଛି । ଭରା ଗଙ୍ଗାବକ୍ଷରେ ନୌକାଗୁଡ଼ିକ ମହୋଲ୍ଲାସରେ ଢେଉ ଉପର ଦେଇ ନାଚି ନାଚି ଚାଲିଛି । ଗଙ୍ଗାକୂଳରେ ଅର୍ଜୁନପୁର ଗୋଟିଏ ସମୃଦ୍ଧିଶାଳୀ ବଡ଼ ଗ୍ରାମ । ଅନେକ ବଡ଼ ବଡ଼ ସୌଦାଗର ମହାଜନମାନଙ୍କ ଘର ସେହିଠାରେ । ବାଣିଜ୍ୟ-ବ୍ୟବସାୟରେ ଗ୍ରାମଟି ସେ ସମୟର ଅନେକ ବଡ଼ ବଡ଼ ସହର ସଙ୍ଗେ ପ୍ରତିଯୋଗିତାରେ ଊଣା ନ ଥିଲା । ଗଣ୍ଡା ଗଣ୍ଡା ମାଲବୋଝାଇ ନୌକା କୂଳରେ ଲାଗୁଛି । ମାଲ ଖଲାସ ଦେଇ ପୁଣି ବୋଝାଇ ହୋଇ ଅନ୍ୟଆଡ଼େ ଚାଲିଯାଉଛି । ଅଗଣିତ ମହିଷି ଓ ଗୋରୁ ଶଗଡ଼ କେଁ କଟର ଶବ୍ଦ କରି ନଈକୂଳରୁ ଗ୍ରାମ ଭିତରକୁ ଚାଲିଛି– ପୁଣି ଗ୍ରାମରୁ ନଈକୂଳକୁ ଆସୁଛି । କେତେ କୁଲି, କେତେ ଶଗଡ଼ିଆ, ସରଦାର, କିରାଣି, ଗୁମାସ୍ତା, ଖାଜାଞ୍ଚି ଅନ୍ୟ ଆଡ଼ୁ ଆସି ଏଠାରେ ମହାଜନଙ୍କ ନିକଟରେ ଚାକିରି କରୁଛନ୍ତି । ମୋଟରେ କହିବାକୁ ଗଲେ ଗାଁ ଖଣ୍ଡକ ହୁ-ହୁ ଧୂ-ଧୂ କମ୍ପୁଛି ।

ଘାଟଠାରୁ ଟିକିଏ, ଦୂରକୁ ଗଲେ, ପ୍ରକୃତିରାଣୀର ସୌନ୍ଦର୍ଯ୍ୟ-ସୁଷମା ଆଖିରେ ପଡ଼େ । ନଈକୂଳର ଶୋଭା, ସନ୍ଧ୍ୟା ଓ ସକାଳର ଦୃଶ୍ୟ, ନଦୀର କଳକଳ ଧ୍ୱନି ନୟନ-ମନ ତୃପ୍ତ କରିଦିଏ । ମାତ୍ର ଅର୍ଜୁନପୁର ଭିତରକୁ ପଶିଲେ ଦାଣ୍ଡ ଧୂଳିରେ ନାକ ରୁଦ୍ଧ ହୁଏ । ହୋ ହୋ, କେଁ କଟର ଶବ୍ଦରେ କାନ ବଧିରା ହୋଇଯାଏ । ସ୍ଥାନେ ସ୍ଥାନେ ଗୋବରପାଣି ଓ କାଦୁଅରେ ଗୋଡ଼ ବଳାଗଣ୍ଠିଯାଏ ବୁଡ଼ିଆସେ । ଯିବା ଆସିବା, ଦୌଡ଼ାଦୌଡ଼ି, ବିକଟ ଶକଟ ଦେଖି ଆଖି ମୁଦିବାକୁ ଇଚ୍ଛା ହୁଏ ।

ଏତେ କୋଳାହଳପୂର୍ଣ୍ଣ ଅପ୍ରାକୃତିକ ଅର୍ଜୁନପୁର ମଧ୍ୟରେ ଦିନେ ଶୁଣାଗଲା, ଜଣେ ମସ୍ତ ଓସ୍ତାଦ୍‌ ବୈଦ୍ୟ, ଦୈବଜ୍ଞ, ଗଣକ ଦାସଦାସୀପରିବେଷ୍ଟିତ ହୋଇ ଗଣନାଥ ମୁଣ୍ଡିଆ ତଳେ ପଡ଼ିଆରେ ଛାଉଣୀ ପକାଇ ରହିଛନ୍ତି । ତାଙ୍କ ରୂପ-ଗୁଣର ବର୍ଣ୍ଣନା ଯେ ଯେପରି ପାରିଲା, ସେପରି କଲା । ଆରଦିନ ରାତି ନ ପାହୁଣୁ ଅନେକେ ଘର କାର୍ଯ୍ୟ, ପର କାର୍ଯ୍ୟ ଛାଡ଼ି ସେହି ଆଡ଼କୁ ଧାଇଁଛନ୍ତି ।

ଗଣନାଥ ମୁଣ୍ଡିଆ ଉପରୁ ସ୍ୱଚ୍ଛ କ୍ଷୁଦ୍ର ଝରଣାଟିଏ ସତତ ବହିଆସି ମୁଣ୍ଡିଆ ତଳେ ଗୋଟିଏ ଅଗଭୀର ପୁଷ୍କରିଣୀ ସୃଷ୍ଟି କରିଛି । ପୁଷ୍କରିଣୀର ଚାରିଦିଗ ଧରି ବର, ବକୁଳ, ତମାଳ ବୃକ୍ଷରାଜି ପରସ୍ପର ଛନ୍ଦାଛନ୍ଦି ବନ୍ଧାବନ୍ଧି ହୋଇ ଯେପରି ଭୟରେ ନିଜ ନିଜ ବପୁକୁ ସୂର୍ଯ୍ୟଦେବଙ୍କଠାରୁ ଗୋପନ କରି ରଖିଛନ୍ତି । ସ୍ୱଚ୍ଛନ୍ଦଜାତ କେତେ ଲତାଗୁଳ୍ମ ଓ ପୁଷ୍ପିତ ଲତା ବୃକ୍ଷ ଉପର ଦେଇ ଲଟାଇଯାଇ ଦିନ ଦି’ପହରେ ସ୍ଥାନଟିକୁ ସ୍ନିଗ୍‌ଧ ସୁଶୀତଳ କରି ରଖିଛି । ବସନ୍ତକାଳର ପୁଷ୍ପସୌରଭ ସନ୍ଧ୍ୟା ସମୟରେ ସେ ସ୍ଥାନଟିକୁ ଉନ୍ମତ୍ତ କରି ଦେଇଛି । କୁଆ, ବଣକୁକୁଡ଼ା, ହରଡ଼ଚଢ଼େଇ, କଜଳପାତିଆମାନଙ୍କର ଏହା ରାତ୍ରିରେ ଆବାସସ୍ଥଳ । ପ୍ରତିଦିନ ବଡ଼ିଭୋରରେ ଏହିଠାରେ ପ୍ରଥମେ ପକ୍ଷୀମାନଙ୍କର ପାହାନ୍ତିଆ ଗାଉଣା ଶୁଣିବାକୁ ମିଳେ ।

ସୁସଜ୍ଜିତ ସେହି ପାଞ୍ଚଖଣ୍ଡି ନୌକା ଘାଟଠାରୁ ଖଣ୍ଡେ ଦୂରରେ ବନ୍ଧାଗଲା । ଆଗରୁ ବେପାରୀମାନେ ଠିକ୍‌ ଥିଲେ-ମାଲପତ୍ର ସେହି ଗଣନାଥ ମୁଣ୍ଡିଆକୁ ବୁହାଗଲା । ମଶାଲ ଲାଗି ସେହି ପୁଷ୍କରିଣୀ ନିକଟରେ ପାଞ୍ଚଖଣ୍ଡି ତମ୍ୱୁ ଟଣା ହୋଇଗଲା । ବିଲୁଆ, କୋକିଶିଆଳି ଓ ବଣଭୁଆମାନେ ଆପଦ ଦେଖି ଆଶ୍ରୟ ସ୍ଥଳ ଛାଡ଼ି ଅନ୍ୟତ୍ର ଭୟରେ ପଳାଇଗଲେ । ରାତ୍ର ଦୁଇଘଡ଼ି ସରିକି ସବୁ ଠିକ୍‌ଠାକ୍‌ । ଖବର ପାଇ ଆରୋହୀମାନେ ନୌକା ଛାଡ଼ି ଦୋଳାରେ ଛାଉଣୀ ଭିତରକୁ ବାହାରିଗଲେ ।

ପହରକ ପୂର୍ବେ ଯେଉଁସ୍ଥାନ ବନ୍ୟଜନ୍ତୁମାନଙ୍କ ଆବାସ ସ୍ଥାନ ଥିଲା, ଏବେ ତାହା ଗୋଟିଏ ମନୋହର ସ୍ଥାନରେ ପରିଣତ ହୋଇ ଯାଇଛି । ଗାୟିକାମାନେ ବେହେଲା, ଏସରାଜ ଧରି ପଞ୍ଚମରେ ଗୀତ ଆରମ୍ଭ କରି ଦେଇଛନ୍ତି । ଏସରାଜ, ବୀଣା ଓ ସୀତାରର ସୁମଧୁର ତାନ ଚତୁର୍ଦିଗର ନିସ୍ତବ୍‌ଧତା ଭେଦ କରି ଗ୍ରାମରୁ ଗ୍ରାମାନ୍ତରକୁ ଚାଲିଯାଉଛି । ପାଚକମାନେ ନାନାପ୍ରକାର ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରିବାରେ ବ୍ୟାପୃତ । ଚାକରମାନେ ପାଣି ଆଣି ପରିବା ବନାଇବାରେ ଲାଗିଗଲେଣି । ମାଲିକ ନିଜେ ଯୁବକ–ଅସାମାନ୍ୟ ରକମର ସୁନ୍ଦର ମୂର୍ତ୍ତି, ଆଜାନୁଲମ୍ୱିତ ବାହୁ, ଦୀର୍ଘ କୋମଳ ଅବୟବ । ଚିକ୍‌କ’ଣ କୃଷ୍ଣ ଶ୍ମଶ୍ରୁ । ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟବ୍ୟଞ୍ଜକ ସ୍ୱରଲହରୀ । ସାମାନ୍ୟ ଜଳଯୋଗ କରି ପ୍ରଫୁଲ୍ଲ ମନରେ ଗୀତବାଦ୍ୟ ହେଉଥିବା ତମ୍ୱୁରେ ସେ ଯାଇ ଉପବେଶନ କଲେ ।

ସକାଳ ହେଲା । ନିତ୍ୟକର୍ମ ଶେଷ କରି ମାଲିକ ମହାଶୟ ବୈଠକଖାନାରେ ଆସି ବସିଲେ । ଆଖପାଖ ଗାଁଗଣ୍ଡାରୁ ଅନେକ ଦେଖଣାହାରୀ ଜମା ହୋଇଗଲେଣି । ସହଚରମାନଙ୍କଠାରୁ ବୁଝାଗଲା ଯେ, ଏ ଜଣେ କାଶ୍ମୀର ବ୍ରାହ୍ମଣ–ଭାରି ପଣ୍ଡିତ । ଅନେକ ଭାଷା ତାଙ୍କୁ ଜଣା । ସ୍ତମ୍ଭନ, ଉଚ୍ଚାଟନ, ମାରଣ, ଜାରଣ ସବୁ ମାଲୁମ ତାଙ୍କୁ । ହୁକୁମ କଲେ– ଜନ୍ମ-ଅନ୍ଧ, କଣା, କୁଜା, କାଲା, ଛୋଟା ସାଙ୍ଗେ ସାଙ୍ଗେ ଭଲ ହୋଇଯିବେ । ଭବିଷ୍ୟତ୍‌ ଗଣନା ଓ ସ୍ୱରୋଦୟ ମଧ୍ୟ ଏ ମହାଶୟଙ୍କୁ ବିଶେଷ ଭାବରେ ଜଣା । ଅପୁତ୍ରକ ହୁକୁମ ପାଇଲେ ପୁତ୍ରବାନ୍‌ ହେବ । ବନ୍ଧ୍ୟା ପୁତ୍ରବତୀ ହେବ–କେବଳ ୟାଙ୍କରି ଟିକିଏ ମାତ୍ର ଦୟା ହେଲେ । ବୈଦ୍ୟଶାସ୍ତ୍ର ଆଲୋଚନାରେ ମଧ୍ୟ ୟାଙ୍କ ସମାନ ଦ୍ୱିତୀୟ କେହିନାହିଁ । କୁଷ୍ଠ, ଅପସ୍ମାର, ମେହ, କାମଳ, ଶୋଥ ଓଗେର ମହାବ୍ୟାଧି ଔଷଧ ଖାଉଁ ଖାଉଁ ଭଲ ହୋଇଯିବାର ଅନେକ ଜାଗାରେ ଦେଖାଯାଇଛି । ଏ ମହାଶୟ କାଶ୍ମୀର ରାଜ୍ୟରେ ବଡ଼ ଧନୀର ପୁଅ–ମହାପ୍ରଭୁଙ୍କର ଅନୁଗ୍ରହ ହେଲା, ଘରଦ୍ୱାର ଧନ-ସମ୍ପଦ ସବୁ ଛାଡ଼ି ଲୋକଙ୍କ ଉପକାରପାଇଁ ଏତେ କଷ୍ଟ ସହି ଦେଶବିଦେଶ ବୁଲୁଛନ୍ତି । ମଥୁରା, ବୃନ୍ଦାବନ, ଅଯୋଧ୍ୟା, କାଶୀ, ପ୍ରୟାଗ, କାଉଁରୀକାମାକ୍ଷା ଦେଶ ବୁଲି ବୁଲି ଲକ୍ଷ ଲକ୍ଷ ରୋଗୀ ଭଲ କରି, ତୁମ ଏ ଦେଶକୁ ବିରାଜମାନ କରିଛନ୍ତି । ଭାଗ୍ୟ ତୁମର–ତା ନ ହୋଇଥିଲେ, ଏପରି ମହାତ୍ମାଙ୍କ ଦର୍ଶନ ମିଳିବା କେତେ ଜନ୍ମ ତପସ୍ୟା କଲେ ମିଳନ୍ତା କିନାହିଁ ସନ୍ଦେହ !

ବେଳ ପହରେ ହୋଇଛି, ଛାପିଛାପିଆ ଖରା ଗଛପତ୍ରର ମଧ୍ୟଦେଇ ଚିତ୍ରବିଚିତ୍ର ହୋଇ ପଡ଼ିଛି, କୋଇଲି କୁମ୍ଭାଟୁଆ ରାବୁଛନ୍ତି । ବସନ୍ତ କାଳର ସକାଳଓଳିଆ ଥଣ୍ଡା ପବନ ବଡ଼ ମଧୁର ଲାଗୁଛି । ଗୋସାଇଁ ଖରଡ଼ ଆସନରେ ବସି ବଡ଼ ବଡ଼ ଦିଓଟି ମଖମଲି ତକିଆ ଉପରକୁ ଆଉଜି ପଡ଼ିଛନ୍ତି । ଟହଲିଆ ହାତ ଯୋଡ଼ି ହୁକୁମ ଅପେକ୍ଷାରେ ଠିଆ ହୋଇ ରହିଛି । କେତେ ଲୋକ ଆଶ୍ଚର୍ଯ୍ୟ ହୋଇ ଏ ସବୁ ଦେଖୁଛନ୍ତି । କାଲି ଯେଉଁ ସ୍ଥାନ ଶ୍ମଶାନ ପରି ଜନଶୂନ୍ୟ ନୀରବ ଥିଲା, ଆଜି ତାହା ସ୍ୱର୍ଗପୁରୀରେ ପରିଣତ ହୋଇଥିବାର ଦେଖି ଅନେକେ ମୁଗ୍‌ଧ ନେତ୍ରରେ ଭାବୁଛନ୍ତି, ଏପରି ସମୟରେ ଜଣେ ଅନ୍ଧ ବୁଢ଼ା ବାଡ଼ି ଖଣ୍ଡେ ଧରି ଆସି ସାଷ୍ଟାଙ୍ଗ ପ୍ରଣିପାତ କଲା । ଗୋସାଇଁଜୀଙ୍କ ସୁନ୍ଦର ମୁଖମଣ୍ଡଳରେ ଈଷତ୍‌ ହାସ୍ୟରେଖା ଫୁଟି ପଡ଼ି ତାହା ବଡ଼ ମନୋରମ ଦେଖାଗଲା । ଆଖି ସ୍ଥିର ରଖି ଗୋସାଇଁ ହସି ହସି ପଚାରିଲେ– ‘‘ବୁଢ଼ା, କାହିଁକି ପଡ଼ିଛ, ଉଠ ।’’ ବୁଢ଼ା ଉଠିଲାନାହିଁ, ପଡ଼ିରହିଲା ।

ପୁଣି କହିଲେ, ‘‘ମହନ ଶାସମଲ, ଉଠ ।’’

ବୁଢ଼ା ଆଶ୍ଚର୍ଯ୍ୟ ହୋଇ ଉଠି ଠିଆ ହୋଇ କହିଲା, ‘‘ଆପଣ ସର୍ବଜ୍ଞ; ନ ଜାଣନ୍ତି କେଉଁ କଥା ଯେ, ମୁଁ ଛାର ଅଧିକା କ’ଣ କହିବି ? ଦେଖୁ ଦେଖୁ ତ ମୋ ନାଁ କହିସାରିଲେଣି । ଅନୁଗ୍ରହ ହେଉ, ଆଖି ଦିଓଟି ପାଏଁ ।’’

ଗୋସାଇଁ କହିଲେ, ‘‘ତୁମ ଘର କେଉଁଠି କହ ବୁଢ଼ା ! ତୁମର ପୁଅ ଝିଅ କେତୋଟି ?’’

ବୁଢ଼ା କିଛି ଉତ୍ତର ଦେଲାନାହିଁ, ଠିଆ ହୋଇ ରହିଲା । ସମସ୍ତେ ବିଚାରିଲେ ବୁଢ଼ା ପରୀକ୍ଷା କରୁଛି– ଭଲା ଦେଖାଯାଉ ।

ହସି ହସି ଗୋସାଇଁ କହିବାକୁ ଲାଗିଲେ, ‘‘ହଉ, ହଉ, ତେବେ ଶୁଣ । ତୁମେ ଆମ ମନ ବିଡ଼ୁଛ, ପରୀକ୍ଷା କରୁଛ, ନା ? ତୁମ ଘର ଗୋପାଳପୁର, ଏଠାକୁ ବାଟ ଦି’ପା, ପୂର୍ବ ଦିଗରେ । ଘରେ ତୁମର ଚାରି ପ୍ରାଣୀ କୁଟୁମ୍ୱ– ତୁମେ ବର ଭାରିଯା, ଗୋଟିଏ ପୁଅ, ଗୋଟିଏ ଝିଅ । ଠିକ୍‌ ତ ବୁଢ଼ା ?’’

ଶାସମଲ ବୁଢ଼ା ଭକ୍ତିରେ ଗଦ୍‌ଗଦ ହୋଇ ଲମ୍ୱ ହୋଇ ପଡ଼ିଗଲା । ତା ଦେଖାଦେଖି ସମସ୍ତେ ପଡ଼ିଗଲେ । କୁହାକୁହି ହେଲେ– କେଡ଼େ ଶକ୍ତିମାନ୍‌ ପୁରୁଷ ଦେଖ; ଘର କେଉଁଠି, ଦ୍ୱାର କେଉଁଠି, କାଲି ଏଠିକି ଆସିଲେ, ପଚାରୁ ପଚାରୁ ବୁଢ଼ାର ନାଁ, ଗାଁ, କେତେ ଜଣ ତା ଘରେ ସବୁ କହିଦେଲେ ! ଏ କ’ଣ ଦେବତା ନା ମଣିଷ !

ଟହଲିଆ ଆଦେଶ ପାଇ ଶାସମଲ ବୁଢ଼ାକୁ ଛାମୁକୁ ନେଇଗଲା । ଗୋସାଇଁ ମହାପ୍ରଭୁ କ’ଣ ଗୁଣାଗୁଣି କରି ବୁଢ଼ା ମୁଣ୍ଡକୁ ଧରି ଦୁଇ ଆଖିକୁ ତିନିଥର ଲେଖାଏଁ ଫୁଙ୍କି ଦେଲେ, ତା ପରେ କହିଲେ, ‘‘ଦେଖ ବୁଢ଼ା ! ଉପରକୁ ଚାହିଁ ଦେଖ; କିଛି ଦେଖିପାରୁଛ ?’’

ବୁଢ଼ା– ‘‘ହଁ ଅବଧାନ, ଟିକିଏ ଜାଲଜାଲୁଆ ଦେଖାଗଲା ।’’ ଗୋସାଇଁଙ୍କ ହୁକୁମ ଅନୁସାରେ ବୁଢ଼ାକୁ ନେଇ ପାଖ ପୁଷ୍କରିଣୀରେ ଏକୋଇଶ ଥର ମୁଣ୍ଡ ବୁଡ଼ାଇ ଗାଧୋଇ ଦିଆଗଲା-। ଗାଧୋଇ ସାରି ବୁଢ଼ା କହିଲା, ‘‘ଧନ୍ୟ ପ୍ରଭୁ, ଧନ୍ୟ ତୁମ ଆଜ୍ଞା ! ସବୁ ମତେ ଦେଖାଗଲା ଏଥର-। ମୁଁ ଆଉ ଘରକୁ ଯିବିନାହିଁ; ଏହିଠାରେ ଛାମୁରେ ପଡ଼ି ଜୀବନ ଶ୍ରୀଚରଣସେବାରେ କଟାଇଦେବି-।’’

ଶାସମଲ ବୁଢ଼ା ଭାରି ଅନ୍ଧ; ଡୋଳା ତାର ଲେଉଟିପଡ଼ିଥିଲା, ପରଳ ମାଡ଼ିଯାଇଥିଲା– ଦଣ୍ଡକେ ସବୁ ଭଲ ହୋଇ ତାକୁ ପୁଣି ଦେଖାଗଲା ! ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଭାବିବାକୁ ଲାଗିଲେ-। ବିଜୁଳି ଝଟକିଲା ପରି ଏ ଖବର ଅଳ୍ପ ସମୟ ମଧ୍ୟରେ ଆଡ଼ ଦୀର୍ଘେ ବାଟ ପାଞ୍ଚ କୋଶ ବ୍ୟାପିଗଲା । ଉପର ବେଳା ନ ହେଉଣୁ ସେଠାରେ ପୁରୁଷ-ସ୍ତ୍ରୀ, ପିଲାପିଚିକା ଥାଟ ମାଡ଼ି ପଡ଼ିଲା । ଦୋକାନ ବଜାର ବସିଗଲା । କେତେ କେତେ ଉତ୍କଟ ରୋଗୀ ଆସି ଧାରଣା ଦେଇ ପଡ଼ିଲେ; କେତେ ବନ୍ଧ୍ୟା ସ୍ତ୍ରୀ ଆସି ପୁତ୍ର କାମନା କରି ଗୋସାଇଁଜୀଙ୍କ ଗୋଡ଼ତଳେ ପଡ଼ିବାକୁ ଲାଗିଲେ; ଛୋଟା, କୁଜା, କେମ୍ପା, ବାତରୋଗୀମାନେ ଗଦା ହୋଇ ପଡ଼ିଲେ । ଗୋସାଇଁଙ୍କ ପାଦତଳେ ପ୍ରଣାମି ଗଦାହେବାକୁ ଲାଗିଲା । ଯାହାର ଭାଗ୍ୟ ଭଲ, ତାକୁ ସେହିଦିନ ହୁକୁମ ମିଳିଲା; ଆମମାନଙ୍କୁ ମିଳିଲାନାହିଁ । ଅର୍ଜୁନପୁରର ବଡ଼ମହାଜନ ମାଧବ ସୌଦାଗରଙ୍କ ବୋହୂ ଆସି ଦୁଇଦିନ ଧାରଣା ଦେଇ ପଡ଼ିଛି– ତାକୁ ହୁକୁମ ମିଳୁନାହିଁ । ‘‘ମନ ନିର୍ମଳ ହୋଇନାହିଁ’’ କହି ଗୋସାଇଁ ହୁକୁମ ଦେଉ ନାହାନ୍ତି । ଜଣେ କିଏ କହିବୁଲିଲା– ‘‘ଜଗତ୍‌ର ସବୁ ଧନ-ସମ୍ପତ୍ତି ପ୍ରଭୁଙ୍କର; ମନୁଷ୍ୟମାନେ ଜଗୁଆଳି ମାତ୍ର । ଯେ ଧନଲୋଭ କରି ପ୍ରଭୁ ପରମେଶ୍ୱରଙ୍କ ଭକ୍ତ ଗୋସାଇଁଜୀଙ୍କଠାରେ ପ୍ରଣାମି ଊଣା କରିବ, ଖାଲି ହୁକୁମ ନେଲେ ସୁଦ୍ଧା ମନ ନିର୍ମଳ ହୋଇ ନ ଥିବାରୁ କିଛି ଫଳ ହେବନାହିଁ ।’’

ଏ କଥା ଶୁଣି ମାଧବ ସୌଦାଗର ଯଥେଷ୍ଟ ପ୍ରଣାମି ଆଣି ଛାମୁରେ ହାଜର କଲା; ସଙ୍ଗେ ସଙ୍ଗେ ହୁକୁମ ମଧ୍ୟ ମିଳିଗଲା । ଦେଖାଦେଖି ସମସ୍ତେ ଆଣି ବିସ୍ତର ପ୍ରଣାମି ଦେବାକୁ ଲାଗିଲେ । ପାର୍ଶ୍ୱଚରମାନେ କହିଲେ, ‘‘ଗୋସାଇଁଜୀଙ୍କର ଧନଲୋଭନାହିଁ–ତେବେ ଧନ ସଂଗ୍ରହ ହେଲେ ପ୍ରଭୁଙ୍କ କାର୍ଯ୍ୟରେ ଲାଗିବ । ସତ୍‌କାର୍ଯ୍ୟରେ ସମସ୍ତେ ମୁକ୍ତହସ୍ତ ନ ହେଲେ କିପରି ଚଳିବ ?

ଗୋସାଇଁଜୀ ଆସିବା ଦିନଠାରୁ ଅର୍ଜୁନପୁରର ବେଭାର କାରବାର ବହୁତ କମିଯାଇଛି । ଶଗଡ଼ିଆ, ମୂଲିଆ, ମହାଜନ, ଗୁମାସ୍ତା ସମସ୍ତେ ପ୍ରାୟ କେତେବେଳେ ନା କେତେବେଳେ ଗୋସାଇଁଙ୍କ ନିକଟରେ ହାଜର ଅଛନ୍ତି । ଏଡ଼େ କୋଳାହଳପୂର୍ଣ୍ଣ ଗାଁଟା ନିସ୍ତବ୍‌ଧ ପ୍ରାୟ ହୋଇଯାଇଛି । ଗୋରୁ-ମଇଁଷିଗୁଡ଼ାକ ବହୁ ଦିନ ପରେ ଟିକିଏ ବିଶ୍ରାମ ପାଇଛନ୍ତି ।

ଆଜି ଭାରି ଭିଡ଼ । ଅନେକ ଦୂର ଗ୍ରାମରୁ ଲୋକେ ଆସି ଜମିଗଲେଣି । ଏପରି ଭିଡ଼ ଯେ ଗୋସାଇଁଙ୍କ ପାଖକୁ ଯାଇ ଗୁହାରି ଜଣାଇବା କାଠିକର ପାଠ । ଦୁଇ ଗୋଡ଼ରେ କନା ବନ୍ଧାଥିବା ଜଣେ ରୋଗୀ ବହୁ କଷ୍ଟରେ ସେ ଭିଡ଼ ଭେଦ କରି ଯାଇ ଲମ୍ୱ ହୋଇ ପ୍ରଣାମ କଲା । ସକେଇ ସକେଇ ପ୍ରାର୍ଥନା କଲା, ‘‘ମହାପ୍ରଭୁ ! କୁଷ୍ଠ ରୋଗୀ ମୁଁ, ବଡ଼ କଷ୍ଟରେ ପାଞ୍ଚକୋଶ ବାଟ ଚାଲି ଆପଣଙ୍କ ପାଖକୁ ଆସିଛି । ମୋ ଗୁହାରି ଶୁଣାଯାଉ ।’’

କଟାକ୍ଷରେ ଚାହିଁ ଗୋସାଇଁ ଟିକିଏ ହସି ଦେଇ ତାକୁ ପାଖକୁ ଡାକିଲେ । ପାଖକୁ ଯାଇ ସେ କୋଡ଼ିଏଟି ସ୍ୱର୍ଣ୍ଣମୁଦ୍ରା ପ୍ରଣାମି ଦେଇ ପୁଣି ଲଥକିନି ପଡ଼ି ଗଡ଼ିଯିବାକୁ ଲାଗିଲା । କହିଲା, ‘‘ନାମ ବିଖ୍ୟାତ ହେଉ, ମୋ ରୋଗ ଭଲ ହୋଇଗଲେ ଘରଦ୍ୱାର ଜମିବାଡ଼ି ସବୁ ବିକି ପ୍ରଭୁଙ୍କ କାର୍ଯ୍ୟପାଇଁ ଯଥାସର୍ବସ୍ୱ ଦେଇଯିବି ।’’

ମନ୍ତ୍ର ପଢ଼ି ଗୋସାଇଁ ଦୁଇ ଗୋଡ଼କୁ ତିନି ଥର ଲେଖାଏଁ ଫୁଙ୍କି ଦେଲେ; ମନ୍ତୁରା ପାଣି ଟିକିଏ ଖାଇବାକୁ ଦେଇ କହିଲେ, ‘‘ଯାଅ ଚାଲି, କନା ଗୋଡ଼ରୁ ଫିଟାଇ ଦିଅ ଏଥର ।’’

ସତକୁ ସତ କୁଷ୍ଠ ରୋଗୀଟା ସମସ୍ତଙ୍କ ଆଗରେ ଗୋଡ଼ରୁ କନା ଫିଟାଇ ଦେଲା– ଠକ୍‌ ଠକ୍‌ ଚାଲିଯିବାକୁ ଲାଗିଲା । ଗୋଡ଼ରେ କିଛିନାହିଁ, ଭଲ ଗୋଡ଼ । ସେ କହିଲା, ‘‘ଠାକୁର ବଳବତ୍ତର । ୟା କେଉଁଠି ଦେଖା ନ ଥିଲା । ମୁଁ ମୋର ସବୁ ଜମିବାଡ଼ି ଠାକୁରଙ୍କୁ ଲେଖିଦେବି ।’’

ଦେଖଣାହାରିମାନେ ତାଜୁବ୍‌ ହୋଇଗଲେ । ଗୋସେଇଁଙ୍କର ଭାରି ନାମ-ଡାକ ପଡ଼ିଗଲା । ଅନେକ ଲୋକ ଜମା ହୋଇ ପ୍ରଣାମି ଦାଖଲ କରି ପଡ଼ିରହିଲେ । କେତେ ରୋଗୀ, ଆତୁର ସ୍ତ୍ରୀ ପୁତ୍ର ଘେନି ପଡ଼ିରହିଛନ୍ତି, ହୁକୁମ ମିଳିନାହିଁ । ରାତି ପାହିଲା, ଲୋକେ ସେହିପରି ପଡ଼ିରହିଥାଆନ୍ତି– ଆଜି କାହିଁ ଗୋସାଇଁ କି ତାଙ୍କ ପାର୍ଶ୍ୱଚରମାନେ ତମ୍ୱୁ ଭିତରୁ ବାହାରି ନାହାନ୍ତି ।

ଅର୍ଜୁନପୁରଠାରେ ଭାରି ଗଣ୍ଡଗୋଳ ଶୁଣାଗଲା । ଅନେକ ଲୋକ ସେଠାକୁ ଧାଇଁଲେ । କଟୁଆଳ ପାଖରେ ଲୋକେ ଜମା ହୋଇ ନାଲିସ କରୁଛନ୍ତି । ଶ୍ୟାମ ସାହୁ ଥୋରିଆ ମହାଜନ । ତାଙ୍କ ଘରର ସମସ୍ତ ତହବିଲ କାଲି ରାତିରେ କିଏ ତାଲା ଭାଙ୍ଗି ଉଠାଇ ନେଇଯାଇଛି । ଘରର ସମସ୍ତେ ଗୋସାଇଁଙ୍କ ପାଖରେ ଥିଲେ–ବୁଢ଼ା ମହାଜନ ଏକା ଥିଲେ ଘରେ । ବୁଢ଼ାଙ୍କ ମୁହଁରେ ଲୁଗା ବାନ୍ଧି ତାଙ୍କୁ ଖୁଣ୍ଟରେ ଅଟକାଇ କେତେ ଜଣ ଆସି ସବୁ ଲୁଟପାଟ କରି ନେଇଗଲେ ।

ସଦାନନ୍ଦ ପାଟରା ଲୁଗା ଓ ସୁନା-ରୂପାର ବଡ଼ ମହାଜନ । ଗତ ରାତ୍ରି ପହରକ ଭିତରେ ଯେତେବେଳେ ଅନେକ ଗରାକ ଲାଗିଛନ୍ତି– ଗୋଟିଏ ପିଲା ସାଙ୍ଗରେ ଘେନି ଜଣେ ସୌଦାଗର ଆସି ପହଞ୍ଚିଲା । ଦକ୍ଷିଣୀ, ବନାରସୀ, ପାଟ; ଯଥା– ପାଟଶାଢ଼ି, ଶାଲ, ଦୋଶାଲ ଓ ସୁନା ରୂପାର ଅଳଙ୍କାର ଆଦି ବହୁମୂଲ୍ୟ ଜିନିଷମାନ ପସନ୍ଦ କରି ଗୋଟିଏ ମୂଳିଆ ଡକାଇ ଘାଟଠାରେ ନୌକାରେ ତାର ମୁରବିମାନଙ୍କୁ ଦେଖାଇବାକୁ ନେଇଗଲା । ଗଲାବେଳେ କହିଗଲା-‘‘ମୋର ଏ ପୁଅ ରହିଲା, ଫେରି ଆସି ପସନ୍ଦ ମୁତାବକ ଜିନିଷ ନେଇ ଦାମ ଦେଇ ପୁଅକୁ ନେଇଯିବି ।’’

ପୁଅଟିର ଲୁଗାପଟା ଓ ସୁନାମୁଦି ଦେଖି ସୌଦାଗର ପୁଅ ନୁହେଁ ବୋଲି ସନ୍ଦେହ କରିବାର କୌଣସି କାରଣ ନଥିଲା । ତେବେ ସୁଦ୍ଧା ସଦାନନ୍ଦ ହୁସିଆର ହୋଇ ନିଜ ପୁଅକୁ ସୌଦାଗର ସଙ୍ଗେ ଘାଟ ନିକଟକୁ ପଠାଇଥିଲେ । ଏତେଗୁଡ଼ାଏ ଟଙ୍କାର ମାଲ; କେଜାଣି କ’ଣ ଥାଏ ! ରାତି ବେଶି ହେଲା; ସୌଦାଗର କିମ୍ୱା ପାତ୍ରଙ୍କ ପୁଅ କେହି ଫେରିଲେନାହିଁ । ସୌଦାଗର ପୁଅଟି ଦୋକାନରେ ଶୋଇପଡ଼ିଥାଏ । ସଦାନନ୍ଦ ପାତ୍ରେ ନଈକୂଳକୁ ଲୋକ ପଠାଇଲେ– ସେଠାରେ କେହି ମିଳିଲେନାହିଁ । ରାତି ପାହାନ୍ତିଆକୁ ପାତ୍ରଙ୍କ ପୁଅ ଫେରିଆସି ଖବର ଦେଲା-ସୌଦାଗରଟା ମହା ଠକ, ତାକୁ ନୌକାରେ ବସାଇ ନୌକା ତୀରବେଗରେ ଛୁଟାଇଦେଲା; ଅଧ ରାତି ସରିକି ବାଟ ପାଞ୍ଚକୋଶ ଦୂରରେ ତାକୁ ଓହ୍ଲାଇ ଦେଇ ନୌକା ବାହି ଚାଲିଗଲା । ଯେଉଁ ପିଲାଟି ସୌଦାଗରର ପୁଅ ବୋଲି ଦୋକାନରେ ଶୋଇପଡ଼ିଥିଲା, ସକାଳୁ ଦେଖାଗଲା, ସେ ସେହି ଅର୍ଜୁନପୁରର ମଦନ ପରିଡ଼ା ପୁଅ କୁରୁପା ।

କେତେଠାରୁ କେତେ ଚୋରି ଡକେଇତି ହୋଇଛି ତାର ଠିକ୍‌ନାହିଁ । କଟୁଆଳ ସବୁ ଶୁଣିଲେ–ଚୋର ଧରିବାପାଇଁ ଲୋକ ନିଯୁକ୍ତ କରି ଏଣେତେଣେ ପଠାଇଲେ କାହିଁରେ କିଛି ହେଲାନାହିଁ ।

ଗଣନାଥ ମୁଣ୍ଡିଆ ତଳ ପଡ଼ିଆରେ ଯେଉଁ ତମ୍ୱୁ ସବୁ ପଡ଼ିଥିଲା, ବେଳ ପହରେ ଯାଇ ଛ’ ଘଡ଼ି ହେଲା, ସେ ତମ୍ୱୁ ଦ୍ୱାର ଖୋଲିଲାନାହିଁ, କି ଗୋସାଇଁ କିମ୍ୱା ତାଙ୍କର ଲୋକବାକ କାହାରି ସଙ୍ଗେ ଦେଖା–ସାକ୍ଷାତ୍‌ନାହିଁ । ଲୋକେ ଆଉ ସମ୍ଭାଳି ପାରିଲେନାହିଁ–ତମ୍ୱୁ ଦୁଆର ଫିଟାଇ ଦେଖିଲେ କେହିନାହିଁ । ଜିନିଷପତ୍ର ମଧ୍ୟ କିଛିନାହିଁ । ଘାଟ ନିକଟରେ ବନ୍ଧାଥିବା ଗୋସାଇଁଙ୍କ ନୌକା ନିକଟକୁ ଲୋକେ ଧାଇଁ ଦେଖିଲେ, ସେଠାରେ ନୌକାନାହିଁ !

ହେଲା କ’ଣ ? ଗୋସାଇଁଜୀ ଗଲେ କାହିଁ ? ଅନ୍ଧ ମହନ ଶାସମଲ ସେଠାରେ ବସିଥିଲା । ତାକୁ ସମସ୍ତେ ପଚାରିଲେ– କଥା କ’ଣ ? ସେ କହିଲା, ‘‘ଭଣ୍ଡ ସେଉଟା, ସମସ୍ତଙ୍କୁ ଠକି ମାଲ ମାରି ପଳାଇଲା । ଯାହାହେଉ, ମୁଁ ହେଲେ ଘରପୋଡ଼ିରୁ କୁଟାଖିଏ ପାଇଗଲି ।’’

‘‘ତୁ ଘରପୋଡ଼ିରୁ କୁଟାଖିଏ କ’ଣ ପାଇଲୁ ରେ, ଶାସମଲ ?’’

‘‘ସତେ କ’ଣ ତୁମେ ସବୁ ଭାବିଛ ମୋ ଆଖିକି ଦେଖାଯାଉଛି ? ଏଡ଼ ଓଲୁ ତୁମେ ସବୁ-! ମୁଁ ଯେଉଁ ଅନ୍ଧକୁ ସେହି ଅନ୍ଧ । କିଛି ମାଲ ପାଇଲି, ଏପରି କଲି ।’’

ଲୋକେ ଅନ୍ଧ ବୁଢ଼ାଟାକୁ ମାରି ମାରି ଦରମରା କରିଦେଲେ ।

ଲୋକେ ତା ପରେ ସେ ତମ୍ବୁଗୁଡ଼ାକ ଟିକି ଟିକି କରି ଚିରି ଯେ ଯୁଆଡ଼େ ଘେନି ପଳାଇଗଲେ । ଯାହାଠାରୁ ଶୁଣିବ, ଖାଲି ସେଇ ଗୋସେଇଁ କଥା– କେଡ଼େ ଠକ, ଚୋର, ବଦମାସ୍‌ ସେଉଟା ! ସବୁ ଚୋରି ଡକେଇତି ତା’ରି କାମ ।

ଏ ଘଟଣାର କିଛି ଦିନ ପରେ ଗୋବିନ୍ଦ ଚୌଧୁରୀଙ୍କ ବଡ଼ ପୁଅ ବାଞ୍ଛାନିଧି କାଶୀରୁ ଫେରି ଆସି ଗାଁର ହାଲଚାଲ ଶୁଣି କହିଲେ, ‘‘ଆଜିକାଲି ପଞ୍ଝାଏ ଠକ ଏପରି ଠକ-ବୃତ୍ତି କରି ଚାରିଆଡ଼େ ବୁଲୁଛନ୍ତି । କାଶୀରେ ଜଣେ ବଦମାସ୍‌ ମୌନବ୍ରତ ଧରି ଦିନାକେତେ ମଣିକର୍ଣ୍ଣିକା ଘାଟ ନିକଟରେ ବସିରହିଲା । ସବୁବେଳେ ଧ୍ୟାନରେ ମଗ୍ନ ଥାଏ । ଲୋକେ କହନ୍ତି, କିଛି ଖାଏନାହିଁ, ପିଏନାହିଁ । କିଛିଦିନ ଏପରି ବସିବାରୁ ଲୋକଙ୍କର ଭାରି ବିଶ୍ୱାସ ହେଲା । ଟଙ୍କା ସୁନା ତା ପାଖରେ ଅଜାଡ଼ି ଦେଲେ– ହୁକୁମ ପାଇବେ ବୋଲି । ତୁଚ୍ଛାଟାରେ ଅନେକ ମାଲ ମାରିନେଇ ଅନେକ ଲୋକଙ୍କୁ ଠକି ଦିନେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ଗୟା, ମଜଫରପୁର ଆଡ଼ୁ, ମଧ୍ୟ ସେହିପରି ସମ୍ୱାଦ ମିଳିଅଛି । ବୋଧହୁଏ ସେହି ଦଳ ଏଠାକୁ ଆସି ଏତେ ଅନର୍ଥ କରିଗଲେ । ମୁଁ ଥାଆନ୍ତି କି ଏକା–ବଦମାସ ନାକରେ ଦଉଡ଼ି ଦେଇ ଟାଣି ଛାଡ଼ିଥାନ୍ତି ।’’

ଏହା ଶୁଣି ସଦାନନ୍ଦ ପାତ୍ରେ କହିଲେ, ‘‘ହଁ, ସତ କଥା ଏକା ! କାଶୀରେ ତ ତାକୁ ଧରି ଶେଷ କରିଦେଲୁ ! କାହିଁକି ମିଛ ଭଡ଼ଙ୍ଗ ଗୁଡ଼ାଏ ଦେଖାଇ ହେଉ ! ଶିଳ ଶିଳପୁଆ ଗଗନେ ଉଡ଼ିଲେ, ଶିମିଳି ତୁଳା କହୁଛି ମତେ ରଖ ।’’

ଗଣନାଥ ମୁଣ୍ଡିଆ ତଳଟା ଯେପରି ଚିରଦିନ ନିସ୍ତବ୍‌ଧ ଥିଲା ସେହିପରି ରହିଗଲା । ବିଲୁଆ କୋକିଶିଆଳୀଗୁଡ଼ାକ ପୁଣି ତାଙ୍କ ଆବାସସ୍ଥଳକୁ ଫେରି ଆସି ସୁଖରେ ରହିଲେ । ସେହିଦିନଠାରୁ ଲୋକେ ସେ ସ୍ଥାନକୁ ‘ଠକ ପଡ଼ିଆ’ ବୋଲି ଆଜି ସୁଦ୍ଧା ଡାକିଆସୁଛନ୍ତି ।

•••

 

ଦ୍ୱାଦଶ ପରିଚ୍ଛେଦ

 

କାଶ୍ମୀର ରାଜ୍ୟର ପ୍ରାକୃତିକ ଶୋଭା ଅନିନ୍ଦ୍ୟ ସୁନ୍ଦର । ଗୋଲାପ ଗଛ ସେ ଦେଶର କିଆରିର ବାଡ଼ । ଦ୍ରାକ୍ଷାଫଳ ସେ ଦେଶର ଅନାୟାସଲଭ୍ୟ ଫଳ । ନୀଳ ସୁବିସ୍ତୀର୍ଣ୍ଣ ପ୍ରାନ୍ତର, ସ୍ୱଚ୍ଛ ଝରଣା ସେ ଦେଶର ସବୁଠାରେ ଦେଖିବାର, ଉପଭୋଗ କରିବାର ଜିନିଷ । ତୁଷାରଶୁଭ୍ର ଚୂଡ଼ାବିଶିଷ୍ଟ ପର୍ବତଶ୍ରେଣୀର ପାଦଦେଶ ଘନନୀଳ ବୃକ୍ଷଲତା-ବିମଣ୍ଡିତ । ପୁରାଣ ଯୁଗର ନୀଳ ମଖମଲଘେରା ଦେବ-ଆବାସ ଭୂମି । ନାନାପ୍ରକାର ସଦ୍ୟପ୍ରସ୍ଫୁଟିତ ପୁଷ୍ପର ସୌରଭ ଇତସ୍ତତଃ ସର୍ବଦା ସଞ୍ଚାଳିତ । ସନ୍ଧ୍ୟା ଓ ପ୍ରଭାତର ସୂର୍ଯ୍ୟକିରଣ ଗଛପତ୍ର, ପାହାଡ଼-ପର୍ବତ ଉପରେ ଅବିରଗୁଣ୍ଡି ବିଞ୍ଚିଦିଏ । ଯେତେଥର ଦେଖିବ, ଏ ଶୋଭା ନିତ୍ୟନୂତନ; ଆହୁରି ଦେଖିବାକୁ ଇଚ୍ଛା ହେବ । ଚାନ୍ଦିନୀ ରାତିର ଶୋଭା ବର୍ଣ୍ଣନୀୟ ନୁହେଁ । କଳକଳନିନାଦିନୀ ଝରଣାଗୁଡ଼ିକ ଚନ୍ଦ୍ରର ଶତ ପ୍ରତିବିମ୍ୱ କୋଳରେ ଧରି ଚାନ୍ଦକୁ ଯେପରି ଗେଲ କରିବାରେ ବ୍ୟସ୍ତ । ସବୁଜ ସତେଜ ପତ୍ର-ପୁଷ୍ପ ଓ ସବୁଜ ପ୍ରାନ୍ତର ଉପରେ ଚନ୍ଦ୍ରକିରଣ ଯେପରି ପରିଷ୍କୃତ ରଜତଧାରା ଢାଳିଦିଏ । କୋକିଳର କୁହୁତାନ, ହଳଦୀବସନ୍ତ, କୁମ୍ଭାଟୁଆ ଓ ଭରଦ୍ୱାଜ ପକ୍ଷୀର ସୁମଧୁର କାକଳି ଓ ମୟୂରର କେକାରବ ପ୍ରକୃତିର ଏହି ଉପାସନାଳୟରେ ଐକତାନ ଯୋଗାଉଅଛି । ପଶୁ, ପକ୍ଷୀ, ମନୁଷ୍ୟ, ଫଳ, ଫୁଲ ସବୁ ଏଠାରେ ସତେଜ, ସୁନ୍ଦର ।

ନରନାରୀଙ୍କ ସୌନ୍ଦର୍ଯ୍ୟ ପ୍ରାକୃତିକ ସୁଷମାକୁ କାଶ୍ମୀରରେ ପରାସ୍ତ କରିଅଛି । ନରନାରୀଙ୍କ ଗଠନ ଭାରତର ଅନ୍ୟ କୌଣସିଠାରେ ଏପରି ନୁହେଁ । ଦେହର ରଙ୍ଗ ଯେପରି ହାତୀଦାନ୍ତ ଉପରେ ଅଳତା ବୋଳାଯାଇଛି ! କାଳିଆ ରଙ୍ଗର ମନୁଷ୍ୟ ଏଠାରେ ବିରଳ । କବି କହିଛନ୍ତି, ଏଠାରେ ହଳଦୀ ପରିବର୍ତ୍ତରେ ନାରୀମାନେ ଦେହରେ କୁଙ୍କୁମ ଉକୁଟାଇ ହୁଅନ୍ତି ।

ଏହିପରି ଦେଶର ଏକ ସୁବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟଦେଇ ଗୋଟିଏ ଯୁବକ ଶୂନ୍ୟ ମନରେ ଭ୍ରମଣ କରୁଛି । ସୁନ୍ଦର ସତେଜ ମୁଖମଣ୍ଡଳ ସମୟ ସମୟରେ ଗମ୍ଭୀରଭାବ ଧାରଣ କରୁଛି । ଯୁବକ ଚମକିପଡ଼ି ଠିଆ ହୋଇ ରହୁଛି; ବେଳେବେଳେ କାହିଁକି ଅଧର ଦଂଶନ କରୁଛି । ପୁଣି କ୍ଷଣକରେ ମୁଖରେ ସେହି ସ୍ୱାଭାବିକ ପ୍ରଫୁଲ୍ଲତା ଫେରିଆସୁଛି, ପୁଣି ସେହିପରି ଚାଲୁଛି । ବାଟରେ ଚାଲିବାବେଳେ ଯୁବକର କାହାରି ପ୍ରତି ଲକ୍ଷ୍ୟନାହିଁ–ଭ୍ରୂକ୍ଷେପନାହିଁ । କିଛିକ୍ଷଣ ଏହିପରି ବୁଲିବା ପରେ ଜଣେ ପ୍ରାଚୀନ ବୃଦ୍ଧଙ୍କ ସଙ୍ଗେ ତାର ଭେଟ ହୋଇଗଲା । ବୃଦ୍ଧ ଅନେକ ସମୟ ପୂର୍ବରୁ ଯୁବକର ଗତିବିଧି ଲକ୍ଷ୍ୟ କରୁଥିଲେ; ବର୍ତ୍ତମାନ ମୁହାଁମୁହିଁ ହୋଇଯିବାରୁ ଥକ୍‌କା ହୋଇ ତାର ଅନିନ୍ଦ୍ୟ ସୁନ୍ଦର ମୁଖମଣ୍ଡଳ ପ୍ରତି ଦୃଷ୍ଟିପାତ କରିବାକୁ ଲାଗିଲେ । ହୃଦୟରେ ଅନେକ ପ୍ରକାର ଭାବ ଖେଳିଗଲା ।

ବୃଦ୍ଧ କାଶ୍ମୀର ରାଜସଭାର ପଣ୍ଡିତ । ନାମ–ପଣ୍ଡିତ ରାଜବଲ୍ଲଭ ମିଶ୍ର । କାଶଫୁଲ ପରି ଶୁଭ୍ର ଚିକ୍‌କ’ଣ କେଶରାଶି କାନ୍ଧ ଦୁଇପାଖ ଦେଇ ଫରଫର ଉଡ଼ୁଛି । ଶୁଭ୍ର ଶ୍ମଶ୍ରୁ ନାଭି ସ୍ପର୍ଶ କରିଛି । ବୃଦ୍ଧ ଠିଆହୋଇ ତାକୁ ନିରୀକ୍ଷଣ କରୁଥିବାର ଦେଖି ଯୁବକ ମଧ୍ୟ ସ୍ତମ୍ଭୀଭୂତ ହୋଇ ରହିଗଲା । ସୌମ୍ୟମୂର୍ତ୍ତି ଦେଖି ପ୍ରଣାମ କରିବାକୁ ଇଚ୍ଛାହେଲା; ମାତ୍ର ତାହା କରିପାରିଲାନାହିଁ ।

ସ୍ନେହଗଦ୍‌ଗଦ ସ୍ୱରରେ ପଣ୍ଡିତ ପଚାରିଲେ, ‘‘କିଏ ତୁମେ ବାପା ? କେବେ କେଉଁଠି ଦେଖିଲା ପରି ବୋଧ ହେଉଛି ଯେ ।’’

‘‘ଏ ଜନ୍ମରେ ବୋଧହୁଏ ନୁହେ, ମହାଶୟ ! ମୋ ସଙ୍ଗେ ଆପଣଙ୍କର ଏହି ପ୍ରଥମ ଦେଖା । ମୋ ଘର କାନ୍ୟବୁବ୍‌ଜ ଦେଶରେ । ଦୁଇଦିନ ହେବ ଏଠାକୁ ଆସିଛି ।’’

‘‘କି ଉଦ୍ଦେଶ୍ୟରେ ଏତେ ବାଟ ଆସିଛ, ବାବୁ ? ଏକା ଏପରି ବୁଲୁଛ କିଆଁ ? ତୁମର ଆଉ କିଏ ଅଛନ୍ତି ? ଏଡ଼େ ସୁନ୍ଦର ପିଲାଟିକୁ ଏପରି ବିଦେଶକୁ ଛାଡ଼ିଦେଲେ କାହିଁକି ?’’

‘‘ଏଠାକୁ ଆସିବାର କୌଣସି ଉଦ୍ଦେଶ୍ୟନାହିଁ । ଖାଲି ମନ ଇଚ୍ଛାରେ ବୁଲୁଛି । ମୋର ନିଜର ବୋଲି କେହିନାହିଁ । ଜନ୍ମ ପୂର୍ବରୁ ପିତା ମୃତ ହୋଇଥିଲେ, ଜନ୍ମ ହେବାର କେତେଦିନ ପରେ ପିତାମହଙ୍କ ମୃତ୍ୟୁ ହେଲା ।’’

‘‘ଦୁଃଖ କରିବନାହିଁ ବାବୁ, ଏତେ କଥା ପଚାରୁଛି ବୋଲି । ମନରେ ତୁମର କ’ଣ କିଛି କଷ୍ଟ ଅଛି ? ଏଠାରେ ରହିଛ କେଉଁଠି ?’’

ଆତ୍ମସମ୍ମାନରେ ଆଘାତ ଲାଗିବାରୁ ଘରଦ୍ୱାର ଛାଡ଼ି ବୁଲୁଛି । ସମ୍ମାନ ଫେରି ପାଇବାକୁ ଯେଉଁ ଉପାୟ ଅବଲମ୍ୱନ କଲି, ଆଜି ସେହି ଉପାୟର ଆଘାତ ମୋ ପକ୍ଷରେ ବଡ଼ ଆଘାତ ହୋଇଛି । କ୍ଳାନ୍ତ ଦେହ-ମନକୁ ଟିକିଏ ବିଶ୍ରାମ ଦେବାପାଇଁ କେବଳ ମୋର ଏଠାକୁ ଆଗମନ–ଅନ୍ୟ କୌଣସି କାରଣନାହିଁ ।’’

‘‘କହିଲନାହିଁ ବାପ, ଅଛ କେଉଁଠି ?’’

‘‘ଯେଉଁଠାରେ ଦେଖୁଛନ୍ତି, ସେଠାରେ ଅଛି । ମୋର କୌଣସି ନିର୍ଦ୍ଦିଷ୍ଟ ଆବାସସ୍ଥଳନାହିଁ-। ରହିବାର ଯେଉଁ ସ୍ଥାନ ଥିଲା, ତାକୁ ସ୍ୱଇଚ୍ଛାରେ ଭାଙ୍ଗିଦେଇଛି । ସେହି ଦିନଠାରୁ ପୃଥିବୀତଳକୁ ମୋର ଆବାସସ୍ଥଳ ମନେ କରି ନେଇଛି ।’’

ରାଜବଲ୍ଲଭଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ହସ୍ତ ପ୍ରସାରି ଯୁବକକୁ ଆଲିଙ୍ଗନ କଲେ । ପରେ କହିଲେ, ‘‘କେଜାଣି କାହିଁକି ବାବୁ, ତୁମକୁ ଦେଖିବା ମୁହୂର୍ତ୍ତରୁ କେଉଁ ଆକର୍ଷଣ ମତେ ଅଥୟ କରି ପକାଉଛି । ପାଞ୍ଚ ବର୍ଷ ହେଲାଣି ବାପା, ଦୀର୍ଘ ପାଞ୍ଚ ବର୍ଷ । ମୋର ନୟନର ମଣି ଦେବବ୍ରତ ମୋତେ ଛାଡ଼ି ଚାଲିଯାଇଛି । ସଂସାରର ଅନନ୍ୟତା, ଶାସ୍ତ୍ରାଲୋଚନା ମତେ ଶାନ୍ତି ଦେଇ ପାରିନାହିଁ-। ସେହିଦିନଠାରୁ ମୋ ଜୀବନ ଏକ ପ୍ରଶସ୍ତ ମରୁଭୂମିରେ ପରିଣତ ହୋଇଛି । ସେହି ଦିନଠାରୁ ସବୁ ମୋର ନିରାନନ୍ଦ ଅବସ୍ଥାରେ ଅଛି । ତତେ ଦେଖିଲି ବାପ, ସେହି ଆକୃତି ଯେପରି ମୂର୍ତ୍ତିମନ୍ତ ହୋଇ ଆଖି ଆଗରେ ଠିଆ ହୋଇ ରହିଛି ! ସବୁ ତ ସେହିପରି–କିଛି ପାର୍ଥକ୍ୟନାହିଁ । ନାଁ ପଚାରିବାକୁ ସାହସ ହେଲାନାହିଁ–ଦେବବତ୍ର, ଦେବବ୍ରତ !’’

ବୃଦ୍ଧ ଥରହର କମ୍ପି ପଡ଼ିଯିବାକୁ ଲାଗିଲେ । ଯୁବକ ତାଙ୍କୁ ଧରି ବସିପଡ଼ିଲା । ପାଖ ଝରଣାରୁ ପାଣି ଆଣି ଆଖିରେ, ମୁହଁରେ ସିଞ୍ଚିଦେଲା । ଆସ୍ତେ ଆସ୍ତେ ବୃଦ୍ଧ ଆଖି ଫିଟାଇବାକୁ ଲାଗିଲେ ।

ରାଜବଲ୍ଲଭଙ୍କୁ ଦେଖିଲେ ଯେତେ ବୟସ୍କ ବୋଲି ଅନୁମାନ କରାଯିବ, ବାସ୍ତବିକ ତାଙ୍କ ବୟସ ତା’ଠାରୁ ଅନେକ କମ୍‌ । ପ୍ରେମମୟୀ ସହଧର୍ମିଣୀ ତେର ବର୍ଷ ହେଲା କନ୍ୟାରତ୍ନ ପ୍ରସବ କରି ଇହସଂସାର ଛାଡ଼ିଗଲାଦିନୁ ତାଙ୍କ ଜୀବନର ସୁଖ ଶାନ୍ତି ବରାବର ଚାଲିଯାଇଥିଲା । ସେହି ଦିନୁ ଜୀବନ ଶୁଷ୍କ, ନୀରସ ହୋଇଥିଲା । ପାଞ୍ଚ ବର୍ଷ ହେଲା ସୁପଣ୍ଡିତ, ସର୍ବଗୁଣସମ୍ପନ୍ନ ଏକମାତ୍ର ପୁତ୍ର ଦେବବ୍ରତ ସେହି ଶୁଷ୍କ ନୀରସ ଜୀବନ-ଇନ୍ଧନରେ ଅଗ୍ନିସଂଯୋଗ କରି ତାକୁ ଭସ୍ମରେ ପରିଣତ କରି ଚାଲିଗଲା । ଏହି ସବୁ ଚିନ୍ତା ଓ ଶୋକର ପରିଣାମ ଫଳରେ ରାଜବଲ୍ଲଭ ବୃଦ୍ଧ ନ ହୋଇ ସୁଦ୍ଧା ଅକାଳବାର୍ଦ୍ଧକ୍ୟ ଲାଭ କଲେ ।

ବୃଦ୍ଧ କହିଲେ, ‘‘ତୁ ତ ମୋ ଦେବବତ୍ର, ସ୍ୱର ଠିକ୍‌ ସେହି ସ୍ୱର । ମୁହଁର କଳାଜାଇଟି ପର୍ଯ୍ୟନ୍ତ ସେହିଠାରେ ଅଛି ! ମତେ ଆଉ ଭଣ୍ଡିଲେ ଚଳିବନାହିଁ, ବାପ ! କେଉଁ ଦେବତା ନିଶ୍ଚୟ ମୋର ହୃଦୟଭାର ଲାଘବ କରିବାପାଇଁ ତୋତେ ପୁଣି ମତେ ଫେରାଇ ଦେଇଛନ୍ତି । କହ ବାପ, ସତ କହ ?’’

ଯୁବକ ନିରୁତ୍ତର ରହି ତଳକୁ ଚାହିଁରହିଲା ।

ପଣ୍ଡିତ ରାଜବଲ୍ଲଭ ଯୁବକ କାନ୍ଧରେ ଭରାଦେଇ ଠିଆହେଲେ । ବୃଦ୍ଧ ଚାଲିବାକୁ ଇଙ୍ଗିତ କଲେ– ଯୁବକ ଚାଲିବାକୁ ଲାଗିଲା । ଯୁବକ ମନେକଲା, ସେ ଯେପରି ନିଜ ଉପରେ ନିଜର ସବୁ କର୍ତ୍ତୃତ୍ୱ ହରାଇଦେଇଛି । ଏହିପରି ଦୁହେଁ ଚାଲୁଥାନ୍ତି । ଗୋଟିଏ ରାସ୍ତା କେଉଁଠାରେ ଦୁଇ ଆଡକୁ କିମ୍ୱା ତଦୁର୍ଦ୍ଧ୍ୱ ଆଡ଼କୁ ଯାଇଥିଲେ ପଣ୍ଡିତ ରାଜବଲ୍ଲଭ ତାଙ୍କ ଘରକୁ ଯିବାର ରାସ୍ତା ବତାଇଦିଅନ୍ତି । ଏହିପରି ଚାଲି ଚାଲି କିଛି ସମୟ ପରେ ପଣ୍ଡିତଙ୍କ ଦୁଆର ଆସି ହେଲା । ବୃଦ୍ଧ ଯୁବକ ଉପରୁ ଭରା ଛାଡ଼ିଦେଇ ଯାଇ ଦାଣ୍ଡ ଦୁଆରେ ଡାକିଲେ, ‘‘ରମା, ରମା !’’

ଦାଣ୍ଡ କବାଟ ମେଲା ହୋଇଗଲା । ଅସ୍ତାଚଳଗାମୀ ସୂର୍ଯ୍ୟକିରଣର ଈଷତ୍‌ ଗୋଲାପୀ ଆଭା ଗୋଟିଏ ଅନିନ୍ଦ୍ୟସୁନ୍ଦରୀ ବାଳିକାର ଅନାବୃତ ମୁଖମଣ୍ଡଳ ଓ ପାଦଦ୍ୱୟରେ ପଡ଼ିଗଲା । ଯୁବକ ଦେଖି ମୁଗ୍‌ଧ ହୋଇଗଲା । ମନେକଲା, କେଡ଼େ ସୁନ୍ଦର ସେ ! ଭଗବାନ୍‌ଙ୍କ ରାଜ୍ୟରେ ପୁଣି ଏପରି ରୂପ ମଧ୍ୟ ଦେଖିବାକୁ ମିଳେ । ସତେ ଯେପରି ବିଧାତା ତାଙ୍କ ସୌନ୍ଦର୍ଯ୍ୟଭଣ୍ଡାରର ବଛା ବଛା ପଦାର୍ଥ ସଂଯୋଗରେ ଏ ମୂର୍ତ୍ତିଟି ଗଢ଼ି ଦେଇଛନ୍ତି । ନୂତନ ଆଗନ୍ତୁକ ଦେଖି ବାଳିକାଟି ସ୍ଥିରନେତ୍ରରେ ଚାହିଁରହିଲା । କି ପରିଷ୍କାର ଅନାବିଳ ସେ ଚକ୍ଷୁ । ମାଦକତାର ଲେଶ ତହିଁରେନାହିଁ-। ସେ ଚକ୍ଷୁ ଦେଖି ଯୁବକ ଆତ୍ମହରା ହୋଇଗଲା । ମନେକଲା, ଏ ଯେ ନନ୍ଦନର ପାରିଜାତ । ହୃଦୟ ମନ ପୁଲକିତ ହୋଇଗଲା । ଅଭଦ୍ରତା ଭୟରେ ଚକ୍ଷୁ ଫେରାଇ ଆଣି ମନେକଲା, ଏଡ଼େ ସଜା ବୋଧହୁଏ ତାର ଦୃଷ୍ଟିଶକ୍ତିକୁ ସେ ଆଉ କେବେ ଦେଇନାହିଁ । ଦୃଷ୍ଟି ଫେରିବାବେଳେ ରମାର ପାଦ ଦିଓଟିରେ ପଡ଼ିଗଲା । କେଉଁ ଯନ୍ତ୍ର ସାହାଯ୍ୟରେ କେଉଁ ବିନ୍ଧାଣି ସେ ପାଦ ଗଢ଼ି ଦେଇଛି ! ପାଦର ମୂଳ କେଡ଼େ ଲାଲ, ତା ଉପରକୁ ପା-ପଦ୍ମ ଦିଓଟି ! ପାଦ ଦିଓଟି କ୍ରମେ ଅପସାରିତ ହୋଇ ଅଦୃଶ୍ୟ ହୋଇଗଲା–ଘର ଭିତରେ ।

ଯୁବକ, ବୃଦ୍ଧ ଦୁହେଁ ଘର ଭିତରକୁ ଗଲେ । ପଣ୍ଡିତଙ୍କ ଘରର କିଛି ସେପରି ବିଶେଷତ୍ୱନାହିଁ । ତିନି ଖଣ୍ଡି ଛୋଟ କୋଠରି । ଖଣ୍ଡିଏ ରୋଷେଇଘର । ଦାଣ୍ଡଘର ଖଣ୍ଡିକରେ ପଣ୍ଡିତେ ବସା-ଉଠା କରନ୍ତି । ଆଉ ଦୁଇ ଖଣ୍ଡି ଶୋଇବାଘର । ଘରଗୁଡ଼ିକ ସବୁ ପରିଷ୍କାର-ପରିଚ୍ଛନ୍ନ । ଘର ଭିତରେ ଆସବାବପତ୍ରର ବାହୁଲ୍ୟନାହିଁ । ଯାହା କେତେ ଖଣ୍ଡ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଛଡ଼ା ଆଉ କିଛିନାହିଁ । ଅଗଣାଟି ମଧ୍ୟ ପରିଷ୍କାର–ଅଗଣା ଭିତରେ ଗୋଲାପ, ସେବତୀ ଆଦି ଫୁଲଗଛ ଲାଗିଛି ।

ବାଳିକାଟି ଦୁହେଁ ଗୋଡ଼ହାତ ଧୋଇବାପାଇଁ ଦୁଇ ଲୋଟା ପାଣି ଓ ଗାମୁଛା ଆଣି ରଖିଦେଲା । ଦାଣ୍ଡଘରେ ପିଲିସଜ ଉପରେ ଦୀପ ଜାଳି ଦେଇଗଲା । ଦୁହେଁ ବସିବାପାଇଁ ଆସନ ପକାଇଦେଲା । ତା ପରେ ଦିଓଟି ରେକାବିରେ କାଶ୍ମୀରରେ ଅନାୟାସଲଭ୍ୟ ମେଓଆ ଫଳ ପ୍ରଭୃତି ଆଣି ରଖିଦେଲା । ପିଇବା ପାଣି ମଧ୍ୟ ଦେଇଗଲା । ଦୁହେଁ ଜଳଯୋଗ କରିବାରେ ମନୋଯୋଗ କଲେ । ଯୁବକ ଏ ଫଳ ଖାଇ ତାର ମନେହେଲା, ସେ ଯେପରି ଏହି ପ୍ରଥମ ଏପରି ସୁମିଷ୍ଟ ଫଳ ଆସ୍ୱାଦନ କଲା । ଗୃହସ୍ଥାଳୀର ଏପରି ପାରିପାଟ୍ୟ ଯେପରି ସେ ଏହି ପ୍ରଥମ ଦେଖିଲା । ରମାର କ୍ଷିପ୍ରଗତି ଓ ନିରଳସ ଅଙ୍ଗଚାଳନା ଯୁବକର ପ୍ରତି ଶିରାରେ ଆଘାତ କରିବାକୁ ଲାଗିଲା । ଏତେ କମ୍‌ ବୟସ ତାର, ଅଥଚ କି ସୁନ୍ଦର ଭାବରେ ସେ ସବୁ ବିଷୟର ଆୟୋଜନ କରିଯାଉଛି । ଜଳଯୋଗ ଶେଷ ହେବାରୁ ରମା ଆସି ରେକାବି ଦିଓଟି ଘେନି ଚାଲିଗଲା । ଜଳ ସିଞ୍ଚି ସେ ସ୍ଥାନ ପରିଷ୍କାର କରିଦେଇଗଲା । ମୁଖବାସ ସ୍ୱରୂପ ଦିଓଟି ହରିଡ଼ା ରଖି ଦେଇଗଲା ।

ଯୁବକ ଆଜି ଏକ ଅଭିନବ ଅନୁଭବରେ ଆତ୍ମହରା ହୋଇଗଲା । ରାଜବଲ୍ଲଭ ପଚାରିଲେ, ‘‘କେତେଦିନ ହେଲା ଘର ଛାଡ଼ି ଆସିଲୁଣି ବାପ ?’’ ଯୁବକ ହାଣ୍ଡିଶାଳ ଆଡ଼କୁ କାନ ଡେରି କଅଣ ଭାବୁଥାଏ । ଏହିପରି ଦୁଇ ତିନି ଥର ପଚାରି ଉତ୍ତର ନ ପାଇବାରୁ ବୃଦ୍ଧ କହିଲେ, ‘‘ନିଦ ଲାଗିଗଲାଣି ପରା । ହଁ ବାପ, ବଡ଼ କ୍ଳାନ୍ତ ହୋଇଛୁ, ଟିକିଏ ଶୋଇପଡ଼ ।’’

ଯୁବକ ଲଜ୍ଜିତ ହୋଇ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବ କଅଣ, ପ୍ରଶ୍ନଟି ଯେ ଶୁଣିପାରିନାହିଁ । ଶୋଇବାଘରକୁ ଯୁବକଟିକୁ ଡକାଇନେଇ ଆଲୁଅ ଅଣାଇ ବୃଦ୍ଧ ଶଯ୍ୟା ରଚନା କଲେ । ଯୁବକକୁ ଶୋଇବାକୁ କହିଲେ ଏବଂ ଆପେ ଶୋଇପଡ଼ିଲେ । ଯୁବକ ମଧ୍ୟ ଶୋଇପଡ଼ିଲା; ମାତ୍ର ତା ଆଖିକୁ ନିଦ ଆସିଲାନାହିଁ । ରାତି କ୍ରମେ ବେଶି ହୋଇଗଲା । ବୃଦ୍ଧଙ୍କ ଘୁଙ୍ଗୁଡ଼ି ଶୁଣି ତାର ମନେହେଲା, ଯାଇ ରମା ସଙ୍ଗେ ଆଳାପ କରି ଆସନ୍ତା ! ମାତ୍ର ପାରିଲାନାହିଁ– ସେ ଯେ ସଂପୂର୍ଣ୍ଣ ଅପରିଚିତା ତାର । ଏପର୍ଯ୍ୟନ୍ତ ତା ସଙ୍ଗରେ ଯେ ବାକ୍ୟ ବିନିମୟ ଆଦୌ ହୋଇନାହିଁ । ଶୋଇବାର ଛଳନା କରି ଅଗତ୍ୟା ତକିଆକୁ ଆଉଜି ପଡ଼ିରହିଲା ।

ରନ୍ଧା ଶେଷ ହେବାରୁ ରମା ହାତରେ ଦୀପ ଧରି ଡାକିବାକୁ ଆସିଲା । ଦୁଆର ଟିକିଏ ମେଲା କରି ଦେଖିବାକୁ ଲାଗିଲା । ରୋଷେଇ ଘରଠାରୁ ରମାର ପ୍ରତି ପଦକ୍ଷେପ ଓ ଆଲୁଅର ଗତିକୁ ଯୁବକ ସେହିଠାରେ ଶୋଇ ମଧ୍ୟ ଲକ୍ଷ୍ୟ କରି ଆସିଛି । ଯୁବକ ଚାହିଁଥିବା ଦେଖି ରମା ତାର ପିତାଙ୍କୁ ଡାକିଲା । ରାଜବଲ୍ଲଭ ଉଠିଲେ, ଯୁବକ ମଧ୍ୟ ଡାକ ଶୁଣି ତୁଚ୍ଛାଟାକୁ ଆଖି ମଳି ମଳି ଉଠିଲା– ଯେପରି ଗାଢ଼ ନିଦ୍ରା ଯାଇଥିଲା । ରମାର ରନ୍ଧା ଜିନିଷ ଦୁହେଁ ଆହାର କଲେ । ଦୁହିଁଙ୍କର ମନୋଭାବର ପରିବର୍ତ୍ତନ ଯୋଗୁଁ ଅନ୍ନବ୍ୟଞ୍ଜନ ଆଜି ଦୁହିଁଙ୍କୁ ବଡ଼ ସ୍ୱାଦ ଲାଗିଲା । ଶତମୁଖରେ ରମାର ପ୍ରଶଂସା କରିବାକୁ ପ୍ରବଳ ଇଚ୍ଛା ହେଉଥିଲେ ମଧ୍ୟ ଯୁବକ କିଛି କହି ପାରିଲାନାହିଁ । ବୃଦ୍ଧ ରମାର ପ୍ରଶଂସା କରିବାକୁ ଲାଗିଲେ-ଆଜି ରନ୍ଧା ଅତି ସୁନ୍ଦର ହୋଇଛି । ଯୁବକ ଈଷତ୍‌ ହସି ମୁହଁମୋଡ଼ି ରହିଲା ।

ରାତି ପାହିଲା । ଯୁବକ ଉଠି ବାହାରକୁ ଆସି ଦେଖିଲା ଯେ, ରମା ସମ୍ମାର୍ଜନୀ ହସ୍ତରେ ଘରଦ୍ୱାର ଓଳାଇ ପରିଷ୍କାର କରୁଛି । କୁଟାଟିଏ, ଘାସଟିଏ ପର୍ଯ୍ୟନ୍ତ ରମା ସଫା କରି ପାଣି ସିଞ୍ଚି ପୁନର୍ବାର ଓଳାଇ ପରିଷ୍କାର କରିଦେଲା । କୂଅମୂଳକୁ ବାସନ ମାଜିବାକୁ ନେଇଗଲା । ଯୁବକ ଦୁଆରେ ଠିଆ ହୋଇ ଦେଖୁଥାଏ, ରମା ଏକମନ ଏକଧ୍ୟାନରେ ତାର ନିଜ କାର୍ଯ୍ୟରେ ବ୍ୟାପୃତା । ବାସନ ମାଜି ରମା ଲୋଟାରେ ପାଣି ଘେନି ଫେରିଆସିଲା । ଯୁବକକୁ ଅଗଣାରେ ଠିଆ ହୋଇଥିବାର ଦେଖି ତଳକୁ ମୁହଁ ପୋତି ଟିକିଏ ହସିଲା । ଯୁବକ ପଚାରିଲା, ‘‘ନିଜେ ଏତେ ପରିଶ୍ରମ କରି ଏ ସବୁ କାର୍ଯ୍ୟ ନ କଲେ କ’ଣ ଚଳିବନାହିଁ ?’’

ରମା କିଛି ଉତ୍ତର ନ ଦେଇ ହସି ହସି ଧୀର ପଦକ୍ଷେପରେ ଚାଲିବାକୁ ଲାଗିଲା । ଯୁବକ ଟିକିଏ ଲଜ୍ଜିତ ହେଲା; ପୁଣି ପଚାରିଲା, ‘‘ପଣ୍ଡିତ ମହାଶୟ ଉଠିନାହାନ୍ତି କ’ଣ ଏତେବେଳଯାଏ ?’’ ରମା ଉତ୍ତର ଦେଲା, ‘‘ନା ।’’

କଣ୍ଠସ୍ୱର ଶୁଣି ଯୁବକ ତାର ଜୀବନଯାକ କଟାଇଦେବାକୁ ବୋଧହୁଏ ପ୍ରସ୍ତୁତ ହୁଅନ୍ତା । ‘ନା’–କେଡ଼େ ମଧୁର କଥାଟିଏ ! ଅନ୍ୟମନସ୍କ ଭାବରେ ଲୋଟାରୁ ପାଣି ନେଇ ମୁହଁ ଧୋଇ ବୃଦ୍ଧଙ୍କ ଅପେକ୍ଷାରେ ସେ ବସିରହିଲା । ରମା ହାଣ୍ଡିଶାଳ ପରିଷ୍କାର କରି ଦେଇ ସ୍ନାନ କରି ଫେରିଆସିଲା । ସଦ୍ୟସ୍ନାତା ରମାର ମୂର୍ତ୍ତି ଅତି ନିପୁଣ ଚିତ୍ରକରାଙ୍କିତ ଅନିନ୍ଦ୍ୟ ଛବି ପରି ଯୁବକ ଆଗରେ ଭାସିଯିବାକୁ ଲାଗିଲା ।

ହରିନାମ ସ୍ମରଣ କରି ବୃଦ୍ଧ ଶଯ୍ୟା ତ୍ୟାଗ କଲେ । ବାହାରେ ଯୁବକକୁ ଦେଖି କହିଲେ– ‘‘ଆଜି ଅନେକ ବେଳଯାଏ ଶୋଇପଡ଼ିଲି । ଯା ବାପ, ଶୀଘ୍ର ଶୀଘ୍ର ନିତ୍ୟକର୍ମ ଶେଷ କରିପକା ।’’

‘‘ମତେ ଆଜି ସ୍ଥାନାନ୍ତରକୁ ଯିବାକୁ ପଡ଼ିବ ମହାଶୟ, ବିଦାୟ ଦିଅନ୍ତୁ ।’’

‘‘ନା, ବାପ, ଯେବେ ଦେଖାଦେଇଛୁ, ଏତେ ଚଞ୍ଚଳ ବିଦାୟ ଦେଇ ପାରିବିନାହିଁ । କେବେ ବିଦାୟ ଦେଇପାରିବି କି ନା ସନ୍ଦେହ ।’’

‘‘ମୁଁ ତ ଆଉ ବେଶିଦିନ ଏଠାରେ ଅପେକ୍ଷା କରି ପାରିବିନାହିଁ, ମୋର ଅନେକ କାର୍ଯ୍ୟ ବାକି ପଡ଼ିଛି ।’’

‘‘ଏତେ ଛଳନା କଲେ ଚଳିବନାହିଁ, ବାପ ! କାଲି ତ କହିଲୁ, ତୋର କିଛି କାର୍ଯ୍ୟନାହିଁ, ମନ ଇଚ୍ଛାରେ ବୁଲୁଛୁ ବୋଲି ।’’

ଯୁବକ ଟିକିଏ ଲଜ୍ଜିତ ହେଲା । ବାସ୍ତବିକ ଯେ ସେ ଏତେ ଶୀଘ୍ର ବିଦାୟ ନେଇ ଯିବାକୁ ପ୍ରସ୍ତୁତ ଥିଲା, ତା ନୁହେଁ । ନିତ୍ୟକର୍ମ ଶେଷ କରି ଯୁବକ ଘରକୁ ଆସି ଦେଖେ ଯେ ରାଜବଲ୍ଲଭ ଘର ଛାଡ଼ି କୁଆଡ଼େ ଯାଇଛନ୍ତି । ସୁବିଧା ଦେଖି ଧୀର ପଦକ୍ଷେପରେ ହାଣ୍ଡିଶାଳକୁ ଗଲା । ଦେଖିଲା, ଅର୍ଦ୍ଧ ଅନାବୃତଶରୀର ରମା ମନ ଲଗାଇ ରାନ୍ଧୁଛି । ଅଯତ୍ନସମ୍ପାଦିତ କେଶଗୁଚ୍ଛ ଦୁଇ କାନ୍ଧ ପାଖରେ ଝୁଲିପଡ଼ିଛି । ଚୁଲି ଜଳୁଥିବା ଅଗ୍ନିର ତେଜ ରମାର ମୁଖମଣ୍ଡଳରେ ପଡ଼ି ଲଜ୍ଜିତ ହୋଇଛି । ଦେହରେ ତାର କିଛି ଅଳଙ୍କାରନାହିଁ– ହାତରେ ଦୁଇପଟ ଶଙ୍ଖା, କପାଳରେ ସିନ୍ଦୂରଟୋପା, ବେକରେ ମାଳି, ଗୋଡ଼ରେ ଯୋଡ଼ିଏ ପା-ପଦ୍ମ । ରମା ଯୁବକକୁ ଦେଖି ଦେହ ସଙ୍କୁଚିତ କରି ବସିଲା । ଯୁବକ ପଚାରିଲା, ‘‘ରମା ! ତୁମ୍ଭର ବିବାହ ହୋଇଛି ?’’

ଏପରି ପ୍ରଶ୍ନର ଉତ୍ତର ଦେବାପାଇଁ ରମା ଆଦୌ ପ୍ରସ୍ତୁତ ନ ଥିଲା । କିଛି ଉତ୍ତର ଦେଇ ନ ପାରି ଟିକିଏ ମୁଣ୍ଡ ହଲାଇ ଦେଇ ପୁଣି ନିଜ କାର୍ଯ୍ୟରେ ମନ ଦେଲା । ଯୁବକ ସାହସ ଉପରେ ନିର୍ଭର କରି ପୁଣି କହିଲା, ‘‘ରମା ! ମୁଁ ଆଜି ଚାଲିଯାଉଛି । ମୁଁ ବାହାରିଗଲେ ତୁମେ ଟିକିଏ ହେଲେ ବ୍ୟସ୍ତ ହେବନାହିଁ କି ?’’

ଉତ୍ତେଜିତ ଫଣିନୀ ପରି ରମା ଉତ୍ତର ଦେଲା, ‘‘କେତେ ଲୋକ ନିତିକୁ ନିତି ପିତାଙ୍କ ସଙ୍ଗରେ ଆସନ୍ତି, ରାନ୍ଧିବାଢ଼ି ଖାଇବାକୁ ଦିଏଁ । ସେମାନେ ଚାଲିଯାଆନ୍ତି । କାହିଁ କାହାରିପାଇଁ ତ ମୋ ମନ କେବେ ବ୍ୟସ୍ତ ହୋଇନାହିଁ।’’

ନିଶ୍ୱାସ ରୁଦ୍ଧ କରି ଏତେଗୁଡ଼ାଏ କଥା ଶୁଣି ଯୁବକ ପଚାରିଲା, ‘‘ମୁଁ କ’ଣ ସମସ୍ତଙ୍କ ସଙ୍ଗରେ ସମାନ ରମା !’’

‘‘ସମାନ ନୁହେଁ ଆଉ କ’ଣ, ମୁଁ କିଛି ବୁଝିପାରୁନାହିଁ ।’’

‘‘ନାହିଁ ପୁଣି ସତ କହ ରମା, ମନ ବ୍ୟସ୍ତ ହେବନାହିଁ ?’’

‘‘ବ୍ୟସ୍ତ ହେବା କ’ଣ ମୁଁ ଜାଣେନାହିଁ । ମୁଁ ଜାଣେ, ମୋର କର୍ତ୍ତବ୍ୟ । ଅଜ୍ଞାନ ଅବସ୍ଥାରୁ ମା’ ଚାଲିଯାଇଥିଲେ, ପାଞ୍ଚବର୍ଷ ହେଲା ଭାଇ ଚାଲିଗଲା । ପିତାଙ୍କ ଆଦେଶ ପାଳି ଦିନେ ହେଲେ ଦୁଃଖ କରିନାହିଁ, ବ୍ୟସ୍ତ ହୋଇନାହିଁ । ପିତା ନିଜେ କେତେ ବ୍ୟସ୍ତ ହେଲେ, ତାଙ୍କୁ ବୁଝାଇଲି, ତାଙ୍କରି ପାଠ–ସଂସାର ଅନିତ୍ୟ । ଜଣେ ଏଥିରେ କର୍ତ୍ତା । ତାଙ୍କରି ଇଚ୍ଛାନୁସାରେ ସବୁ ହେଉଛି । ଆମେ କିଏ ତାଙ୍କ କାର୍ଯ୍ୟରେ ଦୁଃଖ ଶୋକ କରିବା ? ମତେ ଏଡ଼େ ନିର୍ବୋଧ ମନେକରନାହିଁ ଯେ, ତୁମେ ଚାଲିଗଲେ ଦୁଃଖ କରିବି । ପାଣିରେ ଗାର ଟାଣିଲା ପରି ତୁମ ସ୍ମୃତି କ୍ଷଣକେ କାହିଁ ଉଭେଇଯିବ ।’’

ରମା ଅତି ସହଜରେ ଏତେଗୁଡ଼ାଏ କଥା କହିଗଲା– ଚକ୍ଷୁ ତାର ସ୍ଥିର, ବିଷ୍ଫାରିତ । ମୁଖଭଙ୍ଗୀରେ କପଟତାର ଚିହ୍ନ ନ ଥିବାର ଯୁବକ ଦେଖିଲା । ଯୁବକ ମନେକଲା, ଏ ବାଳିକା ଯେ ଅସାମାନ୍ୟ ! ରୂପରେ ଯେପରି, ଗୁଣରେ ମଧ୍ୟ ଜଗତ୍‌ରେ ଏ ଗୋଟିଏ ପ୍ରହେଳିକା ! ପୁଣି ଯୁବକ କହିଲା– ‘‘ତେବେ କ’ଣ ତୁମେ କେବେ ସୁଖ ଅନୁଭବ କରିନାହଁ ?’’

‘‘ହଁ, କରିଛି-ନିଜର କର୍ତ୍ତବ୍ୟପାଳନରେ ସୁଖ ସବୁବେଳେ ଅନୁଭବ କରେଁ । ଦୁଃଖର ଭାବନା ପ୍ରାଣପଣେ ମନରୁ ବିତାଡ଼ିତ କରି ମୁଁ ସୁଖ ପାଇଛି । ଜାଣି ଶୁଣି ଦୁଃଖକୁ ଡାକିଆଣି ମନ ବ୍ୟସ୍ତ କରିବାଠାରୁ ବଳି ନିର୍ବୁଦ୍ଧିତାର କାର୍ଯ୍ୟ ଆଉ କିଛିନାହିଁ ।’’

ଏହି ସମୟରେ ପଣ୍ଡିତ ରାଜବଲ୍ଲଭ କେତେକ ପନିପରିବା ଘେନି ପହଞ୍ଚିଯିବାରୁ ଗପ ବନ୍ଦ ହୋଇଗଲା । ଯୁବକ ଲଜ୍ଜାରେ ଚାଲିଆସିଲା । ମାତ୍ର ରମାକୁ ଲଜ୍ଜା ସ୍ପର୍ଶ କରିନାହିଁ; ସେ ତାର ସ୍ୱଭାବସୁଲଭ ଧୀର ପଦକ୍ଷେପରେ ଚାଲିଆସି ପିତାଙ୍କ ହାତରୁ ପନିପରିବା ନେଇଗଲା ।

ଯୁବକ ଭାବିବାକୁ ଲାଗିଲା-କେଉଁ ଦୈବଯୋଗରେ ତାର ରାଜବଲ୍ଲଭଙ୍କ ସଙ୍ଗେ ସାକ୍ଷାତ୍‌ ହେଲା; କାହାରି ନିକଟରେ ସଙ୍କୁଚିତ ବା ଲଜ୍ଜିତ ହେବାକୁ ସେ ଚିରଦିନ ଦୁର୍ବଳତା ମନେ କରି ତାହା ପରିହାର କରି ଆସିଛି । କେଡ଼େ କେଡ଼େ ପଣ୍ଡିତମାନଙ୍କୁ ପିଲାଦିନୁ ଯୁକ୍ତିତର୍କରେ ପରାସ୍ତ କରିବାର ପ୍ରାୟସ ପାଇଛି । କେହି କାଳେ ଧନମଦରେ ମତ୍ତ ହୋଇ ଗରିବ ବୋଲି, ନିର୍ଦ୍ଧନ ବୋଲି ତାକୁ କେବେ ଅପମାନିତ, ଲାଞ୍ଛିତ କରିବ ଭାବି ନିଜେ ଧନୀ ହେବାପାଇଁ ସେ ଅଘଟନ ଘଟାଇ ପାରିଛି । ସେହି ସେ ଆଜି ତାର ଏପରି ହୃଦୟଦୌର୍ବଲ୍ୟ କାହିଁକି ? କାହିଁକି ଆଜି ତାର ମନେହେଉଛି, ବୃଦ୍ଧ ରାଜବଲ୍ଲଭଙ୍କ ସଙ୍ଗରେ, ରମା ସଙ୍ଗରେ ତାରି ବ୍ୟବହାରରେ ଯେପରି ମସ୍ତ ଅଭଦ୍ରତା ପ୍ରକାଶ ପାଇଛି । ଯୁବକ ଯେତେ ଚିନ୍ତା କଲା, ଯେତେ ଆତ୍ମସମର୍ଥନର ଚେଷ୍ଟା କଲା– ସବୁ ବିଫଳ ହେଲା-। ମନେ ହେଲା ସେ ନିଜେ ଦୁର୍ବଳ, ରମା ଆଜି ସ୍ପଷ୍ଟ କରି ତାକୁ ଦେଖାଇଦେଇଛି । ପୁଣି ମନେ ହେଲା, ରମାର ପବିତ୍ରତା ତା’ଠାରୁ ଅନେକ ବେଶି । ତା ନ ହୋଇଥିଲେ ସେ ଏପରି ଭାବରେ ତାକୁ ଅପଦସ୍ଥ କରିବାକୁ କଦାପି ସମର୍ଥ ହୋଇ ନ ଥାନ୍ତା ।

ବୃଦ୍ଧ ରାଜବଲ୍ଲଭଙ୍କ ସଙ୍ଗେ ବସି ଯୁବକ ଆହାର କଲା । ବୃଦ୍ଧ ପଚାରିଲେ, ‘‘ତତେ ଦେଖିବା ବେଳୁଁ ମୁଁ ପୁନର୍ଜୀବନ ପାଇଛି । ବାପା, ମତେ ନିରାଶ କରି କେବେ ଛାଡ଼ିଯିବୁନାହିଁଟି ?’’

‘‘ମତେ କିନ୍ତୁ ଯିବାକୁ ପଡ଼ିବ, ମୁଁ ଏଠାରେ ବେଶି ଦିନ ରହିପାରିବିନାହିଁ । ଦେଶରେ ଘରଦ୍ୱାରନାହିଁ, ଖଣ୍ଡେ ଘର ତିଆରି କରାଇବାର ବରାଦ କରିଛି ।’’

‘‘ତୁ କୁଆଡ଼େ ଯିବୁ ବାପ ? ସେ କଥା ହବନାହିଁ ।’’

ରମା ଦୁଆରବନ୍ଧକୁ ଆଉଜି ସବୁ ଶୁଣୁଥିଲା । ପିତାଙ୍କର ଏପରି ଭାବ ଦେଖି କହିପକାଇଲା, ‘‘ତାଙ୍କ କାର୍ଯ୍ୟରେ ସେ ଯିବେ ବାପା ! ଆପଣଙ୍କର ଏତେ ଆପତ୍ତି କାହିଁକି ?’’

ବୃଦ୍ଧ– ‘‘ସବୁ ତତେ କହିଛି ମା’ ! ତୋ କୋମଳ ହୃଦୟରେ ବ୍ୟଥା ନ ଲାଗୁ, କେବଳ ଏଥିପାଇଁ ମୁଁ ତତେ ସଂସାରର ଅନିତ୍ୟତା ବୁଝାଇଛି । ମାତ୍ର ଦେଖିଛୁ ରମା, ମୁଁ କେଡ଼େ ଦୁର୍ବଳ । ଏ ପୋଡ଼ା ମନର ବେଦନା ବୁଝିଛୁ କି ରମା ? ଦେବ ଚାଲିଗଲା ଦିନୁଁ ମତେ ସବୁ ଅନ୍ଧାର–ମୋର ବିଦ୍ୟାବୁଦ୍ଧି, ଶାସ୍ତ୍ରଚର୍ଚ୍ଚା ଲୋପ ପାଇଛି, ଜାଣୁ କି ? କାଲିଠାରୁ ୟାକୁ ପାଇଲାବେଳୁ ମୁଁ ମୋ ଦେବକୁ ପାଇଛି–ଏତେ ଅଳ୍ପଦିନ ପରେ ଏହି ଜୀବନରେ ପାଇଛି, କେଡ଼େ ଦୟା ଭଗବାନଙ୍କର ! ଏ ରତ୍ନ ପାଇ ସ୍ୱଚ୍ଛନ୍ଦରେ ଛାଡ଼ି ପାରିବି କି ରମା ?’’

ରମା ମୁଖ ଭାର କରି ଚାଲିଗଲା ।

ଯୁବକ– ‘‘ଶୁଣିଛି, ଆପଣ କାଶ୍ମୀରର ବଡ଼ ପଣ୍ଡିତ । ମୋ ପରି ଅକିଞ୍ଚନ ଲୋକ ଆପଣଙ୍କର କେଉଁ କାର୍ଯ୍ୟରେ ଲାଗିବ ? ତା ପରେ ମୋର ଭାଇ-ବନ୍ଧୁ, ଆତ୍ମୀୟ-ସ୍ୱଜନମାନଙ୍କୁ ଛାଡ଼ି ମୁଁ ଏଠାରେ କିପରି ରହିବି ? ବର୍ତ୍ତମାନ ମୁଁ ବହୁ ଧନସମ୍ପତ୍ତିର ମାଲିକ–ଅନ୍ୟ ଲୋକମାନଙ୍କ ଉପରେ କାର୍ଯ୍ୟଭାର ଦେଇ ବୁଲୁଛି । ଚିରକାଳ ତ ଏପରି ରହିପାରିବିନାହିଁ ।’’

‘‘ଭଲ କଥା ବାପ ! ଚାଲ ଆମେ ତୁମରି ଦେଶକୁ ଯିବା, ସେଠାରେ ରହିବା ।’’

‘‘ଆଶ୍ଚର୍ଯ୍ୟ କଥା, ଆପଣ ମୋ ସଙ୍ଗରେ ଯାଇ ଏତେ କଷ୍ଟ ପାଇବେ କାହିଁକି ? ଏଠାରେ ଆପଣ ମାନମର୍ଯ୍ୟାଦାରେ, ପାଣ୍ଡିତ୍ୟରେ କାହାଠାରୁ ନ୍ୟୂନ ? ଆପଣ ଏପରି ଚାଲିଗଲେ ଏଠାରେ ଲୋକ କ’ଣ କହିବେ ?’’

‘‘ଯାହା ଇଚ୍ଛା କହନ୍ତୁ ବାପ, ମୋର ଲୋକମତକୁ ଆଉ ଭୟନାହିଁ । ମୋର ପାଣ୍ଡିତ୍ୟ, ମାନ-ମର୍ଯ୍ୟାଦା ସବୁ ମୋ ନିକଟରେ ବିଷ ହୋଇଯାଇଛି । ଅନ୍ତର୍ଯ୍ୟାମୀ ଜାଣନ୍ତି, କାହିଁକି ମୁଁ ତତେ ଏପରି କହୁଛି । ଏଠାରେ କିଛି ଦିନ ଅପେକ୍ଷା କର । ଆତ୍ମୀୟ-ସ୍ୱଜନମାନଙ୍କଠାରୁ ବିଦାୟ ନେଇ ଆମ୍ଭମାନଙ୍କୁ ଯିବାକୁ ହେବ ।’’

‘‘ତାହାହେଲେ ରମାକୁ କାହା ନିକଟରେ ଛାଡ଼ି ଦେଇ ଯିବେ, ତାର ଦଶା କଅଣ ହେବ-?’’

‘‘ଏଡ଼େ ପାଗଳ ହେଲୁ, ବାପ ! ରମାକୁ ଛାଡ଼ି ମୁଁ କ୍ଷଣେ କେଉଁଠି ରହି ପାରେ ? ଜନ୍ମ ସମୟରୁ ମୁଁ ତାର ପିତାମାତା । ମୋ କଥାରେ ତାର ଅପାର ବିଶ୍ୱାସ । ମୋଠାରୁ ଶୁଣିଛି–ଅତିରିକ୍ତ ଆସକ୍ତି ମନୁଷ୍ୟର ଦୁଃଖର କାରଣ । ସେହି ଦିନଠାରୁ ଆସକ୍ତିର ବହୁ ଦୂରରେ ରହିବାକୁ ସେ ଚେଷ୍ଟା କରିଛି । କିନ୍ତୁ ବାପ, ବୁଢ଼ାର ଦଶା ଯେପରି, ସେହିପରି ଦେବ ଥିବାବେଳେ ସବୁ ଉପଦେଶ ଓ ଶାସ୍ତ୍ରାଲୋଚନାରେ ମୋର ବିଶ୍ୱାସ ଥିଲା । ଦେବ ସେ ସବୁ ବିଶ୍ୱାସ-ବନ୍ଧ ଭାଙ୍ଗି ଚାଲିଗଲା । ଏତେ ଆସକ୍ତି ଘାତ ପ୍ରତିଘାତରେ ହୃଦୟର କେଉଁ କୋଣରେ କିପରି ଲୁଚି ରହିଥିଲା କେ ଜାଣି–ଯେପରି ବନ୍ଧ ଭାଙ୍ଗି ଉଛୁଳି ପଡ଼ିଲା । ଉପାୟନାହିଁ, କରିବି କ’ଣ ବାପ ? ଭାବୁଛି, ଦୁର୍ବଳତାରେ ଯେପରି ଏ ପ୍ରାଣ ଗଢ଼ା-ଅସ୍ୱୀକାର କରିବାର ଉପାୟନାହିଁ । ରମା ନିକଟରେ ମୋର ଏ ଭାବପରିବର୍ତ୍ତନ ପ୍ରକାଶ କରିନାହିଁ-କାଳେ ଯଦି ମୋର ସେହି ସ୍ନେହର ପୁତ୍ତଳୀ–ଶେଷ ସମ୍ୱଳ ମୋର–ମୋ ପରି ଦୁଃଖରେ ଘାଣ୍ଟି ହେବ– ଏହି ଭୟରେ । ଚାଲ ବାପ, ନା–ଆଉ ଏ ଦେଶରେ ନୁହେ । ଚାଲ, ସମସ୍ତେ ତୁମ ଦେଶକୁ ଯିବା ।’’

ସେ ତ ମୋର ଭାଗ୍ୟ ହେବ । ମୋର କେହିନାହିଁ– ଆପଣ ପିତୃ ତୁଲ୍ୟ ମୁରବି ମୋର-। ମୋର ଗୃହ-ସଂସାର ହସିଉଠିବ । ତେବେ ଆପଣ ଏତେ–’’

‘‘ନା, ଆଉ ସେଥିରେ ଦ୍ୱିଧା କରନାହିଁ । ଯିବାକୁ ହେବ ।’’

•••

 

ତ୍ରୟୋଦଶ ପରିଚ୍ଛେଦ

 

ଯାଜପୁର ଆଜିକାଲି ଖାଲି କଂପୁଛି । ପ୍ରାୟ ଦୁଇ ବର୍ଷ ହେବ, ଦୁଇ ଜଣ ଭାଟିଆ ସୌଦାଗର ଆସି ଏକ ପ୍ରକାଣ୍ଡ ପ୍ରାସାଦ ତୋଳାଉଛନ୍ତି । ଲୋକାଳୟରୁ ଟିକିଏ ଦୂରରେ ପଚିଶ ମାଣ ଜମି ଖରିଦ ହୋଇ ଚାରି ପାଖରେ ପାଚେରି ବୁଲିଗଲାଣି । ମଝିରେ ପ୍ରକାଣ୍ଡ ପ୍ରାସାଦ ଆସି ଶେଷ ହେବା ଉପରେ । ହତା ଭିତରେ ଦିଓଟି ପ୍ରକାଣ୍ଡ ପୁଷ୍କରିଣୀ ଖୋଳାଯାଇ ଘାଟ ବନ୍ଧା ଯାଇଛି, ହଂସରାଳି ଖେଳୁଛନ୍ତି । ପୋଖରୀ ଚାରିପଟ ବନ୍ଧ ଉପରେ ଗୁଆଗଛ, ନଡ଼ିଆଗଛ ଲାଗି ବଡ଼ ସୁନ୍ଦର ଦେଖାଯାଉଛି । ଦୁଇ ପୋଖରୀ ମଝିରେ ପୁଷ୍ପ-ଉଦ୍ୟାନ । ନାନା ଦେଶର ବିଭିନ୍ନ ପ୍ରକାରର ଗୋଲାପ, ଚମ୍ପା, ଯୁଇ, ଜାଈ, ମଲ୍ଲୀ, ଟଗର ଗଛମାନ ଲଗାଯାଇଛି । ଉଦ୍ୟାନ ମଝିରେ ଛୋଟ ଛୋଟ ରାସ୍ତା ଓ ମଧ୍ୟେ ମଧ୍ୟେ ବସିବାର ସ୍ଥାନ ଠିକ୍‌ ହୋଇଛି । ପୁଷ୍ପଉଦ୍ୟାନର ପଛକୁ ଆମ୍ୱ, ପଣସ, ଚାଉଳିଆ, ଚମ୍ପା, କାଠିଆ, ପାଟକପୁରା କଦଳୀବନ, ଲାଉ, କଖାରୁ, ମୂଳା, ସୋରିଷ, ହରଡ଼ ଆଦି ଫସଲର କିଆରି ବଡ଼ ସୁନ୍ଦର । ପ୍ରାସାଦର ଏକ ପାଖରେ ପାଚେରି ନିକଟକୁ ଲାଗି ଘୋଡ଼ା ପାଗା–କୋଡ଼ିଏ ପଚିଶଟି ବିଭିନ୍ନ ରଙ୍ଗର ଘୋଡ଼ା ବନ୍ଧାଯାଇଛନ୍ତି । ସେହିପରି ଆର ପାଖରେ ଗାଈ ଗୁହାଳ–ଶହେ ଖଣ୍ଡେ ବଡ଼ ବଡ଼ ଗାଈ–ପାଟଣା, ଗୟା, ମଥୁରା ଜିଲ୍ଲାମାନଙ୍କରୁ କିଣା ହୋଇ ଆସିଛନ୍ତି । ଘୋଡ଼ା ପାଗା ଓ ଗାଈ ଗୁହାଳ ନିକଟରେ ଚାକରମାନଙ୍କର ରହିବା ଘର-। ପ୍ରାସାଦ ପଛ ପଟରେ ରୋଷେଇଶାଳ ଓ ଦାସୀ ପୋଇଲୀ ପରିବାରୀମାନଙ୍କ ରହିବା ଘର ତୋଳାଯାଇଛି ।

ପ୍ରାସାଦର ଭିତର କାର୍ଯ୍ୟ ଆସି ଶେଷ ହେଲାଣି, ବାହାର ପଲସ୍ତଲା ଓ ନକ୍‌ସା କାମ ହେଉଛି । ପ୍ରାସାଦଟି ଦୋମହଲା–ଅସଂଖ୍ୟ ସାନ ବଡ଼ କୋଠରି–ଶୋଇବା ଘର, ପଢ଼ିବା ଘର, ନିଭୃତ ଚିନ୍ତାକରିବା ଘର, ଉପାସନା କରିବା ଘର, ଗାଧୁଆ ଘର, ଖାଇବା ଘର, ଭଣ୍ଡାର ଘର ଇତ୍ୟାଦି । ସବୁ ଘର ରୀତିମତ ସଜା ହୋଇ ସୁନ୍ଦର ଦିଶୁଛି । ଶୋଇବା ଘର ତଳେ ଗାଲିଚା ବିଛାଯାଇଛି । କାନ୍ଥ ଓ ଛାତ ତଳ ସୁନ୍ଦର ମଖମଲ କନାଦ୍ୱାରା ଆବୃତ ହୋଇଛି । ବଡ଼ ବଡ଼ ଦର୍ପଣ ଯଥାସ୍ଥାନରେ ଖଞ୍ଜାଯାଇ ଘରକୁ ପଶିଯିବା ମାତ୍ରକେ ଅନେକ ପ୍ରତିବିମ୍ୱ ପ୍ରତିଫଳିତ ହୋଇଯାଉଛି ।

ଏପରି ଘରଟାଏ ଏକା ଯାଜପୁର କାହିଁକି, ଆଡ଼େ ଦୀର୍ଘେ ଦଶ କୋଡ଼ିଏ କୋଶରେ ଅଛି କି ନା, ସନ୍ଦେହ । ଏତେ ଦିନ ହେଲା ଘର ତୋଳା ହେଲାଣି, ତଥାପି ଏ ଘରର ମାଲିକ କିଏ କେହି ଜାଣନ୍ତିନାହିଁ । ପ୍ରଥମେ ଲୋକେ ମନେ କରିଥିଲେ, ଭାଟିଆ ସୌଦାଗରଙ୍କ ଏ ଘର; ବ୍ୟବସାୟବାଣିଜ୍ୟ କରିବାପାଇଁ ସେମାନେ ଏପରି ଘର ତିଆରି କରୁଛନ୍ତି । ପରେ ସେହି ସୌଦାଗରଙ୍କଠାରୁ ବୁଝାଗଲା ଯେ, ଘର ସେମାନଙ୍କର ନୁହେଁ । ସେମାନେ ଜଣେ ଶେଠଙ୍କର ଚାକରସ୍ୱରୂପ କାର୍ଯ୍ୟ କରାଉଛନ୍ତି । ଶେଠଜୀ ଦେଶ-ବିଦେଶ ବୁଲି ଆସୁଛନ୍ତି, ଘର ତିଆରି କାମ ଶେଷ ହେବାର ଖବର ପାଇଲେ ଏଠାରେ ଆସି ରହିବେ । ଯାଜପୁରର ପ୍ରାୟ ପ୍ରତ୍ୟେକ ଉତ୍କଣ୍ଠିତ ହୋଇ ଚାହିଁ ରହିଛନ୍ତି ଶେଠଜୀଙ୍କୁ ଦେଖିବାକୁ ।

କ୍ରମେ ଘରକାମ ସବୁ ଶେଷ ହୋଇଗଲା । ବାହାର ଚିତ୍ର ବିଚିତ୍ର ହୋଇ ଉଦ୍ୟାନ ସମେତ ପ୍ରାସାଦଟି ଗୋଟିଏ ମାୟାପୁରୀ ପରି ପ୍ରତୀୟମାନ ହେଉଛି । ଘରକାମ ଶେଷ ହେଲା, ତଥାପି ଶେଠଜୀଙ୍କର ଦେଖାନାହିଁ । ଏହିପରି କେତେକ ମାସ ଅତୀତ ହେବା ପରେ ଖବର ଆସିଲା, ଶେଠଜୀ ଆର ମାସ ଦଶ ତାରିଖରେ ବିଜେ କରିବେ । ଲୋକେ ଉଦ୍‌ବିଗ୍ନ ହେଲେ । ସୌଦାଗରମାନେ କହିଛନ୍ତି, ଶେଠଜୀ ପ୍ରଥମ ଗୃହ ପ୍ରବେଶ କଲା ଦିନ ପ୍ରତ୍ୟେକ ମିଷ୍ଟାନ୍ନ ଭୋଜନ ପାଇବେ । ତା ପରେ ବଡ଼ ଭୋଜି ହେବ ।

ସତକୁ ସତ ଆସିବା ଦିନ ସକାଳୁ ମର୍ଦ୍ଦଳ, କାହାଳି, ଶଙ୍ଖ, ମହୁରି ଓ ବଡ଼କାଠ ବାଜିଉଠିଲା । ଦେଖୁ ଦେଖୁ ବାଜାଦାର, ଯାତ୍ରାଦଳ, ପାଲାବାଲା ଚାଲିଆସିଲେ । ଏହିପରି ଅନେକ ସମୟ ପରେ ପ୍ରାୟ ବେଳ ପହରେ ସରିକି ଶୁକ୍ଳବସ୍ତ୍ରପରିହିତ, ଦୀର୍ଘ ଶୁକ୍ଳ ଶ୍ମଶ୍ରୁ ବିଶିଷ୍ଟ ଜଣେ ବୃଦ୍ଧ ଗୋଟିଏ ବୃହତ୍‌ ସବାରିରେ ବସି ଆସୁଛନ୍ତି । ଲୋକେ ମନେକଲେ, ଏହି ଶେଠଜୀ । କିଏ କହିଲା– ‘‘ନାହିଁ ମ, ଶେଠଜୀ ତ ଶୁଣିଛୁଁ ଭେଣ୍ଡିଆ । ଏ ବୁଢ଼ା ତାଙ୍କ ବାପ ହେବେ ପରା !’’

ଆହୁରି କିଛି ସମୟ ପରେ ମନୋରମ କାରୁକାର୍ଯ୍ୟଖଚିତ ହସ୍ତିଦନ୍ତ ପାଲିଙ୍କିରେ ବସି ସୁଶୋଭନ ତେଜୀୟାନ ଯୁବକ । ସମସ୍ତେ ଆନନ୍ଦରେ ନାଚି ଉଠିଲେ– ଏହି ଶେଠଜୀ । ଦୁଇ ପାର୍ଶ୍ୱରେ ଟଙ୍କା, ପଇସା, କଉଡ଼ି ବିଞ୍ଚାଯାଉଛି; ଚାମର ଆଲଟ ପଡ଼ୁଛି । ସବା ପଛକୁ ଲାଲ ବନାତିଦ୍ୱାରା ଚାରିଦିଗ ଆଚ୍ଛାଦିତ ଗୋଟିଏ ସବାରି । ତା ପଛରେ ଭାରୁଆ, ବେଗାରି, ବୋଝାଇ ଶଗଡ଼ ପଣକୁ ପଣ । ତିନୋଟି ଯାନ ପ୍ରାସାଦ ଭିତରକୁ ପ୍ରବେଶଲାଭ କଲା । ବେଗାରି ବଜନ୍ତ୍ରୀମାନେ ବାଜା ବନ୍ଦ କରି ନିଜ ନିଜ କାର୍ଯ୍ୟରେ ଲାଗିଲେ । ସବୁ ଦେଖଣାହାରିମାନଙ୍କୁ ମିଷ୍ଟାନ୍ନ ବିତରଣ ହେଲା ।

ଆଜି ଯେଉଁଠିକି ଯିବ, ଖାଲି ଏହି ଗପ ପଡ଼ିଛି । କେତେ ପଇସା ଶେଠର ! କେଡ଼େ ବଡ଼ଲୋକ ସେ ! ଏପରି ପଲଟଣଟାଏ ଯାଜପୁରରେ କିଏ ଦେଖିଥିଲା କେବେ ?

ଆରଦିନ ସକାଳୁ ବାଜାବାଲା ଓ ଅନ୍ୟାନ୍ୟ ବେଗାରିମାନେ ମଜୁରି ଓ ପାରିତୋଷିକ ପାଇ ଚାଲିଗଲେ । ସେହିଦିନଠାରୁ ସାତ ଦିନ କାଳ ପ୍ରାସାଦରେ ହୋମ ଓ ବ୍ରାହ୍ମଣବରଣ ହେଲା । ଆଖପାଖ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇ ଭୂରିଭୋଜନ ଦିଆଗଲା । ଭଦ୍ରଲୋକମାନଙ୍କ ନିମନ୍ତ୍ରଣ ଦିନ ଯାଜପୁରର ଗଣ୍ୟମାନ୍ୟ ଅନେକ ଲୋକ ଆସି ଯୋଗ ଦେଇଥିଲେ । ରାମଚନ୍ଦ୍ର ମଙ୍ଗରାଜ ମାନଧାତା, ଶ୍ୟାମାନନ୍ଦ ଛାମୁକରଣ ଓ ଗୋବିନ୍ଦ, ଗୋପାଳ ଆଦି ସମସ୍ତ ଆସିଥିଲେ । ଚର୍ବ୍ୟ-ଚୋଷ୍ୟ-ଲେହ୍ୟ-ପେୟ ଓ ନାନାପ୍ରକାର ସୁସ୍ୱାଦୁ ଫଳ ପରିବେଷଣ କରାଗଲା । ଗୃହକର୍ତ୍ତା ଶେଠଜୀଙ୍କ ନାମ ଏପର୍ଯ୍ୟନ୍ତ କେହି ଶୁଣିନାହାନ୍ତି । ସେଠାରେ ସ୍ୱତଃ ଏ ପ୍ରଶ୍ନ ଉଠିଲା । ଯେ ଯେପରି ଶୁଣିଥିଲା, ସେପରି ବର୍ଣ୍ଣନା କରିବାକୁ ଲାଗିଲା । ଏପରି ସମୟରେ ନିଜେ ଶେଠଜୀ ବହୁମୂଲ୍ୟ ବସନଭୂଷଣ ଓ ହୀରକାଙ୍ଗୁରୀୟ ପିନ୍ଧି ସଭା ଦେଖିବାକୁ ବିଜେ କଲେ । ସମସ୍ତେ ସନ୍ତ୍ରସ୍ତଭାବରେ ଚାହିଁ ରହିଲେ । ମଙ୍ଗରାଜ ଓ ଛାମୁକରଣଙ୍କ ନିକଟକୁ ଆସି ବେଶି ବେଶି ଜିନିଷ ପରିବେଷଣ କରିବାକୁ ଆଦେଶ ଦେଲେ । ଶେଠଜୀ ଟିକିଏ ଦୂରକୁ ଚାଲିଯିବାରୁ ମଙ୍ଗରାଜେ କହିଲେ– ‘‘ଏ କ’ଣ ମୂଳିନାଥ କି ? ଆକୃତି ତ ସେହିପରି ଠିକ୍‌ ଦେଖାଯାଉଛି ।’’

ଛାମୁକରଣେ ହସି ହସି ଏ କଥା ଉପହାସରେ ଉଡ଼ାଇ ଦେଇ କହିଲେ– ‘‘ଆପଣ କ’ଣ ପାଗଳ ହେଲେଣି ନା କ’ଣ ? ମୂଳିଆଟା ! ପେଟକୁ ଦାନା ମିଳୁ ନ ଥିଲା, ସେ ପୁଣି ଏତେ ଆଡ଼ମ୍ୱର କରନ୍ତା କୁଆଡ଼ୁ ? ଏ ଶେଠଙ୍କ ଘର କାଶୀର ଦେଶରେ, ୟାଙ୍କ ନା ଧନପତି ଶେଠ । ଆମେ ପରା ପଚାରି ବୁଝିଅଛୁଁ ।’’

ଗୋବିନ୍ଦ, ଗୋପାଳ ଆଦି ସବୁ ବାଲ୍ୟସଙ୍ଗୀମାନେ ଛାମୁକରଣଙ୍କ ସଙ୍ଗେ ଏକମତ ହେଲେ । ମଙ୍ଗରାଜଙ୍କ କଥାଟା ବାଏଁ ବାଏଁ ଉଡ଼ିଗଲା । ଆର ପାଖରୁ ବୁଲି ଶେଠଜୀ ପୁଣି ଫେରି ଆସିଲେ– ଆସୁ ଆସୁ ମଙ୍ଗରାଜ ଓ ଛାମୁକରଣଙ୍କୁ ବିଶେଷ ଭାବରେ ଚାହୁଁଥାନ୍ତି– ମୁରୁକି ମୁରୁକି ହସୁଥାନ୍ତି । ଠିଆ ହୋଇ କହି ପକାଇଲେ– ‘‘ଆପଣମାନଙ୍କର ଆଉ କିଛି ଲୋଡ଼ା ? ଆମର ଏ ସବୁ ଆଡ଼ମ୍ୱର ଆପଣମାନଙ୍କ ମନକୁ ପାଉଛି ଟିକି ? ଏଥିପୂର୍ବରୁ ଭଲା ଆଉ କିଏ ଏପରି ଆଡ଼ମ୍ୱରରେ ଖିଆପିଆ କରାଇଥିଲା ?’’

ସମସ୍ତେ କହିଉଠିଲେ– ‘‘ନାହିଁ ଆଜ୍ଞା, ଶୁଣି ତ ନଥିଲୁଁ ଏପରି ଆଡ଼ମ୍ୱର, ପୁଣି ଦେଖିବାଯାଏ !’’

ଗୋପାଳ କହିପକାଇଲା– ‘‘କହିବା ହେଉ ନାହାନ୍ତି କାହିଁକି ମଙ୍ଗରାଜ ଆପଣେ, ଏପରି ପୁଣି କିଏ ଏଠାରେ କରିଥିଲା ? ଇମିତି ଘରଦ୍ୱାର, ଘୋଡ଼ା, ଗାଈଗୋରୁନାହିଁ ନ ଥିଲା କଥା !’’

ମଙ୍ଗରାଜେ ଓ ଛାମୁକରଣେ ଚୁପ୍‌ ମାରି ବସିଲେ, କିଛି କହିଲେନାହିଁ । ଶେଠଜୀ ଆତ୍ମପ୍ରସାଦ ଲାଭ କରି ଭାରି ଖୁସି ହେଲେ, ଗୋପାଳକୁ ଡକାଇ ଯୋଡ଼ାଏ ଲୁଗା, ପାଞ୍ଚୋଟି ଟଙ୍କା ପୁରସ୍କାର ଦେଲେ । ମନରେ ଅନେକଙ୍କର ବଡ଼ ସନ୍ଦେହ ହେଲା– ଏ ତ ସେହି ରୂପ, ସେହି ସ୍ୱର । ତେବେ ନାମ ଯେତେବେଳେ ଧନପତି ଶେଠ ବୋଲି କହୁଛନ୍ତି, ପୁଣି କାଶ୍ମୀରରେ ଘର । ହେଲେ ହୋଇଥିବ । ଏହା ଭାବି ସମସ୍ତେ ମନକୁ ମନ ବୁଝାଇ ଚାଲିଗଲେ ।

ପରଦିନ ପଣ୍ଡିତମାନଙ୍କର ସଭା ହେଲା । ଅନେକ ବଡ଼ ବଡ଼ ପଣ୍ଡିତ ଆସିଲେ । ନ୍ୟାୟ ବେଦାନ୍ତର ଆଲୋଚନା ଚାଲିଲା । ପଣ୍ଡିତ ରାଜବଲ୍ଲଭଙ୍କ ପାଣ୍ଡିତ୍ୟ ଦେଖି ସମସ୍ତେ ମୁଗ୍‌ଧ ହୋଇଗଲେ । କାଶ୍ମୀରର ରାଜସଭାର ପଣ୍ଡିତ ପୁଣି ଏଡ଼େ ବିଦ୍ୱାନ୍‌ । କେତେଟା କଥାବାର୍ତ୍ତାରେ ପଣ୍ଡିତ ରାଜବଲ୍ଲଭ ସଙ୍ଗେ ଯାଜପୁରର ପଞ୍ଚାନନ ତର୍କବାଚସ୍ପତିଙ୍କର ଘନିଷ୍ଠତା ହୋଇଗଲା । ପଣ୍ଡିତମାନଙ୍କପାଇଁ ଲୁଗା ଓ ଦକ୍ଷିଣାର ବନ୍ଦୋବସ୍ତ କରାଯାଇଥିଲା । ଶାସ୍ତ୍ରଚର୍ଚ୍ଚା ପରେ ପଣ୍ଡିତମାନେ ଖାଇପିଇ ଦକ୍ଷିଣା ଓ ଲୁଗା ନେଇ ଶେଠଜୀଙ୍କର ଜୟଧ୍ୱନି କରି ଯେ ଯାହା ଘରକୁ ଚାଲିଗଲେ । ରାଜବଲ୍ଲଭଙ୍କ ସଙ୍ଗ ଛାଡ଼ି କେବଳ ବାଚସ୍ପତି ମହାଶୟ ଯାଇ ପାରିଲେନାହିଁ; ସେହିଠାରେ ରହିଗଲେ ।

ବାଚସ୍ପତି ରାଜବଲ୍ଲଭଙ୍କୁ ପଚାରିଲେ– ‘‘କହ ଦେଖି ବନ୍ଧୁ । ଏ ଶେଠଙ୍କ ଘର କେଉଁଠି ? ୟାଙ୍କ ପିତାମାତାଙ୍କ ନାମ କ’ଣ ?’’

‘‘ମୁଁ କିଛି ଜାଣିନାହିଁ ବନ୍ଧୁ ! ତେବେ ଏତିକି ଜାଣେ, ତାକୁ ଦେଖିବାବେଳୁ ମୁଁ ମୋର ଦେବକୁ ଫେରିପାଇଛି– ସେହିଦିନଠାରୁ ତାକୁ ଛାଡ଼ି ମୁଁ ଦଣ୍ଡେ ରହିପାରିନାହିଁ । ଥରେ ପଚାରିଥିଲି, ମନେ ଅଛି । କହିଲା-ଘର କାନ୍ୟକୁବ୍‌ଜରେ, ତାର ଜନ୍ମ ସମୟରୁ ମା’ଙ୍କର ମୃତ୍ୟୁ ଓ ପୂର୍ବରୁ ପିତା ମରିଯାଇଥିଲେ । ମୁଁ ଆଉ କିଛି ଜାଣେନାହିଁ ।’’

‘‘ଏତେ ଧନ ସମ୍ପଦ ପାଇଲେ କେଉଁଠୁ, କହିପାରିବେ କି ?’’

‘‘ନା, ସେ ବିଷୟ ମୁଁ ଆଦୌ ଜାଣେନାହିଁ, କି ଜାଣିବାକୁ ଇଚ୍ଛା କରିନାହିଁ । ମୁଁ ତାକୁ ତାର ନାମ ପର୍ଯ୍ୟନ୍ତ ପଚାରିନାହିଁ । ଏଠାରେ ଆସି ଶୁଣିଲି ଯେ, ତା ନାଁ ଧନପତି ଶେଠ ।’’

‘‘ତେବେ ଅନ୍ୟଆଡ଼େ କିମ୍ୱା କାନ୍ୟକୁବ୍‌ଜକୁ ନ ଯାଇ ଏଠାରେ ଘର ତୋଳାଇବାର ମତଲବଟା କ’ଣ ?’’

‘‘ମୁଁ ସେ ସବୁ କିଛି ଜାଣେନାହିଁ । କେଉଁ ମୋହ, କେଉଁ ଆକର୍ଷଣ ମୋତେ ତା ସଙ୍ଗରେ ଯେପରି ଟାଣି ଘେନି ଆସିଅଛି ।’’

‘‘ଶେଠଜୀଙ୍କୁ ଟିକିଏ ଏଠାକୁ ଡକାଇଲେ । କେତେଟା କଥା ମୁଁ ତାଙ୍କୁ ପଚାରି ସନ୍ଦେହ ମୋଚନ କରିବାକୁ ଇଚ୍ଛା କରେଁ ।’’

‘‘ଆଚ୍ଛା ହେଉ’’ ବୋଲି କହି ରାଜବଲ୍ଲଭ ଶେଠଜୀଙ୍କୁ ଡାକି ଆଣିଲେ ।

ବାଚସ୍ପତି ମହାଶୟଙ୍କୁ ଦେଖି ଶେଠଜୀ ସାଷ୍ଟାଙ୍ଗ ପ୍ରଣାମ କଲେ ଏବଂ କହିଲେ, ‘‘ଆପଣ ମୋର ଗୁରୁ, ମୋତେ ଆଉ କୌଣସି ପ୍ରଶ୍ନ ବର୍ତ୍ତମାନ ଅନୁଗ୍ରହ କରି କରିବେନାହିଁ । ମୁଁ ବୁଝିପାରିଛି, ଆପଣ କୌଣସି ସନ୍ଦେହ ମୋଚନ କରିବାପାଇଁ ମତେ ଡାକିଛନ୍ତି; ସେ ସବୁ ପରେ ହେବ ।’’

‘‘ଗୋଟିଏ କଥା ପଚାରେଁ ବାପ, ତୁମେ ଏଠି ରହିବ ନା ଆଉ କୁଆଡ଼େ ଯିବ ?

‘‘ଆଉ କେଉଁଆଡ଼େ ନୁହେଁ । ଅନ୍ତତଃ ବର୍ଷେଖଣ୍ଡେ କୁଆଡ଼େ ଯାଉନାହିଁ ।’’

ବାଚସ୍ପତି କହିଲେ, ‘‘ସବୁ ବୁଝିଲି ଯେ । ଗୋଟିଏ କଥା ମୋର କହିବାର ଅଛି ।’’ ତା ପରେ ରାଜବଲ୍ଲଭଙ୍କୁ ଦେଖାଇ କହିଲେ, ‘‘ମୁଁ ମୋର ବନ୍ଧୁଙ୍କୁ ସବୁ କହିଯିବି । ମୋର ଆଉ ବେଶି ସମୟନାହିଁ, ବୟସ ମଧ୍ୟ ହେଲାଣି– କେତେବେଳେ କ’ଣ, କିଏ ଜାଣେ । ତୁମେ ବାପ ବନ୍ଧୁଙ୍କଠାରୁ ସବୁ ବୁଝିପାରିବ ।’’

ଯାଜପୁରର ପୌଢ଼ା ସ୍ତ୍ରୀଲୋକମାନେ ଆସି ରମାକୁ ଦେଖିଗଲେ । ରୂପଗୁଣ ଦେଖି ଶତମୁଖରେ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ । ରମା ବାସ୍ତବିକ ସମସ୍ତଙ୍କୁ ଯଥୋଚିତ ଆଦର ଅଭ୍ୟର୍ଥନା କରି ବିଦାୟ ଦେଇଥିଲା । ତେବେ ସ୍ତ୍ରୀଲୋକମାନେ ସାଧାରଣତଃ ବଡ଼ ଈର୍ଷାପରାୟଣା-। ଅନେକଙ୍କ ଦେହରେ ରମାର ଭାଗ୍ୟ ଗଲାନାହିଁ । ମାଇପି ଗାଧୁଆତୁଠରେ ଆଜିକାଲି ରମାର ଚର୍ଚ୍ଚାରେ ବେଶି ସମୟ କଟିଯାଉଛି । ରମା ଶେଠଜୀଙ୍କର କ’ଣ ହୁଏ, ଏହା କେବଳ ଚର୍ଚ୍ଚାର ବିଷୟ ଥିଲା । କିଏ କହିଲା– ସେ ତାଙ୍କର ରକ୍ଷିତା । ଆଉ କେତେ ଜଣ ମଧ୍ୟ ତାକୁ ଶେଠଜୀଙ୍କ ବିବାହିତା ପତ୍ନୀ ବୋଲି ଅଭିହିତ କରିଥିଲେ ।

ମାଧିଆମା’ ଦିନେ ଗାଧୋଉ ଗାଧୋଉ କହିଦେଲା– ‘‘ମଲା ମୋର, ସେଉଟା ! ତା କଥା ପୁଣି ଏତେ କାହିଁକି ପଡ଼ିଛି ମ ! ସେଉଟା ଦାରୀ, ଖାନିକୀ ! ତା କଥା ନେଇ ଏତେ ବିଚାର କାହିଁକି ମ ?’’

ଆଉ ଜଣେ ରମାର ପକ୍ଷ ନେଇ କହିଲା– ‘‘ତୁଚ୍ଛାଟାରେ ତାର ନିନ୍ଦା କରୁଛ ? ପରନିନ୍ଦା ମହାପାପଟି ! କେଡ଼େ ସୁନ୍ଦର, କେଡ଼େ ମେଳାପୀ ସେ ! ଥରେ ଦେଖିଲେ କିଣିପକାଇବ; କିଛି ଖାଇବାକୁ ନ ଦେଇ ଛାଡ଼ିବନାହିଁ !’’

‘‘ରଖ ତମ ପ୍ରଶଂସା ! ସେଉଟାର ଲାଜନାହିଁ କି ସରମନାହିଁ । ଘୋଡ଼ା ପରି ହେଁ ହେଁ ହସୁଛି । ଏଡ଼େ ପାଟିକରି ସମସ୍ତଙ୍କ ସଙ୍ଗେ କଥାବାର୍ତ୍ତା କରୁଛି । ତାର କ’ଣ ଜାତି-ପତି ଠିକଣା ଅଛି-?’’

ଆଉ ଜଣେ ନାକଚଣା ହଲାଇ ପକାଇ କହିଲା– ‘‘ହଉ, ହଉ, ନିନ୍ଦା କରୁଥାଅ । ଦେଖିବ ଯେ ! ଯାହାକୁ ସବୁ ଶେଠଜୀ, ଶେଠଜୀ କହୁଛନ୍ତି, ସେ କିଏ ଜାଣିଚ ? ଆମ ସାଇରେ ଯେଉଁ ରାମଶରଣ ପଣ୍ଡିତ ବୁଢ଼ା ନ ଥିଲେ, ସେ ପରା ତାଙ୍କରି ନାତି ମୂଳିଆ ଲୋ । ଜାଣିପାରିଲେ, ତମ ଘରଦ୍ୱାର ଲୁଟପାଟ କରି ନେଇ ଯିବଟି । ତା ଭାରିଯାକୁ ପୁଣି ଏପରି ନିନ୍ଦା !’’

‘‘ହଁ, ସେ କେଉଁଠି ମୂଳିଆ ? ଆମେ କ’ଣ ମୂଳିଆଟାକୁ ଦେଖିନାହୁଁ କି ? ଏ କେଡ଼େ ମୋଟା-କିମିତି ରୂପ ! ରଜାଘର ପୁଅ ପରି ସୁନ୍ଦର । ମୂଳିଆଟା ତ ଖାଇବାକୁ ନ ପାଇ କୁଆଡ଼େ ପଳାଇ ମରିଯିବଣି ।’’

ଗୋଟିଏ ପ୍ରୌଢ଼ା ରମଣୀ ସବୁ ଶୁଣୁଥିଲା । ମୂଳିଆ ନାଁ ଶୁଣି କହି ପକାଇଲା, ‘‘ଆହା, ମୋ ବଉଳର କି ଦଶା ନ ହେଲା ସତେ ? କେତେ କଷ୍ଟ ପାଇଲା, ଗିରସ୍ତ ମରିଯିବାରୁ ଖାଇଲାନାହିଁ କି ପିଇଲାନାହିଁ ! ଚାଳବାଡ଼କୁ ଚାହିଁ ବସିରହିଲା । ମତେ ଦେଖିଲେ ପାଖଛଡ଼ା କରେନାହିଁ । ଆହା ! କୁଆଡ଼େ ଗଲା ସତେ ? ମଣିଷ କଥାଟା କିଛି ନୁହେଁ ତ !’’

ବୁଢ଼ୀଟିଏ କହିଲା, ‘‘ହଇଲୋ ଦୂତୀବୋଉ, ତୋ ବଉଳ କିଏ ମ ?’’

‘‘ଜାଣି ନାହଁ କି ତୁମେ ? ସେ ପରା ସେହି ରାମଶରଣ ପଣ୍ଡିତଙ୍କ ବୋହୂ । ପୁଅଟିଏ ଜନ୍ମ କରି ମରିଗଲା । ମୂଳିଆଟି ହେଲେ ଥାଆନ୍ତା । ଆହା କି ସୁନ୍ଦର ପିଲାଟିଏ ! ଖାଲି ଚଗଲାବୃତ୍ତି ଧରି କୁଆଡ଼େ ପଳାଇଗଲା ।’’

ଏହିପରି କେତେ ଚର୍ଚ୍ଚା ଗାଧୁଆତୁଠରେ ପଡ଼ିଲା । ତା ପରେ ଯେ ଯାହା ଘରକୁ ଚାଲିଗଲେ ।

ପଣ୍ଡିତ ରାଜବଲ୍ଲଭଙ୍କ ସହିତ ପଞ୍ଚାନନ ବାଚସ୍ପତିଙ୍କର ଦିନକୁଦିନ ବନ୍ଧୁତା ବଢ଼ିବାକୁ ଲାଗିଲା । କିଛିଦିନ ପରେ ଏପରି ହେଲା ଯେ, ରାଜବଲ୍ଲଭ ବନ୍ଧୁଙ୍କୁ ନ ଦେଖି ରହିପାରନ୍ତିନାହିଁ । ଧାଇଁ ଯାଇ ବନ୍ଧୁଙ୍କ ସଙ୍ଗେ ବସି ଆଳାପ କରନ୍ତି । ବାଚସ୍ପତିଙ୍କୁ ମଧ୍ୟ ଶେଠଜୀ ଅନେକ ସମୟରେ ନିମନ୍ତ୍ରଣ କରନ୍ତି । ଦୁଇ ବନ୍ଧୁଙ୍କ ମଧ୍ୟରେ ସଂସାରର ଅନିତ୍ୟତା ନେଇ ଯୁକ୍ତିତର୍କ ପଡ଼େ । ବାଚସ୍ପତି କହନ୍ତି– ସଂସାର ଅନିତ୍ୟ, କେବଳ ମାୟାବିଜଡ଼ିତ । ସବୁ କେବଳ ଜଣକ ଆଦେଶରେ ପରିଚାଳିତ ହେଉଛି । ମନୁଷ୍ୟର ଏଠାରେ କୌଣସି କର୍ତ୍ତୃତ୍ତ୍ୱନାହିଁ ।

ପଣ୍ଡିତ ରାଜବଲ୍ଲଭ ଅନେକ ତର୍କ କରନ୍ତି-ନିଜର ଅବସ୍ଥା ଆଣି ପକାନ୍ତି; ମାତ୍ର ବାଚସ୍ପତିଙ୍କର ଜୟ ହୁଏ । ଶେଷରେ ଏପରି ହେଲା ଯେ, ବାଚସ୍ପତି ଯାହା କହିବେ, ତହିଁରେ ଦ୍ୱିରୁକ୍ତି କରିବାର ଶକ୍ତି ରାଜବଲ୍ଲଭଙ୍କର ଲୋପ ପାଇଲା । ସେ କହିଗଲାବେଳେ ବକବକ ଚାହିଁ ଖାଲି ଶୁଣୁଥାଆନ୍ତି; କିଛି କହିପାରନ୍ତିନାହିଁ ।

•••

 

ଚତୁର୍ଦ୍ଦଶ ପରିଚ୍ଛେଦ

 

‘‘ରମା ! କେଉଁ ବିଧାତା ଆମ ଦୁହିଁଙ୍କୁ ଭେଟ କରାଇଲା ? କେତେ ତାଚ୍ଛଲ୍ୟ ଅନାଦର କରିଛୁ ରମା, ତେବେ ସୁଦ୍ଧା ମୁଁ ବିଚଳିତ ହୋଇନାହିଁ । ତୋ ସଙ୍ଗରେ ପ୍ରଥମ ସାକ୍ଷାତ୍‌ ଦିନଠାରୁ ମୁଁ ତୋ ପ୍ରତି ଆକୃଷ୍ଟ ହୋଇଛି । ମୋ ପ୍ରତି ତୋର ବ୍ୟବହାରରେ କେବଳ ଘୃଣା, ତାଚ୍ଛଲ୍ୟ ଛଡ଼ା ଆଉ କିଛି ଦେଖିବାକୁ ପାଇନାହିଁ । ଯେତେ ଭାବିଛି, ତୋ କଥା ମନରୁ ଦୂର କରିବି, ତେତିକି ବେଶି ମନ ମୋର ତୋ ଆଡ଼କୁ ଆକୃଷ୍ଟ ହୋଇଛି । ଯେଉଁଦିନ ଘୃଣାରେ, ରାଗରେ ଦୂର କରିଦେଲୁ, ମନେନାହିଁ ! ସେହିଦିନୁଁ ଟାଣ ଧରି ତୋ ସଙ୍ଗେ ଦେଖା କରିନାହିଁ– ପଦେ କଥା କହିନାହିଁ । ଅନ୍ତର୍ଯ୍ୟାମୀ ମୋର ଜାଣନ୍ତି, କେଡ଼େ କଷ୍ଟରେ ମୁଁ ଦିନ କଟାଇଛି !’’

ରମା ଏତେ କଥା ଶୁଣି, ମୁହଁ ଆଡ଼େଇ ଚାଲିଯିବାକୁ ଲାଗିଲା; କିଛି କହିପାରିଲାନାହିଁ । ଧନପତି ଶେଠ ଅତି ଆଦରରେ ଯାଇ ବାଟ ଓଗାଳି ଦେଲେ । ଫୁଲବଗିଚା ମଧ୍ୟରେ ଛାପିଛାପିକିଆ ଚନ୍ଦ୍ରକିରଣ ପଡ଼ିଛି । ସଦ୍ୟ ପ୍ରସ୍ଫୁଟିତ ଫୁଲଗନ୍ଧ ନେଇ ବାୟୁ ଏଣେତେଣେ ଚୋର ପରି ପଳାଇଯାଉଛି । ଦୁଇପାଖରେ ପୁଷ୍କରିଣୀର ସ୍ୱଚ୍ଛ ଜଳରେ ଚନ୍ଦ୍ରକିରଣ ପଡ଼ି ଝଟକୁଛି । ଏ ସବୁ ଏ ଦୁଇ ଜଣଙ୍କୁ ଆଦୌ ସ୍ପର୍ଶ କରିପାରୁନାହିଁ ।

ବାଟ ଓଗାଳିବାର ଦେଖି ରମା ବିରକ୍ତ ହୋଇ କହିପକାଇଲା-‘‘ଏକାକୀ ଦେଖି ମତେ ଏପରି ଅପମାନ କରିବାର ତୁମର କି ଅଧିକାର ଅଛି ? ପିତାଙ୍କ ଦୁର୍ବଳତା ଆଜି ଆମମାନଙ୍କୁ ତୁମ ଆଶ୍ରୟରେ ପକାଇଛି ବୋଲି ମନେ କରନାହିଁ ଯେ ମୁଁ ତୁମର ବିଳାସ-ସାମଗ୍ରୀ ! ଏପରି ଭାବିବା ତୁମ ପକ୍ଷରେ କେଡ଼େ ନୀଚତାର ପରିଚାୟକ, ବୁଝିପାରୁଛ ?’’

ଦଶହାତ ପଛକୁ ହଟିଯାଇ ଧନପତି କହିଲେ, ‘‘ରମା ! ତୁ ମତେ ଏଡ଼େ ନୀଚ, ଏଡ଼େ ହେୟ ମନେକରୁ ? ଥାଉ, ଆଉ ଦରକାରନାହିଁ । ତୁ ଏଡ଼େ କଠୋର ରମା ! ଦେଖିଲା ଦିନୁଁ ତତେ ଏ ପ୍ରାଣ ସମର୍ପଣ କରିଛି; ତଥାପି...’’

‘‘ପ୍ରାଣର ଏକ ରତି ସମର୍ପିବାର ଯଦି ପରିଚୟ ମିଳିଥାଆନ୍ତା, ତାହା ହେଲେ ସେ ଅନ୍ୟ କଥା । ତୁମଠାରେ ଯାହା ଏପର୍ଯ୍ୟନ୍ତ ଦେଖିଛି, ସବୁ ଆସକ୍ତି ! ଅନୁଗ୍ରହ କରି ପିତା-ପୁତ୍ରୀଙ୍କୁ ଆଶ୍ରୟ ଦେଇଛ, ସେଥିପାଇଁ ଆମ୍ଭେମାନେ ଚିରକୃତଜ୍ଞ ! ତେବେ, ମୁଁ ତୁମର ଆସକ୍ତି ଚରିତାର୍ଥ କରିବା ସାମଗ୍ରୀ ବୋଲି କେବେ ମନେ କରିବନାହିଁ ।’’

‘‘ମତେ ବିଶ୍ୱାସ କର, ରମା ! କେବେ ମନେକରିନାହିଁ ରମା, ତୁ ମୋର ବିଳାସ-ସାମଗ୍ରୀ ! ଯଦି କିଛି ମନେ କରିଥାଏଁ, ତାହା ହେଲେ ମନେ କରିଛି, ତୁ ମୋ ପ୍ରାଣର ସଙ୍ଗିନୀ । ମୋଠାରୁ ତୁ ବହୁ ଗୁଣରେ ଉଚ୍ଚ, ମହତ୍‌, ସ୍ୱୀକାର କରୁଛି ।’’

‘‘ଏ ସବୁ ତୁଚ୍ଛା ମନଭୁଲାଣିଆ କଥା । ତୁମେ ବୁଦ୍ଧିମାନ୍‌, ଅନେକ ରକମ କଥା କହିଯାଇପାର । କଥା ଓ କାର୍ଯ୍ୟ ଭିତରେ ପ୍ରଭେଦ ଯଥେଷ୍ଟ । ଯାହାର କାର୍ଯ୍ୟରେ ଆସକ୍ତି, ସେ କଥାରେ ଯେତେ ଗପିଗଲେ, ତାହା ଗ୍ରହଣଯୋଗ୍ୟ ନୁହେ । ଚାଟୁବାକ୍ୟଗୁଡ଼ାକ ଅନେକ ସମୟରେ ଯେ ପ୍ରୟୋଗ କରେ ଓ ଯାହା ପ୍ରତି ପ୍ରୟୋଗ କରାଯାଏ ଉଭୟଙ୍କର ଅନିଷ୍ଟ ଘଟାଇଥାଏ ।’’

‘‘ଏ ମୋର ଚାଟୁବାକ୍ୟ ନୁହେ, ରମା ! ଏ ମୋ ହୃଦୟର କଥା ! ପାରିଲେ ଏ ହୃଦୟ ଚିରି ଦେଖାଇ ଦିଅନ୍ତି, ମୋର ମନର ପ୍ରକୃତ ଭାବ କ’ଣ ?’’

‘‘ମୋ ରୂପରେ ତୁମେ ମୁଗ୍‌ଧ, ଏ କଥା ମୁଁ ଅସ୍ୱୀକାର କରୁନାହିଁ ଏବଂ ତୁମେ କାଶ୍ମୀରରେ ଆମ ଘରକୁ ଆସିବା ମୁହୂର୍ତ୍ତଠାରୁ ବରାବର ତାର ପରିଚୟ ତୁମଠାରେ ପାଇ ମନରେ କଷ୍ଟ ଅନୁଭବ କରିଛି । ମନେ ହୋଇଛି, ମୋ ରୂପ କଅଣ ଗୋଟାଏ ବଜାର-ସଉଦା ଯେ, ଗ୍ରାହକର ଇଚ୍ଛାନୁସାରେ ଖରିଦ ବିକ୍ରି ହେବ ? ସତ କହ, ମୁଁ କୁରୂପା ହୋଇଥିଲେ, ତୁମେ ଏଡ଼େ ଚଞ୍ଚଳ, ଏଡ଼େ ମୁଗ୍‌ଧ ହୁଅନ୍ତ କି ? ଅନ୍ୟ ସ୍ତ୍ରୀଠାରେ ସୌନ୍ଦର୍ଯ୍ୟ ଦେଖି ତୁମେ ମୁଗ୍‌ଧ ହୋଇନାହଁ କି, ଶପଥ କରିକହିପାର ? ଭଲକରି ଦେଖ, ଏହା ତୁମର ଲାଳସା ବ୍ୟତୀତ ଆଉ କିଛି ହୋଇ ନ ପାରେ ।’’

ଧନପତି ତଳକୁ ମୁହଁପୋତି ଭାବିବାକୁ ଲାଗିଲେ, କିଛି କହିପାରିଲେନାହିଁ । ରମା ଆସ୍ତେ ଆସ୍ତେ ଘରଆଡ଼େ ଚାଲିଯିବାକୁ ଲାଗିଲା । ବାଟରେ ଯାଉ ଯାଉ ପିତାଙ୍କୁ ଦେଖି ଠିଆ ହେଲା । ରାଜବଲ୍ଲଭ ପଚାରିଲେ– ‘‘ଏକୁଟିଆ, ଏତେବେଳେ କୁଆଡ଼େ ବୁଲୁଛୁ ମା’ ?’’

‘‘ନାହିଁ ବାପା, ଏକୁଟିଆ ବୁଲୁନାହିଁ । ଘରକାମ ଶେଷ କରି ଏଆଡ଼େ ଆସିଥିଲି । ଭାଇଙ୍କ ସଙ୍ଗେ ଦେଖାହେଲା ଯେ, କଥାବାର୍ତ୍ତା ହେଉଥିଲି ।’’

‘‘ତୁ ବଡ଼ ବାଇଆଣୀ ମା’ ମୋର । ଦେବକୁ ପୁଣି କେଉଁଠି ଛାଡ଼ି ଆସିଲୁ ? ସବୁବେଳେ ତାକୁ ଗାଳିଦେଉ ତୁଚ୍ଛାଟାରେ । କହିଲେ ବୁଝିବୁନାହିଁ । ଆଜି ବୋଧହୁଏ ସେପରି କିଛି ଘଟିଛି କି ? ନଇଲେ ଦେବ କାହିଁକି ପଛରେ ରହିଥାନ୍ତା ?’’

‘‘ନାହିଁ ବାପା, ମୁଁ ଗାଳି ଦେଇନାହିଁ ତାଙ୍କୁ । ସେ ମତେ ଯାହା କହିଲେ ତାର ଉତ୍ତର କ’ଣ ଦିଅନ୍ତିନାହିଁ ? ସେ ବଗିଚା ଭିତରେ ଅଛନ୍ତି; ଯାଅ ଦେଖିବ ।’’

ରାଜବଲ୍ଲଭ କନ୍ୟାର ହାତ ଧରି ବଗିଚା ଆଡ଼କୁ ଚାଲିଲେ । ଦେଖିଲେ, ତାଙ୍କର ସ୍ନେହର ‘ଦେବ’ ଠିଆ ହୋଇ ରହିଛି; ମନେ ମନେ କେତେ କ’ଣ ଭାବିଯାଉଛି । ରାଜବଲ୍ଲଭ ଡାକିଲେ– ‘‘ଦେବ, ଦେବ ! ଏପରି କାହିଁକି ଠିଆ ହୋଇଛୁ, ବାପ !’’

ଧନପତି ଓରଫ୍‌ ଦେବ ଚମକି ପଡ଼ି ଚାହିଁଲେ । ବୃଦ୍ଧଙ୍କ ସଙ୍ଗେ ଘର ଆଡ଼କୁ ଫେରି ଚାଲିଲେ । ବାଟରେ ଦେବବ୍ରତଙ୍କୁ ମୌନ ଥିବାର ଦେଖି ସେ ପଚାରିଲେ-‘‘ଦେବ, ମନରେ କିଛି କଷ୍ଟ ହେଲା କି ? କାହିଁକି କଥା କହୁନାହୁଁ ବାପ ? ରମା କିଛି କହିନାହିଁ ତ ?’’

‘‘ନା...ସେ କିଛି ନୁହେଁ, ଏଣୁତେଣୁ କ’ଣଗୁଡ଼ାଏ ଭାବୁଥିଲି ଠିଆହୋଇ ।’’

‘‘ରମା ନିଶ୍ଚୟ କିଛି କହିଛି– କ’ଣ ତୁମ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହେଉଥିଲା ବୋଲି ରମା କହୁଥିଲା ।’’

ରମା ଏ କଥା ଶୁଣି କହିପକାଇଲା– ‘‘ନାହିଁ ବାପା, ମୁଁ ତାଙ୍କୁ ଆଦୌ ଗାଳିଦେଇନାହିଁ, ପଚାରନ୍ତୁ । ଯାହା ସବୁ ସେ ମତେ ଲକ୍ଷ୍ୟ କରି କହିଲେ, ମୋ ମନକୁ ନ ପାଇବାରୁ ମୁଁ ତର୍କ କରିଛି ମାତ୍ର ।’’

ରାଜବଲ୍ଲଭ– ‘‘ନାହିଁ ରମା ! ତୋର ଦେବ ପ୍ରତି ବ୍ୟବହାର ଦିନକୁ ଦିନ ବଡ଼ କଠୋର ହୋଇ ପଡ଼ିଲାଣି । ମୋର ଆଉ ବେଶି ଦିନ ଏ ସଂସାରରେ ନୁହେଁ, ରମା ! ଭଲ କରି ବୁଝିଥା, ମୁଁ ଦେବକୁ ପାଇ ପ୍ରାଣ ପାଇଛି; ତାକୁ ଦେଖି ଘରଦ୍ୱାର ରାଜସମ୍ମାନ ତୁଚ୍ଛ ମଣିଛି । ତୁ ତାକୁ ଯେଉଁ ଆଘାତ ଦେଉ, ତାହା ମୋ ଦେହରେ ଲାଗେ ।’’

ରମା– ‘‘ବାପା ! ତୁମେ ଶିଖାଇଛ, ମୁଁ ଯେପରି କାହାରି କ୍ରୀଡ଼ାନକ ନ ହୁଏଁ । ତୁମଠାରୁ ପରା ଶିଖିଛି । ପୁରୁଷ ଓ ନାରୀର ପ୍ରକୃତ ମିଳନ ଆସକ୍ତିର-ଲାଳସାର ବାହାରେ ! ପୁରୁଷ ଓ ନାରୀର ମିଳନ ତ୍ୟାଗରେ; ଭୋଗରେ ନୁହେଁ-ପ୍ରେମରେ; ଲାଳସାଚରିତାର୍ଥରେ ନୁହେଁ । ମୁଁ ପ୍ରାଣ ପଣ କରି ସେହି କଥାଗୁଡ଼ିକ ପାଳିଆସୁଛି । ଏ କଥାଗୁଡ଼ିକ ଯେ ଖାଲି ତୁମ ଉପଦେଶ, ତାହା ନୁହେଁ; ମୁଁ ମୋର କ୍ଷୁଦ୍ର ଅନୁଭବରେ ମଧ୍ୟ ଏସବୁର ସତ୍ୟତା ସ୍ପଷ୍ଟ ଅନୁଭବ କରିଛି ।’’

ବୃଦ୍ଧ ବିଚଳିତ ହେଲେ । ଦେବବ୍ରତକୁ କୋଳକୁ ଟାଣି ନେଇ ପଚାରିଲେ– ‘‘ସତ କହ ବାପ, ରମାର ବ୍ୟବହାରରେ କଷ୍ଟ ପାଇଛୁ ?’’

ଦେବବ୍ରତ କିଛି କହିପାରିଲେନାହିଁ, ତଳକୁ ମୁହଁ ପୋତି ନୀରବ ରହିଲେ ।

ପୁଣି ବୃଦ୍ଧ କହିବାକୁ ଲାଗିଲେ, ‘‘ମୋ ନିଜ କର୍ମଫଳ ସେ । ରମା, ତୋର ଏପରି ମତପାଇଁ କେବଳ ମୁଁ ଦାୟୀ । ମୋର ମନର ଭାବ ମଧ୍ୟ ଠିକ୍‌ ତୋ’ରି ପରି ଥିଲା, ରମା ! ତୋର ଭାଇ ଚାଲିଗଲାଦିନୁଁ ମନ ମୋର ଶୂନ୍ୟ ହୋଇଗଲା, ତତେ କିଛି କହିଲିନାହିଁ-କାଳେ ଦୁଃଖ କରିବୁ-। ଦେବବ୍ରତର ଅକାଳ-ବିୟୋଗ ମତେ ବହୁ ଉଚ୍ଚରୁ ବାସ୍ତବ ଜଗତ୍‌କୁ ଝିଙ୍କି ଆଣିଲା । ସାଧନା ନ ଥାଇ ସଂସାରକୁ ମିଥ୍ୟା ବୋଲି ଫାଙ୍କିରେ ଉଡ଼ାଇ ଦେଲେ ସଂସାର ତାର କ୍ରିୟା ଦେଖାଇ ଜବଦ କରିଦେବ । ମୋର ସେହି ଦଶା ହେଲା । ଏହି ବାପକୁ ପାଇଲା ଦିନୁଁ, ରମା, ମୁଁ ପୁନର୍ଜନ୍ମ ପାଇଗଲି-।’’

ଘର ଆସି ନିକଟ ହେଲାଣି । ରମା ଆଗେ ଘରଭିତରକୁ ଚାଲିଗଲା । ଦେବବ୍ରତଙ୍କ ହାତ ଧରି ବୃଦ୍ଧ ଯାଇ ବସିଲେ । ଦୁହେଁ କିଛିକ୍ଷଣ ନୀରବ ନିଶ୍ଚଳ ହୋଇ ରହିଲେ । ଟିକିଏ ମନ ବ୍ୟସ୍ତ ହେଲେ ରାଜବଲ୍ଲଭ ବାଚସ୍ପତିଙ୍କ ନିକଟକୁ ପଳାଇଯାଇ ତାଙ୍କ ସଙ୍ଗେ ଦି’ପଦ କଥାବାର୍ତ୍ତା ହୋଇ ଶାନ୍ତି ପାଆନ୍ତି । ଆଜି ଖାଇସାରି ସେଠାକୁ ଚାଲିଗଲେ । ସେଠାରେ ରାତ୍ରି ଯାପନ କରି ପରଦିନ ସକାଳୁ ଫେରିଆସିଲେ ।

ଦିନ ଅତିବାହିତ ହେବାକୁ ଲାଗିଲା । ଦାସଦାସୀ ଆନନ୍ଦରେ ନିଜ ନିଜ କାର୍ଯ୍ୟ ସାରି ଖାଇପିଇ ବୁଲୁଛନ୍ତି । ଘୋଡ଼ା, ଗୋରୁଗାଈମାନେ ଯଥେଷ୍ଟ ଖାଦ୍ୟ ଖାଇବାକୁ ପାଇ ଖୁସିରେ ଅଛନ୍ତି-। ଏ ସବୁ ଆଡ଼ମ୍ୱର ଯେଉଁମାନଙ୍କପାଇଁ, ସେମାନଙ୍କ ମନରେ ତିଳେ ହେଲେ ସୁଖନାହିଁ । ବହୁମୂଲ୍ୟ ବସନ-ଭୂଷଣ, ପଲ୍ୟଙ୍କୋପରି ଦୁଗ୍‌ଧଫେନନିଭ ସୁକୋମଳ ଶଯ୍ୟା, ସୁମିଷ୍ଟ ଖାଦ୍ୟପେୟ ସବୁ ସେମାନଙ୍କୁ ତୁଚ୍ଛ ବୋଧ ହେଉଛି । ଉଭୟଙ୍କର ମନେ ହେଉଛି, ଏ ସବୁ ଭୋଗର ସାମଗ୍ରୀ ଛାଡ଼ି ଚାଲିଗଲେ ବୋଧ ହୁଏ ହୃଦୟରେ ଶାନ୍ତି ସୁଖ ମିଳିବ । ଧନପତି ସେଠି ଆଜି ଏତେ ଧନର, ଭୋଗର ଅଧିକାରୀ ହୋଇ ସୁଦ୍ଧା ସୁଖୀ ନୁହନ୍ତି । ରମା ମଧ୍ୟ ତତୋଽଧିକ । ରମା ଚାହେଁ ହୃଦୟ; ରମା ଭୋଗର ସାମଗ୍ରୀ, ଆଡ଼ମ୍ୱର ଚାହେଁନାହିଁ । ତାର ଆଜୀବନ ଶିକ୍ଷା-ଦୀକ୍ଷା ତାକୁ ଏପରି କରିଦେଇଛି । ଧନପତି ରମାକୁ ଚାହାନ୍ତି– ରମା ତାଙ୍କର ହେଲେ, ଯେପରି ସଂସାରରେ ତାଙ୍କର ସବୁ ପୂର୍ଣ୍ଣ ହୋଇଯିବ । ଏହି ବ୍ୟଗ୍ରତା ରମାକୁ ଆଦୌ ଭଲଲାଗେନାହିଁ । ଧନପତି ପୁଣି ମନେ କରନ୍ତି, ରମା ପ୍ରତି ତ ସେ ସ୍ୱପ୍ନରେ ସୁଦ୍ଧା କେବେ ହେଲେ ଥରେ କଠୋର ବ୍ୟବହାର କରି ନାହାନ୍ତି– ରମା ଏପରି କାହିଁକି ? କେଜାଣି ଅବା ସମୟକ୍ରମେ ତାର ମନର ଭାବ ପରିବର୍ତ୍ତିତ ହୋଇଯିବ-ତାଙ୍କ ଗୃହ-ସଂସାର ହସିଉଠିବ ।

ଏଣେ ରାଜବଲ୍ଲଭ ଏଡ଼େ ପଣ୍ଡିତ ହୋଇ ସୁଦ୍ଧା ତାଙ୍କ ମନର ଭାରକେନ୍ଦ୍ର ସେ ଠିକ୍‌ ରଖିବାକୁ ସଂପୂର୍ଣ୍ଣ ଅକ୍ଷମ ହୋଇ ସର୍ବଦା ବାଚସ୍ପତିଙ୍କ ଶରଣାଗତ ହୋଇଛନ୍ତି । ଅନେକ ସମୟରେ ସେ ବାଚସ୍ପତିଙ୍କ ଘରେ ଖାଇପିଇ ଶୋଇପଡ଼ନ୍ତି । ଦୁଇ ବନ୍ଧୁ ମଧ୍ୟରେ ଅନେକ କଥାବାର୍ତ୍ତା ହୁଏ । ପଣ୍ଡିତ ରାମଶରଣଙ୍କ ତ୍ୟାଗ, ପାଣ୍ଡିତ୍ୟ, ଅପତ୍ୟସ୍ନେହ ଓ ଶୁଦ୍ଧାଚାର କଥା ଶୁଣି ରାଜବଲ୍ଲଭ ପୁଲକିତ ହୁଅନ୍ତି । ଦୁଇ ବନ୍ଧୁ ମିଳି ଯେଉଁଠାରେ ରାମଶରଣଙ୍କ ଘର ଥିଲା, ସେଠା ବୁଲି ଦେଖିଆସନ୍ତି । ସେ ସ୍ଥାନରୁ ଧୂଳି ଆଣି ବୃଦ୍ଧ ରାଜବଲ୍ଲଭ ମୁଣ୍ଡରେ ଲଗାନ୍ତି । ସେହି ରାମଶରଣଙ୍କ ପୁତ୍ର ମହାଦେବର କଥା ମଧ୍ୟ ପଡ଼େ–କେଡ଼େ ସୌମ୍ୟମୂର୍ତ୍ତି ସେ ! ବ୍ୟବହାରରେ ସମସ୍ତଙ୍କୁ ମୁଗ୍‌ଧ କରିପାରିଥିଲା । ତାଙ୍କ ପୁତ୍ରବଧୂ ରମା– ସମସ୍ତ ଯାଜପୁରରେ ଏପରି ଗୁଣବତୀ ରମଣୀ ଦୁର୍ଲ୍ଲଭ । ତାଙ୍କର ଏପରି ଦଶା ହେଲା ! ଏ ସଂସାରରେ ଧର୍ମର ପୁରସ୍କାରନାହିଁ । କେଉଁ ଉଦ୍ଦେଶ୍ୟରେ ଭଗବାନ ଏ ମରଜଗତ୍‌ରେ ମନୁଷ୍ୟମାନଙ୍କୁ ଏପରି ଘାଣ୍ଟୁଛନ୍ତି, ତାହାର ଉତ୍ତର ଏଠାରେ କାହାରିଠାରୁ ମିଳିବନାହିଁ ।

ଦିନେ ବେଳ ବୁଡ଼ିଆସୁଛି । ଧନପତି ଶେଠ ଅନ୍ୟମନସ୍କ ଭାବରେ ଖଟ ଉପରେ ପଡ଼ିରହି ନିଜର ଭବିଷ୍ୟତ୍‌ ଚିନ୍ତା କରୁଛନ୍ତି, ରମାକୁ ସେହି ବାଟ ଦେଇ ଚାଲିଯିବାର ଦେଖି ଡାକିଲେ– ‘‘ରମା !’’

ଦ୍ୱାରବନ୍ଧ ନିକଟରେ ଠିଆ ହୋଇ ରମା ଉତ୍ତର ଦେଲା– ‘‘କ’ଣ ?’’

‘‘ଭ୍ରାନ୍ତ ମୁଁ, ରମା ! ଅକାରଣରେ ମନରେ ଦୁଃଖ ଭର୍ତ୍ତିକଲି । ମୂଳରୁ ତୁମ କଥା ମାନିଥିଲେ, ମୋର ଅବସ୍ଥା ଅନ୍ୟପ୍ରକାର ହୋଇଥାନ୍ତା । ଯାହା ହେବାର ତ ହେଲାଣି, ଏବେ ମୋ ପ୍ରତି କି ବ୍ୟବସ୍ଥା କରିବ, ତୁମେ ?’’

‘‘ମୁଁ ପୁଣି ତୁମର କି ବ୍ୟବସ୍ଥା କରିବି ? ଆମ୍ଭମାନଙ୍କର ସବୁ ବ୍ୟବସ୍ଥା ତ ତୁମେ କରିଦେଇଛ ।’’

‘‘ତେବେ କ’ଣ କରିବ, ଭାବୁଛ, ରମା ? ଆଉ କାହାକୁ ବିବାହ ହେଲେ ଯଦି ତୁମେ ସୁଖୀ ହେବ, ମୋର ଆପତ୍ତିନାହିଁ । ଏ ଘରଦ୍ୱାର ତୁମକୁ ଦେଇ ମୁଁ ଚାଲିଯାଆନ୍ତି ।’’

‘‘ବିବାହ କଥା ପଚାରୁଥିଲେ ? ବର୍ତ୍ତମାନ ବିବାହ ହେବାର ଇଚ୍ଛାନାହିଁ । ମୁଁ ଭାବୁଛି, ତୁମଠାରୁ ଟିକିଏ ଦୂରରେ ରହିଲେ ହୁଏତ ତୁମେ ଟିକିଏ ଶାନ୍ତି ପାଇବ ।’’

‘‘ଭାବିଛ ରମା ! ତୁମେ ଏ ଘର ଛାଡ଼ି ଚାଲିଗଲେ, ମୁଁ ସୁଖ ପାଇବି ? ଏ ସବୁ ଆୟୋଜନ କେବଳ ତୁମରିପାଇଁ ।’’

‘‘ମିଥ୍ୟା କଥା । ମୋ ସଙ୍ଗେ ତୁମର ପ୍ରଥମ ସାକ୍ଷାତ୍‌ ହେବାର ବହୁ ପୂର୍ବରୁ ତୁମେ ଏ ସବୁ ଯୋଗାଡ଼ କରିସାରିଥିଲ– ମନେନାହିଁ ? ମୋ ସକାଶେ ଏ ସବୁ ନୁହେଁ । ଅନାବଶ୍ୟକ ମିଥ୍ୟା କଥା କହି ତୁଣ୍ଡ କଳୁଷିତ କରନାହିଁ ।’’

‘‘ତେବେ ତୁମେ କ’ଣ ଭାବୁଛ, କହିଲ ? ମୁଁ ଯଦି ଏ ଘରଦ୍ୱାର ଛାଡ଼ି ଯାଏଁ, ତୁମେ ସୁଖରେ ରହିବ ?’’

‘‘ତୁମର ଘରଦ୍ୱାର, ଇଚ୍ଛା କଲେ ତୁମେ ଛାଡ଼ିଯାଇପାର । ସେଥିରେ ମୋର ସୁଖ-ଦୁଃଖର କାରଣ କ’ଣ ଥାଇପାରେ ? ଅଭାବକୁ ଲୋଡ଼ିଆଣି, ଅଭାବ ପୂରଣରେ ବାଧା ପାଇଲେ କିଏ କେବେ ସୁଖୀ ହୋଇପାରେ ? ଏ ସଂସାରରେ ସମସ୍ତ ବନ୍ଧନ, ସବୁ ଆସକ୍ତି ମନୁଷ୍ୟର ନିଜକୃତ । ଆସକ୍ତିମୋଚନର ନାମ ମୁକ୍ତି, ଶାନ୍ତି....ଯାହା କହିପାର । ତ୍ୟାଗର ମର୍ଯ୍ୟାଦା ଯେ ବୁଝିନାହିଁ, ସୁଖ ଭୋଗରେ ତାର ଅଧିକାରନାହିଁ । ମୋତେ ପାଇବାର ପ୍ରବଳ ଇଚ୍ଛା ହୃଦୟରେ ପୋଷିଛ ବୋଲି ତୁମର ଯେଉଁ ଦୁଃଖ, ସେଥିପାଇଁ କେବଳ ତୁମେ ଦାୟୀ– ମୁଁ ନୁହେଁ ।’’

‘‘ରମା, ଦର୍ଶନଶାସ୍ତ୍ର ବହୁତ ପଢ଼ିଛି । ତ୍ୟାଗ, ଆସକ୍ତି, ଲାଳସା ଏ ସବୁ ବିଷୟରେ ତୁମଠାରୁ କିଛି ଶିଖିବାର ଆଶା ରଖିନାହିଁ । ତୁମ ପିତାଙ୍କ କାତରତା ଓ ଦୁଃଖ ସହିପାରିବ ତ ? ମୋ ଦୋଷ ବାରିବନାହିଁ । ତ୍ୟାଗ, ଦାନ, ଧର୍ମ ଆଦି ମୋର ମୌରସୀ । ମୋର ପିତା, ମାତା ଓ ପିତାମହଙ୍କ ଆଦର୍ଶକୁ ମୁଁ ଦୂରକୁ ଫିଙ୍ଗିଦେଇ ଆଜିଯାଏ ଅନ୍ୟ ଆଦର୍ଶ ନେଇ ମନର ଖିଆଲରେ ମାତିଥିଲି । ମୋର ପ୍ରାୟଶ୍ଚିତ୍ତ ଦରକାର ।’’

‘‘ତୁମର ପ୍ରାୟଶ୍ଚିତ୍ତ ଦରକାର, ତୁମେ ତାହା କରିବ-ମୁଁ କାହିଁକି ଆପତ୍ତି କରିବି, ଦୋଷ ବାରିବି ? ମୋ ପିତାଙ୍କ କଥା କହୁଥିଲ । ପିତାଙ୍କ ମନରେ ଦୁଃଖ ହେବ, ସେ କାତର ହେବେ, ଏଥିପାଇଁ ମୁଁ ଗୋଟିଏ ଖିଆଲୀ ବା ଅବ୍ୟବସ୍ଥିତଚିତ୍ତ ଲୋକର ଖିଆଲର ପୁତ୍ତଳୀ ହୋଇ ନ ପାରେ-। ଶାସ୍ତ୍ରରେ ଅଛି– ‘‘ଅବ୍ୟବସ୍ଥିତ-ଚିତ୍ତସ୍ୟ ପ୍ରସାଦୋଽପିଭୟଙ୍କରଃ ?’’

‘‘ସେ ତୁମ ଇଚ୍ଛା ରମା ! ମୋର ଆଉ କିଛି କହିବା ଦରକାରନାହିଁ ।’’

କଥା ଏତିକି ଦୂର ହୋଇଛି, ରମା ଆଉ କ’ଣ କହିଦେଇ ଚାଲିଯିବାକୁ ବସିଛି, ହଠାତ୍‌ ରାଜବଲ୍ଲଭ ଆସି ସେଠାରେ ପହଞ୍ଚିଗଲେ । ତରବରରେ ଆସୁ ଆସୁ ବୃଦ୍ଧଙ୍କ ପିନ୍ଧିବା ଲୁଗା ଅଧେ ଫିଟିପଡ଼ିଛି । ରମାକୁ ଦୁଆରମୁହଁରେ ଦେଖି କହିଲେ, ‘‘ରମା ! ମୋର ତୋ ସଙ୍ଗେ କଥା ଥିଲା–ଦେବବ୍ରତ କାହିଁ ?’’

ରମା ହାତ ଠାରି ଘର ଭିତରକୁ ଦେଖାଇଦେଲା । ବୃଦ୍ଧ ଯାଇ ଧନପତି ଓରଫ୍‌ ଦେବବ୍ରତଙ୍କ ପାଖରେ ବସି ରମାକୁ ନିକଟକୁ ଆସିବାପାଇଁ ଡାକି କହିଲେ, ‘‘ତୁମେ ଦୁଇଜଣ ଏଠାରେ ଅଛ, ଭଲ କଥା । କେତେଦିନୁଁ ଭାବିଲିଣି, ତୁମ ଦୁଇଜଣଙ୍କୁ ଏକାଠି କରି କେତେ କଥା କହନ୍ତି । ଦୁହିଙ୍କ ଭାବଭଙ୍ଗୀ ଦେଖି ଏପର୍ଯ୍ୟନ୍ତ ତାହା କରି ପାରିନାହିଁ । ରମା, ତୋର ବିବାହ ବୟସ ଅନେକଦିନୁଁ ପାରହୋଇଯାଇଛି । କାଶ୍ମୀରରେ ଥିବାବେଳୁଁ ଭାବିଥିଲି, ତୋତେ ଉପଯୁକ୍ତ ପାତ୍ରରେ ସମର୍ପି ଦେଇ ବାନପ୍ରସ୍ଥ କରିଥାନ୍ତି । ରମା, ତୋର ମତେ ଛାଡ଼ିଯିବାର ଅନିଚ୍ଛାରୁ ହେଉ ବା ଉପଯୁକ୍ତ ପାତ୍ର ଅଭାବରୁ ହେଉ, ତାହା କରି ପାରି ନ ଥିଲି । ଦୁଃଖରେ, ଶୋକରେ ପଡ଼ି ରହିଥାଏଁ-। ପତ୍ନୀବିୟୋଗ,ଏକମାତ୍ର ପୁତ୍ରର ବିୟୋଗ ଏ ହୃଦୟକୁ ଯେପରି ଅହରହ ଦଗ୍‌ଧ କରୁଥିଲା, ରମା, ତାହା ତୋତେ ଜାଣିବାକୁ ଦେଇନାହିଁ । ତୋତେ ପାଇଲା ଦିନୁଁ ଦେବବ୍ରତ, ମନ ମୋର ସଂପୂର୍ଣ୍ଣ ବଦଳିଗଲା । ତୋର ମୂର୍ତ୍ତି, ସରଳତା ଓ ପାଣ୍ଡିତ୍ୟ ଦେଖି ମୁଁ ଦୁଃଖ-ଶୋକ ପାସୋରିଦେଲି-ବାନପ୍ରସ୍ଥ କରିଯିବାର ବାସନା ପରିତ୍ୟାଗ କଲି । ରମା ପ୍ରତି ତୋର ସ୍ନେହ-ଆଦର ଦେଖି ମନେ ମନେ ସୁଖୀ ହେଉଥିଲି । ଭାଗ୍ୟ ଅନୁକୂଳ ହୋଇଥିଲେ ସେହିଠାରେ ତୁମ ଦୁହିଙ୍କୁ ବିବାହିତ ଦେଖି ଅଢ଼େଇଦିନ ସୁଖରେ କଟାଇଥାନ୍ତି । ଯାହା ହେବାର ନୁହେଁ, ତାହା ହେଲାନାହିଁ । ଏଠାକୁ ମତେ ଆସିବାକୁ ହେଲା-ଦେଶ ଛାଡ଼ି, ରାଜ୍ୟ ଛାଡ଼ି, କେବଳ ସେହି ଆଶାରେ । ଆସିବା ବାଟରେ, ବାପା, ତୋ ପ୍ରତି ରମାର କଠୋର ବ୍ୟବହାର ଦେଖି ମୁଁ ମନେ ମନେ ବଡ଼ ଯାତନା ଭୋଗ କରୁଥାଏଁ । ମନେ ହେଉଥିଲା, କିଛିଦିନ ବାଦ୍‌ ଯେପରି ଏ ସବୁ ମେଣ୍ଟିଯିବ । ମାତ୍ର ତାହା ହେଲାନାହିଁ । ବର୍ତ୍ତମାନ ଦେଖୁଛି, ତୁମ ଦୁହିଙ୍କର ବିବାହ ହୋଇପାରିବନାହିଁ । ଏ ବିଷୟ ଭାବିଲାବେଳେ ମନ ମୋର ଯାହା ହେଉଛି, ମୁଁ ଜାଣେ ।’’

ଏପର୍ଯ୍ୟନ୍ତ ରମା ଓ ଦେବବ୍ରତ ଚୁପ୍‌ ରହି ବୃଦ୍ଧଙ୍କଠାରୁ ସବୁ ଶୁଣୁଥିଲେ ! ବିବାହ ଅସମ୍ଭବ, ଏ କଥା ଶୁଣି ଦେବବ୍ରତ କହିଲେ, ‘‘ବିବାହ ଅସମ୍ଭବ ହେବ କାହିଁକି, ପିତଃ ? ମୁଁ ତ ମୋର ସର୍ବସ୍ୱ ରମାପାଇଁ ଉତ୍ସର୍ଗ କରିଛି– ଏ ଘରଦ୍ୱାର, ଧନରତ୍ନ, ଏମନ୍ତ କି ନିଜକୁ ମଧ୍ୟ ।’’

‘‘ସେ କଥା ସତ, ବାପ । ରମା ମୋର ବଡ଼ ଆଦରିଣୀ; ତୁ ମଧ୍ୟ ବାପ, ତାଠାରୁ ବଳି–ଆଜିଯାଏ ମୁଁ ଏପରି ଭାବି ନ ଥିଲି । ରମାର ତୋ ପ୍ରତି ବ୍ୟବହାର ଯେତେ କଠିନ ହେଉ ପଛକେ, ଭାବିଥିଲି, ସମୟକ୍ରମେ ସବୁ ସୁଧୁରିଯିବ । ଆଉ ଦିନାକେତେ ପରେ ତାହା ହୋଇପାରିଥାନ୍ତା; କିନ୍ତୁ....

‘‘ଆଉ କିନ୍ତୁ କ’ଣ, ପିତା ? ସବୁ ପରିଷ୍କାର କରି କହନ୍ତୁ ।’’

‘‘ସେ ଯେ ହୃଦୟବିଦାରକ କଥା, ବାପା ? ତା ପରେ ବାଚସ୍ପତି ମହାଶୟଙ୍କ ମନା । ଆଜି ଏ ବିବାହ ପ୍ରସଙ୍ଗ ତାଙ୍କ ନିକଟରେ ଉପସ୍ଥାପିତ କଲାରୁ ସେ କହିଲେ, ଏ ବିବାହ ଅସମ୍ଭବ ।’’

‘‘କାହିଁକି ଅସମ୍ଭବ, ମୁଁ ଜାଣିବାରେ ଦୋଷ ଅଛି ?’’

‘‘ଦୋଷ ଅଛି ବୋଲି ସେ କହିଲେ । ସମୟକ୍ରମେ ତୁ ଜାଣିପାରିବୁ ବାପା ! ମନୁଷ୍ୟ ଅନେକ କଳ୍ପନା କରିଯାଏ, ସହଜରେ ଆକାଶକୁସୁମ ତୋଳିବାକୁ ହାତ ବଢ଼ାଇଦିଏ । ବିଧାତା ଅଲକ୍ଷ୍ୟରେ ଭାଗ୍ୟ ନିର୍ଣ୍ଣୟ କରିଦିଅନ୍ତି । କାଲି କେଉଁଠି ତୋ ସଙ୍ଗେ ବାଚସ୍ପତିଙ୍କର ଦେଖାହୋଇଥିଲା ? ମୁଁ ଆଜିଯାଏ ଜାଣି ନ ଥିଲି ଯେ ତୋରି ପିତାମହ ରାମଶରଣ–ତୁମ ଘର ମଧ୍ୟ କୁଆଡ଼େ ଏହିଠାରେ ଥିଲା । ସେହି ସବୁ ପରିଚୟ ଦେଇ ବାଚସ୍ପତି କହିଲେ, ଏ ବିବାହ ଶାସ୍ତ୍ରନିଷିଦ୍ଧ, ଅତଏବ ଅସମ୍ଭବ । ତୋର ମା’ ନାଁ କୁଆଡ଼େ ରମା ଥିଲା, ଆଉ ଆମର ତୁମର ଏକା ଗୋତ୍ର । ବିବାହ ହୋଇ ନ ପାରେ ।’’

‘‘ତେବେ ଶୁଣନ୍ତୁ ପିତା । ମୁଁ ମୋର ସଙ୍କଳ୍ପ ପଣ୍ଡ ହେବାକୁ ଦେବିନାହିଁ । ରମାପାଇଁ ମୁଁ ମୋର ଯାବତ୍‌ ସର୍ବସ୍ୱ ଉତ୍ସର୍ଗ କରିଛି । ସେ ମୋ ସଙ୍ଗେ ଏକ ଗୃହରେ ରହିବାକୁ ନାରାଜ । ମୋର ଇଚ୍ଛା, ଆପଣ ଅନ୍ୟ ସତ୍‌ପାତ୍ର ହସ୍ତରେ ରମାକୁ ସମର୍ପଣ କରନ୍ତୁ । ଝିଅ-ଜ୍ୱାଇଁଙ୍କ ସଙ୍ଗେ ଏହିଠାରେ ରହି ସୁଖରେ କାଳାତିପାତ କରନ୍ତୁ ।’’

‘‘ଦେବବତ୍ର ! ତୁମ୍ଭେ ଆମ୍ଭମାନଙ୍କପାଇଁ ଯଥେଷ୍ଟ କରିଛ; ଆଉ ନୁହେଁ । ମନେପଡ଼ିଲେ ହୃଦୟ ଫାଟିଯାଏ । ତୁମ ମମତା, ଆତିଥେୟତା ଆଜୀବନ ସ୍ମରଣ କରିବି । ଆଉ ଅଧିକ କ’ଣ ଅଛି ଏ କର୍ମରେ, କିଏ ଜାଣେ ? ଏତିକି କର, ବାପ ! ଆମମାନଙ୍କୁ କାଶ୍ମୀରକୁ ବିଦାୟ କରିଦେବାର ବନ୍ଦୋବସ୍ତ କରି ଦେ–କିପରି ତୋତେ ଓ ବାଚସ୍ପତିଙ୍କୁ ଛାଡ଼ି ରହିବି, ବାପ ?’’ କହି ବୃଦ୍ଧ କାନ୍ଦିବାକୁ ଲାଗିଲେ । ପିତାଙ୍କୁ କାନ୍ଦିବାର ଦେଖି ରମା କାନ୍ଦିପକାଇଲା–

‘‘କାନ୍ଦିବାର ସମୟ ନୁହେ, ପିତା ! ଆମ୍ଭମାନଙ୍କୁ କାଶ୍ମୀର-ଯାତ୍ରାର ଆୟୋଜନ କରିବାକୁ ହେବ । ସେ କ’ଣ ବନ୍ଦୋବସ୍ତ କରିଦେବେ, କହିଲ ?’’

ରାଜବଲ୍ଲଭ– ‘‘ତୁ ବଡ଼ ନିର୍ବୋଧ ରମା ! ବର୍ତ୍ତମାନ କଠୋରତା ଅବଲମ୍ୱନର ସମୟ ନୁହେଁ । ପୁଣି ଭାବୁଛି, ବାଚସ୍ପତିଙ୍କ କଥା ଅନୁସାରେ କାର୍ଯ୍ୟ କରିବି ।’’

ଧନପତି– ‘‘ସେ କ’ଣ କହନ୍ତି ?’’

ରାଜବଲ୍ଲଭ– ‘‘ତାଙ୍କ ଇଚ୍ଛା, ମୁଁ ଓ ରମା ଯେବେ ତାଙ୍କରି ଘରେ ରହନ୍ତୁ, ତାହାହେଲେ ତୁମକୁ ଦେଖିବାର ସୁଯୋଗ ମତେ ମିଳିବ । ଏହିପରି କୌଣସିମତେ କିଛିଦିନ କଟିଗଲେ ରମା...’’

ଧନପତି– ‘‘ତାହାହେଲେ ରମା....’’

ରମା– ‘‘ସେ ବିଷୟ ତୁମେ ଭାବିବାକୁ କିଏ ? ରମା ନିଜେ ତାର ପନ୍ଥା ଠିକ୍‌ କରିନେବ-।’’

ଧନପତି– ‘‘ମୋର କୌଣସି ଆପତ୍ତିନାହିଁ । ଆପଣମାନଙ୍କର ଯେପରି ଇଚ୍ଛା, ସେପରି ହେବ । କେବେ ଆପଣମାନେ ଏପରି ସଂକଳ୍ପ କାର୍ଯ୍ୟରେ ପରିଣତ କରିବାକୁ ଚାହାନ୍ତି ?’’

ରାଜବଲ୍ଲଭ– ‘‘ବାଚସ୍ପତି ମହାଶୟଙ୍କ ସଙ୍ଗେ ପରାମର୍ଶ କରି ଦିନ ଠିକ୍‌ କରିବାକୁ ହେବ-। ବର୍ତ୍ତମାନ ବେଳ ଅନେକ ହେଲାଣି । ଯାଅ, ତୁମେମାନେ ଖାଇବ । ଦାସୀ ଏ ମଧ୍ୟରେ ଆସି ଦୁଇଥର ଡାକିଗଲାଣି ।’’

ସମସ୍ତେ କିଛିକ୍ଷଣ ସ୍ତମ୍ଭୀଭୂତ ହୋଇ ରହିଗଲେ । ସର୍ବପ୍ରଥମ ରମା ଉଠି ତା କାର୍ଯ୍ୟରେ ଚାଲିଗଲା । ଧନପତି କିଛିକ୍ଷଣ ବସିରହି ଶୟନଘରକୁ ଚାଲିଗଲେ । ସେଦିନ ରାତିରେ ପାଚକ ଆଣି ଅନ୍ନବ୍ୟଞ୍ଜନ ବାଢ଼ି ରଖି ଦେଇଗଲା । ସେ ସବୁ ଯେପରି ବଢ଼ା ହୋଇଥିଲା, ସେହିପରି ପଡ଼ିରହିଲା ।

•••

 

Unknown

ପଞ୍ଚଦଶ ପରିଚ୍ଛେଦ

 

ପରଦିନ ରାତି ପାହି ସକାଳ ହେଲା । ଯେ ଯାହା କାର୍ଯ୍ୟରେ ଲାଗିଗଲେ । ଘୋଡ଼ା ସଇସମାନେ ଘୋଡ଼ାମାନଙ୍କୁ ଧରି ଟହଲ କରିବାକୁ ବାହାରିପଡ଼ିଲେ । ଗୋରୁଗୁହାଳ ପୋଛା ହୋଇ ଘାସକୁଟା ପଡ଼ିଲା । ଘରଦ୍ୱାର ବାହାର ପରିଷ୍କାର କରିବାକୁ ଲୋକେ ଲାଗିଗଲେ । ଦାସୀମାନେ ବାସନ ମାଜିବସିଲେ । ରୋଷେଇଶାଳରେ ଚୁଲି ଜଳି ଚାଳ ଉପରଦେଇ ଧୂଆଁ ଆକାଶକୁ ଉଠିବାକୁ ଲାଗିଲା । ରମା ଉଠି ନିଜ ନିତ୍ୟକର୍ମରେ ଲାଗିଯାଇଛି । ରାଜବଲ୍ଲଭ କାଲି ରାତିରୁ ବାଚସ୍ପତିଙ୍କ ଘରେ ଅଛନ୍ତି, ଏପର୍ଯ୍ୟନ୍ତ ଫେରି ନାହାନ୍ତି । ଶେଠଜୀଙ୍କ ଘର ଓଳାଇବାକୁ ଯାଇ ଦାସୀ ଦେଖିଲା, ଘର ଖାଲି ! କେହି ନାହାନ୍ତି । ସେ ଆସି ଶାମାମା’କୁ କହିଲା– ଶାମାମା’ ଗୋପାଳକୁ କହିଲା । ଏହିପରି ଅଳ୍ପ ସମୟ ମଧ୍ୟରେ ଗୋଟାଏ ଗୋଳମାଳ ଉଠିଗଲା– ଖାମିନ୍ଦ କାହିଁ ନାହାନ୍ତି । ସମସ୍ତଙ୍କର କାମଦାମ ସେହିପରି ଅଧା ପଡ଼ିରହିଲା । ଭଣ୍ଡାର ଘର ମେଲା କରି ପୂଜାହାରୀ ଦୌଡ଼ିଗଲା, ଜଳନ୍ତା ଚୁଲି ଛାଡ଼ି କେହି ପଳାଇଆସିଲା, ଘୋଡ଼ାମାନଙ୍କୁ ପଦାରେ ଛାଡ଼ିଦେଇ ସଇସଯାକ ଧାଇଁଆସିଲେ, ବାସନ ଦରମଜା ହୋଇ ପୋଖରୀକୂଳେ ପଡ଼ିରହିଲା, କିଏ କାହାକୁ କ’ଣ ପଚାରୁଛି, କିଏ କ’ଣ ଉତ୍ତର ଦେଉଛି, କିଛି ଠିକଣାନାହିଁ । ରମା ଦାନ୍ତ ଘଷୁଥିଲା, ଗଣ୍ଡଗୋଳ ଶୁଣି ବ୍ୟସ୍ତ ହୋଇ ଧାଇଁଆସିଲା । ସବୁ ଘର ଖୋଜାଗଲା, ସମସ୍ତଙ୍କୁ ପଚରାଗଲା, ଶେଠଜୀଙ୍କର କୌଣସି ଖବରନାହିଁ । କ୍ରମେ ଏ ଖବର ବାହାରକୁ ଚାଲିଗଲା । ରାଜବଲ୍ଲଭ ଖବର ଶୁଣି ଲସରପସର ଧାଇଁଆସିଲେ । ତାଙ୍କର ଚୈତନ୍ୟ ଲୋପ ଉପରେ । ଉପରମହଲାକୁ ଉଠିଯାଇ ରମାକୁ ଡାକିଲେ– ‘‘ସତେ ରମା, ମୋ ଦେବବ୍ରତନାହିଁ....?’’ ଆଉ କିଛି କହି ପାରିଲେନାହିଁ, କଣ୍ଠରୋଧ ହୋଇଗଲା– ବାରଣ୍ଡାରେ ପଡ଼ିରହିଲେ ।

ରମା ପିତାଙ୍କର ଏ ଅବସ୍ଥା ଦେଖି ‘‘ବାପା, ବାପା’’ ବୋଲି ଡାକିଲା, ସ୍ୱର-ଶବ୍ଦନାହିଁ । ପାଣି ଆଣି ପିତାଙ୍କ ମୁହଁରେ ସିଞ୍ଚିବ ବୋଲି ପାଣି ଖୋଜିଲା; ପାଇଲାନାହିଁ । ପୁଣି ମନେହେଲା, ଶେଠଜୀଙ୍କ ଶୋଇବାଘରେ ଥିବ ପରା । ଏହା ମନେ କରି ରମା ତାଙ୍କ ଶୟନ କକ୍ଷ ଭିତରକୁ ପ୍ରବେଶ କଲା । ଏ ଘରେ ପ୍ରବେଶ ତାର ଆଜି ପ୍ରଥମ । ପଲ୍ୟଙ୍କରେ ମଖମଲ ବିଛଣା ଉପରେ ଜରି ଚାଦର ବିଛା ହୋଇଛି, ପଲ୍ୟଙ୍କ ବାଡ଼ରେ ଶୁଆ ଶାରି ଓ ପଦ୍ମନାଡ଼ ଘେନି ଉଠିଆସୁଥିବା ରାଜହଂସର ଛବି ଅଙ୍କାଯାଇଛି । ପ୍ରଶସ୍ତ ବିଛଣା ଉପରେ ବଡ଼ ବଡ଼ ତକିଆ, ମଶାରି ଓ ଚାନ୍ଦୁଆ ଚମତ୍କାର । ଘରର ସାଜସଜ୍ଜାରେ ଆଖି ଝଲସିଯାଉଛି । ଚାରିପାଖ କାନ୍ଥ ଓ ଛାତ ତଳେ ଖଞ୍ଜାହୋଇଥିବା ବଡ଼ ବଡ଼ ଦର୍ପଣରେ କେତେଗୁଡ଼ିଏ ମୂର୍ତ୍ତି ଏକାବେଳକେ ପଡ଼ି ଝଟକିଗଲା । ଏପରି ଅବସ୍ଥାରେ ମଧ୍ୟ ଏ ଦୃଶ୍ୟ ସର୍ବପ୍ରଥମ ଦେଖି ରମା ମୁହୂର୍ତ୍ତକପାଇଁ ଠିଆହୋଇଗଲା । ଘରର ଏସବୁ ସାଜସଜ୍ଜା ଅଧିଷ୍ଠାତ୍ରୀ ଅଭାବରେ ବିକଳାଙ୍ଗ ହୋଇ ପଡ଼ିଥିଲା । ଆଜି ହଠାତ୍‌ ରମା ହସିଉଠିଲା । ମାତ୍ର ଏହିପରି ଦୃଶ୍ୟ ଦେଖିବ ବୋଲି କଳ୍ପନା କରି ଯେ ଏ ଆୟୋଜନ କରିଥିଲା, ସେ ଆଜି ଦେଖିପାରିଲାନାହିଁ । ରମାର ହଠାତ୍‌ ମନେହେଲା, ସେ କାହିଁକି ଆସିଛି । ଚାହିଁ ଦେଖିଲା, ଟିପାଇ ଉପରେ ପଲ୍ୟଙ୍କକୁ ଲାଗି ଗୋଟିଏ ରୂପାଝରୀ ଜଳପୂର୍ଣ୍ଣ । ପାଣି ନେଇ ଆସିବା ସମୟରେ ଦେଖିଲା, ପଲ୍ୟଙ୍କ ଉପରେ ଖଣ୍ଡେ କାଗଜ–ଶେଠଜୀଙ୍କ ନିଜ ହାତଲେଖା ।

ପାଣି ଆଣି ରମା ରାଜବଲ୍ଲଭଙ୍କ ମୁହଁରେ ସିଞ୍ଚିଦେଲା, ପଣତକାନିରେ ବିଞ୍ଚିଦେବାକୁ ଲାଗିଲା । କିଛିକ୍ଷଣ ପରେ ବୃଦ୍ଧ ଆଖି ଫିଟାଇ କହିଲେ, ‘‘ରମା ! ଏଠାରେ ଏତେ ଲୋକ ଜମାହୋଇଛନ୍ତି କାହିଁକି ?’’ ରମାର ଇଙ୍ଗିତରେ ସମସ୍ତେ ତଳକୁ ଓହ୍ଲାଇଗଲେ । ଟିକିଏ ସୁସ୍ଥ ହେବାରୁ ବୃଦ୍ଧଙ୍କର ସବୁ ମନେ ପଡ଼ିଗଲା–ପଚାରିଲେ, ‘‘ରମା, ସତେ ଦେବବ୍ରତ ମତେ ଏପରି ଛାଡ଼ି ଚାଲିଗଲା; ଆଉ ଆସିବନାହିଁ ?’’

ରମା କିଛି କହିପାରିଲାନାହିଁ । ଯେଉଁ ଲେଖାଖଣ୍ଡି ପଲଙ୍କ ଉପରୁ ପାଇ ଆଣିଥିଲା, ସେଖଣ୍ଡି ପିତାଙ୍କୁ ବଢ଼ାଇଦେଲା । ରାଜବଲ୍ଲଭ ପଢ଼ିବାକୁ ଚେଷ୍ଟାକଲେ–ପାରିଲେନାହିଁ । ପିତାଙ୍କ ଆଦେଶ ପାଇ ରମା ପଢ଼ିବାକୁ ଲାଗିଲା–

‘‘କ’ଣ ସମ୍ୱୋଧନ କରି ଲେଖିବି, ଠିକ୍‌ କରି ପାରୁନାହିଁ । ଅନେକ ଦିନରୁ ମନେ ହେଉଥିଲା, ହୃଦୟ ଖୋଲି ଆପଣଙ୍କୁ ସବୁ କହିଦିଅନ୍ତି–ପାରିଲିନାହିଁ । ସଂସାରରେ ମୋପାଇଁ କେହି କେବେ ଦୁଃଖ କରିନାହିଁ; ଆପଣ ମଧ୍ୟ କରିବେନାହିଁ । ମୋର ପିତାମାତାଙ୍କୁ ଦେଖିବାର ମନେନାହିଁ; ମାତ୍ର ମୋର ପିତାମହ ସ୍ନେହର ଭଣ୍ଡାର ଥିଲେ । କେବଳ ମତେ ସୁଖୀ କରାଇବେ ବୋଲି ଜୀବନପାତ କରିଯାଇଛନ୍ତି । ମୋ ମନର ଭାବ ଦେଖି ସେ ଅଭିଭୂତ ହୋଇଗଲେ । ମୁଁ ବୁଝି ବୁଝିଲିନାହିଁ । ଧନ ଉପାର୍ଜନ କରି ସଂସାରରେ ଆଡ଼ମ୍ୱର ଦେଖାଇହେବି ବୋଲି ମୁଁ ମୋର ପିତାମହଙ୍କ ଆଦର୍ଶ ତ୍ୟାଗ କଲି । ସ୍ନେହ ଓ ତ୍ୟାଗର ମୂର୍ତ୍ତି ମୋର ସେହି ପିତାମହ ଚାଲିଗଲେ । ମୁଁ ବୁଲିଲି ମୋର ଖିଆଲ ଘେନି ।

‘‘ବାପା, ଆପଣଙ୍କ ସଙ୍ଗେ ଦେଖାହେବା ଦିନଠୁଁ ମୁଁ ମୋର ପିତାମହଙ୍କୁ ଆପଣଙ୍କଠାରେ ଦେଖିଲି । ମୂଢ଼ ମୁଁ, ପୁଣି ଆପଣଙ୍କୁ ଛାଡ଼ିଯାଉଛି । ଏ ଜୀବନରେ ଆଉ ଦେଖା ହେବ କି ନା ସନ୍ଦେହ–ଦୁଃଖ କରିବେନାହିଁ । ମୁଁ ଜାଣେ, ଆପଣ ମୋର ଦୋଷ ଦେଖି ଦେଖନ୍ତିନାହିଁ, ସ୍ନେହର ଆବରଣରେ ସବୁ ଘୋଡ଼ାଇ ପକାନ୍ତି । ମୁଁ ଯାଉଛି– ମୋର ଅନୁରୋଧ, ମୋପାଇଁ ଦୀର୍ଘ ନିଶ୍ୱାସଟିଏ ପର୍ଯ୍ୟନ୍ତ ପକାଇବେନାହିଁ । ଜାଣୁଛି, ଆପଣଙ୍କର କଷ୍ଟ ହେବ, ଦୁଃଖ ହେବ–ଦୁଃଖର ଅତୀତ ରମାକୁ ଦେଖି ସବୁ ପାସୋରିପକାଇବେ । ମୋର ସ୍ମୃତି ମନରୁ ଏକାବେଳକେ ପୋଛିଦେବେ । ମୋର ବିରହ ଆପଣଙ୍କ ପକ୍ଷେ ଲେଶ କଷ୍ଟଦାୟକ ହେଲେ ଜାଣିବେ, ମୋର ଅମଙ୍ଗଳ ହେବ । ପିତାମହଙ୍କ ମୃତ୍ୟୁ ପରେ ଗୋଟିଏ ଖିଆଲ ନେଇ ବାହାରିଯାଇଥିଲି– ଏବେ ଆଉ ଗୋଟିଏ ଖିଆଲ ନେଇ ଯାଉଛି ।

‘‘ରମା ଉଚ୍ଚ, ରମା ମହତ୍‌ । ମୁଁ ଯେତେ ଦେଖିଛି, ମୋର ମନେ ହେଇଛି– ରମା ମୋ’ଠାରୁ ବହୁ ଉଚ୍ଚରେ । ମୁଁ ଅସ୍ୱୀକାର କରି ପାରିବିନାହିଁ ଯେ, ମୁଁ ବାସନାର ବଶବର୍ତ୍ତୀ ନୁହେଁ । ରମା ସଙ୍ଗେ ମିଳିତ ହେବାର ବାସନା ମତେ ସ୍ପର୍ଶ କରିଥିଲା; ମୁଁ ଆକୁଳ ହୋଇଥିଲି । ବୃଥା ଆଶା-। ମନେ କରିବେନାହିଁ, ମୁଁ କ୍ଷୋଭରେ ଏ କଥା ଲେଖୁଛି । ଆଶାର ବ୍ୟର୍ଥତା ମୋତେ ଆଜି ପୀଡ଼ା ଦେଉନାହିଁ । ରମା ମୋର ପୂଜ୍ୟା, ଆରାଧ୍ୟା । ଆଉ ମୋର ଦୁଃଖନାହିଁ । ହୃଦୟର ସମସ୍ତ ଆବିଳତା ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି– ଯଦି କେବେ ସମର୍ଥ ହୁଏ, ତେବେ ଫେରିଆସିପାରେ ।

‘‘ପୂର୍ବରୁ ପ୍ରକାଶ କରିଛି, ଏସବୁ ସମ୍ପତ୍ତି ରମାର । ସେ ଯେପରି ଇଚ୍ଛା କରିବ, ଏ ସମସ୍ତ ସମ୍ପତ୍ତି ସେହିପରି ବ୍ୟବହାର କରି ପାରିବ । ଚିରଦିନପାଇଁ ରମାର ଆଶା ବିସର୍ଜନ ଦେଲି– ସମ୍ପତ୍ତି କି ଛାର ! ଆପଣ ବୋଧହୁଏ ଜାଣିଥିବେ, ଏ ସବୁ ସମ୍ପତ୍ତି ମୁଁ ଉପାର୍ଜନ କରିଛି । ଏତେ ଧନ ଉପାର୍ଜନ କରିପାରିଲି ବୋଲି ମନରେ ଗର୍ବ ଅନୁଭବ କରିଛି– ସେଥିପାଇଁ ଆଜି ମୁଁ ଅନୁତପ୍ତ । ପିତାମହଙ୍କ କଥା ମନେ ପଡ଼ୁଛି–ଧନ-ସମ୍ପତ୍ତି କେବେ ମନୁଷ୍ୟକୁ ସୁଖ-ଶାନ୍ତି ଦେଇ ନ ପାରେ । ସୁଖ ଶାନ୍ତି ମନର ଜିନିଷ; ବାହାରର ନୁହେଁ । ଏହା କେବଳ ତାଙ୍କର ଉପଦେଶ ନଥିଲା, ଜୀବନରେ ସେ ଏହା ସ୍ପଷ୍ଟ ଦେଖାଇ ଦେଇଯାଇଛନ୍ତି । ସେଥିପାଇଁ ସେ ସଦା ପ୍ରସନ୍ନ ଓ ପ୍ରଫୁଲ୍ଲ ଥିଲେ । ତାଙ୍କ ଆଦର୍ଶ ଗ୍ରହଣ କରିଥିଲେ ଆଜି ମୋ ଜୀବନତରୀ ଅନ୍ୟଆଡ଼େ ଭାସୁଥାଆନ୍ତା । ତାଙ୍କ ସୁକୃତର ଫଳ ମୋର ପଥପ୍ରଦର୍ଶକ ହେବ ।

‘‘ରମା ପ୍ରତି ମୋର କିଛି କହିବାରନାହିଁ । ସେ ଇଚ୍ଛା କଲେ ଦୀନଦୁଃଖୀଙ୍କ ଉପକାରରେ ଏ ସମ୍ପତ୍ତି ବ୍ୟବହାର କରିବ; ନଚେତ୍‌ ଯେପରି ଇଚ୍ଛା ସେପରି କରିବ । ହୃଦୟରୁ ଦୁଃଖ-କଷ୍ଟ ଦୂର କରିବା, ସବୁ ଅବସ୍ଥାରେ ନିଜକୁ ସୁଖୀ ମନେ କରିବା ମୋର ଆଜିଠାରୁ କର୍ତ୍ତବ୍ୟ–କର୍ମ ହେବ । ଆସକ୍ତିଠାରୁ ଦୂରରେ ରହିବାକୁ ଚେଷ୍ଟା କରିବି-ପାରିବି କି ନା, ସନ୍ଦେହ !

‘‘ଯାଉଛି; ଏ ଜୀବନରେ ଆଉ ଦେଖା ନ ହେଲେ ଏହା ଚିରବିଦାୟ । ମୋର ଅନୁସନ୍ଧାନ କରିବେନାହିଁ, ମୋଠାରୁ ଚିଠିପତ୍ର କିମ୍ୱା କୌଣସି ସମ୍ୱାଦ ପାଇବାର ଆଶା ରଖିବେନାହିଁ । ମୁଁ ନିଜେ ମଧ୍ୟ ଆପଣଙ୍କର କିମ୍ୱା ରମାର ସମ୍ୱାଦ ପାଇବାକୁ ଉତ୍କଣ୍ଠିତ ହେବିନାହିଁ ବୋଲି ଭାବୁଛି । ମୁଁ ଦୁର୍ବଳ, ଇନ୍ଦ୍ରିୟପରତନ୍ତ୍ର; ଅତଏବ କ୍ଷମାର ପାତ୍ର । ରମା ଏ ପତ୍ର ଦେଖିଲେ ବାରମ୍ୱାର ତାର ନାମ ଉଲ୍ଲେଖ କରି ଦୁର୍ବଳତା ପ୍ରକାଶ କରିଛି ଜାଣି ମୋ ପ୍ରତି ବିରକ୍ତ ହୋଇପାରେ-। ମାତ୍ର ବଳ ପ୍ରୟୋଗ ସବୁବେଳେ ପ୍ରଶଂସାର କଥା ନୁହେଁ । ମୋର ଭୁଲ ହୋଇପାରେ, ମୋର ମନେ ହୋଇଛି– ରମା କେବେ କେବେ ସେ ବଳର ଅଯଥା ବ୍ୟବହାର କରେ । ହୃଦୟର କୋମଳତା ନାରୀର ସୌନ୍ଦର୍ଯ୍ୟ-ରମା ଏ କଥା ବୋଧ ହୁଏ ବୁଝେନାହିଁ ।

‘‘ବିଦାୟ ନେଉଛି । ବେଳ ଅତୀତ ହେଲାଣି । ଆଉ କିଛି ଲେଖିବାରନାହିଁ । ପୁତ୍ରଠାରୁ ବଳି ସ୍ନେହ କରିଛନ୍ତି, ଜୀବନରେ ତାହା ପରିଶୋଧ କରିପାରିଲିନାହିଁ– ଦୁଃଖ ରହିଗଲା । ଇତି।

ସେବକ

ଦେବବ୍ରତ’’

•••

 

ଷୋଡ଼ଶ ପରିଚ୍ଛେଦ

 

ଚିଠି ପଢ଼ିସାରି ରମା ଥକ୍‌କା ହୋଇ ବସିଗଲା । ବୃଦ୍ଧ ମଧ୍ୟ କିଛି କହିପାରିଲେନାହିଁ । ରମା ଚିଠିଖଣ୍ଡି ଓଲଟପାଲଟ କରି କେତେ ଥର ଦେଖିଲା– ପ୍ରତି ଛତ୍ର, ପ୍ରତି ଅକ୍ଷର ଯେପରି ମୁଖସ୍ଥ ହୋଇଗଲା । ମନେ ହେଲା, ସତେ ସେ ଏତେ ସମ୍ପତ୍ତିର ମାୟା-ମମତା ଏକାବେଳକେ ତ୍ୟାଗ କରି ଚାଲିଗଲେ ! ନା, ନା, ବୋଧହୁଏ ତାହା ନୁହେ । ଏ ସବୁ ବୋଧହୁଏ ଛଳନା; ରମାର ମନ ବିଡ଼ିବାର ଗୋଟିଏ ପନ୍ଥା । କିଛି ଦିନ ବାଆଁରା-ବାଆଁରି ପରେ ପୁଣି ଶେଠଜୀ ନିଜ ମୂର୍ତ୍ତି ଧରି ଫେରିଆସି ତାକୁ ପାଖକୁ ଡାକି ସେହିପରି କାକୁତି-ମିନତି କରିବେ । କିନ୍ତୁ ଯଦି ବାସ୍ତବିକ ସେ ଏପରି ତ୍ୟାଗ କରିଥାନ୍ତି, ଯଦି ସେ ସମସ୍ତ ମାୟା-ମମତା ପରିତ୍ୟାଗ କରି ଚାଲିଯାଇଥାନ୍ତି, ତାହାହେଲେ ତ ରମାର ଭୁଲ ହୋଇଗଲା । ତାହାହେଲେ ରମା କ’ଣ ଅନୁତାପ କରିବ ? ରମା ତାହା କରିବନାହିଁ– ଏପରି ଦୁର୍ବଳତାକୁ ସେ ମନରେ କଦାପି ସ୍ଥାନ ଦେବନାହିଁ । ସେ ନିଜର କର୍ତ୍ତବ୍ୟ କରିବାକୁ ଶିଖିଛି–କର୍ତ୍ତବ୍ୟ କରିଯିବ ।

ରାଜବଲ୍ଲଭଙ୍କ ମନର ଅବସ୍ଥା ବର୍ଣ୍ଣନାତୀତ । ବାଚସ୍ପତି ମହାଶୟ ରମା ସଙ୍ଗେ ଦେବବ୍ରତ ଓରଫ୍ ମୂଳିନାଥର ବିବାହ ଶାସ୍ତ୍ରସିଦ୍ଧ ନୁହେ ବୋଲି କହିବାଦିନୁଁ ସେ ବିଚଳିତ ହୋଇଗଲେ । ତାଙ୍କର ଓ ମୂଳିନାଥର ଏକ ଗୋତ୍ର; ମୂଳିନାଥର ମାତାଙ୍କ ନାମ ମଧ୍ୟ ରମା ଥିଲା । ବିବାହ କିପରି ହୁଅନ୍ତା ? ‘‘ବରପୂର୍ବା ବୟୋଜ୍ୟେଷ୍ଠା ମାତୃନାମ୍ନୀ ସଗୋତ୍ରିକା...।’’ ଏଥିରେ ଶାସ୍ତ୍ର ଅନୁସାରେ ବିବାହ ଅସମ୍ଭବ । ଏ କଥା ଆଗରୁ ଅନୁସନ୍ଧାନ ନ କରିବାରୁ ଏପରି ଘଟିଲା ! ଦୁଃଖର ଜୀବନ ତାଙ୍କର; ମନେ କରିଥିଲେ ଶେଷ ଜୀବନ ସୁଖରେ କଟାଇବେ ! ସତେ ମୂଳିନାଥ ଦେଶତ୍ୟାଗୀ ହୋଇ ଚାଲିଗଲା ! ତାକୁ ଦେଖିଲାଦିନୁଁ ସେ ପୁତ୍ର-ଶୋକ ପାସୋରି ପକାଇଥିଲେ । ଆଜି ପୁତ୍ରଶୋକ ଯେପରି ଶତଗୁଣ ବଢ଼ିଯାଇ ପୀଡ଼ା ଦେଉଛି ।

ରମାର ଅବସ୍ଥା ଭାବି ବୃଦ୍ଧ ବ୍ୟାକୁଳ ହେଲେ । ରମା ବରପୂର୍ବାବୟସ୍କା । ଯାଜପୁରର ସମସ୍ତେ ତାକୁ ଶେଠଜୀଙ୍କ ସ୍ତ୍ରୀ ବୋଲି ମନେ କରିଛନ୍ତି । ଏପରି ଅବସ୍ଥାରେ କେହି କ’ଣ ରମାକୁ ବିବାହ କରିବାକୁ ରାଜି ହେବେ ? ତାଙ୍କରି ଶିକ୍ଷା-ଦୀକ୍ଷା ଯୋଗୁଁ ରମାର ଆଜି ଏ ଦଶା ହେଲା ! ଯେଉଁଠାରେ ଆସକ୍ତି, ସେଠାରେ ଖାଣ୍ଟି ଜିନିଷର ଅଭାବ, ଏ କଥା ତ ରମାକୁ ସେ ହିଁ ଶିକ୍ଷା ଦେଇଥିଲେ । ରମାର ଜୀବନ ବିଷମୟ ହେଲା– ସେଥିପାଇଁ ଦାୟୀ ତ କେବଳ ନିଜେ !

ନିଜର ବାଲ୍ୟଜୀବନ ଓ ଜନକଜନନୀଙ୍କ ଆଦର ମନେପଡ଼ିଲା– କେତେ ଆଦରରେ ବଢ଼ିଥିଲେ ସେ ! କେଉଁ ଦୋଷରୁ ଶେଷ ଜୀବନରେ ତାଙ୍କର ଏପରି ଦଶା ଘଟିଲା ! ପାଠ ପଢ଼ିଲେ-। କାଶ୍ମୀରରେ ଅସାଧାରଣ ପଣ୍ଡିତ ବୋଲି ସମ୍ମାନ ପାଇଲେ । ସ୍ତ୍ରୀଙ୍କ ମୂର୍ତ୍ତି, ମଧୁର ସମ୍ବାଷଣ ସବୁ ମନେପଡ଼ିଲା । ଦେବବ୍ରତର ଜନ୍ମ; କେତେ ଆନନ୍ଦ ସେତେବେଳେ ! ପୁତ୍ରର ଜାତକର୍ମ, କର୍ଣ୍ଣବୋଧ ଓ ବ୍ରତ ହେଲା ! ଜୀବନର ସବୁ ସୁଖ ବୋଧ ହୁଏ ସେହି ସମୟ ମଧ୍ୟରେ ଭୋଗହୋଇଗଲା । ତା ପରେ ରମାର ଜନ୍ମ -ସ୍ତ୍ରୀଙ୍କ ମୃତ୍ୟୁ । କି କଠୋର ଯନ୍ତ୍ରଣା ! କେତେ ଆଦରରେ ସ୍ନେହରେ ରମାକୁ ପାଳିବାକୁ ଲାଗିଲେ । ରମାର ଶିକ୍ଷା-ଦୀକ୍ଷା ସବୁ ତାଙ୍କ ନିକଟରୁ । ତା ପରେ ମନେପଡ଼ିଲା– ଦେବବ୍ରତର ମୃତ୍ୟୁ ! ରାଜବଲ୍ଲଭଙ୍କ ହୃଦୟତନ୍ତ୍ରୀ ନିସ୍ପନ୍ଦ ହୋଇ ଆସିଲା-। ଆଖି ବୁଜି ଢଳିପଡ଼ିଲେ । ପିତାଙ୍କର ଏ ଅବସ୍ଥା ଦେଖି ଚମକିପଡ଼ି ରମା ତାଙ୍କୁ ଧରି ଉଠାଇ କହିଲା– ‘‘ବାପା, ବାପା ! ଏ କ’ଣ ? ବୃଥାରେ ଏତେ ଚିନ୍ତା କାହିଁକି ? ଆତ୍ମନିର୍ଭରଶୀଳ ହେବାକୁ ତୁମେ ପରା ସବୁବେଳେ ଶିକ୍ଷା ଦେଇଛ ?’’

‘‘ହଁ ମା’ ! ଆତ୍ମନିର୍ଭରଶୀଳ ହୁଅ, ମା’ ମୋର । ମୁଁ ତ କିଛି ସ୍ଥିର କରିପାରୁନାହିଁ । ତୋର ଯାହା ଇଚ୍ଛା କର, ମା’ !’’

‘‘କିଛି ସ୍ଥିର କରିବା ଦରକାରନାହିଁ । ଭାଇ ଯେ ସବୁ ଲେଖିଯାଇଛନ୍ତି; କେବଳ ସେହି ଅନୁସାରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ।’’

‘‘ଲେଖା ! ଦେବ ଲେଖିଛି ! କ’ଣ ଲେଖିଛି ’’

‘‘ଏହିକ୍ଷଣି ପରା ତୁମ ଆଗରେ ପଢ଼ିଲି, ବାପା ! ସବୁ ଭୁଲିଗଲ ?’’

‘‘ହଉ, ହଉ, ଆଉ ଥରେ ପଢ଼ିଲୁ ମା, ଶୁଣେଁ ।’’

ରମା ଆଉ ଥରେ ଚିଠିଖଣ୍ଡି ଆମୂଳଚୂଳ ପଢ଼ି ଶୁଣାଇ ଦେଇ କହିଲା, ‘‘ବାପା, ଚିନ୍ତା କରନାହିଁ । ମୁଁ ସବୁ ଯୋଗାଡ଼ କରିଦେବି ।’’

‘‘ଦେବବ୍ରତ ମୋର କୁଆଡ଼େ ଚାଲିଗଲା ! କେହି ତାକୁ ଖୋଜିବାକୁ ଗଲେନାହିଁ ?’’

‘‘ଦରକାରନାହିଁ ବାପା ! ସେ ତ ନିଜେନାହିଁ କରିଛନ୍ତି ।’’

‘‘କାହାକୁ ପଠା ମା’ ! କାହିଁକିନାହିଁ କରୁଛୁ ?’’

ରମାର ଡାକ ଶୁଣି ଗୋଟିଏ ଦାସୀ ଧାଇଁଆସିଲା । ଦାସୀକୁ ଦେଖି ମଧୁ ପ୍ରଭୃତିଙ୍କୁ ଡାକିଦେବାପାଇଁ ରାଜବଲ୍ଲଭ କହିଦେଲେ । ସେମାନେ ଆସି ଅବିଳମ୍ବେ ହାଜର ହେଲେ । ସେମାନଙ୍କୁ ଦେଖି ରାଜବଲ୍ଲଭ କହିବାକୁ ଲାଗିଲେ– ‘‘ମଧୁ, ଆନନ୍ଦ ! ଯାଅ, ଯାଅ... ଦେବ କେଉଁଠି ଅଛି ଖୋଜି ଆସ ।’’

ମଧୁ– ‘‘ଆଜ୍ଞା, ଖାଉନ୍ଦେ ! ଆମେ କ’ଣ ତୁନି ହୋଇ ବସିଛୁଁ ? ଯାଜପୁର ଚାରିଆଡ଼େ କେତେ ଥର ଖୋଜିସାରିଲୁଣି । କାହିଁ, କେଉଁଠି ତ ତାଙ୍କ ସନ୍ଧାନ ପାଇପାରିଲୁନାହିଁ ।’’

‘‘ମୋ ବାପ, ମୋ ଧନ, ତୁମେମାନେ କରିବନାହିଁ ତ ଆଉ କରିବ କିଏ ? ଆଉ ଟିକିଏ ଭଲକରି ଖୋଜ ଭଲା, ଦୂରକୁ ଯାଇ ଖୋଜ, ଚାରିଆଡ଼େ ଖବର ପଠାଇଦିଅ ।’’

‘‘ଯେ ଆଜ୍ଞା’’ କହି ମଧୁ ପ୍ରଭୃତି ବାହାରିଗଲେ ।

ରମା କହିଲା– ‘‘ବାପା ! ତୁଚ୍ଛାଟାରେ କାହିଁକି ପଠାଇଲ ଏମାନଙ୍କୁ ? ସେ ଯଦି ଏହି ନିକଟରେ କେଉଁଠି ଥିବେ ବୋଲି ମନେକରୁଛ, ତାହାହେଲେ ବେଳବୁଡ଼ସରିକି, ନଇଲେ କାଲି ଆଡ଼କୁ ଆପେ ଫେରିଆସିବେ । ସେତେବେଳେ ବୁଝାଯିବ, ଏ ସବୁ ତାଙ୍କର ଛଳନା– ଆମ ମନ ବିଡ଼ିବାପାଇଁ ସେ ଏପରି କରିଛନ୍ତି । ତା ଯଦି ନୁହେଁ, ସେ ଏ ମଧ୍ୟରେ ଅନେକ ଦୂର ଯିବେଣି; ଖୋଜିବା କଥା ।’’

‘‘ମା ! ତୁ ମୋର ସବୁଦିନେ ବାଇଆଣୀ ।’’

‘‘ନାହିଁ ବାପା ! ଯଦି ଛଳନାରେ ନିକଟରେ ଲୁଚିଥିବେ, ଆମ ଆତୁରତା ଦେଖି ମନେକରିବେ, ଆମେ କେଡ଼େ ଦୁର୍ବଳ !’’

‘‘ମା’ ମୋର, ସବଳତା ଦେଖାଇବା ଆଉ ଆମର ଦରକାରନାହିଁ । ସବୁ କାର୍ଯ୍ୟରୁ ତୁ ଦେଖିପାରୁଥିବୁ, ବାସ୍ତବିକ ମୁଁ କେଡ଼େ ଦୁର୍ବଳ । ଦିନ ଥିଲା ରମା, ଯେତେବେଳେ ମୋ କୌଣସି କାର୍ଯ୍ୟରୁ କେହି କେବେ ମତେ ଭୀରୁ ବୋଲି ମନେକରିବ, ଏହା ଭାବିଲେ ରକ୍ତ ଗରମ ହୋଇଉଠୁଥିଲା । ସେ ଦିନ ଗଲାଣି, ଆଉ ଆସିବନାହିଁ । ଏବେ ମନର ଭାବ ଯାହା ହେଲାଣି, କେହି ମତେ ସାହସୀ ବା ସବଳ ବୋଲି କହିଲେ ମଧ୍ୟ ମୁଁ ନିଜକୁ ଦୁର୍ବଳ ବୋଲି କହିବାକୁ ପ୍ରସ୍ତୁତ ଅଛି । ଥାଉ ସେ କଥା ରମା ! ଦେବବ୍ରତ ଆସି ତା ଘର ସମ୍ଭାଳୁ; ରମା, ଆମେ ଦେଶକୁ ବାହାରିଯିବା ।’’

‘‘ଦେଶକୁ ଯିବା ! ଦେଶ ତ ଆମର ଏହି । ଭାଇ ଯେ ଗୁରୁଭାର ଦେଇ ଯାଇଛନ୍ତି, ତାହା ପାଳିବାକୁ ହେବ । ଏ କଥା ଏତେ ଶୀଘ୍ର ଭୁଲିଗଲ ବାପା !’’

‘‘କ’ଣ ତେବେ କରିବୁ ରମା ?’’

‘‘ଦୁଇଦିନ ଅପେକ୍ଷା କରିବି । ଯଦି ସେ ନ ଆସନ୍ତି, ଏ ଘରର ସବୁ ଜିନିଷପତ୍ର, ଘୋଡ଼ା, ଗୋରୁଗାଈ ବିକ୍ରି କରିଦେବି । ବିକ୍ରି କରି ଯେତେ ଧନ ହେବ ଏବଂ ଯାହା ଗଚ୍ଛିତ ଅଛି, ସବୁ ପରସେବାରେ ଖର୍ଚ୍ଚ କରିବାକୁ ହେବ । ଏ ଘରକୁ ଦୁଇ ଭାଗ କରି ଅଧକରେ ଦୁସ୍ଥ ରୋଗୀମାନଙ୍କପାଇଁ ଚିକିତ୍ସାଳୟ ଖୋଲିବାକୁ ହେବ । ଅପର ଅଧକରେ ଅନ୍ନଛତ୍ର ଦିଆଯିବ– ଗରିବ ଦୁଃଖୀଙ୍କପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ହେବ । ମୁଁ ନିଜେ ଏ ସମସ୍ତ କାର୍ଯ୍ୟର ଭାର ନେବି ।’’

‘‘ରମା, ତତେ ବିବାହିତା ଦେଖି ସୁଖୀ ହେବି ବୋଲି ମନେକରିଥିଲି । ତୋର ଗୋଟିଏ ସନ୍ତାନ ହେବାର ଦେଖିଲେ, ସବୁ ଦୁଃଖ ପାସୋରି ପକାଇଥାନ୍ତି ବୋଲି ଆଣ୍ଟ ବାନ୍ଧିଥିଲି । ଶେଷ ଜୀବନକୁ ମତେ ପୁଣି ଏଇୟା ଦେଖିବାକୁ ହେବ !’’

‘‘ବାପା ! ତୁମ ପ୍ରସାଦରୁ ମୋର କୌଣସି ଦୁଃଖନାହିଁ । ତୁମେ ଚିନ୍ତା କରନାହିଁ । ଏପରି କାର୍ଯ୍ୟ କଲେ ମୋର ସୁଖ ବହୁପରିମାଣରେ ବଢ଼ିବ । ବିଧି-ବିଧାନରେ ଅସନ୍ତୁଷ୍ଟ ହେବା ଅନୁଚିତ । ଏ କଥା ତ ମୁଁ ତୁମଠାରୁ ଶିଖିଛି । ମୋର ସୁଖ ଦେଖିଲେ ଯଦି ତୁମର ଶାନ୍ତି, ତାହାହେଲେ ସ୍ଥିର ହୋଇ ଅପେକ୍ଷା କର; ଦେଖିବ, ମୁଁ କେବେ ଅସୁଖୀ ହେବିନାହିଁ ।’’

‘‘ତୋ ଇଚ୍ଛା ମା’ ! ମୋ ମନ ଚଞ୍ଚଳ ହେଉଛି, ମୁଁ ଟିକିଏ ବାଚସ୍ପତିଙ୍କ ଆଡ଼ୁ ବୁଲିଆସେ-।’’

‘‘ନା ବାପା ! ଭାରି ଦୁର୍ବଳ ହୋଇଛ, ଚାଲିପାରିବନାହିଁ ।’’ ଏପରି ସମୟରେ ବାଚସ୍ପତି ନିଜେ ଆସି ହାଜର ହୋଇଗଲେ ।

ରାଜବଲ୍ଲଭ– ବାଚସ୍ପତି ମହାଶୟ, ମୋ ଦଶା ସବୁ ଶୁଣିଲେଣି ତ ?

ବାଚସ୍ପତି– ହଁ, ସବୁ ଶୁଣିଛି ବନ୍ଧୁ ! ଆଗରୁ ଆସିବାକୁ ବସିଥିଲି, ବିଶେଷ କାର୍ଯ୍ୟ ଥିବାରୁ ଆସି ପାରି ନ ଥିଲି ।

ରାଜବଲ୍ଲଭ– ଆପଣ ସବୁବେଳେ ଧର୍ମଶାସ୍ତ୍ର ଆଲୋଚନାରେ ବ୍ୟସ୍ତ– ମୁଁ ବର୍ତ୍ତମାନ କ’ଣ କରିବି, ଟିକିଏ ଭାବି ଦେଖୁନାହାନ୍ତି ?

ବାଚସ୍ପତି– ଭାବନା କଅଣ ବନ୍ଧୁ ! ମୂଳିନାଥ ମନଦୁଃଖରେ ଚାଲିଯାଇଛି । ବୋଧ ହୁଏ ଦୁଇ ଚାରି ଦିନରେ ଫେରିଆସିବ ।

ରାଜବଲ୍ଲଭ-ଆପଣ ତାହାହେଲେ ମୂଳିନାଥକୁ ଚିହ୍ନିନାହାନ୍ତି ...ସେ ଆଉ ଫେରିଆସିବନାହିଁ । ଚିଠି ଲେଖିଦେଇ ଯାଇଛି ।

ବାଚସ୍ପତି– ଲେଖା କାହିଁ ? ଦେଖେଁ ।

ରାଜବଲ୍ଲଭ ରମାକୁ ଡାକିଲେ । ରମା ପତ୍ରଖଣ୍ଡ ବଢ଼ାଇ ଦେଲା । ପତ୍ର ପଢ଼ିସାରି ବାଚସ୍ପତି କିଛି ସମୟ କ’ଣ ଭାବିଲେ । ପରେ କହିଲେ ‘‘ମୂଳିନାଥ ମହତ୍... ଆହା, ଆଜି ବନ୍ଧୁ ରାମଶରଣ ଜୀବିତ ଥାଆନ୍ତେ କି ! ଭାବିଥିଲି, ମୂଳିନାଥ ଭୋଗ-ବିଳାସରେ ଉନ୍ମତ୍ତ-ମାତ୍ର ତାହା ନୁହେଁ । ତ୍ୟାଗୀ ପିତାମହଙ୍କ ସୁକୃତ ମୂଳିନାଥଚରିତ୍ରରେ ଘୋର ପରିବର୍ତ୍ତନ ଆଣିବ ।’’

ରମା– ବାପା ଏଡ଼େ ଦୁଃଖିତ ଓ ଚିନ୍ତିତ କାହିଁକି ? ମୂଳିନାଥଙ୍କ ଆଦେଶ ଅନୁସାରେ ତାଙ୍କ ସମ୍ପତ୍ତିର ବ୍ୟବହାର କରିବାକୁ ମୁଁ ପ୍ରସ୍ତୁତ ଅଛି । ବାପାଙ୍କର ଦୁଃଖ କରିବାର କି କାରଣ ଅଛି-?

ବାଚସ୍ପତି– ଯାହା କହିଲୁ ମା, ସବୁ ଠିକ୍ । ଆପଣ ଆଉ ବ୍ୟଥିତ ହେବେନାହିଁ, ବନ୍ଧୁ ! ରମାକୁ ତାର କର୍ତ୍ତବ୍ୟ କରିବାକୁ ଦିଅନ୍ତୁ ।

•••

 

ସପ୍ତଦଶ ପରିଚ୍ଛେଦ

 

ଇନ୍ଦ୍ରିୟଜ୍ଞାନର ବହିର୍ଭୁତ କଳ୍ପନାର ଅତୀତ ସମୟ ତାର ନିଜ ଗତିରେ ଚାଲିଯାଉଛି । କେବେଠାରୁ ଗତି ଆରମ୍ଭ କରିଛି, କେବେ ଶେଷ କରିବ, ସେ ହିଁ ଜାଣେ । ଶୋକ, ଦୁଃଖ ଓ ଆନନ୍ଦ-କୋଳାହଳ କେତେ କ’ଣ ଘଟିଯାଉଛି, ତାର ସେଥିପ୍ରତି ଭ୍ରୁକ୍ଷେପନାହିଁ; ଚାଲିଛି । ମୂଳିନାଥ ଘର ଛାଡ଼ି ଚାଲିଯିବାର ପାଞ୍ଚ ଦିନ ହେଲାଣି, କେତେ ଚାକର ନୌକର ଆଡ଼େଦୀର୍ଘେ ପାଞ୍ଚ କୋଶ ଦଶ କୋଶ ବୁଲିଆସିଲେଣି; କେଉଁଠାରୁ କିଛି ଖବର-ଅନ୍ତର ମିଳିନାହିଁ । ଯାଜପୁର ଗୋଟାକଯାକ ଭାବୁଛି– ଧନ୍ୟ ମୂଳିନାଥ ! ମୂଳିଆ ପିଲା ହେଲା, ବଢ଼ିଲା, କେତେ ପାଠଶାଠ ପଢ଼ିଲା, ଘରଦ୍ୱାର ବିକି ହଠାତ୍ ଦିନେ କୁଆଡ଼େ ପଳାଇଗଲା ! ଜଣାନାହିଁ, ଶୁଣାନାହିଁ– ହଠାତ୍ ଆସି ଗୋଟାଏ ମାୟାପୁରୀ ରଚନା କରି ଭୋଗବିଳାସର ଚୂଡ଼ାନ୍ତ ଦେଖାଇ ଦେଇ ନିମିଷକେ ପୁଣି କୁଆଡ଼େ ଉଭେଇଗଲା !

ସେହି ଘରଦ୍ୱାର ଅଛି; ମାତ୍ର କିଛି ଯେପରି ଥିଲା, ବର୍ତ୍ତମାନନାହିଁ । ମୂଳିନାଥର ଅଭାବ ମୂର୍ତ୍ତିମାନ୍ ହୋଇ ସମସ୍ତଙ୍କୁ ଏହି କଥା ବୁଝାଇଦେଉଛି । ସେହି ଗୃହପାଳିତ ପଶୁ, ସେହି ଦାସଦାସୀ ଅଛନ୍ତି; ମାତ୍ର ସବୁ ଯେପରି ନିସ୍ପନ୍ଦ, ନିସ୍ତବ୍‌ଧ । ମନ୍ଦିର ଅଛି, ଘଣ୍ଟା-ମର୍ଦ୍ଦଳ ଅଛି, ପୂଜାରି ଅଛି ଦେବମୂର୍ତ୍ତି ଯେପରି କିଏ ଚୋରାଇ ନେଇଯାଇଛି । ମୂଳିନାଥ ଥିବାବେଳେ ବଡ଼ିଭୋରରୁ ଘରଦ୍ୱାର ଓ ରାସ୍ତାଘାଟ ପରିଷ୍କାର ହୋଇ ପାଣି ପଡ଼ୁଥିଲା । ଏବେ କିଏ କେତେବେଳେ କେଉଁ କାମ କରୁଛି ନକରୁଛି, କେହି ଦେଖିବାକୁନାହିଁ । ଫୁଲବଗିଚା ଚାରି ଦିନ ହେବ ପାଣି ନ ପାଇ ମଉଳି ଆସିଲାଣି-। ଘଷା-ମଜା ହୋଇ ଘୋଡ଼ାଗୁଡ଼ିକ ତନ୍‌ଛନ୍ ଥିଲେ; ଏବେ ଖଉରିଆ ପଡ଼ିଗଲେଣି । ଗାଈଗୋରୁଯାକ ଏଣେତେଣେ ବୁଲୁଛନ୍ତି ।

ମୂଳିନାଥ ଆଉ ଫେରିଆସିବାର ଆଶା ସମସ୍ତେ ଛାଡ଼ିଲେଣି । ରମା ସବୁ କାର୍ଯ୍ୟ ଆପେ ବୁଝିବାକୁ ବାହାରିଛି । ଅନେକ ଦାସଦାସୀ ବିଦାୟ ହୋଇ ଗଲେଣି । ରମା କାହାରିକୁ ଅସନ୍ତୁଷ୍ଟ କରୁନାହିଁ । ଲୁଗାପଟା ଓ ବକ୍‌ସିସ ଦେଇ ଅନ୍ୟତ୍ର ଚାକିରି ଅନୁସନ୍ଧାନ କରିବାପାଇଁ ସେମାନଙ୍କୁ ପଠାଇଦେଉଛି । କେତେକ ନିତାନ୍ତ ପ୍ରୟୋଜନୀୟ ଜିନିଷ ଛଡ଼ା ଘରର ଅନ୍ୟ ସବୁ ସରଞ୍ଜାମ ବିକ୍ରି ହେଉଛି । ଖବର ପାଇ ଖରିଦଦାରମାନେ ବହୁ ଦୂରରୁ ଆସି ଜିନିଷପତ୍ର, ଗାଈଗୋରୁ, ଘୋଡ଼ା ସବୁ ଖରିଦ କରି ନେଇଯାଉଛନ୍ତି ।

ରମାର ଅବସ୍ଥା ଢେର୍ ପରିବର୍ତ୍ତିତ ହୋଇଛି । ବର୍ତ୍ତମାନ ସେ ଯେପରି ନିଜ ହାତରେ ସବୁ କରିବାକୁ ପ୍ରସ୍ତୁତ । ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟାତ୍ୟାଗପୂର୍ବକ ରମା ନିତ୍ୟକର୍ମ ଶେଷ କରିପକାଏ । ମତିଗତି ତାର ପବିତ୍ରତା ଦିଗକୁ ଫେରାଇବାପାଇଁ ହୃଦୟର ସହିତ ତାର ହୃଦୟ-ଦେବତାଙ୍କ ନିକଟରେ ପ୍ରାର୍ଥନା କରେ । ତା ପରେ ଘରର ଯାବତୀୟ କାର୍ଯ୍ୟ ନିଜେ ବୁଝେ ।

ଧନପତି ଶେଠଙ୍କ ପ୍ରାସାଦ ଆଜି ଭିନ୍ନ ଆକାର ଧାରଣ କରିଛି । ପ୍ରାସାଦର ନାମ ଦିଆଯାଇଛି– ‘‘ମୂଳିନାଥ ସେବାଶ୍ରମ’’ । ସମସ୍ତ ପ୍ରାସାଦ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏକ ଅଂଶରେ ଚିକିତ୍ସାଳୟ, ଅପର ଅଂଶରେ ଅନ୍ନଛତ୍ର ଖୋଲାଯାଇଛି । ଚିକିତ୍ସାଳୟରେ ବୈଦ୍ୟମାନେ ପ୍ରତ୍ୟହ ରୋଗୀମାନଙ୍କୁ ଔଷଧ ବିତରଣ କରୁଛନ୍ତି । ଶତ ଶତ ରୋଗୀ ଆସି ଔଷଧ ନେଇଯାଉଛନ୍ତି । ଯେଉଁମାନଙ୍କର ଘରେ ଚିକିତ୍ସା ବା ପଥ୍ୟର ସୁବିଧାନାହିଁ, ଅନୁସନ୍ଧାନ କରାଯାଇ ସେମାନଙ୍କୁ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଚିକିତ୍ସାଳୟରେ ରଖାଯାଉଛି । ଅନ୍ନଛତ୍ରରେ ଶତ ଶତ ଲୋକଙ୍କର ପ୍ରତିଦିନ ଖାଦ୍ୟପେୟର ବ୍ୟବସ୍ଥା ହୋଇଛି । ପୂର୍ବେ ଯେଉଁଠାରେ ଗୁହାଳ ଓ ଘୋଡ଼ାପାଗା ଥିଲା, ଏବେ ପରିଷ୍କାର କରାଯାଇ ସେଥିରେ ବିଭିନ୍ନ ପାଠଶାଳା ଖୋଲାହୋଇଛି । କେଉଁଠାରେ ପ୍ରାଥମିକ ବର୍ଣ୍ଣମାଳା ଶିକ୍ଷା ଦିଆଯାଉଛି; କେଉଁଠାରେ କାବ୍ୟ, ବ୍ୟାକରଣ, ଆୟୁର୍ବେଦ ଓ ଦର୍ଶନଶାସ୍ତ୍ର ପଢ଼ା ହେଉଛି ।

ସେବାଶ୍ରମର ଖର୍ଚ୍ଚ ଯୋଗାଇବାପାଇଁ ରମା ଅନେକ ଜମିବାଡ଼ି ଖରିଦ କରିପକାଇଲା । ଜମି ଚାଷ କରିବାର ସମସ୍ତ ଉପକରଣ ଠିକ୍ କରି ନାନାପ୍ରକାର ଫସଲ କରିବାର ଯୋଗାଡ଼ କରିଦେଲା । ଏବେ ଆଶ୍ରମର ଦୈନିକ ଖର୍ଚ୍ଚ ସକାଶେ ଆଉ ବଜାରକୁ ଅପେକ୍ଷା କରିବାକୁ ହୁଏନାହିଁ-। ଧାନ ଚାଉଳ, ମୁଗ, ବିରି, ପନିପରିବା ସବୁ ଜମିର ଫସଲରୁ ଉତ୍ପନ୍ନ ହୁଏ ।

ରମାର କାର୍ଯ୍ୟରେ ଆନନ୍ଦ । ଦିନରାତି ତାକୁ ଆଦୌ ଫୁର୍‌ସତ୍ନାହିଁ । ଚାଷକାର୍ଯ୍ୟ ସେ ସବୁ ବୁଝେ; ଫସଲର ସୌନ୍ଦର୍ଯ୍ୟ ଦେଖି ବିମୁଗ୍‌ଧ ହୋଇଯାଏ । ରୋଗୀମାନଙ୍କୁ ଦେଖି ଔଷଧ ତଥା ପଥ୍ୟର ବ୍ୟବସ୍ଥା କରିଦେଇ ମନରେ ଅପାର ଶାନ୍ତି ପାଏ । ଅନ୍ନଛତ୍ରରେ ଦୀନଦୁଃଖୀଙ୍କ କୋଳାହଳ ଆନନ୍ଦ ଦେଖି ପୁଲକିତ ହୋଇଯାଏ । ଏ ସବୁ କାର୍ଯ୍ୟ ଦେଖିସାରି ଆଉ ଥରେ ସ୍ନାନ କରେ; ପରେ ରାନ୍ଧିବାଢ଼ି ଗଣ୍ଡାଏ ଖାଏ । ରାତ୍ରିରେ ନିତ୍ୟକର୍ମ ଶେଷ କରି ପ୍ରତିଦିନର ହିସାବ ଲେଖିରଖେ । ଏହିପରି ରମାର ଦିନଗୁଡ଼ିକ ଧାରାବାହିକରୂପେ ଚାଲିଯାଉଥାଏ ।

ରମାର ଏତେ ଆନନ୍ଦ, ଏତେ କାର୍ଯ୍ୟତତ୍ପରତା ଭିତରେ ତାର ମନେପଡ଼େ ମୂଳିନାଥ ! ଜୀବନରେ ଏ ସୁଯୋଗ ସେ କେବଳ ତାଙ୍କଠାରୁ ପାଇଛି ! ଏହି ଅତୁଳ ସମ୍ପଦ ଦାନ କରି ପରୋପକାର ନିମିତ୍ତ ଆଦେଶ ଦେଇ ନ ଥିଲେ ରମା ଏ ସୁଯୋଗ, ଏ ଆନନ୍ଦ ପାଆନ୍ତା କାହୁଁ ? ତାଙ୍କ ପ୍ରତି ତାର ସମସ୍ତ ବ୍ୟବହାର ଗୋଟି ଗୋଟି ହୋଇ ମନେପଡ଼ିଲା । ମୂଳିନାଥ ଦୁର୍ବଳ ବୋଲି, ଇନ୍ଦ୍ରିୟପରତନ୍ତ୍ର ବୋଲି ରମାର ହୃଦୟକୋଣରେ ଯେ ଘୃଣାର ଉଦ୍ରେକ ହୋଇ ନ ଥିଲା, ତାହା ସେ ଆଜି ସାହସର ସହିତ କହିପାରିବ କି ? ହୋଇପାରେ, ସେ ଯାହା ଦୁର୍ବଳତା, ଇନ୍ଦ୍ରିୟ ପାରତନ୍ତ୍ର୍ୟ ବୋଲି ମନେକରୁଥିଲା, ତାହା ହୁଏତ ପ୍ରଗାଢ଼ ସ୍ନେହର ନିଦର୍ଶନ । ମୂଳିନାଥ ଲେଖିଛନ୍ତି– ‘‘ଚିରଦିନପାଇଁ ରମାର ଆଶା ବିସର୍ଜନ ଦେଇ ଯାଉଛି; ସମ୍ପତ୍ତି କି ଛାର !’’ ପ୍ରଗାଢ଼ ସ୍ନେହ ନ ଥିଲେ ଏପରି ଭାଷା ସମ୍ଭବ କି ?

ସତେ କ’ଣ ମୂଳିନାଥ ତା’ରିପାଇଁ ସର୍ବତ୍ୟାଗୀ ହୋଇ ବାହାରିଗଲେ ! ଏଡ଼େ ତ୍ୟାଗୀ, ଏଡ଼େ ଉଚ୍ଚ, ମହତ୍ ସେ ! ‘‘ରମା ପ୍ରତି ମୋର କିଛି କହିବାରନାହିଁ । ଦୀନଦୁଃଖୀଙ୍କ ଉପକାରରେ ଏ ସମ୍ପତ୍ତି ଲାଗିଲେ ଭଲ ହୁଅନ୍ତା । ରମା ତାର ସୁବିଚାର କରିବ ।’’ ଗରିବ ଦୁଃଖୀଙ୍କ ପ୍ରତି ଏଡ଼େ କାତରତା ରମା କେବେ ମୂଳିନାଥଙ୍କଠାରେ ଦେଖିନାହିଁ । ‘‘ମୁଁ ଦୁର୍ବଳ, ମୁଁ କ୍ଷମାର ପାତ୍ର ।’’ କାହାର କ୍ଷମାର ପାତ୍ର ସେ ? କେଉଁ ଗୁଣରେ ରମା ଆଜି ମୂଳିନାଥଙ୍କୁ କ୍ଷମା କରିବ ? ରମାର କୋମଳ ଗଣ୍ଡ ଦେଇ ମୁକ୍ତାବିନ୍ଦୁ ପରି ଟୋପି ଟୋପି ଲୁହ ଗଡ଼ିଆସିଲା ।

‘‘ଏ ପତ୍ର ରମା ଦେଖିଲେ, ବାରମ୍ବାର ତାର ନାମ ଉଲ୍ଲେଖ କରି ଦୁର୍ବଳତା ପ୍ରକାଶ କରିଛି ଜାଣି, ମୋ ପ୍ରତି ବିରକ୍ତ ହେବ ।’’ ବାସ୍ତବିକ କଥା– ରମା ନିର୍ବୋଧ, ନିର୍ଦୟ; ସେ ପ୍ରକୃତ ମୂଳିନାଥଙ୍କୁ ଚିହ୍ନିପାରିଲାନାହିଁ । ସବୁ କଥାରେ ଦୁର୍ବଳ ବୋଲି ତାଙ୍କୁ ପରିହାସ କରିଆସିଛି । ‘‘ତାର ମନର ବଳ ଅସୀମ; ମାତ୍ର ବଳ ପ୍ରୟୋଗ ସବୁବେଳେ ପ୍ରଶଂସାର କଥା ନୁହେଁ ।’’ ରମା ଯେ ପ୍ରତ୍ୟେକ କଥାରେ ନିଜକୁ ବଳୀୟାନ୍ ମନେକରିଛି, ଏଥିରେ ସନ୍ଦେହନାହିଁ । ବାସ୍ତବିକ ମୂଳିନାଥଙ୍କ ପ୍ରତି ତାର ବ୍ୟବହାର ରୁକ୍ଷ ହୋଇଛି ।

‘‘ହୃଦୟର କୋମଳତା ନାରୀର ସୌନ୍ଦର୍ଯ୍ୟ, ରମା ଏ କଥା ବୋଧହୁଏ ବୁଝେନାହିଁ ।’’ କେଡ଼େ ବିନୀତ ହୋଇ ମୂଳିନାଥ ସତ୍ୟ କଥା ଲେଖିଦେଇ ଚିରଦିନପାଇଁ ଚାଲିଯାଇଛନ୍ତି !

ଜନସେବାରେ ନିଜକୁ ନିୟୋଜିତ କଲାଦିନୁଁ ରମା ମନ ମଧ୍ୟରେ ଏକ ଅଭୂତପୂର୍ବ ଆନନ୍ଦ ପାଇଛି । ଯେପରି ତାର ଶୁଷ୍କପ୍ରାୟ ମନ ଆର୍ଦ୍ର ହୋଇ ଉଠୁଛି । ସେ ଏବେ ପର ଦୁଃଖରେ କାତର ହୋଇ ଆନନ୍ଦ ପାଉଛି । ମୂଳିନାଥଙ୍କ ଜୀବନ ସ୍ମରଣ କରି ଆଜି ପ୍ରଥମ ବ୍ୟଥିତ ହେବାକୁ ଲାଗିଲା । ମୂଳିନାଥ ମହତ୍, ଏ କଥା ସେ ସ୍ୱପ୍ନରେ ଭାବି ନ ଥିଲା– ଏବେ ତାର ମନ ଆନ୍ଦୋଳିତ ହେବାକୁ ଲାଗିଲା । ମୂଳିନାଥଙ୍କ ମଙ୍ଗଳ ନିମିତ୍ତ ରମା ଆଜି ପ୍ରଥମ ଭଗବାନଙ୍କଠାରେ ପ୍ରାର୍ଥନା ଜଣାଇଲା ।

ଏପରି ସମୟରେ ଆଉ ଏକ ବିପଦ ଆସି ଉପସ୍ଥିତ ହେଲା । ରାଜବଲ୍ଲଭଙ୍କ ଶରୀର ଭାଙ୍ଗିପଡ଼ିଲା ! ପ୍ରଥମେ ସର୍ଦ୍ଦି, ତା ପରେ ଜ୍ୱର; କେତେ ଚିକିତ୍ସା କରାଗଲା, ରମା ପ୍ରାଣପଣ କରି ସେବା-ଶୁଶ୍ରୂଷା କଲା– କାହିଁରେ କିଛି ହେଲାନାହିଁ । ବୃଦ୍ଧ ଅମରଧାମକୁ ପ୍ରୟାଣ କଲେ । ବାଚସ୍ପତି ବ୍ୟଥିତ ହେଲେ; ରମାର ହୃଦୟର ବଳ ଦବିଗଲା । ସେ କାନ୍ଦି କାନ୍ଦି ଘର କମ୍ପାଇବାକୁ ଲାଗିଲା ।

ଯଥାସମାରୋହରେ ରାଜବଲ୍ଲଭଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ ହେଲା । ଶୁଦ୍ଧିଘରର ଦୁଇ-ତିନି ଦିନ ପରେ ବାଚସ୍ପତି ମହାଶୟ ଗୋଟିଏ ବନ୍ଦ ପେଡ଼ି ଘେନି ରମା ନିକଟରେ ହାଜର ହେଲେ । ରମା ଏହାର କାରଣ ପଚାରିଲା । ବାଚସ୍ପତି କହିଲେ–‘‘ବର୍ତ୍ତମାନ ମତେ ବିଶେଷ କିଛି ପଚାରିବା ଦରକାରନାହିଁ ମା’ ! ମୁଁ ଗୋଟିଏ କଥା କହୁଛି, ଶୁଣ । ମୂଳିନାଥର ପିତାମହ ମୋର ବାଲ୍ୟବନ୍ଧୁ ଥିଲେ । ତାଙ୍କୁ ହରାଇବାଦିନୁଁ ମୋର ଜୀବନ ଶୁଷ୍କ, ନୀରସ ହୋଇଗଲା । ସ୍ୱର୍ଗକୁ ପ୍ରୟାଣ କରିବାର ଅଳ୍ପଦିନ ପୂର୍ବେ ସେ ମୋତେ ଏହି ପେଡ଼ିଟି ଦେଇଯାଇଛନ୍ତି । ତାଙ୍କର ଆଦେଶ–ମୂଳିନାଥର କେବେ ମତିପରିବର୍ତ୍ତନ ଘଟିଲେ, ତାକୁ ଏ ପେଡ଼ି ଦେଇଦେବାକୁ ହେବ । ଏ ପେଡ଼ିଟି ତୁ ରଖିଥା ମା’–ଯେବେ ସୁବିଧା ସୁଯୋଗ ପାଇବୁ, ଏହାକୁ ମୂଳିନାଥକୁ ଦେଇଦେବୁ । ତୋର ପିତା ପରଲୋକ ହେବାଦିନୁଁ ଏ ସ୍ଥାନ ମତେ ବିଷପରି ଲାଗୁଛି–ମୁଁ କାଲି ତୀର୍ଥବ୍ରତ କରି ବାହାରିଯିବି । ହୁଏତ ଏ ଜୀବନରେ ଏହି ଶେଷ ଦେଖା ।’’

ରମା କେତେ କାନ୍ଦିଲା, କେତେ କାକୁତି-ମିନତି କଲା । ବାଚସ୍ପତି କିଛି ଶୁଣିଲେନାହିଁ-ପେଡ଼ିଟି ସେଠାରେ ରଖିଦେଇ ଚାଲିଗଲେ ।

•••

 

ଅଷ୍ଟାଦଶ ପରିଚ୍ଛେଦ

 

ମୂଳିନାଥ ମନେ କରିଥିଲା, ତାର ବିଷୟ-ବିଭବ ଦେଖି ରମାର ମନ ପରିବର୍ତ୍ତିତ ହୋଇଯିବ– ସମୟକ୍ରମେ ତାର ବ୍ୟବହାରଦ୍ୱାରା ସେ ରମାକୁ ବଶୀଭୂତ କରି ପାରିବ । କାଶ୍ମୀରରେ ପ୍ରଥମ ସାକ୍ଷାତ୍ ଦିନଠାରୁ ପ୍ରାକୃତିକ ଦୃଶ୍ୟାବଳୀ ମଧ୍ୟଦେଇ ଆସିବା ବାଟରେ ସୁଦ୍ଧା ରମାର ବ୍ୟବହାର ତା ପ୍ରତି ବଡ଼ ତୀବ୍ର, ବଡ଼ କଠୋର ହୋଇଥିଲା । ଅତି ଆଦରରେ ମୂଳିନାଥ ରମା ସଙ୍ଗେ ଆଳାପ କରିବାକୁ ଆରମ୍ଭ କଲେ, ରମା ଘୃଣା ପ୍ରକାଶ କରିବାକୁ କୁଣ୍ଠିତ ହେଉ ନଥିଲା-। ବାରମ୍ବାର ବାଧା ସତ୍ତ୍ୱେ ସେ ଯେତେବେଳେ ତାର ନବନିର୍ମିତ ସୌଧ ଓ ବାଲ୍ୟବନ୍ଧୁମାନଙ୍କ ଆଗରେ ନିଜର ବଡ଼ିମା ଦେଖାଇହେବାର ସୁଯୋଗ ମନେପକାଉଥିଲା, ସେତେବେଳେ ମନ ତାର ଆନନ୍ଦରେ ବିଭୋର ହୋଇଯାଉଥିଲା ।

ରମା ସହିତ ଯାଜପୁରରେ ନବନିର୍ମିତ ଗୃହ ମଧ୍ୟରେ ରହି ସେ କେତେଦିନ ମନକୁ ପ୍ରବୋଧ ଦେଇ ଅଟକାଇପାରିଥିଲା; ମାତ୍ର ରମାର ଅବାଧ୍ୟତା କ୍ରମେ ଅସହ୍ୟ ହୋଇ ଉଠିଲା । ରାଜବଲ୍ଲଭଙ୍କ ସ୍ନେହପ୍ରବଣ ବ୍ୟବହାର ଓ ରମା ପ୍ରତି ତାର ପ୍ରଗାଢ଼ ଅନୁରାଗ କୌଣସି ପ୍ରକାର କଠୋର ଆଚରଣ କରିବାକୁ ମୂଳିନାଥକୁ ସଂପୂର୍ଣ୍ଣ ବାଧା ଦେଇଥିଲା ।

ରମା ସଙ୍ଗେ ତାର ବିବାହ ଅସମ୍ଭବ, ଏ ସିଦ୍ଧାନ୍ତ ରାଜବଲ୍ଲଭଙ୍କ ମୁଖରୁ ଶୁଣିବାଦିନଠାରୁ ମୂଳିନାଥ ଅସହ୍ୟ ବେଦନା ଅନୁଭବ କଲା । ତା ପରେ ରମାର ପ୍ରତିଜ୍ଞା ମଧ୍ୟ ତାକୁ ବିଚଳିତ କରିଦେଲା । ରାଜବଲ୍ଲଭଙ୍କ ସହ ରମା ଯାଇ ଅନ୍ୟତ୍ର ରହିବ; ତାର ଘରଦ୍ୱାର ତାହାହେଲେ ଶ୍ମଶାନରେ ପରିଣତ ହୋଇଯିବ । ମୂଳିନାଥ ଚିନ୍ତିତ ହେଲା, ବ୍ୟଥିତ ହେଲା; ବାହାରର ସବୁ ଆଡ଼ମ୍ବର, ସବୁ ସୁଖ-ସ୍ୱାଚ୍ଛନ୍ଦ୍ୟ ତାକୁ ବିଷ ପରି ଲାଗିଲା । କ’ଣ କରିବ ? କିପରି ଏ ଅବସ୍ଥାରୁ ରକ୍ଷା ପାଇ ପାରିବ ? ଭାବି ଭାବି କ୍ଷୀଣ ହେବାକୁ ଲାଗିଲା । ଶେଷରେ ସ୍ଥିର କଲା– ପଳାଇ ଯାଇ ଆତ୍ମରକ୍ଷା କରିବ । ସମସ୍ତ ଭାର ରମା ଉପରେ ଛାଡ଼ି ଦେଇ ଚାଲିଗଲେ ତାର ଶିକ୍ଷା ହେବ ।

ନିଜପାଇଁ ସବୁ ଚିନ୍ତା ମୂଳିନାଥ ଭୁଲିଗଲା । ସେ ତ ସବୁବେଳେ ପଥିକ । ପଥିକ ଜୀବନଯାପନ ତା ପକ୍ଷରେ କିଛି ନୂଆ ନୁହେ । ରମା ଏତେ ଦିନ ଏତେ ଅନୁଗ୍ରହ ପରିବର୍ତ୍ତରେ ତାକୁ ବରାବର ହେୟ ଜ୍ଞାନ କରିଆସିଛି ତାର ଫଳ ସେ ପାଇବ । ଗର୍ବୀ ମୂଳିନାଥ ଏପରି ଚିନ୍ତାରେ ଶାନ୍ତି ପାଇଲା । ସମସ୍ତ ବିଷୟ-ସମ୍ପତ୍ତିର ମାୟା-ମମତା ଛାଡ଼ିଦେଇ ଚାଲିଗଲା ।

ପ୍ରଥମ କେତେଦିନ ଯେଉଁଆଡ଼େ ଦେଖାଗଲା, ସେହି ଦିଗରେ ଚାଲିଲା । ଯେଉଁଠାରେ ଯାହା ସହଜରେ ମିଳିଲା, ଖାଇଲା–ନ ମିଳିଲେ ଉପବାସ ରହିଲା । ପରେ ସ୍ଥିର କଲା, ତାକୁ ପିତୃକାର୍ଯ୍ୟ କରିବାକୁ ହେବ । ଏତେ ଦିନ ମୃଗତୃଷ୍ଣା ପଛରେ ଗୋଡ଼ାଇ ସେ କିପରି ଭୁଲ କରିଛି, ବୁଝିପାରିଲା । ପିତାମହଙ୍କ ପଦାଙ୍କ ଅନୁସରଣ କରି ଘର କରିଥିଲେ ତାର କ୍ଷତି କ’ଣ ଥିଲା ?

ଶେଷ ଜୀବନରେ ପିତାମହଙ୍କ ମନରେ ସେ କିପରି ଆଘାତ ଦେଇଛି, ମନେପଡ଼ିଲା । ଧନର ମୋହ, ଆଡ଼ମ୍ବରର ଆକାଙ୍‌କ୍ଷା ତାକୁ ଅମନୁଷ୍ୟ କରିଦେଇଛି ସିନା ! ଧନର ମମତା ତ୍ୟାଗ କରି ସେ ପ୍ରାୟଶ୍ଚିତ୍ତ କରିବ, ସ୍ଥିର କଲା ।

ପିତାମହଙ୍କ କଥା ଯେତେ ଭାବିଲା । ତାଙ୍କ ତ୍ୟାଗ, ଈଶ୍ୱରବିଶ୍ୱାସ, ତା ପ୍ରତି ତାଙ୍କର ଏକାନ୍ତ ସ୍ନେହ କଥା ଯେତେ ଚିନ୍ତା କଲା, ହୃଦୟ ମନ ତାର ସେତିକି ନିର୍ମଳ–ପରିଷ୍କାର ହୋଇଗଲା-। ତାଙ୍କରି ବଂଶଧର ବୋଲି ତାର ଅନ୍ତରାତ୍ମା ଆଜି ପୁଲକିତ ହୋଇ ଉଠିଲା । ପିତୃ-ପିତାମହଙ୍କ ଋଣମୁକ୍ତ ହେବାପାଇଁ ସେ ଗୟାଶ୍ରାଦ୍ଧ କରି ଯିବାର ସ୍ଥିର କଲା ।

ବାଟରେ ଯାଉଁ ଯାଉଁ ଯେଉଁଠି ସଂସ୍କୃତ ଟୋଲ ବା ପାଠାଗାର ଦେଖିଲା, ସେଠାରେ ରହି ବିଦ୍ୟାଚର୍ଚ୍ଚା କରିବାକୁ ଲାଗିଲା । ବଡ଼ ବଡ଼ ପଣ୍ଡିତଙ୍କ ସଙ୍ଗେ ବିଦ୍ୟାଚର୍ଚ୍ଚା କରି ସେ ପରମ ତୃପ୍ତି ଲାଭ କଲା । ଏହିପରି କେତେ ସ୍ଥାନରେ ରହି, କେତେ ବନ୍ଧୁବାନ୍ଧବ ସୃଷ୍ଟି କରି ଶେଷରେ ଗୟାକ୍ଷେତ୍ରରେ ପହଞ୍ଚିଲା । ଶ୍ରାଦ୍ଧ ଦେବାର ଠିକ୍ କରି କେତେ ଦିନ ହବିଷ୍ୟ କରିବାକୁ ହେଲା । ଏ କେତେ ଦିନ ପିତାମହଙ୍କ ମୂର୍ତ୍ତି ଓ କାର୍ଯ୍ୟକଳାପ ଅନୁଧ୍ୟାନ କରି ମୂଳିନାଥ ଅପୂର୍ବ ଆନନ୍ଦ ଲାଭ କଲା । ଶେଷରେ ବିଧି ଅନୁସାରେ ଶ୍ରାଦ୍ଧ ଦେବାକୁ ଗଲା ।

ଭାରତର ଅନେକ ସ୍ଥାନରୁ ଲୋକେ ଆସି ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଦେବାରେ ଲାଗିଛନ୍ତି । ଏକମନ, ଏକଧ୍ୟାନରେ ପିତା, ମାତା ଓ ପିତାମହଙ୍କୁ ସ୍ମରଣ କରି ସେ ପିଣ୍ଡ-ଅର୍ଘ୍ୟ ଅର୍ପଣ କରିବାକୁ ଲାଗିଲା । ଚତୁର୍ଦିଗରେ ସେ ଯେପରି ପିତାମହଙ୍କ ମୂର୍ତ୍ତି ଦେଖିବାକୁ ପାଇଲା । ଚାରିଆଡ଼େ କୋଳାହଳ, ଏ ସବୁ ମଧ୍ୟରେ ସେ ଯେପରି ବାରମ୍ବାର ଶୁଣିବାକୁ ପାଇଲା– ‘‘ଚିଦାନନ୍ଦ, ଚିଦାନନ୍ଦ !’’ ସ୍ଥିର ହୋଇ ଚକ୍ଷୁ ମୁଦି ଠିଆହେଲା, ପୁଣି ସେହି କଥା– ‘‘ଚିଦାନନ୍ଦ!’’ ଏ ଯେ ତାର ପିତାମହଙ୍କ ସ୍ୱର ! ମୁହଁ ଫେରାଇ ଚାରିଆଡ଼େ ଚାହିଁଲା– ଲୋକ ଆସିବା-ଯିବା ଗହଳଚହଳ ଲାଗିଛି । ଶ୍ରାଦ୍ଧକର୍ମ ଶେଷକରି ସେ ଫେରିଆସିଲା ।

ତାର ମନର ଅବସ୍ଥା ଢେର୍‌ ବଦଳିଯାଇଛି । ଆଜି ସେ ଯେପରି ଆନନ୍ଦ ଉପଭୋଗ କଲା, ଏହା ତା’ ପକ୍ଷରେ ସଂପୂର୍ଣ୍ଣ ନୂତନ । ଖାଇପିଇ ଶୋଇବାକୁ ଗଲା– ନିଦ ଆସିଲାନାହିଁ । ‘ଚିଦାନନ୍ଦ’ ବୋଲି ଯେଉଁ ଡାକ ସେ ଆଜି ବାରମ୍ବାର ଶୁଣିଲା, ସେ କ’ଣ ? ସେ ତ ପରିଷ୍କାର ତାର ପିତାମହଙ୍କ ସ୍ୱର ଶୁଣିଥିଲା ! ରାମଶରଣ ତାଙ୍କ ମନ ଅନୁସାରେ ନାମକରଣ କରି ପାରି ନ ଥିଲେ– ତେବେ ଆଜି କ’ଣ ନିଜେ ଆସି ସେ ତାର ନାମକରଣ କରିଗଲେ ?

ଅନେକ ରାତି ପର୍ଯ୍ୟନ୍ତ ଚାହିଁରହି ମୂଳିନାଥ ଶୋଇପଡ଼ିଲା । ରାତ୍ରିରେ ସ୍ୱପ୍ନ ଦେଖିଲା– ତା ପିତାମହ ହସି ହସି ତା ପାଖକୁ ଆସୁଛନ୍ତି । ମୁଖମଣ୍ଡଳ ପ୍ରସନ୍ନ, ଦେହରୁ ତେଜ ଖସିପଡ଼ୁଛି । କହିଲେ– ‘‘ତୁ ମୋ ଚିଦାନନ୍ଦ, ଏତେଦିନେ ତୁ ନିଜେ ନିଜକୁ ବୁଝିବାକୁ ଶିଖିଲୁଣି ।’’ ମୂଳିନାଥର ଦେହ ଘର୍ମାକ୍ତ ହୋଇ ନିଦ ଭାଜିଗଲା–ଦେଖିଲା, ଚାରିଆଡ଼ ଅନ୍ଧକାର ।

ଆଉ ନିଦ ହେଲାନାହିଁ । ସତେ ତାର ପିତାମହ ନିଜେ ଆସି ତାର ନାମକରଣ କରିଗଲେ ! ମୁଗ୍‌ଧ ହୋଇଗଲା । ରାତି ନ ପାହୁଣୁ ଉଠି ନିତ୍ୟକର୍ମ ଶେଷକରି ଯାଇ ଯୋଡ଼ାଏ ନୂଆ ଲୁଗା କିଣିଆଣିଲା । ଗେରୁ ମଡ଼ାଇ ସେହିଦିନଠାରୁ ଗେରୁଆ ଲୁଗା ପିନ୍ଧି ନିଜକୁ ‘ଚିଦାନନ୍ଦ’ ବୋଲି ପ୍ରକାଶ କରିଦେଲା ।

ଚିଦାନନ୍ଦ ସ୍ୱାମୀ ଅନେକ ଦିନଧରି ଭାରତର ନାନା ତୀର୍ଥ ଭ୍ରମଣ କରିବାକୁ ଲାଗିଲେ । ଗଙ୍ଗାସାଗର ମେଳା ଦେଖିଲେ । ସେଠାରେ ପ୍ରାକୃତିକ ଦୃଶ୍ୟାବଳୀରେ ନୟନ ମନ ମୁଗ୍‌ଧ ହୋଇଗଲା । କେତେଦିନ ଭ୍ରମଣ ପରେ ସେ ବିଦ୍ୟାନଗରୀ କାଶୀଧାମରେ ପହଞ୍ଚିଲେ । କାଶୀର ତତ୍କାଳୀନ ଜ୍ଞାନୀ ଶିବାନନ୍ଦ ସରସ୍ୱତୀ ସ୍ୱାମୀଙ୍କ ନିକଟରେ ଶିଷ୍ୟତ୍ୱ ଗ୍ରହଣ କଲେ । ଗୁରୁଙ୍କଠାରୁ ବେଦବେଦାନ୍ତ ଓ ହିନ୍ଦୁର ସର୍ବଶ୍ରେଷ୍ଠ ଗ୍ରନ୍ଥ ଗୀତା ଅଧ୍ୟୟନ କରି ପରିତୋଷ ଲାଭ କରିଥିଲେ ।

ଗୁରୁଙ୍କର ପ୍ରଧାନ ଉପଦେଶ ଥିଲା– ସବୁ କର୍ମ ଭିତରେ ଭଗବାନଙ୍କ ସ୍ମରଣ । ଖାଇବା, ପିଇବା ନିତ୍ୟ-ନୈମିତ୍ତିକ କାର୍ଯ୍ୟ ଭିତରଦେଇ ପ୍ରଭୁଙ୍କ ସ୍ମରଣ ସବୁଠାରୁ ସହଜ ଓ ସୁଗମ ପନ୍ଥା । ଭଗବତ୍‌ସ୍ମରଣରେ ମନୁଷ୍ୟ ମନର ଆବିଳତା ଆପେ ଉଭେଇଯାଏ–ମନୁଷ୍ୟ ନୈତିକ, ଧାର୍ମିକ ଓ ସତ୍ୟବାଦୀ ହୋଇଯାଏ । ନିଜକୁ ସବୁ କର୍ମର ଗୋଟିଏ ଯନ୍ତ୍ର ବୋଲି ଧରିନେବାକୁ ହେବ । ଅଲକ୍ଷ୍ୟରେ ଯନ୍ତ୍ରୀ ତାହାର ଚାଳକ । ଏ ସବୁ ଉପଦେଶ ମଧ୍ୟରେ ଗୁରୁ ଚିଦାନନ୍ଦଙ୍କୁ ଯୋଗର ଆସନ, ମୁଦ୍ରା ଓ ଧ୍ୟାନ ଆଦି ଶିକ୍ଷା ଦେଲେ ।

ନୂତନ ସତ୍ୟ ଲାଭ କରି ଚିଦାନନ୍ଦ ଉତ୍‌ଫୁଲ୍ଲ ହେଲେ । ଗୁରୁଙ୍କଠାରୁ ବିଦାୟ ନେଇ ନାନା ତୀର୍ଥ ପରିଭ୍ରମଣ କରି ଶ୍ରୀଧାମ ଶ୍ରୀକ୍ଷେତ୍ରକୁ ଆସିଲେ । ଶ୍ରୀକ୍ଷେତ୍ରର ପୂଜାବିଧି ଓ ସାର୍ବଜନୀନତା ତାଙ୍କ ପ୍ରାଣରେ ନୂତନ ଭାବ ଆଣିଲା ।

ଚିଦାନନ୍ଦ ଉତ୍କଳର ଗ୍ରାମେ ଗ୍ରାମେ ବୁଲି ଲୋକଙ୍କର ଅଭିଯୋଗ ଶୁଣି ତାର ପ୍ରତିକାରର ଚେଷ୍ଟା କରିଥିଲେ । କେଉଁଠାରେ ବିବାଦ-ବିସମ୍ବାଦ ଉପସ୍ଥିତ ହେଲେ ସେଠାକୁ ଯାଇ ବିବାଦ ନିଷ୍ପତ୍ତି କରାଇ ଦେଉଥିଲେ । ସେ ଉତ୍କଳର ଘରେ ଘରେ ସୁପରିଚିତ । ତାଙ୍କ ନାମ ସ୍ମରଣ କରି ଲୋକେ ସକାଳ ସନ୍ଧ୍ୟା ପ୍ରଣାମ କରନ୍ତି ।

•••

 

ଊନବିଂଶ ପରିଚ୍ଛେଦ

 

ବାଳସୂର୍ଯ୍ୟର ଈଷତ୍ ରକ୍ତିମାଭା ବୃକ୍ଷର ଅଗ୍ରଭାଗରେ ଝଟକିଆସୁଛି । ସୁନ୍ଦର ସତେଜ ଗଙ୍ଗଶିଉଳି ଫୁଲରାଶି ତଳେ ଝରିପଡ଼ିଛି । କୁଆ, କୁକ୍‌କୁଟ ଓ କୁମ୍ଭାଟୁଆ ରହି ରହି ପ୍ରଭାତ-ରାଗିଣୀ ଗାଉଛନ୍ତି । ପ୍ରଶସ୍ତ ଅଗଣାର ପ୍ରଶସ୍ତ ବାରଣ୍ଡା ଉପରେ ମଖମଲ ଆସନ ବିଛାହୋଇଛି– ପାଖରେ ଗଡ଼ୁ, ଢାଳ, ଗରା ଜଳଭରା ରହିଛି । ଦାନ୍ତଘଷା ସରଞ୍ଜାମ ଥୁଆହୋଇଛି । ପ୍ରଭୁଙ୍କ ଅପେକ୍ଷାରେ ଶ୍ୟାମ ବାରିକ ଗାମୁଛା-ହାତରେ ଠିଆ ରହିଛି । ହାତିଦାନ୍ତ ଚୂଳିବାଲା ଝୁମୁକି କଠଉ ମାଡ଼ି ଦଳବେହେରା ଗୁଣନିଧି ହରିଚନ୍ଦନ ମହାପାତ୍ର ବିଜେହେଲେ । ଦୀର୍ଘ ବପୁ, ଦୁଇ ଭ୍ରୂଲତା ମଝିରୁ ସିନ୍ଦୂରରେଖା କ୍ରମେ ସୂକ୍ଷ୍ମତର ହୋଇ କେଶ ପର୍ଯ୍ୟନ୍ତ ଯାଇଛି । ଶୁଭ୍ର ମୋଟା ଦୁଇଟା ନିଶ ତଳ ଓଠକୁ ଘୋଡ଼ାଇ ଦୁଇ ନାକପୁଡ଼ାଯାଏ ବୁଲିଯାଇଛି । ଆଖି ଦୁଇଟା ତୀକ୍ଷ୍ଣ । ବର୍ଣ୍ଣ ଶ୍ୟାମଳ । ଥନ୍ତଲପେଟ ଚକାମାଲି ପକାଇ ବସିବାବେଳେ ଦୁଇ ଜଙ୍ଘ ଉପରେ ଥୁଆରହିଛି । ଦଳବେହେରା ଦାନ୍ତ ଘଷିବାରେ ବ୍ୟସ୍ତ ।

ଗାମୁଛା ଶ୍ୟାମ ବାରିକଠାରୁ ଆଣି ହାତ ମୁହଁ ପୋଛୁଛନ୍ତି, ଖବର ଆସିଲା– ଜଣେ ସନ୍ନ୍ୟାସୀ ଦେଖାକରିବାକୁ ସିଂହଦ୍ୱାରରେ ହାଜର । ଖଡ଼ମ ଦୁଇଟା ମାଡ଼ି ଦଳବେହେରା ହଲି-ଦୋହଲି ଚାଲିବାକୁ ଲାଗିଲେ; ଅଗଣାଟି ପାରିହୋଇଛନ୍ତି କିନାହିଁ, ସନ୍ନ୍ୟାସୀ ଆଗରୁ ଆସି ପହଞ୍ଚିଗଲେ । ଶଶବ୍ୟସ୍ତ ହୋଇ ଦଳବେହେରା ଭୂଇଁରେ ମୁଣ୍ଡ ଲଗାଇ ଲଥ୍‌କିନା ତଳେ ପଡ଼ିଗଲେ-। ସନ୍ନ୍ୟାସୀ ହାତ ଘୋଡ଼ାଇ ‘‘ନାରାୟଣ, ନାରାୟଣ’’ ଉଚ୍ଚାରଣ କଲେ ।

ଆସନ ପଡ଼ିଲା, ସନ୍ନ୍ୟାସୀଙ୍କର ପାଦ ପଖଳା ହେଲା । ସେ କହିଲା– ‘‘ମୋ ନାଁ ଶୁଣିଥିବେ ବୋଧ ହୁଏ । ମୁଁ ଚିଦାନନ୍ଦ । ଆପଣଙ୍କ ସଙ୍ଗେ ଟିକିଏ ଦେଖାକରିବାକୁ ଆସିଛି ।’’

ଦଳବେହେରା– ‘‘ମୋର ପୂର୍ବଜନ୍ମ ସୁକୃତ, ମୋ ପୂର୍ବପୁରୁଷଙ୍କ ଭାଗ୍ୟ, ପାଦଧୂଳି ଏଠି ପଡ଼ିଲା । ଆରେ କିଏ ଅଛ ରେ..ବିଶିକୁ ଡାକ ।’’

ଚିଦାନନ୍ଦ– ‘‘ବିଶି କିଏ ?’’

ଦଳବେହେରା– ‘‘ମହାପ୍ରଭୁ, ସେ ମୋ ପୁଅ...ଗୋଟିଏ ବୋଲି ସଙ୍ଖାଳି ଆପଣଙ୍କ ଦୟାରୁ । କିଛି ଜାଣେନାହିଁ, କିପରି କ’ଣ କରିବ କେଜାଣି ?’’

‘‘ଆପଣ ମଧ୍ୟେ ମଧ୍ୟେ ନିଜ ଇଲାକା ବୁଲିଯାନ୍ତି ତ ?’’

‘‘ବରାବର ବୁଲୁଥିଲି, ପ୍ରଭୁ ! ଏ କେତେ ବର୍ଷ ଆଉ ପାରୁନାହିଁ । ବଳବଅସ ଗଲାଣି– ଦେହ ଅବଶ ହୋଇଆସିଲାଣି ।’’

ନାଲି ପାଟକୁର୍ତ୍ତା ପିନ୍ଧି ଦି’ ଗାଲରେ ପାନ ଜାକି ହାତରେ ଗୋଟିଏ ଗୋଲାପ ଫୁଲ ଧରି ହସି ହସି ବିଶି ପହଞ୍ଚିଲା ।

ଦଳବେହେରା କହିଲେ– ‘‘ବିଶି, ମହାପ୍ରଭୁ ବିଜେ ହୋଇଛନ୍ତି; ଓଳଗ ହ ।’’

ବିଶି ଆଣ୍ଠୋଇ ପଡ଼ି ତଳେ ମୁଣ୍ଡ ଲଗାଇ ଉଠିଲା । ଲୁଗାଟା ଫିଟିପଡ଼ିବାରୁ ଦି’ ହାତରେ ଲୁଗାକୁ ସମ୍ଭାଳି ପିନ୍ଧିବାକୁ ଲାଗିଲା । ଚିଦାନନ୍ଦ ମୁରୁକି ହସି କହିଲେ– ‘‘ଦଳବେହେରା ସାଆନ୍ତେ, ପୁଅଟି ତୁମର ବଡ଼ ଗେଲବସରର । ବୟସ ତ ହେଲାଣି, ଲୁଗା ପିନ୍ଧି ଜାଣିନାହିଁ, ଇଲାକା ସମ୍ଭାଳିବ କିପରି ?’’

ଦଳବେହେରା–‘‘ସାତ ଅପର୍ତ୍ତ୍ୟାଣି ସେ, ପ୍ରଭୁ ! ଉପରେ ତାର ଝିଅ ପୁଅ ହୋଇ ଛଅଟି ମରିଛନ୍ତି । ନିଜେ କିଛି କରି ଶିଖିନାହିଁ-କିଛି ଜାଣିନାହିଁ ।’’

ଚିଦାନନ୍ଦ ବିଶିକୁ ଡାକି ପାଖରେ ବସାଇଲେ । ଦେହରୁ ମୁଣ୍ଡରୁ ଧୂଳି ଝାଡ଼ି ଦେଇ ପଚାରିଲେ, ‘‘କ’ଣ ପଢ଼ିଲଣି ?’’

ଦଳବେହେରା କହିପକାଇଲେ–‘‘ମହାପ୍ରଭୁ, ଚାହାଳୀ-ପାଠ ସାରିଲାଣି । ଓଡ଼ାଙ୍କ ଶେଷ କରି ନଳ ଭାଙ୍ଗି ସଂସ୍କୃତ କିଛି ପଢ଼ୁଥିଲା । ଏବେ କେତେଦିନ ହେଲା ଖାଲି ବୁଲା । ପାରିଧିକି ତ ଦିନେ ହେଲେ ବାହାରିଲାନାହିଁ, କହି କହି ଥକିଲିଣି–କରିବି କ’ଣ ? ଖାଲି ବୃତ୍ତି କରିଛି– ପାରା, ବଣି, ବିରାଡ଼ି, କୁକୁର ନେଇ ଖେଳି ବୁଲିବ ।’’

ଚିଦାନନ୍ଦ–‘‘ଆଚ୍ଛା ହେଉ, ମୁଁ ତାକୁ ପଢ଼ାଇବି । ବିଶି, ମୋ ପାଖରେ ପଢ଼ିବଟି ?’’

ବିଶି ହସି ହସି ମୁଣ୍ଡ ହଲାଇ ସମ୍ମତି ଜଣାଇଦେଲା । ଦଳବେହେରା ଆନନ୍ଦରେ ଗଦ୍‌ଗଦ ହୋଇ କହିଲେ–‘‘ମୋର ଏଡ଼େ ଭାଗ୍ୟ ! ଆପଣଙ୍କ ନାମ ତ ଶୁଣିଛି । କେତେ ଆଡ଼େ କେତେ କାମ ଆପଣଙ୍କର । ସେବକ ପ୍ରତି ଏଡ଼େ ଦୟା ।’’ ଦଳବେହେରା ଭୂଇଁରେ ହାତ ଲଗାଇ ମୁଣ୍ଡରେ ବୋଳିହେବାକୁ ଲାଗିଲେ ।

ଚିଦାନନ୍ଦଙ୍କ ରହିବାପାଇଁ ସ୍ୱତନ୍ତ୍ର ଘର ବନ୍ଦୋବସ୍ତ କରାଗଲା । ଦଳବେହେରାଙ୍କର ଭକ୍ତିର ସୀମାନାହିଁ । ଗୋସେଇଁଙ୍କ ଭୋଜନ ପରେ ପ୍ରସାଦ ପା’ନ୍ତି । ସଞ୍ଜ ସକାଳେ ପାଖରେ ବସି ଧର୍ମକଥା ଶୁଣନ୍ତି । ଚିଦାନନ୍ଦ କେତେ ପୌରାଣିକ ଗଳ୍ପ କହନ୍ତି; କେତେ ଧର୍ମ-ଉପଦେଶ ଦିଅନ୍ତି । ଧର୍ମ ସଂସାରରେ ସାର, ମନୁଷ୍ୟ କେତେଟା ଦିନପାଇଁ ସଂସାରକୁ ଆସିଛି–ପୁଣି ଚାଲିଯିବ । ପ୍ରକୃତ ସୁଖ ଧନରେନାହିଁ–ସୁଖ ଅନ୍ତରର ଜିନିଷ । ଭଗବତ୍‌ଜ୍ଞାନ ସୁଖଲାଭର ଏକମାତ୍ର ଉପାୟ-। ବୃଦ୍ଧ ଗଦ୍‌ଗଦ ହୋଇଯାନ୍ତି । ବିଶ୍ୱନାଥ ଦୁଇବେଳା ଆସି ଚିଦାନନ୍ଦଙ୍କ ପାଖରେ ବସେ-ରାମାୟଣ, ମହାଭାରତ ଗଳ୍ପ ଶୁଣେ-ବ୍ୟାକରଣ, ଗଦ୍ୟ ଓ ପଦ୍ୟ ଗ୍ରନ୍ଥ ପଢ଼େ ।

ଚିଦାନନ୍ଦ ଆସିବାର କେତେ ମାସ ମଧ୍ୟରେ ଦଳବେହେରା ଜ୍ୱରରେ ପଡ଼ିଲେ । ଏକେ ବୃଦ୍ଧ, ପୃଥୁଳ ଶରୀର, ତା ପରେ ବୟସ ସତୁରି ପାର ହୋଇଛି । କେତେ ଆଡ଼ୁ କେତେ ବୈଦ୍ୟ ଆସି ଚିକିତ୍ସା କଲେ । ଶେଷରେ ସବୁ ଚିକିତ୍ସା ବନ୍ଦ ହେଲା । ବୃଦ୍ଧ ଚିଦାନନ୍ଦଙ୍କୁ ପାଖକୁ ଡକାଇ କହନ୍ତି, ‘‘ପ୍ରଭୁ, ପଦଧୂଳି ମୁଣ୍ଡରେ ଦିଅନ୍ତୁ, ମୁକ୍ତି ପାଇଯାଏଁ । ବିଶି ଆପଣଙ୍କୁ ଲାଗିଲା, ପ୍ରଭୁ ! ଆଜିଯାଏ ବିଶି ଯୋଗୁଁ କଷ୍ଟରେ ଜୀବନ ଧରି ରହିଥିଲି–ଆଉ ମୋର ଭାବନାନାହିଁ । ଉପଯୁକ୍ତ କନ୍ୟା ନ ପାଇବାରୁ ବିଶିର ବିବାହ ଦେଇ ପାରିନାହିଁ–ଆପଣଙ୍କୁ ସବୁ ସମର୍ପି ଦେଲି ।’’

ବିଶ୍ୱନାଥଙ୍କୁ ଡକାଇ ବୃଦ୍ଧ କହିଲେ–‘‘ବିଶି ! ମୋ ବାପ-ଧନ, ମୁଁ ଚାଲିଲି । ଗୋସେଇଁ ମହାପ୍ରଭୁଙ୍କୁ ବାପଠାରୁ ଅଧିକ ଭକ୍ତି କରିବୁ-ତାଙ୍କ କଥା କେବେହେଁ ଅମାନ୍ୟ କରିବୁନାହିଁ ।’’

କେତେ ଦାନ-ଧର୍ମ କରାଗଲା । ବୈତରଣୀ ଦାନ ହେଲା । ପ୍ରାୟ ପନ୍ଦର ଦିନ ଶଯ୍ୟାଗତ ରହି ବୃଦ୍ଧ ଦଳବେହେରା ଜୀବନଲୀଳ ଶେଷ କଲେ । ଅନ୍ତଃପୁରରେ କ୍ରନ୍ଦନରୋଳ ଉଠିଲା । ଦାଣ୍ଡରେ, ଘାଟରେ ଏ ଖବର ଯେ ଶୁଣିଲା, ଥକା ହୋଇ ଦଣ୍ଡେ ବସିପଡ଼ିଲା । ପ୍ରଜାପାଟକ ହାହାକାର କରିବାକୁ ଲାଗିଲେ– ‘‘ପ୍ରାଣୀର ଭଲ ମନ୍ଦ ବାଣୀ / ମରଣ କାଳେ ତାହା ଜାଣି ।’’ ଦଳବେହେରାଙ୍କ ଅଭାବରେ ଆଜି ସମସ୍ତେ ତାଙ୍କ ଗୁଣ କୀର୍ତ୍ତନ କରିବାକୁ ଲାଗିଲେ । ଯଥାସମୟରେ ଦଳବେହେରାଙ୍କ ଶୁଦ୍ଧକ୍ରିୟା ଯଥାବିଧି ସମ୍ପନ୍ନ ହୋଇଗଲା ।

ବିଶ୍ୱନାଥ ଅନଭିଜ୍ଞ– କିଛି ଜାଣିନାହିଁ । ବାପାଙ୍କ ବିୟୋଗରେ ଖୁବ୍ କାନ୍ଦିଲା । ଚିଦାନନ୍ଦଙ୍କୁ ସେ ଭାରି ମାନେ, ତାଙ୍କରି କଥାରେ ତୁନିତାନ୍ ହୋଇଯାଏ । ଚିଦାନନ୍ଦଙ୍କର ମଧ୍ୟ ତା’ଠାରେ ଭାରି ମାୟା-ମମତା । ରମାକୁ ଛାଡ଼ି ଚାଲିଆସିବା ଦିନୁଁ ସେ ପ୍ରାୟ ସଂସାରର ସବୁ ମମତା ଛିଣ୍ଡାଇ ଦେଇଥିଲେ ବୋଲି ମନେ କରିଥିଲେ; ଅଲକ୍ଷ୍ୟରେ ସେ ବିଶ୍ୱନାଥ ପ୍ରତି ସ୍ନେହାର୍ଦ୍ର ହୋଇପଡ଼ିଛନ୍ତି । ସେ ଭଲ ନ ଖାଇଲେ, କିମ୍ବା କୌଣସି କାରଣରୁ ତାର ଶରୀର ଅସୁସ୍ଥ ହେଲେ, ଚିଦାନନ୍ଦ ବଡ଼ ବ୍ୟଥିତ ହୁଅନ୍ତି । ତାର ଚରିତ୍ରରେ କୌଣସି ତ୍ରୁଟି ଘଟିଲେ ଚିଦାନନ୍ଦ ମନେ କରନ୍ତି-ଦୋଷ ବୋଧହୁଏ ତାଙ୍କଠାରେ ଅଛି; ତା ନ ହେଲେ ତାଙ୍କର ଏତେ ଆନୁଗତ୍ୟ ଓ ଶିକ୍ଷାଦୀକ୍ଷାରେ ଦୀକ୍ଷିତ ଥାଇ ବିଶ୍ୱନାଥଠାରେ ଏପରି ଦୋଷ ହେବ କାହିଁକି ?

ଗୁରୁଙ୍କ ହୁକୁମ ମାନି ବିଶ୍ୱନାଥ ଦଳବେହେରା ଗୁରୁଭାର ନିଜ ମୁଣ୍ଡରେ ବହନ କଲା । ଗର୍ବରେ ସ୍ଫୀତ ହେବା ଦୂରେ ଥାଉ, ସେ ତାର ଚିରସହଚର ପଶୁପକ୍ଷୀଗୁଡ଼ିକ ଛାଡ଼ି କଷ୍ଟ ପାଇଲା । ପଶାଖେଳର ସଙ୍ଗୀମାନଙ୍କୁ ଛାଡ଼ି ଚିଦାନନ୍ଦଙ୍କ ସଙ୍ଗେ ‘‘ବାଘବଜାରି’’ ଖେଳ ଖେଳିଲା । ତାର ମନ ବୁଝି ଚିଦାନନ୍ଦ ତା ସହ ଖୁସିଗପ କରନ୍ତି, କେତେବେଳେ ସଙ୍ଗରେ ଏଣେତେଣେ ବୁଲାଇନିଅନ୍ତି ।

ଆଜିଯାଏ ବିଶ୍ୱନାଥର ବିବାହ ହୋଇନାହିଁ । କେତେଆଡ଼ୁ କେତେ ସମ୍ବନ୍ଧ ଆସିଲା; ଚିଦାନନ୍ଦ ସବୁ ଭାଙ୍ଗି ଦିଅନ୍ତି । କେହି ପଚାରିଲେ କହନ୍ତି, ‘‘ବିଶି ବର୍ତ୍ତମାନ ପିଲା । ବିବାହର ମହତ୍ତ୍ୱ ନ ବୁଝି କାହାରି ବିବାହ କରିବା ଉଚିତ ନୁହେଁ । ବିବାହର ଦାୟିତ୍ୱ ବଡ଼ ଗୁରୁ, ନିଜକୁ ସେ ଦାୟିତ୍ୱର ସଂପୂର୍ଣ୍ଣ ଉପଯୋଗୀ ମନେ ନ କରିବା ପର୍ଯ୍ୟନ୍ତ କାହାରି ବିବାହରେ ଧର୍ମତଃ ଅଧିକାରନାହିଁ । ପୁରୁଷ ଓ ସ୍ତ୍ରୀ ପରସ୍ପର ମାନମର୍ଯ୍ୟାଦା ହୃଦୟଙ୍ଗମ କରିବା ଦରକାର । ସ୍ତ୍ରୀକୁ କେବଳ ପ୍ରେମସ୍ୱରୂପିଣୀ ଚିରସଙ୍ଗିନୀ ମନେକରି ଲାଳସାର ବଶବର୍ତ୍ତୀ ହୋଇ ବିବାହ କଲେ, ଉଭୟଙ୍କର ପ୍ରକୃତ ମିଳନ ହୁଏନାହିଁ । ବିଶିର ପିତା ମୋ ଉପରେ ତାର ଭାର ଦେଇଯାଇଛନ୍ତି । ତାକୁ ବିବାହର ଉପଯୁକ୍ତ ମନେ ନ କରିବା ପର୍ଯ୍ୟନ୍ତ ମୁଁ ସମ୍ମତି ଦେଇ ନ ପାରେ ।

ବିଶ୍ୱନାଥଙ୍କ ଜନନୀ ପଦ୍ମାବତୀ ସ୍ୱାମୀଙ୍କ ମୃତ୍ୟୁଦିନଠାରୁ ପଡ଼ିରହିଛନ୍ତି– କୌଣସି କଥାରେ ମନଲାଗେନାହିଁ । ବୋହୂଟିଏ ଘରକୁ ଆଣି ମରିପାରିଲେ ଜୀବନ ସାର୍ଥକ ମଣନ୍ତେ । ଗୋସେଇଁଙ୍କ ଯୁକ୍ତିରେ ତାଙ୍କ ମନ ବୁଝେନାହିଁ । ଦାସୀମାନେ ତାଙ୍କ ଆଗରେ ଗୋସେଇଁଙ୍କ ନିନ୍ଦା କରି କହନ୍ତି; ପଦ୍ମାବତୀ ଦୁଃଖିତା ହୁଅନ୍ତି । ସ୍ୱାମୀ ଯେ ତାଙ୍କର ତାଙ୍କ ଉପରେ ସବୁ ଭାର ଦେଇଯାଇଛନ୍ତି । ହେଉ ପଛକେ ବାଡ଼ୁଅ, ବିଶି ତାଙ୍କର ଖୁସିରେ ଥାଉ ।

ପ୍ରଜାପାଟକ ସମସ୍ତେ ଚିଦାନନ୍ଦଙ୍କ ଆଚରଣରେ ବିମୁଗ୍‌ଧ । ତାଙ୍କର ଅକପଟ ନ୍ୟାୟବିଚାର ଓ ଧର୍ମାଚରଣରେ ବୀରିବାଟୀର ପ୍ରତ୍ୟେକ ଲୋକ ତାଙ୍କ ପ୍ରତି ଆକୃଷ୍ଟ । ସମସ୍ତେ ତାଙ୍କୁ ‘‘ନନ୍ଦ ଗୋସେଇଁ’’ ବୋଲି କହନ୍ତି ।

ପରୀକ୍ଷା କରିବାପାଇଁ ଗୋସେଇଁ ବିଶ୍ୱନାଥକୁ ବିଚାରର ଭାର ଓ ହିସାବପତ୍ର ଭାର ଦିଅନ୍ତି । ବିଚାର କରିବାକୁ ଯାଇ ବିଶି ଅବିଚାର କରେ; ଖର୍ଚ୍ଚପତ୍ରରେ ଅନେକ ଅନାବଶ୍ୟକ ଖର୍ଚ୍ଚ କରିପକାଏ । ଚିଦାନନ୍ଦ ଦୁଃଖିତ ହୁଅନ୍ତି ।

ସେ ମନେ କରିଥିଲେ, କିଛିଦିନ ଉପଯୁକ୍ତ ଶିକ୍ଷା ପାଇଲେ ବିଶ୍ୱନାଥର ଜ୍ଞାନ ହୋଇଯିବ– ଏ ମନ ପରିବର୍ତ୍ତନ ହୋଇଯିବ– ସେ ନିଶ୍ଚିନ୍ତ ହୋଇ ଅନ୍ୟତ୍ର ଚାଲିଯାଇ ପାରିବେ; ମାତ୍ର କାର୍ଯ୍ୟରେ ଦେଖିଲେ, ଠିକ୍ ଓଲଟା । ବିଶ୍ୱନାଥର ମସ୍ତିଷ୍କ ଏଡ଼େ ଅପରିପକ୍ୱ ଓ ସଂସାର ବିଷୟରେ ସେ ଏତେ ଅନଭିଜ୍ଞ ଯେ, କେବଳ କେତେ ଦିନର ଶିକ୍ଷାଦ୍ୱାରା ତା ଦ୍ୱାରା ବିଷୟ କର୍ମ ଚଳାଇବା ଏକପ୍ରକାର ଅସମ୍ଭବ । ବିଷୟ-କର୍ମ ଓ ମାୟା-ମମତା ବିସର୍ଜନ ଦେଇ ଚିଦାନନ୍ଦ ନିଜକୁ ମୁକ୍ତ ମନେ କରିଥିଲେ; ମାତ୍ର ବିଷୟ-କର୍ମ ତାଙ୍କୁ ଛାଡ଼ିଲାନାହିଁ । ବୃଦ୍ଧ ଦଳବେହେରାଙ୍କ ମୃତ୍ୟୁଶଯ୍ୟାର ବାଣୀ ‘‘ବିଶି ଆପଣଙ୍କୁ ଲାଗିଲା’’ ତାଙ୍କୁ ଯେପରି ସ୍ୱର୍ଗରୁ ସେହି ଆତ୍ମାର ଆଦେଶ ପରି ପ୍ରତିକ୍ଷଣ ମନେ ହେଲା । ମନେ ପଡ଼ିଲା– ରମା, ରାଜବଲ୍ଲଭ; ଜୀବନର କେଡ଼େ ବନ୍ଧନ ସେ ଛିନ୍ନ କରିପାରିଛନ୍ତି । ବକ୍ଷ ସ୍ଫୀତ ହୋଇ କ୍ଷଣିକ ଆନନ୍ଦ ଆସିଲା । ଏ ବନ୍ଧନ ତ କିଛି ନୁହେ । ରମାର ବନ୍ଧନ ଯେ ଅକାତରେ ତ୍ୟାଗ କରିପାରେ, ଏ ତ ତା’ ପକ୍ଷରେ ବନ୍ଧନ ନୁହେ । ମନରେ ସାନ୍ତ୍ୱନା ଆସିଲା ।

ଚିଦାନନ୍ଦଙ୍କର ମନେ ହେଲା, ବିଶ୍ୱନାଥ ମନୁଷ୍ୟଚରିତ୍ର ଦେଖିବାର ସୁଯୋଗ ପାଇନାହିଁ-। ନିଜ ଇଲାକାର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଲୋକ ସଙ୍ଗେ ତାର ପରିଚୟ ଆବଶ୍ୟକ । ତାକୁ ଡାକି କହିଲେ, ‘‘ବିଶି ! ତୁମ ଇଲାକା ତୁମେ ଥରେ ଯାଇ ବୁଲିଆସ । କେଉଁଆଡ଼େ ଏକୁଟିଆ ବୁଲି ବାହାରିବନାହିଁ, ସଙ୍ଗୀ ଜଣେ ସାଥିରେ ନେବ । ପ୍ରଜା ବୋଲି, ଅଧୀନସ୍ଥ ବୋଲି କାହାରି ପ୍ରତି କୌଣସି ପ୍ରକାର କର୍କଶ ବ୍ୟବହାର କରି ପାରିବନାହିଁ । ଭକ୍ତିର ଉଦୟ ନ ହେଲେ କୌଣସି ସ୍ତ୍ରୀ ପ୍ରତି ଦୃଷ୍ଟିପାତ କରି ପାରିବନାହିଁ । ଗୋଟିଏ ସଇସ ଓ ଗୋଟିଏ ଘୋଡ଼ା ନେଇ ବୁଲି ଆସିବ ।’’

ଆଦେଶ ବଡ଼ କଠୋର ! ଅମାନ୍ୟ କରିବାର ଉପାୟନାହିଁ । କାହିଁକି କେଜାଣି, ଚିଦାନନ୍ଦଙ୍କୁ ଦେଖି ସେ ସ୍ୱତଃ ନତ ହୋଇଯାଏ– କଥାରେ ଦ୍ୱିରୁକ୍ତି କରିବାର ସାହସ ପାଏନାହିଁ । ତାହା ବିଶ୍ୱନାଥ ହୃଦୟର ପବିତ୍ରତା ଓ ସ୍ନିଗ୍‌ଧତା ହେତୁରୁ ହେଉ କିମ୍ବା ଚିଦାନନ୍ଦଙ୍କ ଚରିତ୍ରର ବିଶିଷ୍ଟତା ହେତୁରୁ ହେଉ ।

•••

 

ବିଂଶ ପରିଚ୍ଛେଦ

 

‘‘ପାର୍ବତୀ ସୁନ୍ଦରୀ । ଯେତେଥର ଯେତେ ସମୟପାଇଁ ଦେଖିଛି, ଭାବିଛି, ଦେଖା ଶେଷହେଲାନାହିଁ, କିଛି ବାକି ରହିଗଲା । ପ୍ରଥମ ସାକ୍ଷାତରେ ଲକ୍ଷ୍ୟ କରିବାର ମନେ ହେଉଛି– ମୁଁ ନିକଟ ହେବାବେଳେ ସେ ସଙ୍କୁଚିତ ହୋଇ ଦୂରକୁ ଅପସରି ଯାଇଅଛି । ମୁଁ କଥା କହିବାବେଳେ ସେ ମନୋଯୋଗ କରି ମୋ କଥା ଆଗ୍ରହରେ ଶୁଣିଛି । ମନେ ଅଛି; ମୋର ଚାଲିଚଳଣ ଯେପରି ତା ମନରେ ଅନୁରାଗ ରୋପିଦେଇଛି । ପରିଚୟ ଟିକିଏ ଘନିଷ୍ଠ ହୋଇଛି, ନା ମତେ ଦେଖିବାମାତ୍ରକେ ତଳକୁ ମୁହଁ କରି ହସିଛି, ତା ପରେ ହଲି-ଦୋହଲି ଚାଲିଯାଇଛି । ଏ ଛବି ଯେପରି ମୋ ଆଖି ଆଗରେ–ମାତ୍ର ତା’ର ମୁଖମଣ୍ଡଳ କଳ୍ପନା କରି ପାରୁନାହିଁ । ମୋ କଥାରେ କେବେ ଅବାଧ୍ୟତା କରିବାର ମନେନାହିଁ-ଯାହା କରିବାକୁ ଯେତେବେଳେ କହିଛି, ସଙ୍କୋଚରେ ଓ ବିଳମ୍ବରେ କରିଛି । ମୋ ପ୍ରତି ତାର ଅନୁରାଗ ଲକ୍ଷଣ କ୍ରମେ ପ୍ରକାଶ ପାଇଛି ।

‘‘ପାର୍ବତୀ ସୁନ୍ଦରୀ ସତ; ମାତ୍ର ସେ ଛୋଟ । ହୋଇପାରେ, ମୋର ସୌନ୍ଦର୍ଯ୍ୟ ମୀମାଂସା ନିର୍ଭୁଲ ନୁହେ– ସ୍ତ୍ରୀରୂପରେ ଜାତି-ଧର୍ମ-ନିର୍ବିଶେଷରେ ସୌନ୍ଦର୍ଯ୍ୟ ଦେଖି ମୁଁ ବିଚଳିତ ହୋଇଛି । ମୋର ଏହା ମାଦକତା ହୋଇପାରେ; ମାତ୍ର ଅଧର୍ମ ନୁହେଁ । ସୌନ୍ଦର୍ଯ୍ୟ ପରି ସଦ୍‌ଗୁଣ ମଧ୍ୟ ମୁଁ ମନୁଷ୍ୟଠାରେ ଦେଖିଛି । ମୁଁ ରାଗ ହୋଇଛି; କିନ୍ତୁ ଘୃଣା କରିନାହିଁ । ନିଜ ପରି ସବୁବେଳେ ପରକୁ ଦେଖିପାରିନାହିଁ ସତ, ମାତ୍ର କେବେ ହେଲେ ଅନ୍ୟର ଦୁଃଖ କଷ୍ଟ ଦେଖି ଖୁସି ହୋଇନାହିଁ–ମନରେ ବେଦନା ଅନୁଭବ କରିଛି ।

‘‘ଚିଦାନନ୍ଦ ମନେ କରିଥିଲେ– ଭକ୍ତିର ଉଦୟ ନ ହେବାଯାଏ ସ୍ତ୍ରୀମୁଖ ଦର୍ଶନ ଉଚିତ ନୁହେ । ପାର୍ବତୀ ସ୍ତ୍ରୀ ନୁହେ, ସେ ବାଳିକା । ତା ଲାବଣ୍ୟ ମୋତେ ସ୍ପର୍ଶ କରିଛି । ପାର୍ବତୀ ପ୍ରତି ମୋର ଦୃଷ୍ଟିରେ ଅପବିତ୍ରତାନାହିଁ । ଯାହା ଅପବିତ୍ର ନୁହେଁ, କେବଳ ଚିଦାନନ୍ଦଙ୍କ ହୁକୁମ ମାନି ତାହା ପ୍ରତି ବିମୁଖ ହେବା ନିଜର ସ୍ୱାତନ୍ତ୍ର୍ୟ ଲୋପ କରିବା ଛଡ଼ା ଆଉ କିଛି ନୁହେ । ଚିଦାନନ୍ଦ ସନ୍ନ୍ୟାସୀ, ତ୍ୟାଗୀ । ତାଙ୍କର ଧର୍ମ ସବୁ ସମୟରେ ମୋର ଅନୁକରଣୀୟ ନ ହୋଇ ପାରେ । ଚିଦାନନ୍ଦଙ୍କ ପନ୍ଥା ଅନୁସରଣ କଲେ ସମାଜରୁ ବିବାହ ପ୍ରଥା ଆପେ ଉଠିଯିବ । ‘ସ୍ତ୍ରୀଜାତିକୁ ଭକ୍ତି କରିବାକୁ ନ ଶିଖିବା ପର୍ଯ୍ୟନ୍ତ କାହାରି ବିବାହ କରିବାର ଅଧିକାରନାହିଁ ।’ ସମାଜରେ କେତେଜଣ ଏପରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବେ ?

‘‘ଆଜିଯାଏ ବିବାହ ହୋଇ ନ ଥିବାରୁ ମୋର ଜନନୀ ଭାରି ବ୍ୟସ୍ତ । ସାଆନ୍ତେ ଚାଲିଗଲା ଦିନୁଁ କେତେ ଥର କେତେ ପ୍ରକାରରେ ମତେ ଅନୁରୋଧ କଲେଣି । ଏଣିକି ବିବାହ ନ ହେଲେ ନୁହେ । ନିତାମା’ଠାରୁ ପ୍ରଧାନୀପୁରରେ ମୋର ବିବାହ ପ୍ରସ୍ତାବ ଶୁଣିବା ଦିନଠାରୁ ସେ ଟିକିଏ ଖୁସି ଅଛନ୍ତି । ହାସ୍ୟହୀନ ଶୁଷ୍କମୁଖରେ ଟିକିଏ ହାସ୍ୟର ରେଖା ଦେଖାଗଲାଣି । ମୂକ ପ୍ରାୟ ମାତା ମୋର ଏବେ ଯାହା ତାହା ସଙ୍ଗରେ କଥାବାର୍ତ୍ତା କରନ୍ତି । ମାତାର ମନ ଅଲଗା ଜିନିଷ-ମାତାର ସ୍ନେହ, ସନ୍ତାନପାଇଁ ଆତ୍ମୋତ୍ସର୍ଗ ମହାଋଣ । ଶେଷ ଜୀବନରେ ତାଙ୍କର ଅସନ୍ତୋଷର କାରଣ ଯେପରି ମୁଁ ନ ହୁଏ । ମତେ ବିବାହ କରିବାକୁ ହେବ ।

‘‘ଗୋବିନ୍ଦ ସେନାପତିଟା ବଡ଼ ଲୋଭୀ, ବଡ଼ କୃପଣ ! ପୁଅଯାକ ମଧ୍ୟ ତାକୁ ବଳି । ସେଥିରେ ମୋର ଆସେ-ଯାଏ କେତେ ? ପାର୍ବତୀକୁ ଦେଖିବା ଦିନୁଁ ମୁଁ ତା ଆଡ଼କୁ ଢଳିପଡ଼ିଛି । ଖାଲି ରୂପ ନୁହେଁ, ଗୁଣରେ ମଧ୍ୟ ତା ପରି ଝିଅ କାହିଁ କେବେ ତ ଦେଖିନାହିଁ । ତା’ ପରେ ଜ୍ୟୋତିଷମାନେ ମଧ୍ୟ ମତ ଦେଲେଣି । ସେଠାରେ ବିବାହ ହେଲେ ମୋର ଯଶ-ଗୌରବ ବଢ଼ିଯିବ-

‘‘କପାଳକୁ ନିତାମା’ ମିଳିଛି । ସେ ଆସିବା ଦିନୁଁ ମତେ ନିଜପାଇଁ କିଛି ଭାବିବାକୁ ହେଉନାହିଁ । ପାନ ଦରକାର, ନିତାମା’ ଘେନି ହାଜର ଅଛି; ଗରମ ହେଲା, ଝାଳ ବହିବା ଆଗରୁ ସେ ଆସି ବିଞ୍ଚିବାର ଯୋଗାଡ଼ କରିଦେଲାଣି । ଖାଇବା ବେଳ ଉଣ୍ଡି ସବୁ ଜିନିଷ ପାଖରେ ରଖାଯାଉଛି । ଆଗେ ତ ଏପରି ନ ଥିଲା । ଏ ସବୁ ନିତାମା’ ଯୋଗୁଁ । ପାର୍ବତୀ ଆସିଲେ ନିତାମା’ ତାର ସବୁ କାମ କରିଦେବ, କିଛି ଭାବିବାକୁ ହେବନାହିଁ । ଏତେ କାମଦାମ କରି ତାର କାହିଁରେ ଲୋଭନାହିଁ-କେବଳ ମୁଠାଏ ଖାଇଲେ ହେଲା । ନିତାମା’ ନ ଥିଲେ ଏ ମଧ୍ୟରେ ତିନିଥର ଯାଇ ପାର୍ବତୀକୁ କିଏ ଦେଖି ଆସନ୍ତା ?

‘‘ମୋର ତ ଆଉ କେହିନାହିଁ; ମତେ ବିବାହର ଯୋଗାଡ଼ କରିବାକୁ ହେବ । ଆଗେ ଅବଧାନଙ୍କୁ ଡକାଇ ଦିନ ତଏନ କରିବାକୁ ହେବ । ନନ୍ଦ ଗୋସେଇଁ ବୋଧହୁଏ ସିଆଡ଼େ ରହିଲେ– ଆଉ ଏଠା କଥା ମନେନାହିଁ । ନ ଆସନ୍ତୁ-ସେ ଆସି ବିଶେଷ କ’ଣ କରିବେ ?

‘‘ଶୟନଘରଟି ତ ଆଗ ସଜାଇବା ଦରକାର । ପାର୍ବତୀ ଆସି କ’ଣ କହିବ ? ସେ ତ ଭାରୀ ବୁଦ୍ଧିମତୀ-ପଚାରୁ ନ ପଚାରୁ ପଣକିଆ କହିଗଲା କିପରି ? ନୂଆ ପଲଙ୍କ ବରାଦ ଦେବା ଦରକାର-ତା ପରେ ପିପିଲିରୁ କାରିଗର ଡକାଇ ଗଦି, ଶେଯ, ତକିଆ, ମଶାରି ଆଦି କରାଇନେବାକୁ ହେବ । ଆଉ ତ ଦିନନାହିଁ ? ପାର୍ବତୀ ଆସି ଯେପରି ଦେଖିବ, କିଛି କଥାର ଅଭାବନାହିଁ ।’’

•••

 

ଏକବିଂଶ ପରିଚ୍ଛେଦ

 

ବୀରିବାଟୀଟା ହୁଲସ୍ଥୁଲ କମ୍ପୁଛି । ଦଳବେହେରାଙ୍କ ବିଭାଘର । ଦଳବେହେରାଙ୍କ କ୍ଷୁଦ୍ର ଜୀବନର ବଡ଼ ରାତି ପାହି ସକାଳ ହେଲା । ଆଜି ରାତ୍ର ତେର ଦଣ୍ଡଠାରେ ଶୁଭ ଲଗ୍ନରେ ବିବାହ । ବାଜାବାଲା, ଯାତ୍ରାବାଲା ଦଳକୁଦଳ ସଜ ବାନ୍ଧି ତିଆର ହେଲେଣି । ବାଣ, ନିଶାଣ, ଫାନୁସ ଆଦିର ସୀମାନାହିଁ । ବାଇଦ, ବଡ଼କାଠ, ଶଙ୍ଖ, ମହୁରି ବାଜିଉଠିଲାଣି । ପିଲାଯାକ ହଳଦି, କଜଳ ଲଗାଇ ପେଡ଼ିଲୁଗାମାନ ପିନ୍ଧି ଦାଣ୍ଡ-ଘାଟରେ ବୁଲିଲେଣି । ମାଇପେଯାକ ଯେଝା ଦାଣ୍ଡ କବାଟ ଦରଆଉଜା କରି ଦାଣ୍ଡବାଟକୁ ଚାହିଁ ରହିଛନ୍ତି ।

ଜିନିଷପତ୍ର ଲଦାଯାଇ ଶହ ଶହ ବୋଝାଇ ଶଗଡ଼, ଫୁଲଗଛ, ଫାନୁସ, ବାଣ ଆଦି ବୁହା ହେବାକୁ ଲାଗିଲା । ଶହେ ଆଠଟା ଶଙ୍ଖ ଏକାବେଳକେ ବାଜି ଉଠିଲା– ଯେପରି ଅନେକଗୁଡ଼ାଏ ବ୍ରାହ୍ମଣୀଆବେଙ୍ଗ ଗହୀର ବିଲରେ ରଡ଼ି ଛାଡ଼ିଲେ ! ହୁଳହୁଳି ଶବ୍ଦରେ କାନ ବଧିରା ଧରିଗଲା । ଅବଧାନେ ଆସି ‘ମଙ୍ଗଳଂ ଭଗବାନ୍‌ ବିଷ୍ଣୁଃ ମଙ୍ଗଳଂ ଗରୁଡ଼ଧ୍ୱଜଃ’...ଇତ୍ୟାଦି ମଙ୍ଗଳାଷ୍ଟକ ଗାଇବାକୁ ଲାଗିଲେ । ବରବେଶ ହୋଇ ଦଳବେହେରା ଆସି ବେଦୀ ଉପରେ ବସିଲେ । ପୁରୋହିତେ ବରୁଣପୂଜା ଆରମ୍ଭ କଲେ । ସୁସଜ୍ଜିତ ପାଲିଙ୍କି ରଖାହୋଇଥିଲା–ଅତର, ଚୁଆ, ଚନ୍ଦନ, କର୍ପୂର ଲାଗିକରାହେଲା । ମାଳୀମାନେ ଫୁଲମାଳ ଆଣି ବେକରେ ଲମ୍ବାଇ ଦେଲେ–ବର ପାଲିଙ୍କିରେ ବିଜେ ହେଲେ ।

ଏଡ଼େ ଗହଳ-ଚହଳ ହଠାତ୍ କାହିଁକି ବନ୍ଦ ହୋଇଗଲା ! କେଉଁଠାରୁ ନନ୍ଦ ଗୋସେଇଁ ଆସି ହାଜର ! ବରଙ୍କ ସୁଖସ୍ୱପ୍ନ କୁଆଡ଼େ ଉଭେଇଗଲା–ଛାତି ଧଡ଼ପଡ଼ ପଡ଼ିବାକୁ ଲାଗିଲା । ଲୋକଗୁଡ଼ାକ ଦେଖୁଁ ଦେଖୁଁ ଲଥଲାଥ ତଳେ ପଡ଼ି ମୁଣ୍ଡିଆ ମାରିବାକୁ ଲାଗିଲେ । ଚିଦାନନ୍ଦ ସିଧା ଯାଇ ବର ପାଲିଙ୍କି ପାଖରେ ପହଞ୍ଚି ବରବେଶ ଦେଖି ହସି ପକାଇଲେ । ହସରେ ଯୋଗଦେବେ ବୋଲି ଚେଷ୍ଟା କରି ଦଳବେହେରାଙ୍କ ମୁହଁ ତିନ୍ତୁଳିଚକଟା ଖାଇଲା ପରି ହୋଇଗଲା । ମନେହେଲା–ଉଠିଯାଇ ଭୂଇଁରେ ଲୁଟିଯାଆନ୍ତେ ପାରିଲେନାହିଁ– ସେ ଯେ ଆଜି ବର ! କଥା କହିବାକୁ ଚେଷ୍ଟା କଲେ; ଅବାଧ୍ୟ ଜିଭଟା ତାଳୁରେ ଲାଗିଗଲା । ଏପରି ଇତସ୍ତତଃ ଅବସ୍ଥା ଦେଖି ଚିଦାନନ୍ଦ କହିଲେ-‘‘ବିଶି ! କିଛି ଚିନ୍ତାନାହିଁ, ବିବାହ ବେଳ ଉଛୁର ହେଉଛି, ଅନୁକୂଳ କର । ତୁମର ଏ ମିଳନ ଶୁଭ ହେଉ, ପବିତ୍ର ହେଉ ।’’

ଦଳବେହେରା ଲଜ୍ଜାରେ ସଡ଼ିଯିବାକୁ ଲାଗିଲେ । ବହୁ କଷ୍ଟରେ କହିଲେ– ‘‘ଆପଣ ଚାଲନ୍ତୁ, ଯିବେ ।’’

ଚିଦାନନ୍ଦ– ‘‘ନାହିଁ ବିଶି ! ଯିବାର ସୁଯୋଗନାହିଁ, ଅନ୍ୟ କାର୍ଯ୍ୟ ଅଛି ।’’ ଏତିକି କହି ବାଜାଦାର ଓ ଗଉଡ଼ମାନଙ୍କୁ ବାହାରିବାକୁ ଇଙ୍ଗିତ କରିଦେଲେ । ପୁଣି ହଟ୍ଟଗୋଳ ଉଠିଲା, ଶଙ୍ଖ, ମହୁରି ବାଦ୍ୟ ବାଜିଉଠିଲା, ବେହେରାମାନେ ପାଲିଙ୍କି ଉଠାଇ ଚାଲିଲେ ।

ପ୍ରଧାନୀପୁର ଆସି ନିକଟ ହେଲା । ବାଜାଦାରମାନେ ଘନ ଘନ ବଜାଇଲେ–ଚାରିଆଡ଼େ ବାଣ ଫୁଟିଉଠିଲା, ମଶାଲ ଶିଡ଼ି ଜଳିଉଠିଲା । ଗାଁଦାଣ୍ଡରେ ମହାଭିଡ଼ ପଡ଼ିଗଲା । ପାଲିଙ୍କି ଉପରୁ ବର ସୁନା, ରୂପା, କଉଡ଼ି ବିଞ୍ଚିବାକୁ ଲାଗିଲେ । ଗାଁପିଲାଗୁଡ଼ାକ ଦାଣ୍ଡରେ ଦଉଡ଼ି ବାନ୍ଧି ପାଲିଙ୍କି ଅଟକାଇ ଦେଲେ–କିଛି ପୁରସ୍କାର ପାଇ ପୁଣି ଖୋଲିଦେଲେ ।

ବୁଢ଼ା ଗୋବିନ୍ଦ ସେନାପତି କେଉଁ କାଳର ମସିଆ ମଠାଯୋଡ଼ ପିନ୍ଧି ବାଟବରଣ କରିନେଲେ । ବର ବିବାହମଣ୍ଡପକୁ ବିଜେ ହେଲେ । ହୋମ ଆରମ୍ଭ ହେଲା । ସର୍ବାଙ୍ଗ ଆବୃତା, ବହୁ ଅଳଙ୍କାର-ବିଭୂଷିତା କନ୍ୟା ପ୍ରାୟ ଆଣ୍ଠୁ ଉପରକୁ ମୁଣ୍ଡ ଲଗାଇଦେଇ ଧୀରେ ଧୀରେ ଝୁମୁରୁ ଝୁମୁରୁ ଶବ୍ଦ କରି ବାରିକାଣୀ ହାତ ଧରି ଆସି ବେଦୀ ଉପରେ ପହଞ୍ଚିଲା । ହାତଗଣ୍ଠି ପଡ଼ିଲା–ପୁରସ୍ତ୍ରୀମାନେ ହୁଳହୁଳି ଦେଇ ବର ବନ୍ଦାପନା କରି ନେଇଗଲେ । ବିବାହ ଶେଷ ହେଲା । ବରଙ୍କୁ ଘର ଭିତରକୁ ନେଇଗଲେ ।

ବରଯାତ୍ରୀମାନଙ୍କ ଖାଇବାର ଆୟୋଜନ ହେଲା । ମୁଲକର ମାଲିକ ଦଳବେହେରାଙ୍କ ବନ୍ଧୁ ବାନ୍ଧବ ପ୍ରିୟା-ପ୍ରୀତି ସବୁ ବରଯାତ୍ରୀ ହୋଇ ଆସିଛନ୍ତି । ବ୍ରାହ୍ମଣମାନେ ବିଭିନ୍ନ ପ୍ରକାର ଅନ୍ନ-ବ୍ୟଞ୍ଜନ ପରିବେଷଣ କରିବାକୁ ଲାଗିଲେ । ମାତ୍ର କାହିଁରେ ସେମାନଙ୍କ ମନ ମାନିଲାନାହିଁ । କିଏ କହିଲା, ମାଛ-ବେସରଟା ଲୁଣିଆ ହୋଇଗଲା, ଆଉ କାହା ମତରେ ଡାଲି ତରକାରିଗୁଡ଼ାକ ଦରସିଝା । ଆମ୍ବିଳଟା ନିହାତି ଦୁର୍ଗନ୍ଧ–ଆମ୍ବୁଲରେ ଅସରପା ଲଣ୍ଡି ଥିଲା ପରା ! ଖିରିଗୁଡ଼ା ତୁଚ୍ଛା ପାଣିଚିଆ । ବରଯାତ୍ରୀ ଯାକ ବଡ଼ଘରର ପୁଅ–ଏ ଅଖାଦ୍ୟ ଖାଇପାରିଲେନାହିଁ । ମଝି ଆଙ୍ଗୁଠି ବୁଡ଼ାଇ ଟିକିଏ ଚାଟିଦେଇ ସବୁ ଛାଡ଼ି ଉଠିଗଲେ । ଗୋବିନ୍ଦ ସେନାପତି ଓ ତାଙ୍କ ପୁଅମାନେ ଯାଇ କବାଟକ’ଣରେ ଲୁଚିଲେ ।

କାହାରି କିଛି ଲୋକସାନ ହେଲାନାହିଁ–ହରବରରେ ପଡ଼ିଲେ ସେହି ବରଯାତ୍ରୀଯାକ । ରାତି ବେଶି ହେବାରୁ ଭୋକରେ ପେଟ ହୁ-ହୁ ଜଳିଲା–ତା ପରେ ଦୁର୍ବୃତ୍ତ ମଶାଗୁଡ଼ାକ କାନପାଖରେ ସଙ୍ଗୀତ ଗାଇ ଗୋଡ଼ଠାରୁ ମୁଣ୍ଡଯାଏ କାମୁଡ଼ି ପକାଇଲେ । ରାତି ନିଦନାହିଁ–ଫଟ୍‌ଫାଟ୍‌ ବାଡ଼ିଆବାଡ଼ି–ମଝିରେ ମଝିରେ ସେନାପତିଙ୍କ ସପ୍ତପୁରୁଷଙ୍କୁ ଉଦ୍ଧାର !

•••

 

ଦ୍ୱାବିଂଶ ପରିଚ୍ଛେଦ

 

ବିଭାଘରର ସବୁ ଆୟୋଜନ ଦଳବେହେରାଙ୍କ ଆଡ଼ୁ । ଖାଇବାପିଇବା ଖର୍ଚ୍ଚଠାରୁ ଆରମ୍ଭକରି ବାଣ-ନିଶାଣ ଓ ବର-କନ୍ୟାଙ୍କ ସମସ୍ତ ଅଳଙ୍କାର ଓ ଲୁଗାପଟା ଖର୍ଚ୍ଚ ତାଙ୍କୁ କରିବାକୁ ପଡ଼ିଛି । ଗୋବିନ୍ଦ ସେନାପତି ବଡ଼ ଖୁସି । ଏସବୁ ଖର୍ଚ୍ଚପତ୍ର ଦେଖି ବୁଢ଼ାର ହଂସା ଉଡ଼ିଯାଉଥାଏ । ହାଣ୍ଡି ହାଣ୍ଡି କରି ଛେନା ବଡ଼ା, ପିଠା, ପାଚିଲା କଦଳୀ ଘରେ ରଖି ତାଲା ଠୁଙ୍କିଲାଣି ।

ସେନାପତିଙ୍କ ଅନ୍ଦରମହଲରେ ଆନନ୍ଦ କୋଳାହଳ ଲାଗିଛି । ସାଇପଡ଼ିଶା ମାଇପେ ଆସି ପାର୍ବତୀକୁ ଘେରି ବସିଛନ୍ତି । କିଏ କହୁଛି-‘‘ମଲକଢ଼ି କେଡ଼େ ସୁନ୍ଦର ହୋଇଛି ମ ! ଆମ ଗାଁ ବାଞ୍ଛା ବଣିଆଟା କ’ଣ ଏପରି ଗଢ଼ିପାରିବ କି ? ତାଡ଼, ବିଦ, ମୟୂରବସା ଗୁଣା ପୁଣି ଇମିତି ହୁଏ-!’’ ଆଉ ଜଣେ କହିଲା– ‘‘ପାବୀ କ’ଣ ଆଉ ଆମକୁ ସତେ ପଚାରିବ ? ଆଉ କେତେଦିନ ଗଲେ ଚିହ୍ନିପାରିବ କିନାହିଁ, କିଏ ଜାଣେ !’’

ରାମବୋଉ କହିଲା– ‘‘ହଇ ଲୋ ଶରଧୀମା ! ଦେଖିଲୁଣି, କିପରି ହରଡ଼ଫାଳିଆ ମାଳ-। ଆମ ଜୋଇଁ ମୋ ସେବୀପାଇଁ ଠିକ୍ ଏହିପରି ଗୋଟିଏ ମାଳ ଆଣିଛନ୍ତି ପରା !’’

ଶରଧୀମା– ‘‘କେତେ ଢମଗୁଡ଼ାକ କହିହୁଅ କି ତୁମେ, ଇମିତି ମାଳ ଦେଖି ନ ଥିବ... ଫେର ତୁମ ଜୋଇଁ ଆଣୁଥିଲା !’’

ରାମବୋଉ ରାଗିଯାଇ ବକିବାକୁ ଲାଗିଲା– ‘‘ମଲା ମୋର, ପୋଇଲୀ, ସବାଖାଈ, ଡାଆଣୀ ।’’

ଶରଧୀ ।’ ଛାଡ଼ିବା ପାତ୍ରୀ ନୁହେଁ– ସେ ପଞ୍ଚମ ସ୍ୱରରେ ଆରମ୍ଭ କରି ଆସୁଥିଲା; ରେବତୀ ପାଟି କରିବାରୁ ତୁନି ହୋଇଗଲା ।

ଏଣେ ପାର୍ବତୀ ୟାକୁ ଧରି, ତାକୁ ଧରି କାନ୍ଦ ଲଗାଇଛି-

‘‘ବୋଉ ଲୋ ମୋ କପାଳରେ ଏଇଆ ଥିଲା କି, ବୋଉ ଲୋ !’’

‘‘ତୁମରି ମନରେ ଏଇଆ ଥିଲା କି ଶରଧି ଲୋ, ତୁମକୁ ସତେ ମୁଁ ଆଉ ଦେଖିବି କି ଶରଧି ଲୋ !’’

‘‘ବାପା ହେ ସାତ ପର କରି ତଡ଼ିଦେଉଛ କି, ବାପା ହେ’’ ଇତ୍ୟାଦି ।

ଯଶୋଦାଙ୍କୁ ଆଜି ବାଟ ଦିଶୁନାହିଁ । ଝିଅ ସଙ୍ଗେ କାନ୍ଦି କାନ୍ଦି ଆଖି ଫୁଲିଗଲାଣି । ପାବୀ ଚାଲିଯିବ-ମନ ଖାଲି ଘାଣ୍ଟି ହେଉଥାଏ । ପିଲାଟାଏ, କିଛି ଜାଣିନାହିଁ– କିପରି ପର ଘରେ ଚଳିବ ପୁଣି କେତେବେଳେ ମନେହୁଏ, ପାବୀ ରଜାଘର ରାଣୀ ହେବ, ସୁଖରେ ରହିବ । ମନ ପୁଣି ବୁଝିଯାଏ ।

ପାର୍ବତୀର ମନ ଛନଛନ । କେଉଁ ଅଜଣା ରାଇଜକୁ କେଉଁଆଡ଼େ ନେଇଯିବେ ! ଆଉ କେବେ ଯେ ଫେରିଆସିବ, ଜଣାନାହିଁ । ଆସିବ କିନାହିଁ, କିଏ କହିବ ? ମନେ ପଡ଼େ–ଦଳବେହେରାଙ୍କ କଥା । ସବୁ କଥା ମନେନାହିଁ, କେତେ ପାସୋର ହେଲାଣି । ହସି ହସି ତାକୁ ପଣକିଆ ପଚାରିଥିଲେ, ମନେ ଅଛି । ଅବଧାନକୁ ଭାରି ଜବତ କରିଥିଲେ ସେ । ଏସବୁ କଥା ମନେ ପଡ଼ି ଅଜଣା ରାଇଜଟା ଅନେକ ପରିମାଣରେ ଜଣାହୋଇଯାଏ । ତାର ପ୍ରାଣ ଶୀତଳ ହୋଇଆସେ ।

ଝିଅ ଜ୍ୱାଇଁ ବିଦାହେବାର ଯୋଗାଡ଼ ଲାଗିଗଲା । ପାଲିଙ୍କି ସବାରି ଠିକ୍ ହେଲା । ଭାର-ଥୋର, ଖଟ-ପଲଙ୍କ, ଶେଯ, ତକିଆ ବୁହାଲାଗିଲା । ମାଇପେ ହୁଳହୁଳି ଦେଲେ । ବର-କନ୍ୟା ବାହାରିଲେ । ବାଦ୍ୟ ବାଜିଲା । ପାର୍ବତୀର କାନ୍ଦର ବିରାମନାହିଁ । ସବାରି କବାଟ ଟିକିଏ ମେଲା କରି କାନ୍ଦୁଥାଏ । ଯାଇ ଯାଇ ପହଞ୍ଚିଲେ ଦଳବେହେରାଙ୍କ ଦୁଆରେ । ସାତ ମାଇପେ ଥାଳୀରେ ଅର୍ଘ୍ୟ ଘେନି, ଦୂବ, ବରକୋଳିପତ୍ର, ଉଆ ଚାଉଳ ପକାଇ ବନ୍ଦାପନା କରି ହୁଳହୁଳି ଦେଉ ଦେଉ ବର-କନ୍ୟାକୁ ଘର ଭିତରକୁ ନେଇଗଲେ ।

ପଦ୍ମାବତୀଙ୍କ ଗୋଡ଼ ଦୋଡ଼େଇ ପଡ଼ୁଛି । ମଝି ଅଗଣାକୁ ଧାଇଁଆସି ବୋହୂକୁ କାଖ କରି ପକାଇଲେ । ଲୁଗା କାଢ଼ି ମୁହଁ ଦେଖିପକାଇଲେ– ‘‘ଆରେ...ଏ ତ ମୋ ପୁନିଅଁ ଚାନ୍ଦରେ ! ମୋ ଅନ୍ଧାର ଘର ଆଲୁଅ ରେ !’’ ବୋହୂ ବିଚାରୀ ଆଖି ଟିକିଏ ମେଲା କରି ପୁଣି ମୁଦି ଦେଉଥାଏ-। ନିତାମା’ ଧାଇଁଆସି ସାଆନ୍ତାଣୀଙ୍କଠାରୁ ପାର୍ବତୀକୁ ନେଇ ଘର ଭିତରକୁ ଚାଲିଗଲା-

ଦଳବେହେରା ଘର ଭିତରକୁ ଗଲେ । ଲୁଗାପଟା ପାଲଟି ଗୋଡ଼ ହାତ ଧୋଇ ସୁସ୍ଥ ହେଲେ ।

•••

 

ତ୍ରୟୋବିଂଶ ପରିଚ୍ଛେଦ

 

ଆଜି ଚଉଠି । ଯଥା ସମୟରେ ପୁରୋହିତ ଆସି ହୋମ ଆରମ୍ଭ କଲେ । ବର-କନ୍ୟାଙ୍କ କଉଡ଼ିଖେଳ ହେଲା । ବିଶ୍ୱନାଥ ପାର୍ବତୀ ହାତରୁ କଉଡ଼ି ଛଡ଼ାଇବାକୁ ହାତ ଲଗାଇବାମାତ୍ରକେ ସେ ଛାଡ଼ିଦେଲା । ମାଇପେ ଯାକ ହସିଉଠିଲେ । ଦଳବେହେରାଙ୍କ ହାତରୁ କଉଡ଼ି ଛଡ଼ାଇବାପାଇଁ ବହୁ କଷ୍ଟରେ ପାର୍ବତୀ ତାଙ୍କ ହାତମୁଠା ଉପରେ ହାତ ଲଗାଇ ପୁଣି ନେଇ ଆସିଲା । ସେ ଉଷ୍ଣ କୋମଳ କର ସ୍ପର୍ଶରେ ତାଙ୍କ ସର୍ବ ଶରୀର କଣ୍ଟକିତ ହୋଇ ଆସିଲା । କଉଡ଼ିଟିଏ ଅଲକ୍ଷିତରେ ହାତମୁଠା ଭିତରୁ ତଳେ ଖସିପଡ଼ିଲା ।

ସେଦିନ ରାତିରେ ସମସ୍ତଙ୍କ ଖିଆପିଆ ଶେଷ ହୋଇ ଦଳବେହେରାଙ୍କ ଶୟନଗୃହ ନିସ୍ତବ୍‌ଧ ହେଲା । ସୁସଜ୍ଜିତ ନୂଆ ଖଟ, ନୂଆ ଶେଯ ଉପରେ ବିଶ୍ୱନାଥ ଶାୟିତ । ଧୂପଗନ୍ଧରେ ଘରଟି ଆମୋଦିତ । ଆଜି ଆଖିକୁ ନିଦନାହିଁ । ଅଳ୍ପ ସମୟ ବେଶି ପରି ଲାଗୁଛି । ଝୁମୂରୁ, ଝୁମୂରୁ, ଝୁମୂରୁ, ଟିକିଏ ଫିସ୍‌ଫାସ୍ । କବାଟ ମେଲା କରି ପାର୍ବତୀକୁ ଘର ଭିତରକୁ ଠେଲି ଦେଇ କିଏ ଦୁଇ-ତିନି ଜଣ ଚାଲିଗଲେ ।

ଦଳବେହେରା ମୁଣ୍ଡ ଟେକି ଚାହିଁବାକୁ ଲାଗିଲେ । କ୍ରମେ ଉଠିବସି ଦେଖିଲେ– ପାର୍ବତୀ ବସ୍ତ୍ରାବୃତା–ପାଦ ଦିଓଟି ଦେଖାଯାଉଛି ! ଘରର ଦର୍ପଣ ସେ ଛବି ଯେପରି ଅତି ଯତ୍ନରେ ସମ୍ପାଦି ରଖିଛି । ବିଶ୍ୱନାଥଙ୍କ ଆଖିରେ ଘରର ସୌନ୍ଦର୍ଯ୍ୟ ଯେପରି ସହସ୍ର ଗୁଣ ବଢ଼ିଯାଇଛି ! ପଲଙ୍କ ଉପରୁ ସେ ଆସ୍ତେ, ଅତି ଆସ୍ତେ ଡାକିଲେ– ‘‘ପାର୍ବତୀ, ପାବି !’’ ଉତ୍ତରନାହିଁ । ଖୋଷାରେ ଖଞ୍ଜା ହୋଇଥିବା ସୁନା ବେଙ୍ଗପାଟିଆ ରୁଣୂଝୁଣୂ ବାଜି ଉଠିଲା । ତଳକୁ ଓହ୍ଲାଇ ପଡ଼ି ଦଳବେହେରା ଡାକିଲେ, ‘‘ପାବି, ମୋ କଥା ଶୁଣୁ ନାହୁଁ ?’’ କିଛି ଉତ୍ତରନାହିଁ । ମୁଖମଣ୍ଡଳରୁ ଓଢ଼ଣା ଉଠାଇବାର ଚେଷ୍ଟା କଲେ । ପାର୍ବତୀ ଘୁଞ୍ଚିଯାଇ ହାତ ହଲାଇ ଦୀପ ଲିଭାଇ ଦେବାକୁ ଯିବାବେଳେ ତାର ହସ୍ତ ସ୍ୱାମୀ ହସ୍ତ ମଧ୍ୟରେ ବନ୍ଧା ପଡ଼ିଗଲା ।

ପୁଣି ପଚାରିଲେ– ‘‘ପାବି, ମତେ ମନେ କରୁଥାଉ ? ଅଚ୍ଛା କହିଲୁ ଭଲା ପାବୀ, ଛଅ କାହାଣେ ନ ପଣ କେଉଁଠି ଅଛି ?’’ ଓଢ଼ଣା ଭିତରୁ ପାର୍ବତୀ ବୋଧହୁଏ ମୃଦୁମନ୍ଦ ହସିଲା ।

ଏତେ ଚାଟୁବାଣୀ, ଆଦର-ଗୌରବ ପାର୍ବତୀ ନିକଟରେ ବ୍ୟର୍ଥହେବାର ଦେଖି ଦଳବେହେରା ଉଦ୍‌ବିଗ୍ନ ହେଲେ । ପୁଣି କହିଲେ– ‘‘ତତେ ମୋ ରାଣଟି ପାବୀ, କଥା କହ ।’’

ପାର୍ବତୀ ମୁଣ୍ଡ ହଲାଇ ‘‘ଉଁହୁ’’ କରିବାକୁ ଲାଗିଲା ।

‘‘ତୁ ମତେ ମନେ କରୁଥାଉ?’’

‘‘ନା’’

‘‘କାହିଁକି ?’’

‘‘ନା’’

‘‘ତୁ ମତେ ଦେଖିପାରୁ ?’’

‘‘ନା’’

‘‘ମତେ ବିଭାହୋଇ ତୁ ଖୁସି ହେଲୁ ?

‘‘ନା ।’’

ସବୁ କଥାରେ ଖାଲି– ନା, ନା, ନା ! ଯାଃ... ମୁଁ ତତେ ଆଉ କିଛି କହିବିନାହିଁ । ପାର୍ବତୀ ତଳକୁ ଓହ୍ଲାଇପଡ଼ି ବସିଲା । ବିଶ୍ୱନାଥ ରାଗରେ ଗରଗର ହୋଇ ଶୋଇପଡ଼ିଲେ । କିଛି ସମୟ ପରେ ପୁଣି ଡାକିଲେ, ସେ ଶୁଣିଲାନାହିଁ– କାଠ ପରି ବସି ରହିଲା । ଏକେ ଦଳବେହେରା ବୀରିବାଟୀ ପ୍ରଗଣାର ମାଲିକ । ପ୍ରଜାର କନ୍ୟାକୁ ଅନୁଗ୍ରହ କରି ବିବାହ କରିଛନ୍ତି । ତାଙ୍କ ମନର ନିଭୃତ କୋଣରେ ଏ ଭାବନା ଲୁଚି-ଛପି ରହିଥିଲା; ସମୟ ଉଣ୍ଡି ବାହାରିପଡ଼ିଲା– ପାର୍ବତୀ ତାଙ୍କୁ ଗ୍ରାହ୍ୟ କଲାନାହିଁ ! ଏତେ ଆଦରର ମୂଲ୍ୟ ସେ ବୁଝିଲାନାହିଁ ! ଆତ୍ମସମ୍ମାନ-ହାନିରେ ସେ ଜଳିଯିବାକୁ ଲାଗିଲେ । ଦୀପ ନିଭାଇଦେଇ ଶୋଇବାର ଚେଷ୍ଟା କଲେ– ନିଦ ହେଲାନାହିଁ-ଛଟପଟ ହେବାକୁ ଲାଗିଲେ ।

ରାତି ପାହାନ୍ତିଆ ପହରକୁ ସଖୀମାନେ ଆସି ପାର୍ବତୀକୁ ଗାଧୋଇବାକୁ ଡାକି ନେଇଗଲେ । ବିଶ୍ୱନାଥ ଶୋଇପଡ଼ିଲେ । ଗଛ ଉପରଦେଇ ଅଗଣାରେ ଖରା ପଡ଼ିଲା । ନିତାମା’ ଆସି ତାଙ୍କୁ ଉଠାଇ ଦେଇ କହିଲା– ‘‘ଏ କ’ଣ ମ, କେତେବେଳଯାଏ ଶୋଇଥିବେ କି ?’’

ଲଣ୍ଡଭଣ୍ଡ ହୋଇ ଦଳବେହେରା ଶଯ୍ୟା ତ୍ୟାଗ କଲେ । ମୁହଁ ହାତ ଧୋଇ ଦାନ୍ତ ଘଷି ବସିଲେ । ନିତାମା’ ପାଖରେ ବସି ପଚାରିଲା– ‘‘ସାଆନ୍ତେ ! ବୋହୂ ସାଆନ୍ତାଣୀ ତ ଆଗରୁ ଚିହ୍ନା; ମୁହଁ ଫିଟାଇ କଥାଭାଷା ହେଲେଟି ?’’

‘‘ନାହିଁ ଲୋ ନିତାମା’ ! ସେ ତ ଭାରି ଗର୍ବ ଦେଖାଇହେଲା, ଯେପରି ମୁଁ ତାର କେହି ନୁହେଁ । କେତେ ଡାକିଲି, ପଦେ ହେଲେ କଥା କହିଲାନାହିଁ, କି ମୁହଁକୁ ଟିକିଏ ବି ଚାହିଁଲାନାହିଁ ।’’

‘‘ସତ କହୁଛନ୍ତି, ସାଆନ୍ତେ ? ଇମିତି ପୁଣି କଥା ! ଏଡ଼େ ଗର୍ବ । ଯାଇଁ କେଉଁ ଘରେ ଗୁହାଳ ଗୋବର ପୋଛୁ ପୋଛୁ ଦିନ ସରନ୍ତାନାହିଁ, ଏଠିକି ଆସି ପୁଣି ଏଡ଼େ ବଡ଼େଇ ! ଆଉ ହବନାହିଁ !’’

ଦଳବେହେରା ଉଠି ବାହାରକୁ ଚାଲିଗଲେ; ନିତାମା’ ଘରଭିତର ଆଡ଼କୁ ଗଲା ।

ରାତି ନ ପାହୁଣୁ ପାର୍ବତୀ ଗାଧୋଇ-ପାଧୋଇ ଆସିଲା । ଶାଶୁଙ୍କ ଗୋଡ଼ତଳେ ମୁଣ୍ଡିଆ ମାରିଲା, ଗୋଡ଼ ଧୋଇ ପାଣି ଟିକିଏ ପାଇଲା । ପଦ୍ମାବତୀଙ୍କ ଆନନ୍ଦ ଆଜି ଉଛୁଳି ପଡ଼ୁଛି । ସ୍ୱାମୀ ପରଲୋକ ହେବାଠାରୁ ସେ ଆଜିଯାଏ କର୍ମକୁ ଆଦରି ପଡ଼ିରହିଥିଲେ; ଆଜି ସେ ବଡ଼ ଚଞ୍ଚଳ ହୋଇଛନ୍ତି । ପାଖରେ ବସି ପାର୍ବତୀର ପିଠି ମୁଣ୍ଡ ଆଉଁସି ଦେଉଥାନ୍ତି । ‘‘ଆଲୋ, କିଏ ଅଛ ଲୋ, ମା’ପାଇଁ ମୋର ଜଳଖିଆ ନେଇ ଆସ । ନ ଖାଇ ନ ପିଇ କେଡ଼େ ନାରଖାର ହୋଇଛି ମୋ ମା’-!’’

ଗୋଟିଏ ଦାସୀ ଥାଳୀରେ ସର, ବସାଦହି, ମିଠେଇ, ମନୋହର ପାର୍ବତୀ ଆଗରେ ଥୋଇଦେଲା । ଲାଜରେ ସେ ଖାଉ ନ ଥାଏ । କୋଡ଼କୁ ଟାଣିଆଣି ପଦ୍ମାବତୀ ବୋହୂକୁ ଖୁଆଇଦେବାକୁ ଲାଗିଲେ । ନିତାମା’ ଆସି ଏହି ସମୟରେ ପହଞ୍ଚି କହିବାକୁ ଲାଗିଲା‘‘ଏ କ’ଣ ମ, ସାଆନ୍ତାଣୀ ! ସେ ହାତରେ ଖାଇବେନାହିଁ ଯେ; ଏ ପୁଣି କି ସୁଆଗ ମ ?’’

ପଦ୍ମା– ‘‘ହଉ ଲୋ ନିତାମା’ ! ହଉ, ମା’ ମୋର ଲାଜ କରୁଛି ନା, ତା କଥା ସେ ଆପେ କରିବ ଯେ ।’’

ନିତାମା– ‘‘ନା, ନା, ସିମିତି କଲେ ଶେଷରେ ଖୋଇହୋଇଯିବ ଯେ... ସମ୍ଭାଳିବ କିଏ-?’’

‘‘ମା’ ତ ମୋର ସରଗର ଚାନ୍ଦ । ଖୋଇହବ କ’ଣ ମ ? ତୋର ସେଥିରେ କ’ଣ ଅଛି-?’’

‘‘ହଉ, ହଉ, ସିମିତି ମୁହଁବଢ଼ା କରୁଛ, କର । ପଛେ ଫଳ ପାଇବ ଯେ । ଘରେ ନ ପଶୁଣୁ ତ ଚାଳ ମୁଣ୍ଡରେ ବାଜିଲାଣି; ପଛେ ଆଉ ପୁଣି କ’ଣ ଅଛି, କେଜାଣି ? ’’

‘‘କିମିତି ଅମଙ୍ଗୁଳୀ ଅଲକ୍ଷଣୀଟାଏ କି ଲୋ ତୁ ନିତାମା’ ! ଯେଡ଼େ ବଡ଼ ମୁହଁ ନୁହେ, ସେଡ଼େ ବଡ଼ କଥା ।’’

‘‘ନାହିଁ, ବୁଢ଼ୀ ସାଆନ୍ତାଣୀ ! ମୁଁ କ’ଣ ମିଛ କହୁଛି ? ଦଳବେହେରା ସାଆନ୍ତଙ୍କୁ ପଚାରିବ ଚାଲ । କାଲି ରାତିରେ ପରା ସାଆନ୍ତଙ୍କୁ ମୋର କେତେ କଥା କରି ଗାଳିଦେଇଛନ୍ତି ।’’

‘‘କେତେ ବଢ଼ି ବଢ଼ି କଥା କହିଯାଉଛୁ । ଯା...ଯା, ତୋ କାମ ତୁ କର ଯା ।’’

ନିତାମା’ ମୁହଁ ଫଣଫଣ କରି ଚାଲିଗଲା ।

ପାର୍ବତୀ ଭାରି ରାଗ ହେଲା । ଛାର ଭଣ୍ଡାରୁଣୀଟାଏ ! ତାର ପୁଣି ଏଡ଼େ ଜାରି ! ଘରର ମୂରବୀ ତା ଶାଶୁ, ତାଙ୍କୁ ପୁଣି ବେଖାତିର !

ନୂଆବୋହୂ ଦେଖିବାକୁ ଗାଁର ସାନ ବଡ଼ ଝିଅ-ବୋହୂମାନେ ଆସିଗଲେ । ପାର୍ବତୀ ହସି ଆଦର କରି ସମସ୍ତଙ୍କୁ ବସିବାକୁ କହିଲା । ପାନ ମସଲା ଆଣି ସମସ୍ତଙ୍କୁ ଦେଲା । ମାଳତୀ କାନିରେ କଉଡ଼ି ବାନ୍ଧି ଆଣିଥିଲା-ସମସ୍ତେ ଆଠ ପଚିଶ ଖେଳି ବସିଲେ । ପାର୍ବତୀ ଦାନ ପକାଇଜାଣେ ଭଲ । ଆଜି ଖେଳରେ ସମସ୍ତଙ୍କୁ ଜିତିଗଲା । ଖେଳରେ ପାଟି ହେଲା, ଝିଅମାନେ ଠୋ-ଠୋ ହସିବାକୁ ଲାଗିଲେ ।

ନିତାମା’ କାହିଁ ଥିଲା, ଝଡ଼ ପରି ହଠାତ୍ ଖେଳ ଜାଗାକୁ ଆସି ପାଟିକରିବାକୁ ଲାଗିଲା,-‘‘ମଲା ମୋର, ଲାଜନାହିଁ, ଡର-ଭୟନାହିଁ ! ଏଠି କ’ଣ ହାଟ-ବଜାର ପାଇଛ କି ସବୁ ! ଦଳବେହେରା ସାଆନ୍ତେ ଶୁଣିଲେ ଏଇଲାଗେ ମତେ ଦି’କଡ଼ାର କରିଦେବେ । ଏ କ’ଣ ମ, ଖେଳିବ ତ ଖେଳ-ଏତେ ପାଟି, ଘୋଡ଼ା ପରି କିରିକିରି ହସ କାହିଁକି ?’’

ପଦ୍ମାବତୀ ବାହାରି ପଡ଼ି କହିଲେ, ‘‘ନିତାମା’ ! ପିଲାଏ ଖେଳୁଛନ୍ତି, ସେଥିରେ କ’ଣ ଅଛି-?’’

‘‘ତୁମରି ଯୋଗୁଁ ସମସ୍ତଙ୍କ ମୁହଁ ବଢ଼ିଯାଉଛି । ଏଗୁଡ଼ାକ ଆସି ଏଠି ହାଟ-ବଜାର ବସାଇବେ, ଘୋଡ଼ାପରି କିରିକିରି ହେବେ; ସେ ତୁମକୁ ଭଲ !’’

‘‘ଭଲ ଯୋଗ ଅଛି ତ ନିତାମା’ ! ଏଠୁଁ ଚାଲି ଯା ।’’

ପାର୍ବତୀ କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ଶାଶୁଙ୍କ ଆଡ଼କୁ ଚାହିଁରହିଲା । ସମସ୍ତେ ପୁଣି ଖେଳରେ ଯୋଗ ଦେଲେ ।

ରାଗରେ ଗରଗର ହୋଇ ନିତାମା’ ଧାଇଁଗଲା ଦଳବେହେରାଙ୍କ ପାଖକୁ । ଖଟ ଉପରେ ବସିଥିବାର ଦେଖି କାନ୍ଦି କାନ୍ଦି ତଳେ ପଡ଼ିଗଲା । ତଳେ ମୁଣ୍ଡ ବାଡ଼େଇ କହିବାକୁ ଲାଗିଲା-‘‘ନାହିଁ, ସାଆନ୍ତେ । ମୁଁ ଏଠି ଆଉ ରହି ପାରିବିନାହିଁ । ମୋପାଇଁ ଖଣ୍ଡେ ଅଲଗା ଘର କରିଦିଅନ୍ତୁ । ଆସି ଆପଣଙ୍କ ସେବା କରିଦେଇ ଚାଲିଯାଉଥିବି ।’’

ବିଶ୍ୱନାଥ ତାକୁ ତଳୁ ଉଠାଇ କାରଣ ପଚାରିଲେ । କେତେ ସତ, କେତେ ମିଛ ଲଗାଇ ସାକୁଳେଇ କେତେ କ’ଣ କହିଦେଇଗଲା । ଗାଁର ଧାଁଡ଼େଇ ଟୋକୀଗୁଡ଼ାକ ଆସି ବୋହୂ ସାଆନ୍ତାଣୀଙ୍କୁ କେତେ ବଦ୍‌ଶିକ୍ଷା ଦେଉଛନ୍ତି– କହିଲେ ତାର ହେଉଛି ଦୋଷ । ବୁଢ଼ୀ ସାଆନ୍ତାଣୀ ତାକୁ ଯାହା ମନକୁ ଆସିଲା ଗାଳିଦେଲେ । ମାଡ଼ ମରାଇବେ ବୋଲି ଧମକ ଦେବାକୁ ଛାଡ଼ିନାହାନ୍ତି-। ସେ ଆଉ ଏ ଘରେ ରହିବ କିମିତି ?

ଦଳବେହେରା ବଡ଼ ବ୍ୟସ୍ତ ହୋଇଗଲେ । ମାତାଙ୍କ ଉପରେ ରାଗ ହେଲା । କିଛି କହି ପାରିଲେନାହିଁ । ସ୍ତ୍ରୀ ଉପରେ ମଧ୍ୟ ବିରକ୍ତି ଆସିଲା । ସେଇଟା ବଡ଼ ଅମାନିଆ; ଡାକିଲେ ଶୁଣିବନାହିଁ । ତାକୁ କିଏ କ’ଣ ଶିଖାଇଥିବା ବିଚିତ୍ର ନୁହେଁ । ନିତାମା’ ଯାହା କହୁଛି, ସତ । କିଛି କହିବାକୁନାହିଁ, ବୋଲିବାକୁନାହିଁ, ଯେତେବେଳେ ଯାହା ଦରକାର, ନିତାମା’ ତାଙ୍କପାଇଁ ସବୁ କରୁଛି-। ପ୍ରକାଶ୍ୟରେ କହିଲେ, ‘‘ହଉ, ନିତାମା’ ! ତୁ ଏଣିକି ସେ ଘର ଭିତରକୁ ଯିବୁନାହିଁ; ସେ ସବୁ ଯାହା କରିବେ କରୁଥାଆନ୍ତୁ । ଭଣ୍ଡାର ଘରକୁ ଲାଗି ଖାଲି ଘର ବଖରାଏ ଅଛି; ତୁ ସେଠି ରହ-।’’

•••

 

ଚତୁର୍ବିଂଶ ପରିଚ୍ଛେଦ

 

କେତେଦିନ ପରେ । ବିଶ୍ୱନାଥ ପାର୍ବତୀକୁ ସ୍ନେହ-ଆଦର କରି ପ୍ରକାଶ୍ୟରେ ତାର କିଛି ବିନିମୟ ପାଆନ୍ତିନାହିଁ । ମନ ଭିତରେ ଯଥେଷ୍ଟ ଶ୍ରଦ୍ଧା ଥିଲେ ସୁଦ୍ଧା ଲାଜରେ ମନଖୋଲି ସେ ସ୍ୱାମୀଙ୍କୁ କିଛି କହିପାରେନାହିଁ । ବିଶ୍ୱନାଥ ମନେକରନ୍ତି, ପାବୀ ବଡ଼ ଅବାଧ୍ୟ, ପ୍ରେମ କ’ଣ ସେ ଜାଣେନାହିଁ । ୟା ତା କଥାରେ ପଡ଼ି ତାଙ୍କୁ ଅପମାନ ଦେବାକୁ ଛାଡ଼େନାହିଁ । ତାଙ୍କ କଥା ଇଚ୍ଛା କରି ମାନେନାହିଁ; ଅବଜ୍ଞା କରେ । ସେ ଯେତେବେଳେ ନିତାମା’ର କାର୍ଯ୍ୟକୁଶଳତାର ପ୍ରଶଂସା କରନ୍ତି, ପାବୀ ଶୁଣି ନ ଶୁଣିଲା ପରି ରହେ, ମୁଖ ଭାରି କରିପକାଏ, କାନ୍ଥବାଡ଼କୁ ଚାହିଁ ଛବି ଦେଖେ । ତାଙ୍କ ପ୍ରତି ଟିକିଏ ଭକ୍ତି ଥିଲେ ସେ କେବେ ଏପରି କରିପାରନ୍ତା ? ସ୍ତ୍ରୀ ସ୍ୱାମୀଙ୍କ ଏ ମନୋଭାବ ବୁଝିପାରେନାହିଁ ।

ଘର ଭିତରକୁ ଆସିବାକୁ ତାଙ୍କର ଆଉ ମନ ଲାଗେନାହିଁ । ବେଶି ସମୟ ବାହାରେ କଟାଇ ଦିଅନ୍ତି । ମାତାଙ୍କୁ ଦେଖି ବିରକ୍ତି ପ୍ରକାଶ କରନ୍ତି । ସ୍ତ୍ରୀ ସହିତ ଭଲ କରି କଥା କହନ୍ତିନାହିଁ । ପାର୍ବତୀ ଏକାକୀ ବସି କାନ୍ଦେ, କାହାରିକୁ କିଛି ଜାଣିବାକୁ ଦିଏନାହିଁ ।

ପଦ୍ମାବତୀଙ୍କର ଏ କେତେଦିନର ଆନନ୍ଦ କୁଆଡ଼େ ଉଭେଇଗଲାଣି । ଆଉ ସେ ହସ, ଗପସପନାହିଁ । ଯେଉଁଠି ବସନ୍ତି, ଭାବନା ଚିନ୍ତା ନେଇ । ବୋହୂକୁ ଦେଖିଲେ ଆଦର ଯତ୍ନ କରନ୍ତି ସତ; ମାତ୍ର ମନରେ କୋହ ଉଠିଆସେ । ପାର୍ବତୀ ଏବେ ସବୁ ବୁଝି ବଡ଼ ଭୀତ ହେଲାଣି ।

ଶାନ୍ତିର ଆଧାର ସରଳତା । କପଟତା ପ୍ରବେଶ କଲେ ହୃଦୟ କଳୁଷିତ ହୋଇଯାଏ–ଶାନ୍ତି ଲୋପ ପାଏ । ଭୋଗବିଳାସର ବଶବର୍ତ୍ତୀ ଥାଇ ସୁଦ୍ଧା ବିଶ୍ୱନାଥ ସରଳ ଥିଲେ । ମନ ତାଙ୍କର ନିର୍ମଳ ଥିଲା । ଆଜିକାଲି ତାଙ୍କ ମନରେ ଶାନ୍ତିନାହିଁ । ଯାହା ତାଙ୍କର ଯେଉଁପରି ଥିଲା, ସବୁ ସେହିପରି ଅଛି; ଥାଇ ସୁଦ୍ଧା ସେ ସବୁବେଳେ ଗୋଟାଏ ମସ୍ତବଡ଼ ଅଭାବ ଅନୁଭବ କରୁଛନ୍ତି ।

ଆହାର ନିଦ୍ରା ପରିତ୍ୟାଗ କରି ସ୍ନେହମୟୀ ଜନନୀ ପଦ୍ମାବତୀ ଘରକ’ଣରେ ପଡ଼ିଲେଣି-। ୟା ତା ମୁହଁରୁ ପୁଅର ଦୁର୍ନାମ ଶୁଣନ୍ତି, ପୁଅକୁ କିଛି କହିପାରନ୍ତିନାହିଁ । ବିଶି ଯେ ତାଙ୍କ ବଡ଼ ଆଦରର ପୁଅ । ତାଙ୍କ ସ୍ୱାମୀ ବଞ୍ଚିଥିବାବେଳେ ବିଶିକୁ କିଛି କହିନାହାନ୍ତି । ଯେତେ ଯାହା ଚାହିଁଛି, ତାକୁ ଅଣାଇ ଦେଇ ଖୁସି କରିଛନ୍ତି । ପୁଅର ଅବସ୍ଥା ଭାବିଲେ ସ୍ୱାମୀଙ୍କ କଥା ମନେପଡ଼େ, ଆଖିରୁ ଟପ୍‌ଟପ୍‌ ଲୁହ ବହିଯାଏ ।

ପୁଅକୁ ବିଭା ଦେଇ ନ ଥିଲେ ଭଲ ଥିଲା ପରା ! ନନ୍ଦ ଗୋସେଇଁ ତ ମନା କରି ଆସୁଥିଲେ; ବିଶି ତାଙ୍କ କଥା ମାନି ଚଳୁଥିଲା, ବିଭା ନାମ ଧରୁ ନ ଥିଲା । ସେ ସମ୍ଭାଳି ପାରିଲେନାହିଁ, ପୁଅକୁ ବିଭା କରାଇଦେଲେ । ତେବେ ବୋହୂ ତ ତାଙ୍କର ସତୀ ସାଧ୍ୱୀ; ତାର ତ କୌଣସି ଦୋଷନାହିଁ । ଏପରି କାହିଁକି ହେଲା ? ଭାବିଥିଲେ, ବୋହୂଟିଏ ଘରକୁ ଆଣି ଆନନ୍ଦରେ ଶେଷ ଜୀବନଟା କଟାଇ ପାରିବେ– ସବୁ ତାଙ୍କରି ନିଜ କର୍ମଦୋଷ !

ପ୍ରଜାମାନଙ୍କ ମଧ୍ୟରେ ମହାଘୋର ଚିନ୍ତା ପଡ଼ିଲା । କାର୍ଯୀ ଗୁମାସ୍ତା, ବରକନ୍ଦାଜମାନେ ଅତ୍ୟାଚାର ଉତ୍ପୀଡ଼ନ ଆରମ୍ଭ କଲେ । କୌଣସି ପ୍ରଜା କେହି କର୍ମଚାରୀ ବିରୁଦ୍ଧରେ ସାମାନ୍ୟ ପ୍ରତିବାଦ କରିବାର ଜଣାଗଲେ ତାର ଆଉ ରକ୍ଷାନାହିଁ । ଦିନ ଦି’ପହରେ ତା ଘରେ ପଶି ଜିନିଷପତ୍ର ବୁହା ହୋଇ ଆସେ; ଆପତ୍ତି କଲେ ମାଡ଼ । ବିନା କାରଣରେ କାହା ଉପରେ ପ୍ରହାର ହୁଏ, ଧୋବା ଭଣ୍ଡାରି ରୋକ କରାଇଦେଇ ପ୍ରଜାମାନଙ୍କୁ ନାନାପ୍ରକାର ଯାତନା ଦିଆଯାଏ । ବରକନ୍ଦାଜଠାରୁ ଅତ୍ୟାଚାର ସହି, କାର୍ଯୀ ନିକଟରେ ଗୁହାରି କଲେ କିଛି ଲାଭ ହୁଏନାହିଁ– ଉପରନ୍ତୁ ଅପମାନ ଲାଭ । ଗୁମାସ୍ତା, ସଦର ଗୁମାସ୍ତା କାହାରିଠାରେ ଆପତ୍ତି କରି କିଛି ନ ହେବାରେ କେହି କେହି ପ୍ରଜା ଖୋଦ ଦଳବେହେରାଙ୍କ ନିକଟରେ ଅପିଲ କରନ୍ତି ।

ବିଶ୍ୱନାଥଙ୍କୁ ଆଜିକାଲି ସମୟ ଅଣ୍ଟେନାହିଁ । ଦିନ ପହରେ ସରିକି ନିଦରୁ ଉଠି ନିତ୍ୟକର୍ମ ଶେଷ ହେଉ ହେଉ ଦି’ପହରରୁ ଗଡ଼ିଯାଏ । ଖାଇପିଇ ଶୋଇପଡ଼ନ୍ତି । ଉଠି ୟା ତା ସାଙ୍ଗରେ ଗପ, ଖେଳ ଚାଲେ । ସନ୍ଧ୍ୟା ସମୟରୁ ରାତି ଦଶଘଡ଼ିଯାଏ ମଉଜ-ମଜଲିସ୍ । ବେଳ କାହିଁ, ପ୍ରଜାଙ୍କ ଗୁହାରି ବୁଝିବାକୁ ? କିଛି ଶୁଣନ୍ତିନାହିଁ, ସଦର ଗୁମାସ୍ତାଙ୍କ ନିକଟକୁ ପଠାଇ ଦିଅନ୍ତି । କେହି ପ୍ରଜା ବେଶି ଜିଦି ଧରି ବସିରହିଲେ ମାଡ଼ ମରାଇ ତଡ଼ି ଦିଆଯାଏ । ନିତାମା’ର ସାହାଯ୍ୟରେ କେହି କେହି ପ୍ରଜା ପ୍ରତିକାର ପାଆନ୍ତି ସତ; ମାତ୍ର ସେଥିରେ ସେମାନଙ୍କର ସର୍ବସ୍ୱ ଯାଏ ।

ଯେଉଁ ବୀରିବାଟୀରେ ପ୍ରଜାମାନେ ମହାସୁଖରେ ଚଳିଆସୁଥିଲେ, ଯହିଁରେ ଚିଦାନନ୍ଦ ବୁଢ଼ା ଦଳବେହେରାଙ୍କ ସୁନାମ ଶୁଣି ତାଙ୍କୁ ଦେଖା ନ କରି ରହି ପାରି ନ ଥିଲେ, ସେହି ବୀରିବାଟୀର ଦଶା ଆଜି ଏପରି ! କାହିଁ ଗଲେ ପ୍ରଜାପାଳକ ଦଳବେହେରା ଗୁଣନିଧି ହରିଚନ୍ଦନ ମହାପାତ୍ରେ ! କାହିଁ ଗଲେ ଗରିବର ଆତ୍ମୀୟ, ଅତ୍ୟାଚାରୀର ଶତ୍ରୁ ନନ୍ଦ ଗୋସେଇଁ ! ଅସନ୍ତୋଷ-ବହ୍ନି ଜଳିଉଠିଲା । ଠକ, ବଗୁଲିଆ, ବଦମାସ ଲୋକମାନେ ବଡ଼ ସୁଯୋଗ ପାଇଗଲେ । ସାଧୁ-ସନ୍ଥ ଲୋକମାନଙ୍କ ଉପରେ ସେମାନେ ଅତ୍ୟାଚାର ଆରମ୍ଭ କଲେ । ପାପର ମାତ୍ରା ବଢ଼ିବାକୁ ଲାଗିଲା ।

ପାର୍ବତୀର ଅବସ୍ଥା ନିତାନ୍ତ ମନ୍ଦ । ଧନୀ ଘରେ ଜନ୍ମ ହୋଇ ନିତାନ୍ତ ଗରିବ ଭାବରେ ଚଳିଆସିଥିଲେ ସୁଦ୍ଧା, ସେ ତାର କ୍ଷୁଦ୍ର ଜୀବନରେ କୌଣସି ଅଭାବ ଜାଣି ପାରିନାହିଁ । ମୋଟା ଖାଇ, ମୋଟା ପିନ୍ଧି ଜନନୀଙ୍କ ସ୍ନେହ-ଆଦରରେ ସେ ବଢ଼ିଆସିଛି । ବାଲ୍ୟସଙ୍ଗିନୀମାନଙ୍କ ସାଙ୍ଗରେ ଖେଳିବୁଲି, ଖୁସିଗପ କରି ଜୀବନକୁ ସେ ଆନନ୍ଦମୟ ମନେ କରି ଆସିଛି । ବଡ଼ ଘରେ ବିଭା ହେବ, କେତେ ମୂଲ୍ୟବାନ୍ ଅଳଙ୍କାର ପିନ୍ଧିବ, କେତେ ପୋଇଲୀ ପରିବାରୀ ତାର ସେବା କରିବେ– ଏପରି କେତେ କଥା ମନ ଭିତରେ ପୋଷିଆସିଥିଲା । ବିବାହ ହେଲା, ସ୍ୱାମୀଘରକୁ ଆସିଲା, ମାତାଙ୍କଠାରୁ ବଳି ପଦ୍ମାବତୀଙ୍କି ପାଇଲା; ମାତ୍ର ଏ କ’ଣ ? ଯେଉଁ ଦଳବେହେରାଙ୍କୁ ପ୍ରଥମ ଦେଖିବାଦିନୁ ସେ ଦେବତାଜ୍ଞାନ କରି ଆସିଥିଲା, ଯାହାଙ୍କ କଥା ମନେ ହେଲାବେଳେ ତାର ହୃଦୟ-ମନ ପବିତ୍ର ଆନନ୍ଦରସରେ ସିକ୍ତ ହୋଇ ଯାଉଥିଲା–ଫଳରେ ଏ କ’ଣ ଦେଖିଲା !

ତାର ସ୍ୱାମୀ ଅତ୍ୟାଚାରୀ, ପ୍ରଜାପୀଡ଼କ, ବ୍ୟଭିଚାରୀ ! ହୃଦୟର ସମସ୍ତ ବଳ ସାହାଯ୍ୟରେ ଏ କଥା ସେ ଅବିଶ୍ୱାସ କଲା । ଲୋକେ ମିଛ କହୁଛନ୍ତି, ଅନ୍ୟ କାହାର ଦୋଷ ବୃଥାରେ ତାର ସ୍ୱାମୀଙ୍କ ମସ୍ତକରେ ବୋଧ ହୁଏ ଲଦି ଦେଉଛନ୍ତି । ସ୍ୱାମୀ ତାକୁ ଆଦର ଯତ୍ନ କରନ୍ତିନାହିଁ, କଥା ପର୍ଯ୍ୟନ୍ତ କହନ୍ତିନାହିଁ, ସେ ଶାଶୁଙ୍କ ରୋଗଶଯ୍ୟା ନିକଟରେ ବସି ସେବା କରିଯାଏ । ମନରେ ଦୁଃଖ ହେଲେ, କଷ୍ଟ ହେଲେ ଲୁଚି ବସି ଟିକିଏ କାନ୍ଦିପକାଏ ।

ଶାଶୁଙ୍କଠାରୁ ପାର୍ବତୀ ଶୁଣେ ନନ୍ଦ ଗୋସେଇଁଙ୍କ କଥା । ତାର ହୃଦୟ ମନ ଉଚ୍ଚକୁ ଉଠିଯାଏ । ପରର ଉପକାର ତାଙ୍କର ବ୍ରତ, ଅତ୍ୟାଚାରୀ ଅନାଚାରୀ ତାଙ୍କ ନାମ ଶୁଣିବାମାତ୍ରକେ ଭୀତ ହୁଅନ୍ତି । ସମସ୍ତେ କହନ୍ତି– ନନ୍ଦ ଗୋସେଇଁ ଆସିଗଲେ ଏ ଅବସ୍ଥା ନିଶ୍ଚୟ ବଦଳିଯାଆନ୍ତା । ପଦ୍ମାବତୀ ଯାହାକୁ ଦେଖିଲେ କହନ୍ତି– ‘‘ମୁଁ ମରିଗଲେ ମୋ ମା’ର କି ଦଶା ହେବ ? ଭଗବାନ୍ ଅନ୍ତର୍ଯ୍ୟାମୀ ବ୍ୟବସ୍ଥା କରିବେ ।’’

ନନ୍ଦ ଗୋସେଇଁଙ୍କ ଖବର କେହି ଦେଇପାରି ନାହାନ୍ତି । ଏ କେତେ ଦିନ ହେବ ତାଙ୍କର ପତ୍ତାନାହିଁ ।

•••

 

ପଞ୍ଚବିଂଶ ପରିଚ୍ଛେଦ

 

ଆଜିକାଲି ଯେଉଁଠିକି ଯାଅ, ଖାଲି ଚିଦାନନ୍ଦଙ୍କ ଚର୍ଚ୍ଚା । ଗାଁରେ, ଦାଣ୍ଡରେ, ହାଟରେ ସେହି କଥା । ଦଳବେହେରା ନିତାମା’କୁ ଡାକି ନେଇ ଘରଭିତରେ କହିଲେ– ‘‘ନିତାମା’ ! ଶୁଣୁଛି, ଚିଦାନନ୍ଦ ଏଠାକୁ ଆସୁଛନ୍ତି । ସତ କଥା ?’’

‘‘ହଁ ସାଆନ୍ତେ, ସମସ୍ତେ ତ ସେପରି କୁହାକୋହି ହେଉଛନ୍ତି । ଆସିବ ତ ଆସୁ; ସେଥିପାଇଁ ଏତେ ଭାବନା କାହିଁକି ?’’

‘‘ନା ନିତାମା’ ! ମୋ ମନ କାହିଁକି କିମିତି ହେଉଛି । ମୁଁ କିପରି ତାଙ୍କ ଆଗରେ ମୁହଁ ଦେଖାଇବି ! କ’ଣ କରିବି ?’’

‘‘କାହିଁକି ଏତେ ଡର-ଭୟ ! ସେ ବାବାଜିଟାଏ ଆସିବ; ଆସୁ, ମୁଠାଏ ଖାଇବ, ରହିବ । ମୁଁ ଆଗରୁ ଗଞ୍ଜାଇ ଆଣି ରଖିଛି, ଯେତେ ଚିଲମ ଖାଇବ ଦେଇଦେବି ।’’

‘‘ନିତାମା’ ! ତୁ ତାଙ୍କୁ ଜାଣୁନାହିଁ । ସେ ଚିଲମଖିଆ ବାବାଜି ନୁହନ୍ତି । ଭାରି ଶକ୍ତ ସେ । କୌଣସି କଥାରେ ସେ ବଶ ହେବା ଲୋକ ନୁହନ୍ତି । ତାଙ୍କ ଆଗକୁ ଗଲେ ମୋ ବୁଦ୍ଧି ହଜିଯିବ । ମୁଁ କୁଆଡ଼େ ଦିନାକେତେପାଇଁ ପଳାଇଯିବି; ସେ ଚାଲିଗଲେ ଯାଇଁ ଆସିବି ।’’

‘‘ଏ କ’ଣ ସାଆନ୍ତେ ! ତୁମେ ଏ ମୁଲକର ମାଲିକ, ପଳାଇ ଯାଇ ଚୋର ପରି ଲୁଚିବ କୁଆଡ଼େ ? ମୁଁ ରହିବି କିପରି ? କିଛି ଭୟନାହିଁ । ଦେଖିବ, କଥା ଦି’-ଚାରିପଦରେ ତାକୁ ଥଣ୍ଡା କରିଦେବି...କାନମୁଣ୍ଡା ଆଉଁସି ପଳାଇଯିବାର ବାଟ ପାଇବନାହିଁ ।’’

‘‘ମୁଁ ଏ ମୁଲକର ମାଲିକ ସତ; ମାତ୍ର ତାଙ୍କ ଆଗରେ ମୁଁ ନଗଣ୍ୟ । ତାଙ୍କୁ ଦେଖି ମୋ ତୁଣ୍ଡ-ମୁଣ୍ଡ ଏକାକାର ହୋଇଯିବ । ଧନ ବା ପ୍ରଭୁତ୍ୱର ବଳ ତାଙ୍କ ପାଖରେନାହିଁ ସତ; ମାତ୍ର ତାଙ୍କଠାରେ ଯେଉଁ ଶକ୍ତି, ଯେଉଁ ମନର ଜୋର ଦେଖିଛି, ତାହା ଅଦ୍ଭୁତ ! ଜଗତ୍‌ରେ କୌଣସି ଶକ୍ତିକୁ ସେ ଖାତିର କରନ୍ତିନାହିଁ ।’’

‘‘ଏତେ ଯେବେ ଡର ସାଆନ୍ତେ, ତୁମକୁ ତା ପାଖକୁ ନ ଛାଡ଼ିଲେ ହେଲା । ଦରକାର ପଡ଼ିବ, ମୁଁ ଯାଇ ତା ସାଙ୍ଗରେ କଥାବାର୍ତ୍ତା କରିବି । ପ୍ରଥମେ କଅଁଳ କଥା କହି ବୁଝାଇ-ଶୁଝାଇ ବିଦାୟ କରିବାର ଚେଷ୍ଟା କରିବି । ମାନେ ମାନେ ଚାଲିଯିବ ତ ସେ ଭଲ; ଆମେ ଭଲ । ତା ପରେ ଯଦି ବେଶି ଢଙ୍ଗ କାଢ଼େ, ମୋ ତୁଣ୍ଡ ତ ଖରାପ, ଆଚ୍ଛା କରି ଦି’ପଦ ଶୁଣାଇ ଦେବି । ସେଥିରେ ନ ହେଲେ, ଜାଣ ତ ସାଆନ୍ତେ, ମୁଁ ଛାଡ଼ିବା ଲୋକ ନୁହେଁ । ବିନା ପାଇକରା, ଅପର୍ତ୍ତି ନାୟକଙ୍କୁ ଦି’ ଓରା ମଦ ପିଆଇଦେଲେ ଦେଖିଲା କାମ କରି ଜିଲ୍ଲା ପାରକରାଇ ଦେଇ ଆସିବେ ।’’

‘‘ନିତାମା’ ! ବଡ଼ ଉଚ୍ଚ, ବଡ଼ ମହତ୍ ସେ । ଭୁଲରେ କାହାରି ଅନିଷ୍ଟ ଚିନ୍ତାକରିବାର ତାଙ୍କୁ ଦେଖିନାହିଁ । ତୁ ତାଙ୍କୁ ଗାଳି ଦେବୁ, ସେ ହସି ହସି ତୋ ସାଙ୍ଗରେ କଥା କହିବେ; ଏପରି କହିବେ ତୋର ଜବାବ ଦେବାର ବାଟ ନ ଥିବ । ତୁ ତାଙ୍କୁ ମାଡ଼ ମାରିବୁ ବା ଅନ୍ୟ କାହା ହାତରେ ମରାଇବୁ, ହସି ହସି ସେ ସବୁ ସହିଯିବେ । ଏପରି ସେ ସବୁଠି କରିଛନ୍ତି । ତୁ ତାଙ୍କ ପ୍ରତି ଯେତେ ଅତ୍ୟାଚାର କରିବୁ, ସେ ତେତିକି ତୋତେ ଆପଣାର କରିନେବେ । ଶେଷରେ ତୁ କିଛି କରିପାରିବୁନାହିଁ–ଜିତିବେ ସେ ।’’

‘‘କଅଣ ଗୁଡ଼ାଏ ଯେ ଗପୁଛ, କିଛି ବୁଝିପାରୁନାହିଁ । ଏତେ ବଡ଼ ଶକ୍ତି ଯେବେ ତାର; ସେ ଏତେବେଳେ ରାଜା-ବାଦଶା ହୋଇ ବସିଥାଆନ୍ତା । ଭିକ ମାଗି ପେଟ-ମୁଠାକପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହୁଅନ୍ତା କାହିଁକି ?’’

‘‘ପେଟଚିନ୍ତା ତାଙ୍କରନାହିଁ, ନିତାମା’ ! ଦେଖିଛି, ଖାଇବାକୁ ନ ମିଳିଲେ କାହାକୁ କିଛି କହିନାହାନ୍ତି, ଓପାସ ରହିଛନ୍ତି । ଆସକ୍ତି ତାଙ୍କର କେଉଁଥିରେନାହିଁ । ଚିଦାନନ୍ଦ ବନ୍ଧୁ ହେଲେ ସେପରି ବନ୍ଧୁ ଦୁର୍ଲଭ ! ମାତ୍ର ଶତ୍ରୁ ହେଲେ ସେ ବଡ଼ ଭୟଙ୍କର ଶତ୍ରୁ ! ତୁ ତାଙ୍କୁ ତଡ଼ିପାରିବୁନାହିଁ, ଗାଳି ଦେଇ ପାରିବୁନାହିଁ; ମାଡ଼ ତାଙ୍କୁ ମାରିବ କିଏ ? ସେ ଯାହା କରିବାକୁ ବସିବେ, ପ୍ରାଣ ଗଲେ ଛାଡ଼ିବେନାହିଁ । ପ୍ରଜାଗୁଡ଼ାକ ଆମର ବଡ଼ ଉତ୍ତ୍ୟକ୍ତ; ସମସ୍ତେ ତାଙ୍କୁ ଘେନି ପଡ଼ିବେ । କ’ଣ କରିବି ନିତାମା’ ! କେଉଁଆଡ଼େ ଦିନାକେତେ ପଳାଇଯାଏଁ ?’’

‘‘ପଳାଇ ଯାଇ ରହିବ କେଉଁଠି, ସାଆନ୍ତେ ? ଖାଇବା ପିଇବାର ସବୁ ଅସୁବିଧା ହେବ-। ମୋ କଥା ମାନ, ସେ ଆସି ପହଞ୍ଚିଲେ, ତୁମକୁ ଏ ଗମ୍ଭୀରି ଘରେ ତାଲା ପକାଇ ଦେବି, କେହି ଜାଣି ପାରିବେନାହିଁ । ଖାଇବା ପିଇବାକୁ ମୁଁ ଦେଇ ଆସୁଥିବି । ସେ ଚାଲିଗଲେ ବାହାରି ଆସିବ-।’’

‘‘ଆଚ୍ଛା, ତୋରି କଥା କରିବି ।’’

•••

 

ଷଡ଼୍‌ବିଂଶ ପରିଚ୍ଛେଦ

 

ବେଳ ରତରତ ବୁଡ଼ି ଯାଉଛି । ପାର୍ବତୀ ସଞ୍ଜ ଦେବ ବୋଲି ବଳିତା ସଜାଡ଼ି ରଖିଲାଣି । ପଦ୍ମାବତୀ କାନ୍ଥକୁ ଆଉଜି ପିଣ୍ଡାରେ ବସିଛନ୍ତି । ଦୂରରୁ ଜନକୋଳାହଳ ଶୁଭିଲା, ପିଲାଗୁଡ଼ିଏ ଧାଇଁ ଆସି ଖବର କଲେ, ‘‘ନନ୍ଦ ଗୋସେଇଁ ଆସୁଛନ୍ତି ।’’ ପଦ୍ମାବତୀ ହଠାତ୍ ଉଠିପଡ଼ି ବାଡ଼ିଖଣ୍ଡେ ଧରି ଦାଣ୍ଡ ଆଡ଼କୁ ଚାଲିବାକୁ ଲାଗିଲେ; ପାର୍ବତୀ ଧରି ପକାଇ କହିଲା, ‘‘ନାହିଁ, ମା, ଚାଲି ପାରିବେନାହିଁ-।’’

ପଦ୍ମାବତୀ ମାନିଲେନାହିଁ, ବାଡ଼ି ଠକ୍‌ଠକ୍‌ କରି ଚାଲିଲେ । ଦାସୀଟିଏ ହାତ ଧରି ଚାଲିଲା ।

କୋଳାହଳ ହେଲା– ‘‘ନନ୍ଦ ଗୋସେଇଁ ଅଇଲେ ।’’ ଯେ ଦେଖୁଛି, ଲମ୍ବ ହୋଇ ଆଗରେ ପଡ଼ିଯାଉଛି । ‘ନାରାୟଣ’ ସ୍ମରଣ କରି ଚିଦାନନ୍ଦ ଚାଲିଛନ୍ତି । ମାଇପେ କବାଟ ଜଳାରେ, ପିଲାଏ ପିଣ୍ଡାରେ ଠିଆ ହୋଇ ଦେଖୁଛନ୍ତି । ସମସ୍ତଙ୍କ ମୁହଁରେ ଆଜି ହସ– ଯେପରି ସମସ୍ତଙ୍କର ପରମ ଆତ୍ମୀୟ ଅଭୟବର ଘେନି ଆସିଛନ୍ତି !

ନନ୍ଦ ଗୋସେଇଁ ଆସି ଦଳବେହେରାଙ୍କ ଦାଣ୍ଡଦୁଆରେ ପହଞ୍ଚିଲେ । ପଦ୍ମାବତୀ ଦୁଆରମୁହଁରେ ଠିଆ ହୋଇ ଦେଖିଲେ, ଜୀବନର ସବୁ ଦୁଃଖ ସ୍ୱାମୀଙ୍କର ଗୋସେଇଁଙ୍କ ପ୍ରତି ଅକୃତ୍ରିମ ଭକ୍ତି ଓ ବିଶ୍ୱାସ ମନେ ପଡ଼ିଲା । ଆଜିଯାଏ ଗୋସେଇଁଙ୍କ ସଙ୍ଗେ ତାଙ୍କର ସାକ୍ଷାତ୍ ପରିଚୟ ହୋଇନାହିଁ । ସ୍ୱାମୀଙ୍କଠାରୁ ତାଙ୍କ ବିଷୟରେ ସବୁ ଶୁଣିଛନ୍ତି । ବିଶ୍ୱନାଥ ଉପରେ ତାଙ୍କର ପ୍ରଭାବ ଲକ୍ଷ୍ୟ କରି ଦିନେ ପଦ୍ମାବତୀ ତାଙ୍କ ପ୍ରତି ମନରେ ବିରକ୍ତିଭାବ ପୋଷଣ କରିଥିଲେ । ଆଜି ସବୁ କଥା ମନେ ପଡ଼ି ହୃଦୟ ଉଦ୍‌ବେଳିତ ହୋଇଗଲା–ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା ।

ଅନେକ ଲୋକ ଜମା ହୋଇ ପଡ଼ିଥିଲେ, ସମସ୍ତଙ୍କୁ ଯେଝା ଘରକୁ ଯିବାକୁ କହି ଚିଦାନନ୍ଦ ଦଳବେହେରାଙ୍କ ଘର ଭିତରକୁ ଯାଇ ବସିଲେ । ଏତେବେଳେ ପଦ୍ମାବତୀ ତାଙ୍କ ଗୋଡ଼ଧରି ତଳେ ପଡ଼ିଗଲେ । ତୁଣ୍ଡରେ କଥାନାହିଁ, ଦୁଇ ଆଖିରୁ ଲୁହଧାର ବହିଯାଉଛି । ଗୋସେଇଁ କହିଲେ, ‘‘ଉଠି ବସ ମା’ ! ବିଶି କାହିଁ ? ମୁଁ ତା ସଙ୍ଗେ ଦେଖା ହେବାକୁ ଚାହେଁ ।’’

ଘର ଅଗଣା ସବୁ ଖୋଜାଗଲା– କେଉଁଠାରେ ନାହାନ୍ତି । ନିତାମା’ ମଧ୍ୟ ମିଳୁନାହିଁ । ଏ ଖବର ସାଙ୍ଗେ ସାଙ୍ଗେ ଗ୍ରାମରୁ ଗ୍ରାମାନ୍ତରକୁ ଚାଲିଗଲା, ଯେ ଶୁଣିଲା, ସେ ହସିଲା ।

ଚିଦାନନ୍ଦଙ୍କର ଖାଇବା ପିଇବା ଯୋଗାଡ଼ ହୋଇଥିଲା । ସେ ବିଶିକୁ ଦେଖିବାକୁ ଚାହିଁଲେ । ପଦ୍ମାବତୀ ମହାଚିନ୍ତାରେ ପଡ଼ିଲେ । ଭାବିଥିଲେ, ଗୋସେଇଁ ଆସି ସବୁ ଠିକ୍‌ କରିଦେବେ; ମାତ୍ର ଫଳରେ ଏ କ’ଣ ? ପାର୍ବତୀ ଘର ଭିତରେ ଥକ୍‌କା ହୋଇ ବସିଗଲା । କିଏ କହିଲା, ‘‘ସାଆନ୍ତଙ୍କର ଆଜି ଦିନଯାକ ଦେଖାନାହିଁ ।’’ ନିତାମା’କୁ ସେହିଦିନ ଘରେ ଦେଖିଥିବାର ଅନେକ କହିଲେ ।

କିଛି ସମୟ ପରେ ଜଣେ ଆସି କହିଲା, ‘‘ଗମ୍ଭୀରି ଘର ଭିତରୁ ଡାକ ଶୁଭୁଛି– ସାଆନ୍ତଙ୍କ ପାଟି ପରି ଜଣାଯାଉଛି ।’’ ଚିଦାନନ୍ଦ ହଠାତ୍ ଉଠି ସେଠାକୁ ଗଲେ । ପଦ୍ମାବତୀ ମଧ୍ୟ ଆସ୍ତେ ଆସ୍ତେ ଚାଲିଲେ । ଦେଖାଗଲା, ଗମ୍ଭୀରିଘର ବାହାରୁ ତାଲା ବନ୍ଦ । ଗୋସେଇଁ ଡାକିଲେ– ‘‘ବିଶି !’’ ଭିତରୁ ‘‘ଆଜ୍ଞା, ହଁ’’ ଶୁଭିଲା । ତାଲା ଭଙ୍ଗାଗଲା, କବାଟ ଫିଟିଲା, ଦଳବେହେରା ବାହାରି ପଡ଼ି ସାଷ୍ଟାଙ୍ଗ ପ୍ରଣାମ କଲେ । ଚିଦାନନ୍ଦ ତାଙ୍କୁ ତଳୁ ଉଠାଇ କୁଣ୍ଢାଇ ପକାଇଲେ; ଦଳବେହେରା ଗୁରୁଙ୍କ କାନ୍ଧରେ ମୁହଁ ଲୁଚାଇ ଦେଇ ଥିର ହୋଇ ରହିଗଲେ ।

ଗୋସେଇଁଙ୍କ ଆଦେଶ ଅନୁସାରେ ଦଳବେହେରା ହାତ ମୁହଁ ଧୋଇ ବସିଲେ । ଦୁହିଁଙ୍କପାଇଁ ଜଳଖିଆ ଅଣାଗଲା । ଦୁହେଁ କିଛି କିଛି ଖାଇଲେ । ଏତେବେଳେ ମାଆଙ୍କୁ ଦେଖି ବିଶ୍ୱନାଥ ମୁଣ୍ଡିଆ ମାରିଲେ ।

ଚିଦାନନ୍ଦ କହିଲେ, ‘‘ବିଶି, ମୁଁ ଛାଡ଼ି ଚାଲିଗଲି ମୋ କାମରେ । ତୁମେ ଏତେ ଦୁଃଖ ଭୋଗିଲ !’’ ଦଳବେହେରା ‘‘ହୁଁ’’ କହି ଚାହିଁରହିଲେ ।

‘‘ପ୍ରଜାମାନେ ପୁଅପରି । ସେମାନଙ୍କ କଥା ବୁଝିଲନାହିଁ ବିଶି, ସେମାନେ କେତେ କଷ୍ଟ ସହିଛନ୍ତି ।’’ ବିଶ୍ୱନାଥ ତଳକୁ ମୁହିଁ ପୋତି କାନ୍ଦି ପକାଇଲେ ।

‘‘ବିଭା ହେଲ ବିଶି, ସ୍ତ୍ରୀ ତୁମର ଘରେ । ସ୍ତ୍ରୀ ପ୍ରତି କର୍ତ୍ତବ୍ୟରେ ତ୍ରୁଟି କଲ, କେଡ଼େ ଅନ୍ୟାୟ ବିଶି !’’

ବିଶ୍ୱନାଥଙ୍କର କଣ୍ଠରୋଧ ହୋଇଗଲା– ମାଟିରେ ମିଶିଯିବାକୁ ଇଚ୍ଛା ହେଲା ।

‘‘ସ୍ନେହମୟୀ ଜନନୀ ତୁମର, କେବଳ ତୁମକୁ ଏକମାତ୍ର ଅବଲମ୍ବନ କରି ବଞ୍ଚିରହିଛନ୍ତି ସେ । ତାଙ୍କ କଥା ବି ଭୁଲିଗଲ ?’’

ଉଚ୍ଚସ୍ୱରରେ କଇଁକଇଁ ହୋଇ ବିଶ୍ୱନାଥ କାନ୍ଦିବାକୁ ଲାଗିଲେ ।

‘‘ତୁମ ପିତାଙ୍କ ଆଦର୍ଶ, ପଦମର୍ଯ୍ୟାଦା ଦିନେ ହେଲେ ମନେ ପଡ଼ିଲାନାହିଁ ? ମୁହୂର୍ତ୍ତକପାଇଁ ବିବେକର ତାଡ଼ନା ମନରେ ଆଘାତ ଦେଇନାହିଁ ? ପୂର୍ବରୁ କେତେ କହିଛି– ଲାଳସାର ଦାସ ହେବନାହିଁ–ଦୂରରେ ରହିବ । ସବୁ ଭୁଲିଗଲ !’’

ବିଶ୍ୱନାଥ– ‘‘ବଡ଼ ଦୁର୍ବଳ ମୁଁ, ପ୍ରଭୁ !’’

‘‘ସବଳ ହୋଇ କେହି ଜନ୍ମ ହୋଇ ନ ଥାଏ; ଭଗବାନ୍ କାହାରିକୁ ଦୁର୍ବଳ କରି ମଧ୍ୟ ସୃଷ୍ଟି କରି ନ ଥାନ୍ତି । ତୁମେ ଦୁର୍ବଳ ! ଯେଉଁଦିନ ମନରେ ଧାରଣା କରିଛ ତୁମେ ଦୁର୍ବଳ, ସେହିଦିନରୁ ତୁମର ଦୁର୍ବଳତାର ମାର୍ଗ ପରିଷ୍କାର କରି ଦେଇଛ ।’’

‘‘ମତେ କହନ୍ତୁ, ମୁଁ କ’ଣ କରିବି ଏବେ ?’’

‘‘ତୁମର କର୍ତ୍ତବ୍ୟ କର । ମନେ କର, ଏକ ଅସୀମ ଶକ୍ତି ସବୁବେଳେ ତୁମକୁ ବେଢ଼ିରହିଛି । ସେହି ଦିଗକୁ ଲକ୍ଷ୍ୟ ରଖ, ଯାହା ଘେନି ତୁମ ମନର ଅଧଃପତନ, ହୃଦୟ କଳୁଷିତ ହୋଇଛି ବୋଲି ମନେ କର, ସେ ସବୁ ପରିହାର କର ।’

‘‘ମୋର ଯାହା କର୍ତ୍ତବ୍ୟ, ତାହା ବୁଝି କାର୍ଯ୍ୟ କରିବା ଯଦି ମୋ ପକ୍ଷରେ ସହଜ ହୋଇଥାନ୍ତା, ତାହାହେଲେ ମୋ ଦଶା ଆଜି ...’’

‘‘ମନର ବଳ ବୃଦ୍ଧି କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ।’’

‘‘କିପରି ବୁଝିବି, ମନର ବଳ କ’ଣ ଏବଂ ତାର କ୍ଷମତା ପୁଣି କିପରି ବୃଦ୍ଧି ହୁଏ ?’’

‘‘ଏ ବଡ଼ ସହଜ କଥା, ବିଶି ! ଇଚ୍ଛା ହେଲା– ସୁସ୍ୱାଦୁ ପଦାର୍ଥ ଖାଇବାକୁ ...ସେ ଇଚ୍ଛା ଦମନ କଲ, ସଙ୍ଗେ ସଙ୍ଗେ ମନର ବଳ ବଢ଼ିଗଲା । ଆମୋଦ-ପ୍ରମୋଦରୁ ନିଜକୁ ବିରତ କଲ, ମନର ତେଜ ଆପେ ଫୁଟି ବାହାରିବ । ମନର ବଳ ବଢ଼ିବା ସଙ୍ଗେ ସଙ୍ଗେ ଆତ୍ମପ୍ରସାଦ ଲାଭ ହେବ, ମନ ପ୍ରଫୁଲ୍ଲ ହେବ; ନିଜକୁ ତୁଚ୍ଛ, ହୀନ ମନେ ହେବନାହିଁ ।’’

ବିଶି– ‘‘ପରର ଉପକାର କରିବାକୁ ଇଚ୍ଛା ହେଲା; ତାକୁ କ’ଣ ଦମନ କରି ମନର ବଳ ବଢ଼ାଇବାକୁ ହେବ ?’’

‘‘ନା... ତା ନୁହେଁ । ସବୁ ଇଚ୍ଛା ଦମନଯୋଗ୍ୟ ନୁହେଁ । ଯେଉଁ କାର୍ଯ୍ୟଦ୍ୱାରା ମନ ନିର୍ମଳ, ହୃଦୟ ପବିତ୍ର ହୁଏ, ସେ କାର୍ଯ୍ୟ କରିବାକୁ ହେବ । ଯାହା କରିବାକୁ ଇନ୍ଦ୍ରିୟବୃତ୍ତି ଡକା ପକାନ୍ତି, ତାହା ପରିତ୍ୟାଗ କରିବାକୁ ହେବ । ଏ କଥା ତ ମୁଁ ତୁମକୁ କେତେ ଦିନୁ କହିଛି !’’

‘‘କ୍ଷୁଧା ହେଲା, ଖାଇଲି–ମନ ଶାନ୍ତ ହୋଇଗଲା ।’’

‘‘ଶାନ୍ତି ବାହାରର ପଦାର୍ଥ ନୁହେଁ, ବିଶି ! ମନୁଷ୍ୟ ସବୁବେଳେ ବାହାର ପଦାର୍ଥରେ ଶାନ୍ତି ଖୋଜି ଖୋଜି ଆଜୀବନ ମରୀଚିକା ପଛରେ ଗୋଡ଼ାଏ । ଧନ ହେବ, ମାନ ବଢ଼ିବ ଇତ୍ୟାଦି । କ୍ଷୁଧା ଶାନ୍ତ ହେଲେ ତୃପ୍ତି ଆସେ ସତ; ମାତ୍ର ତାହା କ୍ଷଣିକ । ଅତିରିକ୍ତ ଆହାର କଲେ ସେହିପରି ଉଦରାମୟ ହୁଏ; କ୍ଷୁଧା ଦମନ କରିବାର ଶକ୍ତି ଯେ ଲାଭ କରିପାରିଛି, ତାହାରି କେବଳ କ୍ଷୁଧା ନିବୃତ୍ତି କରିବାର ଅଧିକାର ଅଛି ।’’

ଏ କଥା ଶୁଣି ଦଳବେହେରା ଚିଦାନନ୍ଦଙ୍କ ପାଖକୁ ଘୁଞ୍ଚି ଆସି କହିଲେ– ‘‘ଆପଣ ଅସମୟରେ ମୋତେ ଛାଡ଼ି କାହିଁକି ଚାଲିଗଲେ ? ତା’ ନ ହୋଇଥିଲେ ମୋର ଦଶା ଅନ୍ୟପ୍ରକାର ହୋଇଥାଆନ୍ତା ।’’

‘‘ମନେ କରିଥିଲି, ବିଶି, ମୋ କଥା ମାନି ତୁମେ ବିବାହରେ ମତ ଦେବନାହିଁ । ସ୍ତ୍ରୀଜାତି ପ୍ରତି ସମ୍ମାନଜ୍ଞାନ ହୃଦୟରେ ଜାଗରୁକ ନ ହେବାଯାଏ କାହାରି ବିବାହରେ ଅଧିକାରନାହିଁ । ଏ କଥା କେତେଥର ତୁମକୁ କହିଛି ! ଏହି ଗୋଟିକ କଥା ମାନିପାରିଥିଲେ ତୁମ ଜୀବନର ଗତି ଅନ୍ୟ ଦିଗରେ ଫେରାଇ ପାରିଥାଆନ୍ତ ! ତା ହେଲାନାହିଁ । ତୁମ ଜନନୀ ତୁମକୁ ବିବାହିତ ଦେଖିବାକୁ ବ୍ୟଗ୍ର ହେଲେ; ତୁମର ମଧ୍ୟ ଏକାନ୍ତ ଇଚ୍ଛା ଦେଖି ବାଧା ଦେବା ମୁଁ ଯୁକ୍ତିଯୁକ୍ତ ମନେ କଲିନାହିଁ । ତା କରିଥିଲେ ସେହି ବିବାହଦିନ ସବୁ ପଣ୍ଡ କରିବାର ଚେଷ୍ଟା କରିଥାଆନ୍ତି । ଯାହା ହେବାର ହୋଇଛି । ବର୍ତ୍ତମାନ କର୍ତ୍ତବ୍ୟରେ ବ୍ରତୀ ହୁଅ । ସ୍ତ୍ରୀ ପ୍ରତି, ଜନନୀ ପ୍ରତି ତୁମ୍ଭେ କର୍ତ୍ତବ୍ୟପାଳନରେ ଯଥେଷ୍ଟ ତ୍ରୁଟି କରିଛ । ସେ କର୍ତ୍ତବ୍ୟ ତୁମକୁ ପାଳିବାକୁ ହେବ ।’’

ଏତିକି କହି ଗୋସେଇଁ ବାହାରକୁ ଉଠିଗଲେ । ବିଶ୍ୱନାଥଙ୍କ ମନରେ ପ୍ରବଳ ଝଡ଼ ଉଠିଲା । ଜନନୀ ପ୍ରତି ଉଦାସୀନତା, ସ୍ତ୍ରୀ ପ୍ରତି କଠୋର ବ୍ୟବହାର ସବୁ ମନେ ପଡ଼ିଲା । ଲାଳସାର ବଶବର୍ତ୍ତୀ ହୋଇ ଜୀବନରେ ଯାହା ଶ୍ରେଷ୍ଠ, ଯାହା ମଧୁର, ସବୁ ତାଙ୍କର ଚାଲିଯାଇଛି । ପ୍ରାୟଶ୍ଚିତ୍ତ ଦରକାର ।

•••

 

ସପ୍ତବିଂଶ ପରିଚ୍ଛେଦ

 

ପରଦିନ ଅତି ପ୍ରତ୍ୟୁଷରୁ ସ୍ନାନ କରି ନିତ୍ୟକର୍ମ ପରେ ଗୋସେଇଁ ଆସି ଦାଣ୍ଡ ଚାନ୍ଦିନୀ ଉପରେ ବସିଲେ । ଦଳବେହେରା ଘରୁ ଉଠି ଆସି ସାଷ୍ଟାଙ୍ଗ ପ୍ରଣାମ କଲେ । କ୍ରମେ ଅନେକ ଲୋକ ଜମା ହେବାକୁ ଲାଗିଲେ । ସମସ୍ତଙ୍କ ଆଗେ ଶ୍ୟାମ ପଧାନ ବେକରେ ଗାମୁଛା ପକାଇ ଭୂଇଁରେ ପଡ଼ି ଜଣାଇଲା– ‘‘ଗୋସେଇଁ ମହାପ୍ରଭୁ, ଗରିବଙ୍କ କର୍ମକୁ ଗଙ୍ଗା ବିଜେ ହୋଇଛନ୍ତି, ମୋର ଗୁହାରି ଶୁଣନ୍ତୁ ।’’

ଚିଦାନନ୍ଦ– ‘‘କି ଗୁହାରି ତମର ପଧାନପୁଅ ?’’

ଶ୍ୟାମ ପଧାନ ଉଠ ହାତ ଯୋଡ଼ି ଠିଆ ହୋଇ କହିବାକୁ ଲାଗିଲା– ‘‘ମହାପ୍ରଭୁ, କହିଲେ ଘର-ବଂଶକୁ ଲାଜ, ନ କହିଲେ ଘର ଭାସିଯାଉଛି । କେତେ ଦୁଃଖରେ ମୋର ଝିଅଟିଏ, ଅତି ଗେହ୍ଲାରେ ବଢ଼ାଇଥିଲି । ଖାଇ ପିଇ ଜାଣେନାହିଁ ସେ । ଝିଅ ଜନମ ତ ପର ଘରେ ହାଣ୍ଡି ଧୋଇ ପିଇବା କଥା...।’’

‘‘ତୁମର କଥା କ’ଣ କହ ପଧାନେ ! ଝିଅକଥା ଏତେ ବକିଲେ, ଆମର ଶୁଣିବାକୁ ବେଳନାହିଁ ।’’

‘‘ଝିଅଟିକି ବାହା ଦେଲି ଅତି ସୁଫୁଲବରେ ଆରପାରି ରାମ ସାହାଣି ପୁଅ ପରମାନନ୍ଦକୁ-। ସାହୁର ଖାତକ ନୁହେଁ, କି ଗରିବର ମହାଜନ ନୁହେଁ; ତା ଖଞ୍ଜରେ ସେ ଚଳେ...।’’

‘‘ଆଚ୍ଛା କଥା, କହିଯାଅ, ତୁମର ହେଲା କ’ଣ ?’’

‘‘ସବୁ ଭଲ, ଆଜ୍ଞା ! ଜୋଇଁଟି ଯିମିତି ଗୁଣର, ସମୁଦି ବି ତହୁଁ ବଳି; ମାଛିକୁ ମ ବୋଲିନାହିଁ । ହେଲେ କ’ଣ ହେବ; ସମୁଦୁଣୀ ତ ନିଆଁ ବାଣ । ଦେଖିଲେ ଠକ ଠକ ଡେଇଁବ । କେତେ ହାଠ ଓଠ ଧରି ନେହୁରା ନମସ୍ତେ ହୋଇ ଝିଅକୁ ମାସକ କଣ୍ଟ କରି ଘରକୁ ଆଣିଥିଲି । ମାସକ ନ ପୂରୁଣୁ ସମୁଦି ଆସି ଦୁଆରେ ହାଜର ବୋହୂ ନବାକୁ ...।’’

‘‘ଆମେ ତୁମର ଏଡ଼େ ଲମ୍ବା ଗପ ଶୁଣିପାରିବୁଁନାହିଁ । ତୁମର କେହି କିଛି ଅନିଷ୍ଟ କରିଛି-? କିଛି ଆପତ୍ତି ଥାଏ ତ କହ ।’’

‘‘ଆଜ୍ଞା, ସେଇ କଥା ତ କହୁଛି । ମୁଁ କ’ଣ ରାଇଜରେ ଅଛି ଆଉ ! ମୋର ଘରଦ୍ୱାର ବୋହି ନେଇଗଲେ ।’’

‘‘କିଏ ବୋହି ନେଲା ? କାହିଁକି ନେଲା, ଶୀଘ୍ର କହିଯାଅ ।’’

‘‘ସମୁଦିକି କହିଲି, ଏ କି କଥା ! ଛେପ ତଳେ ପକାଇଦେଇଛ, ପୁଣି କ’ଣ ଢୋକିବ ? ମାସକ ଯାଉ, ତେବେ ଯାଇଁ ବୁଝିବା । ସେ କହିଲେ, ‘ପରିଆବୋଉ ଘରଦ୍ୱାର ଭାଙ୍ଗୁଛି । ସବୁବେଳେ ଗୁଁ ସୁଁ । ବୋହୂକୁ ନନେଲେ ନୁହେ ।’ ମୁଁ ତ ପଠାଇବିନାହିଁ । ସମୁଦିକି ହାତ ଓଠ ଧରି ବିଦା କରି ଦେଲି । ବିଚାରା ମଣିଷ ଭଲ, ବୁଝି ଚାଲିଗଲା । କେତେଦିନ ଯାଇଛି, ପୁଣି ଆସି ସେଇ ଜିଦି, ବୋହୂ ନବ । ମୁଁ କହିଲି, ଭୋଦୁଅ ମାସ ? ଛି, ବୋହୂଝିଅ ଯିବା ଏ ମାସରେ ମନା । କିମିତି ପଠାଇବି ? ଅଶିଣ ପଶନ୍ତି ନେଇଯିବ । ସେ କ’ଣ ଶୁଣିଲା, ମୁଣ୍ଡ ହାତ ବାଡ଼େଇ କହିଲା, ‘ପରିଆବୋଉ କହିଛି, ଆଉ ବୋହୂକୁ ନ ନେଲେ ମୋ କପାଳରେ ଛାଞ୍ଚୁଣୀ ବାଡ଼ି’ ...।’’

‘‘ଆଚ୍ଛା ଛାଞ୍ଚୁଣୀ ବାଡ଼ି; ତୁମର ହେଇଛି କ’ଣ, କହ; ନଇଲେ ଥାଉ ।’’

‘‘ଆଜ୍ଞା ଆଉ ଟିକିଏ । ଝିଅ ତ ପଠାଇଲିନାହିଁ । ସତ କି ମିଛ ସମୁଦି ତ ମୋରନାହିଁ କରୁଛି, କିଛି କହିନାହିଁ ବୋଲି । ଗୁମାସ୍ତାଙ୍କ ଛାଟିଆ ଆସି ଉପରବେଳା ମତେ ଡାକିନେଲା । ଗୁମାସ୍ତା ମତେ ଦେଖୁ ନ ଦେଖୁ ସାତପୁରୁଷ ଉଝାଳି ଦେଲେ; ତା ଉପରେ ଗାଲିଆ ମୁଣ୍ଡିଆ କରି ମାଡ଼ ! ମୋ ଦୋଷ କ’ଣ, ତକସିର କ’ଣ ? ସେ କଥା ଶୁଣୁଛି କିଏ ? ହୁକୁମ ହେଲା, ମୁଁ ରାମ ସାହାଣି ବୋହୂକୁ ନ ପଠାଇ ମୋ ଘରେ ଜବରଦସ୍ତି ରଖିଥିବା ଦୋଷରୁ ମୋ ଉପରେ ଶହେ ଟଙ୍କା ଜରିମାନା ! ଦବାକୁ ହେବ । ଶହେ ଟଙ୍କା କିଏ, ମୁଁ କିଏ ? ଲୋକ ପଠାଇ ମୋ ଘରୁ ଯାହା ଯେଉଁଠି ପାଇଲେ, ଲୁଣ୍ଡି ବୁଲାଇ ନେଇଗଲେ ।’’

‘‘କିଏ ସେ...ଗୁମାସ୍ତା ?’’

‘‘ନାଁ ତାଙ୍କର ପ୍ରଭାକର ବୈରିଗଞ୍ଜନ ।’’

‘‘ଡକାଅ ବୈରିଗଞ୍ଜନକୁ; ରାମ ସାହାଣିକୁ ବି ଡାକିଆଣ ।’’

ଦୁହେଁ ଆସି ପହଞ୍ଚିଲେ, ବିଚାର ଚାଲିଲା ।

‘‘କି ହୋ ବୈରିଗଞ୍ଜନ ! କି ହୋ ସାହାଣି ! ଶୁଣ ଶ୍ୟାମ ପଧାନ କଥା ।’’

ପଧାନ ସୋରିଷ ଓଳିଆରୁ ଗାଳିବା ପରି ତା କଥା ଆଉ ଥରେ କହି ଚାଲିଗଲା ।

ଚିଦାନନ୍ଦ ପଚାରିଲେ, ‘‘ବୈରିଗଞ୍ଜନ ! କ’ଣ କହୁଛ ?’’

ବୈରିଗଞ୍ଜନ ଆଖିରେ ଅଞ୍ଜନ ଘନିଲା ପରି ସୋରିଷ ଫୁଲ ଉଡ଼ିଯିବାର ଦେଖିଲେ । କିଛି ନ କହି ତଳକୁ ମୁହଁ ପୋତି ରହିଲେ ।

ରାୟ ଦିଆଗଲା–

ବୈରିଗଞ୍ଜନ ଚାକିରିରୁ ବରଖାସ୍ତ ହେବେ । ତାଙ୍କୁ ଦୁଇଶ’ ଟଙ୍କା ଜରିମାନା କରାଗଲା । ଶହେ ଟଙ୍କା ରାଜସରକାରକୁ, ଆଉ ଶହେ ଟଙ୍କା ଶ୍ୟାମ ପଧାନକୁ ଦିଆଯିବ ।

ଦଳବେହେରା ବିଚାର ଆରମ୍ଭରୁ ଶେଷଯାଏ ବସିଥିଲେ । ହୁକୁମ ଶୁଣି ଚମକି ପଡ଼ିଲେ-। ବିଚାରାର ଚାକିରିଖଣ୍ଡ ଗଲା, ତା ଉପରେ ପୁଣି ବୋଝ ଉପରେ ନଳିତା ବିଡ଼ା ! ମାତ୍ର ତୁଣ୍ଡ-ମୁଣ୍ଡ ଫଟିଲାନାହିଁ ।

ନନ୍ଦ ଗୋସେଇଁ କହିଲେ– ‘‘ଦଳବେହେରା ! ଦେଖୁଛ ତ, ଗୋଟିଏ ବିଚାର । ଏପରି ଶହ ଶହ ବିଚାର ତୁମ ଇଲାକାଯାକ । କେତେଦିନ ଲାଗିବ ! ମୁଁ ମାସେଯାଏ ଏଠାରେ ରହିବି, ମଫସଲ ଯିବି । ମୋ ସାଙ୍ଗରେ ଯିବ । ଇଚ୍ଛାନୁସାରେ ସମୟେ ସମୟେ ଘରକୁ ଆସି ପାରିବ । ମାସକ ପରେ ଅନ୍ୟ କାମରେ ମତେ ଚାଲିଯିବାକୁ ହେବ ।’’

କଥାର ଆରମ୍ଭରୁ ଶେଷ ଅକ୍ଷରଟିଯାଏ ମନୋଯୋଗ ଦେଇ ଶୁଣି ହସି ହସି ଦଳବେହେରା ସମ୍ମତି ଜଣାଇଲେ ।

କାମ ପଡ଼ିଲା ଏକା ସେହି ମାସଟା । ଦଳବେହେରା ତ ସଁ ହୋଇଗଲେ । କେଡ଼େ ସୁଖରେ, ଅୟସରେ ଥିଲେ ସେ, ... ହେବେନାହିଁ ? ବେଳେବେଳେ ତାଙ୍କୁ ବିଚାର କରିବାକୁ ପଡ଼ିଲା, ରାୟ ଦେଲାବେଳେ ଗୋସେଇଁଙ୍କ ମତ ନେଇ ହୁକୁମ ଦିଆଗଲା । ଖାଲି ବିଚାର ନୁହେଁ, ପୁରୁଣା କର୍ମଚାରୀଙ୍କ ଜାଗାରେ ନୂଆ ଲୋକ ବାଛି ରଖିବାକୁ ପଡ଼ିଲା । ଗାଁ ଗାଁ ବୁଲି ଏ ସବୁ କାମ; କ’ଣ ସହଜ କଥା ! ଗୁରୁଙ୍କ ଇଙ୍ଗିତ ମାତ୍ରେ ସବୁ କରିବାକୁ ଲାଗିଲେ ।

ଆଜିକାଲି ଦଳବେହେରାଙ୍କ ଅନ୍ଦରମହଲ ଅନ୍ୟ ଆକାର ଧରିଲାଣି । ଯେଉଁ ପଦ୍ମାବତୀ ଘର କ’ଣରେ ପଡ଼ି ରହୁଥିଲେ, ଯେଉଁଠି ବସୁଥିଲେ, କାନ୍ଥକୁ ଆଉଜି; ଏବେ ଫୁଲ ତୁଳସୀ ମାଳ ଗୁନ୍ଥନ୍ତି, ଯାହାକୁ ଦେଖିଲେ ହସି ଖୁସି କଥାବାର୍ତ୍ତା ହୁଅନ୍ତି । ପାର୍ବତୀର ମଧ୍ୟ ଢେର୍‌ ପରିବର୍ତ୍ତନ ହେଲାଣି । ସ୍ୱାମୀ ଯେତେବେଳେ ଘରେ ରହୁଛନ୍ତି, ତାଙ୍କର ସବୁ କାମ ତାକୁ କରିବାକୁ ପଡ଼ୁଛି । ଦଳବେହେରା ବେଶି ଦିନ ମଫସଲରେ ରହି ପାରୁ ନାହାନ୍ତି; ଆଠ ଦଶ ଦିନ ଅନ୍ତର ଆସୁଛନ୍ତି । ଚାକର ଚାକରାଣୀମାନେ ନିତାମା’ର ତାଡ଼ନାରୁ ମୁକ୍ତି ପାଇ ଯେଝା କାମ ଖୁସିରେ କରିଯାଉଛନ୍ତି । ମୋଟ ଉପରେ ଦଳବେହେରାଙ୍କ ଘରେ ଗୋଟାଏ ଶୃଙ୍ଖଳା, ଗୋଟାଏ ଶାନ୍ତି ବିରାଜମାନ କଲାଣି ।

ବୀରିବାଟୀର ଲୋକେ ଆଶ୍ୱସ୍ତ ହେଲେଣି । ଆଉ ସେ ଅନ୍ୟାୟ, ଅବିଚାର, ଦୋଷୀ ହେଉ ନିର୍ଦ୍ଦୋଷ ହେଉ କାହାରି ଉପରେ ଆଉ ସେପରି ଗାଳି, ମାଡ଼ ଓ ଜୋରିମାନାନାହିଁ । ଦୁଷ୍ଟ ପରଘରବୁଡ଼ା ଲୋକେ ଭୟତ୍ରସ୍ତ ହୋଇ ରହିଗଲେଣି ।

ନିତାମା’ କୁଆଡ଼େ ଗଲା, କ’ଣ କଲା, ତାହାର ଖବର କେହି ନେବାକୁନାହିଁ । ଯାହା ତୁଣ୍ଡରୁ ଶୁଣିବ ଖାଲି ତାହାରି ନିନ୍ଦା । ଜଣେ ବୋଲି ତାର ପକ୍ଷ ସମର୍ଥନ କରିବାକୁ କେହିନାହିଁ ।

ଏକ ମାସ ଆସି ପୂରିଲା । ଚିଦାନନ୍ଦ ପଦ୍ମାବତୀ, ଦଳବେହେରା ଓ ଅନ୍ୟମାନଙ୍କୁ ସବୁ ବୁଝାଇ କହିଲେ । ପଦ୍ମାବତୀ ତାଙ୍କୁ ଛାଡ଼ିଦେବାକୁ ରାଜି ନୁହନ୍ତି । ମାତ୍ର ସେ ଆଉ ରହିପାରିବେନାହିଁ-। ଅନ୍ୟ କେତେ କାମ ତାଙ୍କର ପଡ଼ିରହିଛି; ଯିବାକୁ ହେବ ।

ନିର୍ଦ୍ଦିଷ୍ଟ ଦିନ ନନ୍ଦ ଗୋସେଇଁ ସମସ୍ତଙ୍କଠାରୁ ବିଦାୟ ନେଇ ବାହାରିଗଲେ । ଦଳବେହେରା ଓ ଅନ୍ୟାନ୍ୟ ଲୋକେ ବହୁଦୂରଯାଏ ତାଙ୍କୁ ବାଟେଇ ଦେଇ ଆସିଲେ ।

•••

 

ଅଷ୍ଟାବିଂଶ ପରିଚ୍ଛେଦ

 

ସେବାଶ୍ରମ ସବୁବେଳେ ଘୁ ଘୁ କମ୍ପୁଛି । ଗୈରିକ ବସନପରିହିତା ରମା ଦେବୀ ଆଶ୍ରମର କର୍ତ୍ତ୍ରୀ । ସବୁ କାର୍ଯ୍ୟ ଭିତରେ ଆଶ୍ରମରେ ଏବେ ଗୋଟିଏ ସେବିକାଦଳ ସୃଷ୍ଟି ହୋଇଛି । ସେବିକାମାନେ ଘର ଘର ବୁଲି ରୋଗୀର ଔଷଧ ଓ ପଥ୍ୟର ବ୍ୟବସ୍ଥା କରି ଦେଇ ଆସନ୍ତି । ଅନ୍ୟ ଅନେକ ସ୍ଥାନରେ ଆଶ୍ରମର ଶାଖା ପ୍ରତିଷ୍ଠା କରାଗଲାଣି । ରମା ଦେବୀ ସବୁ ଆଶ୍ରମ ପରିଦର୍ଶନ କରନ୍ତି । ଦିନରାତି ସେବାକାର୍ଯ୍ୟରେ ଚାଲିଯାଉଥାଏ ।

ଦିନେ ଜଣେ ସେବିକା ଆସି ଖବର ଦେଲା– ‘‘ମା, ଜଣେ କିଏ ସ୍ତ୍ରୀଲୋକ ଆସିଛନ୍ତି, ଆପଣଙ୍କ ସଙ୍ଗେ ଦେଖାକରିବାକୁ ଇଚ୍ଛା କରନ୍ତି ।’’

ରମା ଦେବୀ ହୁକୁମ ଦେଲେ– ‘‘ଏଠାକୁ ନେଇ ଆସ ।’’ ଗୋଟିଏ ମଳିନବସନା ପ୍ରୌଢ଼ା ଆସି ପହଞ୍ଚିଲେ ।

ରମା ପଚାରିଲେ– ‘‘ତୁମେ କିଏ ମା’’ ? ଘର କେଉଁଠି ? ଏଠାକୁ ଆସିବାର କାରଣ କ’ଣ ?’’

ପ୍ରୌଢ଼ା– ‘‘ମୋର କଥା ସବୁ କହିବି, ଶୁଣିବେ । ଘର ମୋର ଆକାଶତଳ, କେଉଁଠି ମୋର କିଛିନାହିଁ, କି ନିଜର ବୋଲି କେହି ନାହାନ୍ତି । ଏଠିକି ଆସିଛି ଆପଣଙ୍କ ନାମ ଶୁଣିପାରି, ଚରଣତଳେ ଆଶ୍ରୟ ପାଇବି ବୋଲି ।’’

ରମା– ‘‘ତୁମର କଥା କହିଯା ।’’

ପ୍ରୌଢ଼– ଆରପଦା ବୋଲି ଗୋଟିଏ ଗାଁ । ଦିନେ ସେ ଗାଁରେ ଥିଲି । ସମସ୍ତେ ମତେ ଖାତିର କରୁଥିଲେ, ମୁଁ କାହାରିକୁ ଖାତିର କରିନାହିଁ । ଭଲରେ ମନ୍ଦରେ ଲୋକେ ମୋତେ ଡାକୁଥିଲେ । ସବୁଠାକୁ ଯାଇ ସେବା କରିଦେଇ ଆସୁଥିଲି । ମିଳୁଥିଲେ ଖାଉଥିଲି, ନଇଲେନାହିଁ । ଦିନେ ଆସିଲେ ସେ ଗାଁକୁ ମୁଲକର ମାଲିକ । ତାଙ୍କ ପିଛା ଧରିଲି । ଅତି ଆଦରରେ ଘରେ ରଖିଲେ । ତାଙ୍କୁ ପାଇ ଜୀବନ ମୋର ନୂଆ ହୋଇଗଲା । ମନେ କରିଥିଲି, ସେମିତି ପାଣି ପରି ସୁଖରେ ଜୀବନଟା କଟିଯିବ, ତା ହେଲାନାହିଁ । ଦିନେ ସଞ୍ଜ ହୋଇ ଆସୁଛି । ସେଠାରେ ଆସି ପହଞ୍ଚିଲେ ଜଣେ ବୈରାଗୀ । ମନେ ଭାବିଥିଲି– ବାବାଜି ଆସୁ, ବୈରାଗୀ ଆସୁ, ମାରିପିଟି ଘଉଡ଼ାଇଦେବି । ମୋ ସୁଖରେ ଯେ ବାଧା ଦେବ, ସେ ମୋର ଶତ୍ରୁ । ଟିକିଏ ଆଢ଼ୁଆଳରୁ ବୈରାଗୀଙ୍କୁ ଦେଖିଲି, ଅନ୍ତରାତ୍ମା ମୋର ଉଡ଼ିଗଲା–ସବୁ ଦମ୍ଭ, ସବୁ ଦର୍ପ କୁଆଡ଼େ ଉଭେଇଗଲା । ପଳାଇବାକୁ ବାଟ ଖୋଜି ପାଇଲିନାହିଁ ।

‘‘ବଣ, ଜଙ୍ଗଲ, ଗହୀର ବିଲ । ରାତି ଅନ୍ଧାର ହୋଇଆସିଲା । ମୁହଁକୁ ମୁହଁ ଦିଶୁନାହିଁ । ପଡ଼ି ପଡ଼ି ଆଣ୍ଠୁ ଗଣ୍ଠି ଛିଡ଼ିଗଲା । ଖିଆନାହିଁ, ପିଆନାହିଁ, କେତେ କୁଆଡ଼େ ବୁଲିଲି । କେହି ମୁଠାଏ ଦେଲା, ମନ ଇଚ୍ଛାରେ ଖାଇଲି; ନ ମିଳିଲେ ଓପାସ । ଏହିପରି କେତେ ଗାଁଗଣ୍ଡା, ବଣ, ଜଙ୍ଗଲ ବୁଲି ବୁଲି ଶୁଣିପାରିଲି ଆପଣଙ୍କ କଥା । ଧାଇଁଆସିଛି, ପାଦତଳେ ପଡ଼ି ଜୀବନ ସାର୍ଥକ କରିବି ।’’

ରମା– ‘‘ଆଚ୍ଛା, ସେ କଥା ବୁଝିବା । ତୁମେ ଯେଉଁ ବାବାଜିଙ୍କ ନା କହିଲ, ସେ କିଏ ?’’

‘‘କେଜାଣି, ତାଙ୍କ ଘର କେଉଁଠି ? ଭାରି ତେଜୀୟାନ୍, ଭାରି ଟାଣ ସେ ମା’ ! ଡାକନ୍ତି ତାଙ୍କୁ ‘ନନ୍ଦ ଗୋସେଇଁ’ ବୋଲି । କାହାରିକୁ ତାଙ୍କର ଖାତିରିନାହିଁ, ପରବାଏନାହିଁ । ତାଙ୍କ ହୁକୁମ ସମସ୍ତଙ୍କୁ ମାନିବାକୁ ହୁଏ ।’’

‘‘ଦେଖିବାକୁ କିପରି ସେ ? ବୟସ କେତେ ହେବ ତାଙ୍କର ?’’

‘‘ଦେଖିବାକୁ ପଞ୍ଚହତା, ତକ୍‌ତକ୍‌ ଗୋରା । ଦେହରେ ଗେରୁଆ ଲୁଗା । ବୟସ ତ କହିପାରିବିନାହିଁ । ମୁଣ୍ଡର ବାଳ ଗୋଟିଏ ବି ପାଚିନାହିଁ, ଦାନ୍ତଯାକ ତ ସେହିପରି ଅଛି ।’’

‘‘ଆଚ୍ଛା ହଉ । ତୁମେ ଏଠାରେ ଜଣେ ସେବିକା ହୋଇ ରହିପାରିବ ? ଆଶ୍ରମର ନିୟମ ବଡ଼ କଡ଼ା । ନିଜର ସବୁ କାମ କରିବାକୁ ପଡ଼ିବ–ଘର ଓଳାଇବା, ଲୁଗାପଟା ସଫାସୁତୁରା କରିବା, ରାନ୍ଧି ବାଢ଼ି ଖାଇବା ଆଦି ସବୁ କାମ; ତା’ ପରେ ଆଉ ଯେତେବେଳେ ଯେପରି ବରାଦ ହେବ । ମଫସଲକୁ ଯାଇ ରୋଗୀଙ୍କର ସେବା କରିବା କାମ ମଧ୍ୟ ଅଛି । ଭଲ ଖାଇବା, ଭଲ ପିନ୍ଧିବା ଏଠାରେ ମନା । କଷ୍ଟରେ ଚଳିବାକୁ ହେବ । ପାରିବ ତ ?’’

‘‘ସବୁ ପାରିବି ମା’ ! ସବୁ କରିବି । ଆପଣଙ୍କର ଯେତେବେଳେ ଯାହା ଦରକାର ହେବ, କରିଦେବି । ମତେ ପାଦତଳେ ରଖନ୍ତୁ ।’’

‘‘ମୋର କିଛି କରିବାକୁ ହେବନାହିଁ । ସମସ୍ତଙ୍କ ପରି ମତେ ମୋ କାମ କରିବାକୁ ହୁଏ-। ଭଲ କଥା, ଏଠି ରହ, ମନାନାହିଁ । ଏତେ ବେଳଯାଏ କହିନାହିଁ ଯେ ତୁମ ନାଁ କ’ଣ ?’’

‘‘ମୋ ନାଁରୁ କ’ଣ ପାଇବେ ମା’ ? ମତେ ସମସ୍ତେ ଡାକୁଥିଲେ ନିତାମା’ । ମୋର ବୋଲି କେହିନାହିଁ, ଭାରି ନିରାଶ୍ରୟ । ଅନାଥା ମୁଁ ।’’

‘‘ସମସ୍ତଙ୍କର ଯେ, ସେ ତୁମର ବରାବର ରହିଛନ୍ତି । ଯାହାର କେହିନାହିଁ, ସେ ତାର ସବୁବେଳେ ଅଛନ୍ତି । ଅନାଥା ନୁହଁ ତୁମେ ମା’ । ଖୁସିରେ ରହ ।’’

‘‘କିଏ ମୋର ଅଛନ୍ତି, ମୁଁ ଜାଣେନାହିଁ । ଆଜିଠାରୁ ଜାଣିଲି, ଆପଣ ମୋର । ଯାହା ଯେତେବେଳେ କହିବେ, ମୁଁ ସବୁ କରିବି ।’’

ନିତାମା’ ସେହିଦିନଠାରୁ ସେବିକା ହୋଇ ଆଶ୍ରମରେ ରହିଲା । ଦିନାକେତେ ଭିତରେ ସେ ଅନେକଙ୍କୁ କାମରେ ଟପିଯିବାକୁ ଲାଗିଲା । ରମା ଦେବୀଙ୍କର ତା ଉପରେ ଭାରି ବିଶ୍ୱାସ । ଯେଉଁଆଡ଼େ ଗଲେ ତାକୁ ସାଙ୍ଗରେ ନ ନେଲେ ଯାଆନ୍ତିନାହିଁ । ସେବିକାମାନେ ତାକୁ ସ୍ନେହ-ଶ୍ରଦ୍ଧା କରନ୍ତି । ନିତାମା’ ବୁଦ୍ଧିମତୀ । ରମା ଦେବୀଙ୍କ ପ୍ରକୃତି ବୁଝି, ତାର ତାଙ୍କ ପ୍ରତି ଅଗାଧ ଭକ୍ତି । ତାଙ୍କ ଇଚ୍ଛା ବୁଝି ସେ କ୍ଷିପ୍ରଗତିରେ କାମ କରିଯାଏ ।

ରମା ଦେବୀଙ୍କର ମନେ ହୁଏ– ‘ଏ ନନ୍ଦ ଗୋସାଇଁ ପୁଣି କିଏ ? ଚିଦାନନ୍ଦ ସ୍ୱାମୀଙ୍କ ନାମ ତ ଶୁଣାଅଛି । ଭାରି ପଣ୍ଡିତ, ବଡ଼ ଗୁଣୀ ସେ । ଲୋକ-ଉପକାର ତାଙ୍କର ବ୍ରତ । ତେବେ ଦିନେ ହେଲେ ତ ଦେଖାମିଳିଲାନାହିଁ । ସେ ଏ ଆଡ଼େ ପାଦ ପକାଇନାହାନ୍ତି, ମୋର ମଧ୍ୟ ତର କାହିଁ କୁଆଡ଼େ ଯିବାକୁ ।’’

ନିତାମା’କୁ ଦିନେ ପାଖକୁ ଡକାଇ ସେ ପଚାରିଲେ, ‘‘କହ ତ ନିତାମା, ନନ୍ଦ ଗୋସେଇଁ କିଏ ? ତାଙ୍କୁ ଚିଦାନନ୍ଦ ସ୍ୱାମୀ ବୋଲି କହନ୍ତି କି ?’’

‘‘ହଁ ମା’ ! କେହି କେହି ଚିଦାନନ୍ଦ ବୋଲି କହନ୍ତି ।’’

‘‘ସେ ଆସିଥିଲେ କେଉଁଠାକୁ ? କାହିଁକି ଆସିଥିଲେ ?’’

‘‘ପୋଥିଟାକର ପାଠ ସେ ମା’ ! ମୁଁ କ’ଣ କହିବି ? ଆସିଥିଲେ ସେ ମୋରି ଯୋଗୁଁ ।’’

‘‘ତୁମରି ଯୋଗୁଁ ...କାହିଁକି ?’’

‘‘ବୀରିବାଟୀର ଦଳବେହେରା ମୋରି କଥାରେ ଚାଲିଲେ । ଯାହା କହିଲି, କଲେ । ରାଜ୍ୟରେ ଗଣ୍ଡଗୋଳ ହେଲା । ସେ ଆସିବାରୁ ମୁଁ ପଳାଇ ଆସିଲି । ଏବେ ସବୁ ଭଲ କରିଦେବେଣି ଯେ ।’’

‘‘ବୀରିବାଟୀର ଦଳବେହେରା ତାଙ୍କର କ’ଣ ?’’

‘‘ଦଳବେହେରାଙ୍କର ଗୋସେଇଁ ପରା-ଗୁରୁ ! ପାଠଶାଠ ତାଙ୍କରିଠୁଁ ପଢ଼ିଛନ୍ତି ବାପ ଥିବା ବେଳୁଁ । ତାଙ୍କ ନାଁ ଶୁଣିଲେ ଦଳବେହେରା ଥରୁଥିଲେଟି କି !’’

‘‘ଏଇଲାଗେ ସେ କେଉଁଠି ଅଛନ୍ତି, କହିପାରିବ ନିତାମା’?’’

‘‘ଖବର ନେଇ ବୁଝିବି ମା’... କେଉଁଠି ଅଛନ୍ତି । କାହିଁକି ? ମୁଁ ତାଙ୍କ ପାଖ ମାଡ଼ିବିନାହିଁ-।’’

‘‘ଆଚ୍ଛା, ଖବର ନବା ସେ କିଏ ? ଦରକାର ପଡ଼ିଲେ ଟିକିଏ ଦେଖା କରିବା ।’’

‘‘ଚିନ୍ତାନାହିଁ । ମୁଁ ଖବର ଆଣିଦେବି । ଆପଣ ତାଙ୍କ ସଙ୍ଗେ ଦେଖା କରିବେ ? କାହିଁକି-?’’

‘‘ସେ କଥା ପରେ ହେବ, ଆଗେ ତାଙ୍କ ଖବର ଆଣ ।’’

•••

 

ଊନତ୍ରିଂଶ ପରିଚ୍ଛେଦ

 

ଘରନାହିଁ, ଗ୍ରାମନାହିଁ । ସାମାନ୍ୟ ଜଙ୍ଗଲ ମଝିରେ ଖଣ୍ଡେ କୁଡ଼ିଆ । ସାମନାରେ ଗୋଟିଏ ପ୍ରକାଣ୍ଡ ଅଶ୍ୱତ୍‌ଥ ଗଛ । ମୂଳରେ ଗୋଟିଏ ବେଦୀ । ଚାରିପାଖଯାକ ତୁଳସୀବଣ । ଜାଗାଟିର ନାମ ଦିଆହୋଇଛି ‘‘ସିଦ୍ଧମଠ’’ । ଖଣ୍ଡେ କୁଶାସନ ଉପରେ ସନ୍ନ୍ୟାସୀ ଆସୀନ, ଅଦୂରରେ ଧୁନି ଜଳୁଛି । ଅନେକ ଲୋକ ସକାଳୁ ସନ୍ଧ୍ୟାଯାଏ ଜମା ହୁଅନ୍ତି ।

କାହାର ପିଲା ହଗି ହେଉଛି, ମା’ ଆସିଛି ହୁକୁମ ନେବାପାଇଁ । କାହାର ପେଟମରା, ଆମବାତ, ସେମାନେ ସବୁ ଆସିଛନ୍ତି । ଟଙ୍କା-ପଇସାର କାରବାର ଏଠିନାହିଁ । ଆଗନ୍ତୁକମାନେ କିଏ ନଡ଼ିଆଟିଏ, କିଏ ଘିଅ ଅଧପାଏ, କିଏ ପାଚିଲା କଦଳୀ କାନ୍ଧିଏ, କିଏ ଅବା ଦିଶୁ ଉଖୁଡ଼ା ଖଇ ନେଇ ଆସିଛନ୍ତି । ଯେ ଯାହା ଜିନିଷ ଆଗରେ ଥୋଇ ମୁଣ୍ଡିଆ ମାରୁଛନ୍ତି । ସବୁ ଜିନିଷ ଅଗ୍ନିରେ ପଡ଼ୁଛି । ରୋଗ-ବୈରାଗ କଥା ପଚରାଉଚୁରାନାହିଁ । ଗୋସାଇଁ ଆଖି ବୁଜି ଚିମୁଟେ ବିଭୂତି ଧରି ଦେଉଛନ୍ତି । ଏତିକିରେ ହୁକୁମ ଶେଷ ।

ନାଁ ଦିଆ ହୋଇଛି ସିଦ୍ଧମଠ । ହେଲେ କ’ଣ ହେଲା, କୁଡ଼ିଆ ଘର ଖଣ୍ଡେ ଛଡ଼ା ଘରନାହିଁ । ଦିଅଁନାହିଁ, କି ଦେଉଳନାହିଁ । ସନ୍ଧ୍ୟା ସକାଳେ ଆରତି ଘଣ୍ଟା ବାଜୁନାହିଁ । ଧୂପ, ଦୀପ ନୈବେଦ୍ୟର ଦେଖାନାହିଁ । କେତେବେଳେ ମନ ହେଲେ ଗୋସେଇଁ ଅଗ୍ନିମୁହଁରୁ କିଛି ଫଳ ବଞ୍ଚାଇ ରଖି ସେବା କରନ୍ତି । ସେପରି କିଛି ବିଧିବିଧାନନାହିଁ, କି ଖାଇବା ପିଇବାର କୌଣସି ସମୟନାହିଁ-

ଅନେକ ବାଟରୁ ଲୋକେ ଗାଡ଼ି-ଶଗଡ଼ ଚଢ଼ି ଆସନ୍ତି । ହୁକୁମ ବୋଲି ଚିମୁଟେ ପାଉଁଶ ନେଇ ଆନନ୍ଦ ମନରେ ଫେରିଯାଆନ୍ତି । ଲୋକ ଚହଳ ହେବାରୁ ଟିକିଏ ଦୂରରେ ଦୋକାନ ଦୁଇଚାରିଟା ମଧ୍ୟ ବସିଲାଣି । ଏହିପରି କେତେଦିନ ବହିଗଲା । ଦିନକର ଲୋକ ଚହଳ ଭିତରେ ଖବର ହେଲା, ଜଣେ ଭାରି ବଡ଼ଲୋକ କିଏ ଆସୁଛନ୍ତି ହୁକୁମ ନେବେ ବୋଲି । ଗାଡ଼ି ଶଗଡ଼ ମୂଲିଆ ବେଠିଆ ଅନେକ ସାଙ୍ଗରେ ଅଛନ୍ତି । କିଏ ଏ କଥାରେ ବିଶ୍ୱାସ କଲା; କିଏ ମିଛ ବୋଲି ଉଡ଼ାଇ ଦେଲା ।

ସତକୁ ସତ ଅନେକ ଗାଡ଼ି, ସବାରି ଲୋକବାକ ଆସିବାକୁ ଲାଗିଲେ । ଖଣ୍ଡେ ଦୂରରେ ଯାନବାହନ ସବୁ ରଖାଗଲା । ଆରୋହୀମାନେ ଗୋଟି ଗୋଟି ହୋଇ ଆସିବାକୁ ଲାଗିଲେ । ସବା ଆଗରେ ଗୋଟିଏ ସୁନ୍ଦର ଶିଶୁଟିଏ ଧରି ଜଣେ ବୃଦ୍ଧା, ତା ପଛକୁ ଆଉ ଜଣେ ମହିଳା, ମସ୍ତ ବଡ଼ ଓଢ଼ଣା । ସବା ପଛରେ ଦୀର୍ଘ କମନୀୟବପୁ ପ୍ରୌଢ଼ ।

ସମସ୍ତେ ଆସି ବେଦୀ ନିକଟରେ ପହଞ୍ଚି ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କଲେ । ସନ୍ନ୍ୟାସୀ ଏତେବେଳକୁ ମୁହଁ ଟେକି ଚାହିଁ ଥକ୍‌କା ହୋଇଗଲେ । ପରେ କହିଲେ– ‘‘ଏ କ’ଣ, ବିଶି-! ତୁମେ ଆସିଛ ?’’ ପଦ୍ମାବତୀଙ୍କ ହାତରୁ ଶିଶୁଟିକୁ ନେଇ ତା ଦେହମୁଣ୍ଡରେ ହାତ ବୁଲାଇ ବିଭୂତି ବୋଳିଦେଲେ ।

ଦଳବେହେରା କହିଲେ– ‘‘ଏ ପୁଅଟି ମୋର । ସାତ ମାସ ପୂରି ଆଠ ଚାଲିଛି । ଆସିଛୁଁ ଟିକିଏ ଦର୍ଶନପାଇଁ ।’’

ସନ୍ନ୍ୟାସୀ– ‘‘ଏତେ କଷ୍ଟ ପାଇ, ଏତେ ବାଟ କାହିଁକି ଆସିଲ, ବିଶି, ଏଡ଼େ ଛୋଟ ପିଲାଟିକୁ ନେଇ ? ମା, ସବୁ ଭଲ ତ ? ବୋହୂଟି ତ ବି ଆସିଛି ?’’

ପଦ୍ମାବତୀ– ‘‘ଆପଣ ପାଦ ପକାଇ ଆମକୁ ପୁନର୍ଜନ୍ମ ଦେଇ ଆସିଲେ । କେଉଁଠି ରହିଲେ, କେତେ ଖୋଜିଲୁଁ, ଖବର ପାଇଲୁଁନାହିଁ । ବହୁ କଷ୍ଟରେ ଖବର ପାଇ ଦର୍ଶନକୁ ଆସିଛୁଁ ।’’

ସନ୍ନ୍ୟାସୀ– ‘‘ଏ ଦର୍ଶନରେ କିଛି ଦରକାରନାହିଁ, ମା’ ! କାହିଁକି ବୃଥାରେ ଏତେ କଷ୍ଟ ପାଇଲ ? ଭଲ ହୋଇଛି ପ୍ରଭୁ ଗୋଟିଏ ପୁଅ ଦେଲେଣି । ଯାଅ, ସମସ୍ତେ ସୁଖରେ ରହ । ମୋ କଥା ଭୁଲିଯାଅ ।’’

ପଦ୍ମା– ‘‘ଜୀବନଦାତାଙ୍କୁ ଭୁଲିବୁଁ କିପରି ?’’

ସନ୍ନ୍ୟାସୀ– ‘‘ଆଉ ସେ ସବୁ କଥା କିଛି କହନାହିଁ; ଶୁଣିଲେ କଷ୍ଟ ହୁଏ । ଜୀବନଦାତା କେବଳ ଜଣେ । ମୁଁ ଛାର କୀଟ ।’’

ପାର୍ବତୀ ଏତେବେଳଯାଏ ତୁନି ହୋଇ ଠିଆହୋଇଥିଲା । ଏ କଥା ଶୁଣି ଭୋ-କିନା କାନ୍ଦି ପକାଇ କହିଲା– ‘‘ଯେ ଯାହା କହନ୍ତୁ, ଆମ ମନ ବୁଝେ ଆପଣଙ୍କୁ । ଆମେ ଆପଣଙ୍କ ଛଡ଼ା ଆଉ କାହାକୁ ଜାଣୁନାହିଁ ।’’

ସନ୍ନ୍ୟାସୀ– ‘‘ହଉ, ଭଲ କଲ ଆସିଲ, ମା’ ! ବିଶି, ଯିବାର ଯୋଗାଡ଼ କର । ଏଠାରେ ତୁମେମାନେ ରହିଲେ ମୋ କାର୍ଯ୍ୟର ବ୍ୟାଘାତ ହେବ । ଦେଖ କେତେ ଲୋକ ଅପେକ୍ଷାରେ ବସିରହିଛନ୍ତି ।’’ ବିଶି କାନ୍ଦିପକାଇ କହିଲେ– ‘‘ପ୍ରଭୁ, ସବୁ ଭୁଲିଗଲେ ? ଆମେ ଯେ ଆପଣଙ୍କ ଚରଣର ଦାସ ।’’

ସନ୍ନ୍ୟାସୀ– ‘‘ମୁଁ ଦାସାନୁଦାସ, ନିଜେ । ସେ କଥା କହି ମତେ ଅପମାନ ଦିଅନାହିଁ, ବିଶି-!’’

ବିଶି– ‘‘ଆଉ ଟିକିଏ ପାଦ ପଡ଼ିବନାହିଁ ଆମ, ସିଆଡ଼େ ?’’

ସନ୍ନ୍ୟାସୀ– ‘‘ନାହିଁ ବିଶି, ଆଉ କାହିଁ ଯିବାର ପ୍ରବୃତ୍ତିନାହିଁ... ଆବଶ୍ୟକ ମଧ୍ୟନାହିଁ । ତୁମେମାନେ ଆସ, ଆଉ ବିଳମ୍ବ କରନାହିଁ !’’

ଏତିକି କହି ସନ୍ନ୍ୟାସୀ ନିଜ କାର୍ଯ୍ୟରେ ମନ ଦେଲେ । ଦଳବେହେରା ମାତା ଓ ସ୍ତ୍ରୀ ସହ ବଡ଼ ମନୋଦୁଃଖରେ ଫେରିଗଲେ ।

•••

 

ତ୍ରିଂଶ ପରିଚ୍ଛେଦ

 

ସିଦ୍ଧମଠରେ ଆଜି ସବୁଠୁଁ ଭିଡ଼ ବେଶି । ମକର ସଂକ୍ରାନ୍ତି ବୋଲି ଅନେକ ଲୋକ ଭୋଗରାଗ ଘେନି ଜମା ହୋଇଛନ୍ତି । କେହି ବୁଝୁନାହିଁ–ଦିଅଁ ଦେବତା ଯେଉଁଠି କିଛି ନାହାନ୍ତି, ସେଠାରେ ଭୋଗରାଗର କି ଦରକାର । ଲୋକର ଭିଡ଼ ଜମୁଛି । ଗୋସେଇଁ ସବୁଦିନ ପରି ବେଦୀ ଉପରେ ଧ୍ୱନି ପାଖରେ ବସିଛନ୍ତି ।

ଏତେ ଭିଡ଼ ଭିତରେ ଦେଖାଗଲା–ଗୈରିକ ବସନପରିହିତା ତ୍ରିଶୂଳଧାରିଣୀ ଭୈରବୀ ମୂର୍ତ୍ତି, ତାଙ୍କ ପଛରେ ପ୍ରୌଢ଼ାଟିଏ ଗୋଟିଏ ପେଡ଼ି କାଖରେ ଆସୁଛନ୍ତି । କାହାରିକୁ ଭ୍ରୁକ୍ଷେପନାହିଁ–ସିଧା ସିଧା ଚାଲିଛନ୍ତି । ଲୋକେ ବ୍ୟସ୍ତ ହୋଇ ବାଟ ଛାଡ଼ି ଦେଉଛନ୍ତି । ବେଦୀମୂଳେ ଠିଆ ହୋଇ ଦୁହେଁ ସନ୍ନ୍ୟାସୀଙ୍କୁ ପ୍ରଣିପାତ କଲେ । ସନ୍ନ୍ୟାସୀ ମୁହଁ ଫେରାଇ ଦେଖିଲେ; ଚକ୍ଷୁ ଆଉ ଫେରିଲାନାହିଁ । ସ୍ତମ୍ଭୀଭୂତ ହୋଇଗଲେ ।

ନିସ୍ତବଧତା ଭଙ୍ଗ କରି ଦେବୀ କହିଲେ– ‘‘କର୍ତ୍ତବ୍ୟ ପୂରଣ କରିବାପାଇଁ ଆମ୍ଭେମାନେ ଆସିଛୁଁ । ଅନେକଦିନୁ ଆପଣଙ୍କର କେତେ ସନ୍ଧାନ ନେଲୁଁ, କିଛି ଖବର ପାଇଲୁନାହିଁ । ସେଥିପାଇଁ ଏତେ ବିଳମ୍ବ । ଉଛୁରରେ ହେଉ, ସଅଳ ହେଉ, ଆମକୁ କର୍ତ୍ତବ୍ୟ ପାଳିବାକୁ ହେବ ।’’

ସନ୍ନ୍ୟାସୀ– ‘‘କି କର୍ତ୍ତବ୍ୟ ତୁମର, ଦେବୀ?’’

ଦେବୀ କିଛି ନ କହି ବେଦୀ ଉପରକୁ ଉଠି ବସିଲେ । ପ୍ରୌଢ଼ାଠାରୁ ପେଡ଼ିଟି ନେଇ ସନ୍ନ୍ୟାସୀଙ୍କ ଆଗରେ ଥୋଇ ଦେଇସାରି କହିଲେ– ଏତିକି ମାତ୍ର କର୍ତ୍ତବ୍ୟ–ଏଇଟି ଆପଣଙ୍କ ହାତରେ ଦେଇଦେବା ।’’

ସେ ଗୋଟିଏ କେଉଁ କାଳର ପୁରୁଣା ବେତପେଡ଼ି । ଅନେକ ପ୍ରକାରେ ଚାରିଆଡ଼େ ବନ୍ଧା ହୋଇ ଗଣ୍ଠି ପଡ଼ିଛି । ଗୋଟି ଗୋଟି କରି ଗଣ୍ଠି ଫିଟାଇ ସନ୍ନ୍ୟାସୀ ପେଡ଼ି ଖୋଲି ଦେଇ ଦେଖିଲେ, ସବା ଉପରେ ଖଣ୍ଡେ ଲେଖା ! ସମଗ୍ର ଶରୀର କମ୍ପିବାକୁ ଲାଗିଲା । ଅକ୍ଷରଗୁଡ଼ିକ ଯେ ତାଙ୍କର ପୂର୍ବ ପରିଚିତ ! କମ୍ପିତ ହସ୍ତରେ ସନ୍ନ୍ୟାସୀ ପଢ଼ିବାକୁ ଲାଗିଲେ–

‘‘ନାଥ, ବାପା ମୋର, କେବେ ପଢ଼ିବୁ ଏ ଚିଠି କେଜାଣି, କେତେଦିନ ପରେ ? ନିଜର ଭୁଲ ବୁଝିପାରିଛୁ ତ ? ଧନ, ଭୋଗବିଳାସ, ଆଡ଼ମ୍ବର କେତେ ଦିନପାଇଁ ? ମନୁଷ୍ୟର ଏ ସବୁରେ କ’ଣ ଅଛି ? ଅନ୍ତରର ସୁଖ, ଶାନ୍ତି ଏ ସବୁରେନାହିଁ–ବୁଝିଲୁଣି ତ ବାପ ?’’

ଦୁଇ ଆଖିରୁ ସନ୍ନ୍ୟାସୀଙ୍କର ଲୁହ ଗଡ଼ିଆସିଲା । ସବୁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଗୋସେଇଁ କେବେହେଲେ କାନ୍ଦିବାର ଦେଖାନାହିଁ ଖାଲି ହସ । ଆଜି ଏ କ’ଣ ?

ସନ୍ନ୍ୟାସୀ ପୁଣି ପଢ଼ିଲେ–

‘‘ଏହି ପେଡ଼ିରେ ତୋର ପିତା ମହାଦେବର ପିଲାଦିନର ଖେଳଣା କୁଣ୍ଢେଇଗୁଡ଼ିକ ଦେଖିବୁ । ଏଗୁଡ଼ିକ ମୋ ଜୀବନର ସର୍ବସ୍ୱ ଥିଲା । ତୁ ଏସବୁ ଫିଙ୍ଗି ଦେଇ ମୋ ମନରେ କଷ୍ଟ ଦେଇଥିଲୁ । ଆଜି ଦେଖ, ତୋ ନିକଟରେ ସେଗୁଡ଼ିକର ମୂଲ୍ୟ କେତେ ।’’

ଏତିକି ପଢ଼ି ଗୋସେଇଁ ପେଡ଼ିରୁ ଗୋଟି ଗୋଟି କରି ଖେଳଣା କୁଣ୍ଢେଇ କାଢ଼ି ଦେଖିଲେ । କେତୋଟି ବାଲିଗରଡ଼ା, ଭିନ୍ନ ଭିନ୍ନ ରଙ୍ଗ ପଥରର । ଗୋଟିଏ କାଠର ଘୋଡ଼ା । ଦୁଇ ତିନୋଟି କାଠ କୁଣ୍ଢେଇ । ଏ ସବୁ ଦେଖି ନୟନ ମନ ପୁଲକିତ ହୋଇଗଲା ।

ପୁଣି ପଢ଼ିବାକୁ ଲାଗିଲେ–

‘‘ତୋ ଜନ୍ମ ପୂର୍ବରୁ ମୋ ଜୀବନର ସର୍ବସ୍ୱ ତୋରି ପିତା ମହାଦେବ ମତେ ଛାଡ଼ି ଚାଲିଗଲା । ତୋର ମାତା ରମା–ତୋରି କେବଳ ନୁହେଁ-ଜଗନ୍ମାତା ସେ । ମୋର ଘର ଆଲୁଅ କରିଥିଲା । ତୋତେ ଜନ୍ମ ଦେଇ ମା’ ମୋର ଝୁରି ଝୁରି ପତି ନିକଟକୁ ଚାଲିଗଲା । ତାର ଜୀବନ ଥିଲା ପରପାଇଁ-ହୃଦୟ ଥିଲା ଆକାଶପରି । ସେ ଚାଲିଗଲା । ତୁ ହେଲୁ ମୋ ସଙ୍ଖାଳି । ନିଜର ଖିଆଲ ନେଇ ରହିଲୁ ତୁ । ମୋ କଥା ଶୁଣିଲୁନାହିଁ । ଟିକିଏ ଲକ୍ଷ୍ୟ କରି ଦେଖିଲେ, ଏହି ଖେଳଣାଗୁଡ଼ିକ ଭିତରେ ତୋର ପିତାମାତାଙ୍କୁ ତୁ ଦେଖିବୁ ।

‘‘ଆଉ କିଛି କହିବାରନାହିଁ । ଏତିକି । ଶ୍ରୀ ରାମଶରଣ ।’’

ଚିଠି ଖଣ୍ଡି ପଢ଼ିସାରି କୁଣ୍ଢେଇ ଓ ବାଲିଗରଡ଼ାଗୁଡ଼ିକ ପରିଷ୍କାର କରି ଧୋଇ ପୋଛି ସନ୍ନ୍ୟାସୀ ବେଦୀ ଉପରେ ରଖିଦେଲେ । ସେ ସବୁର ପ୍ରାଣପ୍ରତିଷ୍ଠା କରି ଧୂପ ଦୀପ ନୈବେଦ୍ୟ ଦେଇ ଦେବତା ପ୍ରତିଷ୍ଠା କଲେ । ଆଗନ୍ତୁକ ସମସ୍ତଙ୍କର ଭୋଗ-ରାଗ ପୂଜା କରାହେଲା । ସମସ୍ତେ ଆନନ୍ଦରେ ଗଦ୍‌ଗଦ ହୋଇଗଲେ । ହରିବୋଲ, ହୁଳହୁଳି ଶବ୍ଦରେ ଚତୁର୍ଦିଗ କମ୍ପିଗଲା ।

ରମା ଦେବୀଙ୍କୁ ଲକ୍ଷ୍ୟ କରି ସନ୍ନ୍ୟାସୀ କହିଲେ–

‘‘ଦେବୀ ! ଏ ପେଡ଼ି ତୁମେ ପାଇଲ କାହୁଁ ? ତୁମ ସଙ୍ଗେ ଆଜି ଦେବତା ଏଠାରେ ବିଜେ ହେଲେ । କେତେ ଜୀବନରେ ଯେ ତୁମର ଋଣ ମୁଁ ଶୁଝିବି, କହି ହେଉନାହିଁ ?’’

ରମା– ‘‘ଏଥିରେ କୃତିତ୍ୱ ମୋର କିଛିନାହିଁ । ବାଚସ୍ପତି କହିଦେଇ ଯାଇଥିଲେ ଆପଣଙ୍କ ଦେଖା ପାଇଲେ ଦେଇଦେବାକୁ, ସେହି କର୍ତ୍ତବ୍ୟ ପାଳନ କରିଛି ଆଜି । ଋଣର କଥା ଏଥିରେ କ’ଣ ଅଛି ?’’

ସନ୍ନ୍ୟାସୀ– ‘‘ଦେବୀ, ତୁମେ ମୋର ଗୁରୁ । ତୁମରି ଆଦର୍ଶ ମୋର ପଥପ୍ରଦର୍ଶକ ହୋଇଛି । ମତେ ବିପଥଗାମୀ ହେବାକୁ ଦେଇନାହଁ । ତୁମ ଯୋଗୁଁ ସତ୍ୟର ସନ୍ଧାନ ମୁଁ ପାଇଛି ।’’

ରମା– ‘‘ଆପଣଙ୍କ ତପସ୍ୟା ଆପଣଙ୍କୁ ଉଚ୍ଚ ଓ ମହତ୍ କରିଛି; ମୁଁ ସାମାନ୍ୟ ନାରୀ ।’’

ସନ୍ନ୍ୟାସୀ– ‘‘ସାମାନ୍ୟ ନାରୀ ! ସେବା ଓ ପବିତ୍ରତା ବିତରଣପାଇଁ ତୁମର ଜନ୍ମ । ଏ ଦେଶ ତୁମକୁ ପାଇ ଧନ୍ୟ । ତୁମେ ସାମାନ୍ୟ ନାରୀ ହୋଇଥିଲେ ମୋର ଜୀବନର ଗତି ଅନ୍ୟଆଡ଼େ ଯାଇଥାନ୍ତା; କେହି ଅଟକାଇ ପାରି ନ ଥାନ୍ତେ । ଭୋଗବିଳାସରେ ଉନ୍ମତ୍ତ ହୋଇ ମୁଁ ପାଷାଣ୍ଡ ପାଲଟିଥାନ୍ତି । କିଏ ମତେ ସେଥିରୁ ବିରତ କରି ସନ୍ମାର୍ଗ ଦେଖାଇ ଦେଲା ?’’

ରମା– ‘‘ଆପଣ ମୋପାଇଁ ସର୍ବସ୍ୱ ତ୍ୟାଗ କରିଛନ୍ତି । ଆପଣଙ୍କ ଆଦେଶ ମତେ ସେବାଧର୍ମ ଶିକ୍ଷା ଦେଇଛି । ଏତେ ସମ୍ପତ୍ତିର ମାୟା ପରପାଇଁ ଉତ୍ସର୍ଗ କରି ନ ଥିଲେ ମୋର କି ଚାରା ଥିଲା ସେବାଧର୍ମରେ ଦୀକ୍ଷିତ ହେବାକୁ ?’’

ସନ୍ନ୍ୟାସୀ– ତୁମ ସଙ୍ଗରେ ଏ କିଏ ଆସିଛନ୍ତି ? କେଉଁଠି ଦେଖିବା ପରି ତ ମନେ ହେଉଛି ।’’

ପ୍ରୌଢ଼ା– ‘‘ମତେ କ୍ଷମା ଦିଅନ୍ତୁ, ପ୍ରଭୁ ! ମୁଁ ହୀନା, ପତିତା । ଶ୍ରୀଚରଣରେ ଅପରାଧ କରିଛି... ମୁଁ ନିତାମା’ ।’’

ରମା– ‘‘ନିତାମା’ ଆଜିକାଲି ଆମ ଆଶ୍ରମର ପ୍ରଧାନ ସେବିକା ।’’

ସନ୍ନ୍ୟାସୀ– ‘‘ଧନ୍ୟ ନିତାମା’ ! ଦେବୀଙ୍କ ସଂସର୍ଗରେ ତୁମେ ଏବେ ସବୁ ପାପ-ତାପର ବାହାରେ ।’’

ରମା– ‘‘ଏତେ ପ୍ରଶଂସା ଦାସୀ ପ୍ରତି ଉଚିତ ହେଉନାହିଁ ।

ସନ୍ନ୍ୟାସୀ– ‘‘ଦାସୀ ନୁହଁ, ତୁମେ ଦେବୀ । ତୁମେ ମୋର ପ୍ରକୃତ ସହଧର୍ମିଣୀ ।

ରମା ଦେବୀ ତଳକୁ ମୁହଁ ପୋତିଲେ । ନିତାମା’ ଚାହିଁ ରହିଲା । ସନ୍ନ୍ୟାସୀ କହିବାକୁ ଲାଗିଲେ, –

‘‘ଏତେ ସ୍ନେହ, ଏତେ ଦୟା, ଏଡ଼େ ମମତା ରମା ! ମନେ କରିଥିଲି, ତୁ କଠୋର; ବଳପ୍ରୟୋଗ ତୋର ବାହାଦୂରୀ ତା ନୁହେ । ଯେଉଁ ପତ୍ର ଆଣିଦେଲୁ ରମା, ତାର ତୁଳନାନାହିଁ । ତୋର ଆଗମନରେ ଏ ସ୍ଥାନ ପବିତ୍ର, ଏ ହୃଦୟ ଶାନ୍ତି । ମୋର ସବୁ ତୋରି ଯୋଗୁଁ, ରମା ! ତୁ ଯେ ମୋ ମା ରମା-ତୁ ମୋ ମା ।’’

Image